ବିବେକ ହିଁ ଅନୁସରଣୀୟ

May 09, 2019, ଧର୍ମ ଓ ସଂସ୍କୃତି, , Anupambharat News Bureau


ବିବେକ ହିଁ ଅନୁସରଣୀୟ
Anupambharat News Bureau
May 09, 2019

ଇଂ. ସଚ୍ଚିଦାନନ୍ଦ ନନ୍ଦ
ଯି ଏ ନିଜ ଭିତରର ଶତ୍ରୁମାନଙ୍କ ଦ୍ୱାରା ପୀଡ଼ିତ,
ସେ ବାହାର ଶତ୍ରୁମାନଙ୍କର ସମ୍ମୁଖୀନ ହେବ କିପରି ? ଯିଏ ଆଧ୍ୟାତ୍ମିକ ମୂଲ୍ୟବୋଧ କ’ଣ ବୁଝେ ସେ କେବଳ ମୁକ୍ତି ପାଏ । ସକାଳୁ ଉଠି, ପୁଣି ରାତିରେ ଶୋଇବା ପର୍ଯ୍ୟନ୍ତ ତୁମର ସମସ୍ତ ଶକ୍ତି ଓ ସାମର୍ଥ୍ୟ, ସମୟ ଓ ଶିକ୍ଷା କେବଳ ପେଟ ପୁରାଇବାରେ କଟାଉଛ । ଏହାଦ୍ୱାରା ତୁମେ ଈଶ୍ୱରଙ୍କୁ ପାଶୋରି ଯାଉଛ । ଟିକେ ଚିନ୍ତା କଲ, ଈଶ୍ୱରଙ୍କୁ ପାଶୋରି ତୁମେ ଜୀବନରେ କ’ଣ ହାସଲ କରି ପାରୁଛ ? ପ୍ରେମ ସ୍ୱରୂପଗଣ । ସୁଖ ଓ ଦୁଃଖ କେବଳ ଶରୀର ସହ ସଂପୃକ୍ତ । ନିଜକୁ ଶରୀର ଭାବିବା, କେବଳ ଅଜ୍ଞତା ଯୋଗୁଁ ଆସିଥାଏ । ଦୀପ, ଚନ୍ଦ୍ର ତାରକାମାନେ ଆମକୁ କେବଳ ଅନ୍ଧକାରରେ ଦେଖାଯାଆନ୍ତି, କି;ୁ ସୂର୍ଯ୍ୟ ଉଦିତ ହେବା ମାତ୍ରେ ଏମାନେ ଅଦୃଶ୍ୟ ହୋଇ ଯାଆନ୍ତି । ଠିକ୍‌ ସେହିଭଳି ଜ୍ଞାନର ସୂର୍ଯ୍ୟ ଉଦୟ ହେଲେ ସୁଖ ଓ ଦୁଃଖର ଭାବ ଅନ୍ତର୍ହିିତ ହୋଇଯାଏ । ଯିଏ ଏହି ସତ୍ୟ ବୁଝେ ସେ ପ୍ରକୃତ ଜ୍ଞାନୀ । ପ୍ରାଣୀମାନେ ତ୍ରିଗୁଣର ଅଧିନ । ଗୋଟିଏ ଆମ୍ବର ତିନିଟି ଅବସ୍ଥା ଅଛି । କଷି, ପାକଳ ଓ ପାଚିଲା । କଷି ବେଳେ ଏହା କଷା ଲାଗେ, ପାକଳ ଅବସ୍ଥାରେ ଆମ୍ବିଳା ଓ ପାଚି ଗଲେ ମିଠା ଲାଗେ । ଏହା ଆମ୍ବର ଦୋଷ ନୁହେଁ, ତାହାର ସହଜ ଧର୍ମ ।
ସେହିପରି ମଣିଷର ଅନ୍ତର୍ଗତ ଗୁଣ ଯେପରି, ତାହାର ବ୍ୟବହାର ସେହିପରି ହୋଇଥାଏ । ତେଣୁ ମଣିଷର ଆଚରଣରୁ ତାହାର ଅନ୍ତର୍ନିହିତ ଗୁଣ ଜଣା ପଡ଼ିଥାଏ । ନିଜର ଖରାପ ଗୁଣ ଚିହ୍ନିବାକୁ ଚେଷ୍ଟା ନକରିବା ହେଉଛି ତମୋଗୁଣ । ଏହାକୁ ଚିହ୍ନି ମଧ୍ୟ ଦୂର