ଶ୍ରାବଣ ମେଘ ଦେଲାନି:କରୋନାରେ କଲବଲ ଚାଷୀ

August 06, 2020, ଓଡ଼ିଶା, , Anupambharat News Bureau


 ଶ୍ରାବଣ ମେଘ ଦେଲାନି:କରୋନାରେ କଲବଲ ଚାଷୀ
Anupambharat News Bureau
August 06, 2020


ବ୍ରହ୍ମପୁର,୬ା୮(ବିନୋଦ ପଟ୍ଟନାୟକ) : ଏପଟେ କରୋନା ସେପଟେ ଶ୍ରାବଣ । ଦୁହିଁଙ୍କ ଦାଉରେ ପେଶି ହୋଇଯାଇଛନ୍ତି ଚାଷୀକୂଳ । କରୋନା କଟକଣା ଫଳରେ ଦୀର୍ଘ ଦିନ ବନ୍ଦ ରହିଥିଲା ଦୋକାନ ବଜାର । ଗାଡ଼ି ଚଳାଚଳ ମଧ୍ୟ ଠପ୍‌ ହୋଇଯାଇଥିଲା । ଫଳରେ ଚାଷୀ ଚାଷ କାର୍ଯ୍ୟ କରିପାରିନାହିଁ । ତେବେ ବର୍ତ୍ତମାନ ଅନ୍‌ଲକ ହେବା ପରେ ସରକାର ଚାଷୀକୂଳ ପାଇଁ ଯାତାୟତ ଏବଂ ଚାଷ ସମ୍ବନ୍ଧୀୟ ଦୋକାନ ଖୋଲା ରଖିବା ପାଇଁ ଅନୁମତି ଦେଇଛନ୍ତି । ଏହି ଅନୁମତି ମିଳିଲେ ମଧ୍ୟ କରୋନା ଭୟରେ କେହି ଦୋକାନ ଖୋଲିବାକୁ ପ୍ରସ୍ତୁତ ନାହାନ୍ତି । ଅପରପକ୍ଷରେ ଗାଡ଼ି ଯାତାୟତ ମଧ୍ୟ ସହର ଏବଂ ଗ୍ରାମାଞ୍ଚଳରେ ଠପ୍‌ ହୋଇଯାଇଛି । ଫଳରେ ଚାଷୀ ଚାଷ ଉପକରଣ ପାଇ ପାରୁନାହିଁ । କରୋନା କବଳରେ ବାନ୍ଧି ହୋଇ ପଡ଼ିଥିବା ସମଗ୍ର ଦେଶରେ ସଂପ୍ରତି ପରିସ୍ଥିତିରେ ଚାଲିଥିବା ସଟ୍‌ଡ଼ାଉନ, ଲକ୍‌ଡ଼ାଉନ ଏବଂ ଅନ୍‌ଲକ ପ୍ରକ୍ରିୟାରେ ପେଶି ହୋଇ ପଡ଼ିଛି ସମ୍ପୂର୍ଣ୍ଣ ଚାଷୀକୂଳ । ଏହି ସମୟରେ ପାଣି ଉପରେ ଭରସା କରୁଥିବା ଚାଷୀକୂଳ ଚଳିତ ବର୍ଷ ଶ୍ରାବଣ ମାସରେ ପାଣି ଟିକିଏ ନ ପାଇ ହତାଶ ହୋଇ ପଡ଼ିଛି । ଅକ୍ଷୟ ତୃତୀୟାରେ ଚାଷ କାର୍ଯ୍ୟ ଆରମ୍ଭ କରିବାକୁ ବସିଥିବା ଚାଷୀ ଚଳିତ ବର୍ଷ ଶ୍ରାବଶ ଶେଷରେ ମଧ୍ୟ ପାଣି ଟିକିଏ ପାଇ ପାରିଲା ନାହିଁ । ବର୍ତ୍ତମାନ ପରିସ୍ଥିତିରେ ସାରା ଦୁନିଆ କରୋନା କବଳରେ କବଳିତ ହୋଇ ଯାଇଥିବା ବେଳେ ଆମ ରାଜ୍ୟ ଓଡ଼ିଶାରେ ଜୁଲାଇ ଶେଷ ସୁଦ୍ଧା ୩୩୪୭୯ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେଥି ମଧ୍ୟରୁ ୨୦୫୧୭ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି । ୧୨୭୩୭ ଜଣ ଚିକିତ୍ସିତ ରହିଥିବା ବେଳେ ଏହି ସମୟ ମଧ୍ୟରେ ୨୨୫ ଜଣଙ୍କ ମୃତୁ୍ୟ ଘଟିଥିବା ଜଣାପଡ଼ିଛି । ସେହିପରି ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ୍‌, ୧୬ଟି ବିଜ୍ଞାପିତ ଅଞ୍ଚଳ ପରିଷଦ, ଗୋଟିଏ ପୌର ପରିଷଦ ଏବଂ ଗୋଟିଏ ମହାନଗର ନିଗମ ଅଞ୍ଚଳରେ ଏହି ସମୟ ମଧ୍ୟରେ ମୋଟ ୧୦୩୬୪ ଜଣ ଆକ୍ରାନ୍ତ ହୋଇଥିବା, ସେଥିମଧ୍ୟରୁ ୭୩୪୨ଜଣ ସୁସ୍ଥ ଏବଂ ୨୯୨୨ ଜଣ ଚିକିତ୍ସିତ ହେଉଥିବା ବେଳେ ୧୦୦ ଜଣଙ୍କ ମୃତୁ୍ୟ ଘଟିଥିବା ଜଣାପଡ଼ିଛି । ରାଜ୍ୟର ୩୦ଟି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦେଖିଲେ ଉକ୍ତ ସଂଖ୍ୟାର ଏକତୃତୀୟାଂଶ କେବଳ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତ ହୋଇଥିବା ଦେଖାଦେଇଛି । ସେଥିମଧ୍ୟରୁ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ମୋଟ ୧୯୧୭ କରୋନା ସଂକ୍ରମିତ ହୋଇଥିବା ବେଳେ ୧୪୮୩ ଜଣ ସୁସ୍ଥ ଏବଂ ୪୧୭ ଜଣ ଚିକିତ୍ସିତ ହେଉଛନ୍ତି । ଏହି ସମୟ ମଧ୍ୟରେ କେବଳ ବ୍ରହ୍ମପୁରରେ ୧୭ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ଘଟିଥିବା ଦେଖାଦେଇଛି । ଏହି ପରିସଂଖ୍ୟାନରୁ ଜଣାପଡ଼ୁଛି ଗଞ୍ଜାମ ଜିଲ୍ଲାରେ କରୋନା କଟକଣା କଡ଼ାକଡ଼ି ଭାବେ ପାଳନ କରିବାକୁ ପ୍ରଶାସନ ବାଧ୍ୟ ହେଉଛି । ଏହାର ପ୍ରଭାବ ଜିଲ୍ଲାର ବିଭିନ୍ନ ବ୍ୟବସାୟ କ୍ଷେତ୍ର ଉପରେ ପଡ଼ିଥିବା ବେଳେ ବିଶେଷ ପ୍ରଭାବିତ ହୋଇଛି ଚାଷୀକୂଳ ।
ଶ୍ରାବଣ ମେଘ ଆଣେ, ପାଣି ଦିଏ । କିନ୍ତୁ ଏଥର ଶ୍ରାବଣ ମେଘ ଆଣିଛି ସତ, ହେଲେ ପାଣି ଦେଇ ପାରିଲା ନାହିଁ କିମ୍ବା ମାଟିକୁ ଭିଜାଇ ପାରିଲା ନାହିଁ । ବହୁ ଅଞ୍ଚଳ ଶୁଖିଲା । ଚାଷୀ ହତାଶ । ଶ୍ରାବଣ ଆସିବା ବେଳକୁ ସାଧାରଣତଃ ବିହିଡ଼ା କାର୍ଯ୍ୟ ସରିବ ସରିବ ହୋଇଥାଏ । ଶ୍ରାବଣର ପାଣିରେ ଧାନ ଗଜା ଜୀବଦାନ ପାଇଥାଏ । ଚଳିତ ବର୍ଷ ଶ୍ରାବଣ ଆସି ଚାଲିଗଲା । ପାଣିଟିକିଏ ନ ପାଇ ଚାଷ ଉଜୁଡ଼ିବା ଦେଖି ଚାଷୀକୂଳ ହତାଶରେ ରହିଛନ୍ତି । ଗଞ୍ଜାମ ଜିଲ୍ଲା କଣ ରାଜ୍ୟର ଅନେକ ସ୍ଥାନରେ ଚଳିତ ବର୍ଷ ବିହିଡ଼ା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇନାହିଁ । ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ବିହିଡ଼ା କାର୍ଯ୍ୟ ସାରିନଥିବା ଚାଷୀ ପୁଣି ଆଶା ବାନ୍ଧି ବସିଛି କାଳେ ଟିକିଏ ବର୍ଷା ହେଲେ ରୁଆ ରୋଇ କାର୍ଯ୍ୟ ଆରମ୍ଭ କରିବ । ରୋଇବା ପାଇଁ ଦରକାର ହେଉଥିବା ପାଣି ସାଧାରଣତଃ ଶ୍ରାବଣ ଦେଇଥାଏ । ହେଲେ ପାଣିର ଅଭାବରେ ରୋଇବା କାର୍ଯ୍ୟ ମଧ୍ୟ ପଛରେ ପଡ଼ିଗଲା ଚଳିତ ଶ୍ରାବଣରେ । ଶ୍ରାବଣ ସତରେ ଏଥର ପାଣି ଦେଇ ପାରିଲା ନାହିଁ । ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ଜିଲ୍ଲାରେ ବର୍ଷା ନଥିବା ଏବଂ ଅନେକ ସମୟରେ ଆକାଶରେ ବାଦଲ ଦେଖାଦେଇଥିଲେ ମଧ୍ୟ ବର୍ଷାର ଚିହ୍ନବର୍ଣ୍ଣ ରହୁନଥିବାରୁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଏବେ ଜିଲ୍ଲାର ପରିସ୍ଥିତି ଏଭଳି ହୋଇଛି ଯେ, କେତେକ ଅଞ୍ଚଳରେ ଚାଷୀ ଜଳସେଚନ ଯୋଗୁଁ ପର୍ଯ୍ୟାପ୍ତ ପାଣି ପାଇ ତଳି ନଷ୍ଟ ହେବା ନେଇ ଚିନ୍ତିତ ହୋଇପଡ଼ିଥିବା ବେଳେ ଆଉ କେତେକ ଅଞ୍ଚଳରେ ବର୍ଷାଭାବ ଯୋଗୁଁ ତଳି ଉଧାଉ ନାହିଁ । ତବେ ୮୦ ପ୍ରତିଶତ ଅଞ୍ଚଳ କେବଳ ବର୍ଷା ଜଳ ଉପରେ ନିର୍ଭରଶୀଳ ଥିବାରୁ ନିକଟରେ ବର୍ଷା ନହେଲେ ଆଉ ଏକ ମରୁଡ଼ିକୁ ଜିଲ୍ଲାର ଚାଷୀ ମୁଣ୍ଡାଇବାକୁ ବାଧ୍ୟ ହେବ ।
ପ୍ରାକୃତିକ ଏବଂ ମନୁଷ୍ୟକୃତ ବିପର୍ଯ୍ୟୟକୁ ଦମ୍ଭର ସହ ମୁକାବିଲା କରୁଥିବା ଜିଲ୍ଲାର ଚାଷୀକ୍‌ୂଳ, ଚଳିତ ବର୍ଷ ପୁଣି ଥରେ ଅନିୟମିତ ବର୍ଷା ଜନିତ ପରିସ୍ଥିତିର ସମ୍ମୁଖୀନ ହେବାର ଆଶଙ୍କା ରହିଛି । କୃଷି ବହୁଳ ଗଞ୍ଜାମ ଜିଲ୍ଲାରେ ଖରିଫ ଫସଲ ସମୟରେ ଜିଲ୍ଲାର ପାତ୍ରପୁର ବ୍ଲକରେ ୧୦୧୪୫ ହେକଫର ଜମିରେ ଧାନ ଚାଷ, ଚିିକିଟି ବ୍ଲକରେ ୯୧୯୪, ରଙ୍ଗେଇଲୁଣ୍ଡା ବ୍ଲକରେ ୯୮୯୫, କୁକୁଡ଼ାଖଣ୍ଡି ବ୍ଲକରେ ୯୪୧୯, ସାନଖେମୁଣ୍ଡିରେ ୯୧୨୭, ଦିଗପହଣ୍ଡି ବ୍ଲକରେ ୧୩୮୯୩, ଛତ୍ରପୁରରେ ୭୫୮୦, ଗଞ୍ଜାମରେ ୪୨୬୫, ପୁରୁଷୋତ୍ତମପୁର ବ୍ଲକରେ ୧୦୪୦୬, ହିଞ୍ଜିଳିକାଟୁରେ ୯୩୯୫, ଖଲିକୋଟରେ ୫୩୦୮, ବେଗୁନିଆପଡ଼ାରେ ୭୭୧୫, କବିସୂର୍ଯ୍ୟନଗର ବ୍ଲକରେ ୪୯୧୯, ପୋଲସରା ବ୍ଲକରେ ୭୩୬୩, ଆସିକା ବ୍ଲକରେ ୬୨୨୦, ଶେରଗଡ଼ ବ୍ଲକରେ ୫୫୩୦, ଧରାକୋଟରେ ୪୮୦୦, ସୋରଡ଼ା ବ୍ଲକରେ ୬୪୩୩, ଭଞ୍ଜନଗର ବ୍ଲକରେ ୧୧୧୬୯, ବେଲଗୁଣ୍ଠାରେ ୬୯୮୫, ଜଗନ୍ନାଥପ୍ରସାଦ ବ୍ଲକରେ ୫୧୭୪ ଏବଂ ବୁଗୁଡ଼ା ବ୍ଲକରେ ୫୭୪୫ ହେକଫର ଜମିରେ ରୁଆ କାର୍ଯ୍ୟପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଶ୍ରାବଣରେ ବର୍ଷାର ଅଭାବ ଏବଂ କରୋନା କଟକଣା ପାଇଁ ଅଧାରୁ କମ ଜାଗାରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଛି । ସେହିପରି ସମଗ୍ର ଜିଲ୍ଲାର ହିସାବକୁ ଦେଖିଲେ ବର୍ତ୍ତମାନ ସୁଦ୍ଧା ଜଳ ସେଚନର ସୁବିଧା ଥିବା ସ୍ଥାନ ମାନଙ୍କରେ ୬୦ ପ୍ରତିଶତ ଚାଷକାର୍ଯ୍ୟ ହୋଇପାରିଛି । ଆଗାମୀ ଦିନରେ ବର୍ଷା ନ ହେଲେ ଏବଂ କରୋନା ସମସ୍ୟାର ସମାଧାନ ନ ହେଲେ ଚାଷୀକୂଳ ହତାଶ ହେବା ସହ ଆଉ ଗୋଟିଏ ବିପର୍ଯ୍ୟୟର ସମ୍ମୁଖୀନ ହେବା ନିଶ୍ଚିତ ବୋଲି କେତେକ କୃଷି ସମୀକ୍ଷକ ପ୍ରକାଶ କରିଛନ୍ତି । ସେହିପରି ଜିଲ୍ଲାରେ ମାଣ୍ଡିଆ ଚାଷ ୧୮୧୭୦ ହେକଫର ଜମିରେ ଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ମୁଗ ୪୨୭୦ ହେକଫର ଜମିରେ, ବିରି ୧୭୦୪୦ ହେକଫର ଜମିରେ, ଡ଼ାଲି ଜାତୀୟ ଫସଲ ୫୭୧୦ ହେକଫର ଜମିରେ, ଚିନାବାଦାମ ୪୬୧୦ ହେକଫର ଜମିରେ, ରାଶି ୧୯୨୬୦ ହେକଫର ଜମିରେ ଏହିପରି ବିଭିନ୍ନ ପରିବା ୪ଲକ୍ଷ ୮ ହଜାର ୮୧୦ ହେକଫର ଜମିରେ ଚାଷ କରିବାକୁ ଲକ୍ଷ ଧାର୍ଯ୍ୟ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ବହୁ କମ ଜମିରେ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରିଥିବା ବେସରକାରୀ ସୂତ୍ରରୁ ଜଣାପଡ଼ିଛି । ତେବେ ବର୍ଷା ଏବଂ ଜଳ ସେଚନର ସୁବିଧା ହୋଇପାରିଲେ ଏହି ପରିମାଣ ବହୁମାତ୍ରାରେ ବଢ଼ିବା ସହ ରାଜ୍ୟରେ କୃଷି ଭିତ୍ତିକ ଶିଳ୍ପର ଦୃତ ଉନ୍ନତି ପରିଲକ୍ଷିତ ହେବ । କିନ୍ତୁ ଶ୍ରାବଣ ତ ମେଘ ଆଣୁଛି ସତ ହେଲେ ପାଣି ଦେଉନାହିଁ । ବର୍ଷା ନ ହେଲେ ଏସବୁ ଫସଲ ହେବ କିପରି ? ଚାଷୀ କରିବ କଣ? ଭାତ ହାଣ୍ଡିରୁ ଗୋଟିଏ ଚିପିବା ଭଳି ଗଞ୍ଜାମ ଜିଲ୍ଲା ଏକ ଉଦାହରଣ । ଶ୍ରାବଣରେ ଏପରି ଅବସ୍ଥା ଲାଗି ରହିଛି ବିଭିନ୍ନ ଜିଲ୍ଲାରେ । କଣ ହେବ ଚାଷୀ କୁଳର ଅବସ୍ଥା !





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ବାତିଲ୍‌ ରହିବ କୋଣାର୍କ ସ୍ୱତନ୍ତ୍ର ଏକ୍ସପ୍ରେସ

ବାତିଲ୍‌ ରହିବ କୋଣାର୍କ ସ୍ୱତନ୍ତ୍ର ଏକ୍ସପ୍ରେସ

Read More...

କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ : ଆଠ ମୃତ

କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ : ଆଠ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page