ସଂସଦରେ ବିଜେଡି ସାଂସଦଙ୍କ ସଶକ୍ତ ସ୍ୱର ଶୁଭୁନି

February 22, 2021, ଓଡ଼ିଶା, , Anupambharat News Bureau


ସଂସଦରେ ବିଜେଡି ସାଂସଦଙ୍କ ସଶକ୍ତ ସ୍ୱର ଶୁଭୁନି
Anupambharat News Bureau
February 22, 2021


ଭୁବନେଶ୍ୱର, ୨୨ା୨ (ସ୍ୱତନ୍ତ୍ର ପ୍ରତିନିଧି): ସଂସଦରେ ଓଡ଼ିଶାର ସ୍ୱର ଯେମିତି ଦମ୍‌ଦାର ହେବା କଥା ସେମିତି ହୋଇପାରୁ ନାହିଁ । ଅନ୍ୟ ରାଜ୍ୟର ସାଂସଦମାନେ ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ଉପଭୋଗ କରୁଥିବା ଏନ୍‌ଡିଏ ସରକାରଙ୍କୁ ଅଡୁଆରେ ପକାଇ ଦେଉଥିବା ବେଳେ ଆମ ରାଜ୍ୟରୁ ପ୍ରତିନିଧିତ୍ୱ କରୁଥିବା ଅଧିକାଂଶ ସାଂସଦ ଗୃହରେ ଏକପ୍ରକାର ମୁହଁରେ ତୁଣ୍ଡି ଭିଡ଼ି ବସିବାକୁ ଶ୍ରେୟସ୍କର ମଣୁଛନ୍ତି । କିଛି ଦିନ ତଳେ ସଂସଦରେ ଜନସାଧାରଣଙ୍କୁ ମାଗଣା କରୋନା ଟିକା ପ୍ରସଙ୍ଗରେ ଘମାଘୋଟ ଆଲୋଚନା ଚାଲିଥିଲା । ବିହାରରେ ବିଜେପି-ଜେଡିୟୁ ମେଣ୍ଟ ସରକାର ଲୋକଙ୍କୁ ମାଗଣା କରୋନା ଟିକା ଦେବାକୁ ଘୋଷଣା କରିଥିବାବେଳେ ମହାରାଷ୍ଟ୍ର ସରକାର ଏହାକୁ ନେଇ ହୀନ ରାଜାନୀତି କରୁଛନ୍ତି ବୋଲି ଏନ୍‌ଡିଏ ପକ୍ଷରୁ ଆକ୍ଷେପ କରାଯାଇଥିଲା । ତୁରନ୍ତ ଏହାର କଡ଼ା ପାଲଟା ଜବାବ ଦେଇଥିଲେ ମହାରାଷ୍ଟ୍ରର ଶାସକ ମେଣ୍ଟର ଅନ୍ୟତମ ଅଂଶୀଦାର ଏନ୍‌ସିପିର ଟାଣୁଆ ନେତ୍ରୀ ସୁପ୍ରିୟା ସୁଲେ । କେନ୍ଦ୍ର ସରକାର ମହାରାଷ୍ଟ୍ର ସରକାରଙ୍କୁ ଦେବାକୁ ଥିବା ବିପୁଳ ପରିମାଣର ଜିଏସ୍‌ଟି କ୍ଷତିପୂରଣ ଅର୍ଥରାଶି ବକେୟା ରଖିଥିବା ଦର୍ଶାଇ ବର୍ଷି ଥିଲେ ମହିଳା ସାଂସଦ । ମୋଦି ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରିଥିଲେ । କେନ୍ଦ୍ର ଯେପର୍ଯ୍ୟନ୍ତ ବିପୁଳ ବକେୟା ରାଶି ପୈଠ ନ କରିଛି ସେପର୍ଯ୍ୟନ୍ତ କରୋନା ଟିକା ସଂପର୍କରେ ରାଜ୍ୟ ସରକାରଙ୍କୁ କିଛି କହି ପାରିବ ନାହିଁ ବୋଲି ରୋକ୍‌ଠୋକ୍‌ କହିଥିଲେ ମହିଳା ସାଂସଦ ସୁପ୍ରିୟା । ହେଲେ ସଂସଦରେ ଆମ ଓଡ଼ିଶାରୁ ନିର୍ବାଚିତ ପୁରୁଷ ଓ ମହିଳା ସାଂସଦମାନଙ୍କ କଥା କହିଲେ କୁଳକୁଟୁମ୍ବକୁ ଲାଜ ଭଳି ହେବ । ଅନ୍ୟ ରାଜ୍ୟରୁ ନିର୍ବାଚିତ ଲୋକପ୍ରତିନିଧିଙ୍କ ସଂସଦୀୟ କାର୍ଯ୍ୟକଳାପ ସହ ବିଜେଡିର ସାଂସଦମାନଙ୍କର ସଂସଦୀୟ ଦକ୍ଷତାର ତୁଳନା କଲେ ଜଣେ ଦୁଇ ଜଣଙ୍କୁ ଛାଡ଼ି ଅନ୍ୟମାନଙ୍କ ଅସହାୟତା ବେଶ୍‌ ବାରି ହୋଇ ପଡ଼େ । ଓଡ଼ିଶା ମାଟିରେ ବିଜେଡି ସାଂସଦମାନେ କେନ୍ଦ୍ର ଅବହେଳାକୁ ବଡ଼ ପ୍ରସଙ୍ଗ କରି ତମ୍ବିତୋଫାନ କରନ୍ତି । ହେଲେ ଦିଲ୍ଲୀ ଫେରିବା ପରେ ପୁନଶ୍ଚ ଆଶ୍ଚର୍ଯ୍ୟଜନକ ଭାବରେ ଚୁପ୍‌ ହୋଇ ଯାଆନ୍ତି ! ଓଡ଼ିଶାକୁ ଜିଏସ୍‌ଟି ଲାଗୁଜନିତ କ୍ଷତିର ଭରଣା ପାଇଁ ଉଚିତ ପରିମାଣର ଅର୍ଥରାଶି ପୈଠ କରିବାରେ କେନ୍ଦ୍ର ଟାଳଟୁଳ କଲେ ବି ଯେମିତି କହିବାକୁ କେହି ନାହିଁ । ଛତିଶଗଡ଼ ସହ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଓଡ଼ିଶାର ଯଥାର୍ଥ ଦାବି ପ୍ରତି କେନ୍ଦ୍ର ସରକାର ଆଦୌ କର୍ଣ୍ଣପାତ କରି ନଥିଲେ ବି ସଂସଦରେ ଏହାକୁ ନେଇ ବିଜେଡି ସେଭଳି ଝଡ଼ ଉଠାଇ ପାରି ନଥିଲା । ଏପରିକି ବିଭିନ୍ନ ପ୍ରସଙ୍ଗରେ ବିଜେଡି ଦିଲ୍ଲୀ ଜନପଥରେ ବରଂ ଧାରଣା ଦେଇଛି କିନ୍ତୁ ସଂସଦରେ ଏହାକୁ ଜୋରଦାର ଢଙ୍ଗରେ ଉଠାଇବାରେ ବିଫଳ ରହିଛି । ସଂସଦରେ ରାଜ୍ୟର ଦାବି ଉଠାଇବାରେ ବିଜେଡି ସାଂସଦଙ୍କ ରହସ୍ୟମୟ ନିରବତା ସେମାନଙ୍କର ଭୂମିକା ଉପରେ ବି ପ୍ରଶ୍ନଚିହ୍ନ ଲଗାଇ ଦେଇଛି ।
ଖାଇବା ତେଲ, ତୈଳବୀଜ ଓ ଡ଼ାଲି ଆଦି ଖାଉଟି ସାମଗ୍ରୀର ଅହେତୁକ ଦରବୃଦ୍ଧି ଭଳି ସ୍ପର୍ଶକାତର ପ୍ରସଙ୍ଗ ରହିଥିଲେ ବି ସେଥିପ୍ରତି ଆମ ସାଂସଦମାନେ ଚରମ ଉଦାସୀନତା ପ୍ରଦର୍ଶନ କରି ଆସିଛନ୍ତି । ତୈଳ ଦରବୃଦ୍ଧି, ରନ୍ଧନ ଗ୍ୟାସ୍‌ର ଆକାଶଛୁଆଁ ଦର ଓ ସବ୍‌ସିଡ଼ି ପ୍ରତ୍ୟାହାର ଆଦି ଅନେକ ପ୍ରସଙ୍ଗରେ ରାଜ୍ୟବାସୀଙ୍କ ଅସନ୍ତୋଷକୁ ସଂସଦରେ ବିଜେଡି ସାଂସଦ ଉଠାଇ ପାରିନାହାନ୍ତି । କୋଇଲା, ଲୁହାପଥର ସମେତ ବିଭିନ୍ନ ଖଣିଜଦ୍ରବ୍ୟ ରପ୍ତାନି ଜରିଆରେ ପୂର୍ବତଟ ରେଳପଥ ଓ ଦକ୍ଷିଣପୂର୍ବ ରେଳପଥରୁ ଭାରତୀୟ ରେଳବାଇ ବିପୁଳ ରାଜସ୍ୱ ସଂଗ୍ରହ କରୁଥିଲେ ମଧ୍ୟ ସଂଗୃହୀତ ରାଜସ୍ୱରୁ ସମାନୁପାତିକ ହିସାବରେ ଓଡ଼ିଶାକୁ ରୟାଲଟି ଦିଆ ଯାଉନାହିଁ । ଏ ନେଇ ମୁଖ୍ୟମନ୍ତ୍ରୀ ଅନେକ ସମୟରେ ଅବଶ୍ୟ ଚିଠି ଲେଖୁଛନ୍ତି ହେଲେ ରାଜ୍ୟର ସ୍ୱର ଉଠାଇବା ପାଇଁ ଦିଲ୍ଲୀ ଯାଇଥିବା ସାଂସଦମାନେ ସାମାନ୍ୟ ଗୁରୁତ୍ୱ ଦେଉ ନାହାନ୍ତି ।
ଅନ୍ୟପକ୍ଷରେ ବିବାଦୀୟ କୃଷି ବିଲ୍‌କୁ ନେଇ ଦେଶ ହୁଲସ୍ତୁଲ ହେଉଥିବାବେଳେ ସଂସଦରେ ବିଜେଡି ସାଂସଦ ଏହାକୁ ସମର୍ଥନ କରି ଦଳର କୃଷି ଓ କୃଷକପ୍ରେମୀ ଛବି ତଥା ନିରାପଦ ଦୂରତ୍ୱର ଘୋଷାକୁ ମଳିନ କରି ଦେଇଛନ୍ତି । ଏଥିପାଇଁ ଓଡ଼ିଶାରେ କ୍ଷମତାସୀନ ବିଜେଡିର ଦଳୀୟ ସଂସ୍କୃତି ଦାୟୀ ନା ସାଂସଦମାନେ ବ୍ୟକ୍ତିଗତ ଭାବରେ ଉତ୍ତରଦାୟୀ ଏହାର ଜବାବ କାହା ପାଖରେ ନାହିଁ । ସାଂସଦମାନେ ବିଜେଡିର ସମସ୍ତ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦାନ କରୁଛନ୍ତି, ଯେ କୌଣସି ନିର୍ବାଚନ ସମୟରେ ଉପସ୍ଥିତ ରହି ବିଜୟ-ରଣନୀତିକୁ ସଫଳ କରିବା ପାଇଁ ମାର୍ଗଦର୍ଶକ ନେତାଙ୍କୁ ସହଯୋଗ କରିବାରେ ଅବହେଳା କରୁନାହାନ୍ତି । ଏପରିକି ଦଳର କେହି କେହି ସାଂସଦ ନିଜ ପାରିବାରିକ ଜୀବନକୁ ନେଇ ଟ୍ୱିଟ୍‌ ଯୁଦ୍ଧରେ ମାତି ପାରୁଛନ୍ତି । ତେବେ ବିଜେଡିର ସାଂସଦମାନେ ସଂସଦରେ ନିଜ ରାଜ୍ୟର ହକ୍‌ ପାଇଁ ପାଟି ଫିଟାଇବାକୁ ସମ୍ପୂର୍ଣ୍ଣ ଅସମର୍ଥ ହୋଇ ପଡୁଛନ୍ତି ବୋଲି ଏବେ ରାଜ୍ୟରେ ଚର୍ଚ୍ଚା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀଙ୍କ ଇସ୍ତଫା

ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀଙ୍କ ଇସ୍ତଫା

Read More...

ପରିସ୍ଥିତି ବିଗିଡ଼ିଲେ ହେବ ଲକଡାଉନ୍‌ : ସ୍ୱାସ୍ଥ୍ୟମନ୍ତ୍ରୀ , ସ୍କୁଲରେ କଟକଣା କଡ଼ାକଡ଼ି କରିବାକୁ ଡିଇଓଙ୍କୁ ନିର୍ଦ୍ଦେଶ

ପରିସ୍ଥିତି ବିଗିଡ଼ିଲେ ହେବ ଲକଡାଉନ୍‌ : ସ୍ୱାସ୍ଥ୍ୟମନ୍ତ୍ରୀ , ସ୍କୁଲରେ କଟକଣା କଡ଼ାକଡ଼ି କରିବାକୁ ଡିଇଓଙ୍କୁ ନିର୍ଦ୍ଦେଶ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page