ନକରିବା, ରଜୋଗୁଣ । ଦୁର୍ଗୁଣକୁ ଚିହ୍ନି ଏହାକୁ ଦୂର କରିବା ଓ ପବିତ୍ର ଗୁଣ ପ୍ରତିଷ୍ଠା କରିବା, ସତ୍ତ୍ୱଗୁଣ । ଏହି ତ୍ରିଗୁଣର ଅତୀତକୁ ଯିବା, ଋଷିଗୁଣ । ଭଲ ଲୋକମାନେ ସମସ୍ତଙ୍କର ଭଲ ହିଁ ଦେଖନ୍ତି । ସେମାନଙ୍କ ଆଖିରେ କାହାରି ଖରାପ ଗୁଣ ପଡ଼େନା । ସାଧାରଣ ଲୋକ ଭଲକୁ ଭଲ ଓ ଖରାପକୁ ଖରାପ ଆଖିରେ ଦେଖନ୍ତି । ଖରାପ ଲୋକ ଭଲରେ ଖରାପ ଦେଖନ୍ତି ଓ ଭଲର ନିନ୍ଦା କରନ୍ତି । ସବୁକିଛି କେବଳ ଖରାପ, କିଛି ଭଲ ନୁହେଁ ବୋଲି କହିବା ରାକ୍ଷାସ ଗୁଣ । ପ୍ରଥମ ତିନିଟି ମାନବ ଗୁଣ । ମାତ୍ର ଶେଷଟି ଦାନବ ଗୁଣ । ଆଜିକାଲି ତମୋଗୁଣ ଓ ରଜୋଗୁଣ ସବୁଠାରେ ଦେଖାଯାଉଛି, ନିଜର ଭୁଲ ଜାଣି ମଧ୍ୟ ତାକୁ ସଂଶୋଧନ ନକରିବା ଲୋକ ଅନେକ ଅଛନ୍ତି । ଯେଉଁମାନେ ତୁମର ଭୁଲ ଦେଖାନ୍ତି ସେମାନଙ୍କୁ ତୁମର ପ୍ରକୃତ ବନ୍ଧୁ ବୋଲି ଜ୍ଞାନ କର । ପରୀକ୍ଷାକୁ ସ୍ୱାଗତ ନକଲେ ଉପରକୁ ଉଠିବ କିପରି ? ତେଣୁ ନିଜର ଦୋଷ ଦେଖିବା ଉଚିତ୍‌ ।
ରାମଚନ୍ଦ୍ର ମହାବୀର ଥିଲେ । ସେ କିଶୋର ବୟସରେ ସୁବାହୁ ଓ ତାଡ଼କାକୁ ମାରିଥିଲେ । ତରୁଣ ବୟସରେ ଶିବଧନୁ ଭାଙ୍ଗିଥିଲେ ଓ ପର୍ଶୁରାମଙ୍କୁ ପରାସ୍ତ କରିଥିଲେ । ସେ ଏକାକୀ ୧୪,୦୦୦ ରାକ୍ଷାସଙ୍କୁ ହତ୍ୟା କରିଥିଲେ । ରାମ ରାବଣ ଯୁଦ୍ଧରେ ରାମଙ୍କ ବୀରତ୍ୱ ବର୍ଣ୍ଣନା କରିବାକୁ ବାଲ୍ମୀକି ଭାଷା ପାଇ ନାହାନ୍ତି । ସେ ଦେଢ଼ ଘଣ୍ଟା ଯୁଦ୍ଧରେ ୧୦,୦୦୦ ରଥାରୋହି, ୧୮,୦୦୦ ଗଜ ଓ ରାଜାରୋହ ସୈନ୍ୟ ହତ୍ୟା କରିଥିଲେ । ଏହାଛଡ଼ା ୧୪,୦୦୦ ଅଶ୍ୱ, ଅଶ୍ୱା ରୋହିଙ୍କ ସମେତ ୨ଲକ୍ଷ ସୈନ୍ୟ ନିହତ କରିଥିଲେ । ଏହା ରାବଣର ମୁଖ୍ୟ ସୈନ୍ୟ ବାହିନୀ । ରାମଙ୍କର ବୀରତ୍ୱର ମୂଳ କାରଣ ଥିଲା ତାଙ୍କଠାରେ ଥିବା ଭଲ ଗୁଣ । ମଣିଷ ଭଲ ଗୁଣ ଦ୍ୱାରା ଯେ କୌଣସି କର୍ମ ସାଧନ କରିପାରେ । ତାହାର ବୀରତ୍ୱ ବା ଦୁର୍ବଳତା ପାଇଁ ମଣିଷର ଆହାର ଓ ବିହାର ଦାୟୀ । ରାମଚନ୍ଦ୍ର ସକଳ ସଦ୍‌ଗୁଣର ଆଧାର ଥିଲେ ।
ରାମଚନ୍ଦ୍ର ଅତୀବ ସୌନ୍ଦର୍ଯ୍ୟମୟ ଥିଲେ । ତାଙ୍କର ସୌନ୍ଦର୍ଯ୍ୟ ବର୍ଣ୍ଣନା କଲା ବେଳେ ବାଲ୍ମୀକି ବିମୋହିତ ହୋଇ ଯାଉଥିଲେ । ରାମଙ୍କର ଅଙ୍ଗଶୋଭା ବର୍ଣ୍ଣନା କଲା ବେଳେ ବାଲ୍ମୀକି କହିଛନ୍ତି ଯେ, ଏପରି ସୌନ୍ଦର୍ଯ୍ୟ ଆଉ ସମ୍ଭବ ନୁହେଁ । ଏହି ସୌନ୍ଦର୍ଯ୍ୟ ଦେଖିଲେ ମଣିଷ ବିମୋହିତ ହୋଇଯିବ । ରାମଙ୍କର ଏହି ସୌନ୍ଦର୍ଯ୍ୟ ତାଙ୍କ ସଦ୍‌ଗୁଣରୁ ଜାତ ହୋଇଥିଲା । ତାଙ୍କର ବଳ ମଧ୍ୟ ଏହି ସଦ୍‌ଗୁଣରୁ ଜାତ । ମାତ୍ର ଆଜି କାଲିର ତରୁଣମାନଙ୍କୁ ଦେଖିଲ । ସେମାନେ ବାହାରକୁ କେବଳ ମଣିଷ ପରି ଦିଶୁଛନ୍ତି । ସେମାନଙ୍କର ବାହାରଟା ହଂସ ପରି ଦିଶୁଥିଲେ ମଧ୍ୟ ଭିତରଟା କୁଆ ପରି । ମଣିଷ ନିଜ ମନ ପଛରେ ଦୌଡ଼ିବା ଉଚିତ ନୁହେଁ । ମନ ଗୋଟିଏ ବାଇଆ ମାଙ୍କଡ଼ ପରି । ବିଷୟ ବାସନାର ମଦ୍ୟ ପାନ କରି ଏହି ମାଙ୍କଡ଼ ଉପିାତ କରେ । ସଂସାରର ବିଛା କାମୁଡ଼ିଲେ ଏହି ମାଙ୍କଡ଼ ଅଥୟ ହୁଏ । ଏ ଅବସ୍ଥାରେ କିପରି ନିଜକୁ ସଂଯତ କରି ପାରିବ । ନିଜକୁ ଏଥିରୁ କିପରି ମୁକ୍ତ କରିପାରିବ ? ଯୌବନର ସନ୍ନିପାତ ଯୋଗୁଁ ତୁମ୍ଭେମାନେ ମନୁଷ୍ୟତ୍ୱ ପାଶୋରି ଯାଉଛ । ମନରେ ବିଚାର କର, ମୁଁ କ’ଣ ଦେଖିବା ଉଚିତ ଓ କ’ଣ ଦେଖିବା ଉଚିତ ନୁହେଁ । କ’ଣ କରିବା ଉଚିତ ଓ କ’ଣ କରିବା ଉଚିତ ନୁହେଁ । କ’ଣ ଅନୁଭବ କରିବା ଉଚିତ ଓ କ’ଣ କରିବା ଅନୁଚିତ । ତୁମେ ମନର ପ୍ରରୋଚନାକୁ ଅନୁସରଣ କରି ଚାଲିଛ । ମନ, ବାକ୍ୟ ଓ କର୍ମ ଏକ ହେବା ଦରକାର । ତୁମର ଆଚରଣ ଯଦି ଠିକ୍‌ ନୁହେଁ, ତୁମେ ଏ ଅବସ୍ଥାରେ ଶକ୍ତି ଓ ସୌନ୍ଦର୍ଯ୍ୟର ଅଧିକାରୀ ହେବ କିପରି ? ତୁମର ଆହାର ଓ ବିହାର ଅଶୁଦ୍ଧ ଥିଲା ବେଳେ ଖ୍ୟାତି ଓ ସମ୍ମାନ ଲାଭ କରିବାର ଆଶା, ହାସ୍ୟାସ୍ପଦ ମାତ୍ର ।
ଆଗେ ଲୋକମାନେ ଯେଉଁ ଖାଦ୍ୟ ଖାଉଥିଲେ ତାହା ସ୍ୱାସ୍ଥ୍ୟପ୍ରଦ ଓ ବଳକାରକ ଥିଲା । ଦିନକୁ ଥରେ ଖାଇଲେ ଯୋଗୀ, ଦୁଇଥର ଖାଇଲେ ଭୋଗୀ, ତିନିଥର ଖାଇଲେ ରୋଗୀ ଓ ଚତୁର୍ଥ ଥର ଖାଇବା ମୃତୁ୍ୟ ସଙ୍ଗେ ସମାନ ବୋଲି ବିଚାର କରାଯାଇଥିଲା । ମାତ୍ର ଆଜିକାଲି ତୁମେ କେବଳ ଖାଦ୍ୟ ଗ୍ରହଣ ଓ ମଳ ବର୍ଜନ କରିବାରେ ବ୍ୟସ୍ତ । କେବଳ ସେତିକି ନୁହେଁ ମଝିରେ ମଝିରେ ପାନୀୟ ବ୍ୟବସ୍ଥା ମଧ୍ୟ ଅଛି । ଏହା କ’ଣ ପ୍ରକୃତ ଜୀବନ ? ଏ ସବୁ ତ ପଶୁପକ୍ଷୀଙ୍କର ମଧ୍ୟ ଅଛି । ମଣିଷର ବୈଶିଷ୍ଟ୍ୟ ଆଉ କ’ଣ ? ମଣିଷର ସ୍ୱାତନ୍ତ୍ର୍ୟ ହେଉଛି ତା’ର ବୁଦ୍ଧି ଓ ଜ୍ଞାନ । ଏହା ନଥିଲେ ମନୁଷ୍ୟ ପଶୁ ସଙ୍ଗେ ସମାନ । ମନୁଷ୍ୟ ପରି ପଶୁପକ୍ଷୀମାନେ ବିଶ୍ୱବିଦ୍ୟାଳୟରେ ପଢ଼ୁ ନାହାଁନ୍ତି । ଉପାଧି ଧାରଣ କରୁ ନାହାଁନ୍ତି । ତେବେ ମନୁଷ୍ୟ ଏତେ ଜ୍ଞାନ ବିଜ୍ଞାନ ଅଧ୍ୟୟନ କରି ପଶୁପକ୍ଷୀ ପରି ବ୍ୟବହାର କରିବା ଠିକ୍‌ କି ? ଏହି ଦୃଷ୍ଟିରୁ ଦେଖିଲେ ପଶୁପକ୍ଷୀମାନେ ମନୁଷ୍ୟ ଠାରୁ ଉତ୍କୃଷ୍ଟତ୍ତର ଜଣା ପଡ଼ୁଛନ୍ତି । ଏପରି ଅବସ୍ଥାରେ ବୀରତ୍ୱ ଓ ମହତ୍ୱ ଆହରଣ କରିବା ଚିନ୍ତା ହାସ୍ୟାସ୍ପଦ ନୁହେଁ କି?
ତୁମେମାନେ ଚିତ୍ତକୁ ନିର୍ମଳ ଓ ମନକୁ ଶୁଦ୍ଧ ରଖିବା ଏକାନ୍ତ ଆବଶ୍ୟକ । ରାମଚନ୍ଦ୍ର ନିଃସ୍ୱାର୍ଥପର ଥିବାରୁ ଅସାମାନ୍ୟ, ଅତୁଳନୀୟ ତେଜ ସମ୍ପନ୍ନ ଥିଲେ । ରାମ ଓ ଲକ୍ଷ୍ମଣ ଯେତେବେଳେ ଏକାଠି ଚାଲୁଥିଲେ ତାଙ୍କର ଚାଲିବାର ଭଙ୍ଗୀ ମଧ୍ୟ ଅପୂର୍ବ ଥିଲା । ଶରୀର ବଳବାନ ଓ ମନ ଶୁଦ୍ଧ ଥିଲେ ଏପରି ତେଜ ସମ୍ଭବ । ଆଜିକାଲି ୧୬ ବର୍ଷ ବୟସରେ ତରୁଣମାନଙ୍କୁ ଦେଖିଲେ ୬୦ ବର୍ଷର ବୁଢ଼ା ପରି ଦେଖା ଯାଉଛନ୍ତି । ସେମାନେ ଚାଲିଲା ବେଳେ ଓଟ ପରି ଦେଖାଯାଉଛନ୍ତି, ମନେ ହେଉଛି ଚାଲୁ ଚାଲୁ ପଡ଼ି ଯିବେ କି, ଦେହର ପୁଷ୍ଟି ସହିିତ ମନରେ ସ;ୁଷ୍ଟି ଦରକାର । ଶରୀର ପୁଷ୍ଟ ଥିଲେ ମନ ଅଚଞ୍ଚଳ ରହିବ । ଆଧାର ନିର୍ମଳ ଓ ସୁଦୃଢ଼ ଥିଲେ ସେଥିରେ ପବିତ୍ର କିଛି ରଖିବା ସମ୍ଭବ ହେବ । ତୁମେମାନେ ସ୍ଥିର ଭାବରେ କିଛି ସମୟ ବସି ପାରୁ ନାହଁ । ଶରୀରକୁ ଏପଟ ସେପଟ କରୁଛ । ତଳେ ବସ ବା ଚଉକିରେ ବସ, ସିଧା ହୋଇବସ । ସିଧା ହୋଇ ବସିବା ହେଉଛି ଧ୍ୟାନ ମୁଦ୍ରା । ତୁମର ବେଶ ପୋଷାକ ମଧ୍ୟ ଆତ୍ମ ସୂଚକ ହେବା ଉଚିତ । ଭାରତୀୟ ସଂସ୍କୃତି କହେ, ଅନୁକରଣ ଓ ଅନୁସରଣ କରିବା ବଳହୀନତାର ଚିହ୍ନ । ରାମ କାହାରିକୁ ଅନୁସରଣ ଓ ଅନୁକରଣ କରୁ ନଥିଲେ ସେ ପିଲାଥିଲା ବେଳେ କୌଶଲ୍ୟା କୈକେୟୀ ଆଦି ମାଆ ମାନେ ନାନା ପ୍ରକାର ପୋଷାକ ଆଣି, ରାମଙ୍କୁ କହୁଥିଲେ, ଅମୁକ ଅମୁକ ରାଜପୁତ୍ର ଏମିତି ପୋଷାକ ପିନ୍ଧୁଛନ୍ତି, ତୁ ମଧ୍ୟ ପିନ୍ଧି । ଉତ୍ତରରେ ରାମ କହୁଥିଲେ, ‘ମୁଁ କାହିଁକି ଅନ୍ୟକୁ ଅନୁସରଣ କରିବି ? ଅନ୍ୟକୁ ଅନୁସରଣ କରିବା ଦାସତ୍ୱର ଚିହ୍ନ’ । ମାତ୍ର ଆଜିକାଲି ତୁମ୍ଭ ମାନଙ୍କର ସାରା ଜୀବନ ଖାଲି ଅନ୍ୟକୁ ଅନୁକରଣ କରିବାରେ କଟି ଯାଉଛି । ଯଦି ଦେଖିଲେ କିଏ ଲମ୍ବା କଲି ବା ଲମ୍ବା କେଶ ରଖିଛି, ତୁମେ ସଙ୍ଗେ ସଙ୍ଗେ ତାକୁ ଅନୁକରଣ କରୁଛ । କିଏ ଚିପା ପ୍ୟାଣ୍ଟ ବା ଢ଼ିଲା ପ୍ୟାଣ୍ଟ ପିନ୍ଧିବା ଦେଖିଲେ ତୁମେ ସଙ୍ଗେ ସଙ୍ଗେ ସେହିପରି ପୋଷାକ ପିନ୍ଧିବା ଆରମ୍ଭ କରି ପକାଉଛ । ନିଜ ବିବେକକୁ ଅନୁସରଣ କର ।
ଅଲିଶା ବଜାର, କଟକ,
ଦୂରଭାଷ : ୯୪୩୭୫୧୧୨୩୦





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଇଟିଙ୍ଗ କ୍ଷେତ୍ରରେ ନିଜର କ୍ୟାରିୟର ଗଢ଼ିବାର ଉପାୟ

ରାଇଟିଙ୍ଗ କ୍ଷେତ୍ରରେ ନିଜର କ୍ୟାରିୟର ଗଢ଼ିବାର ଉପାୟ

Read More...

ଓଡ଼ିଆ ଉତିଷ୍ଠ ଜାଗ୍ରତ

ଓଡ଼ିଆ ଉତିଷ୍ଠ ଜାଗ୍ରତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app coming soon

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page