 
      Anupambharat News Bureau
Anupambharat News Bureau
ନୂଆଦିଲ୍ଲୀ: ଦେଶବ୍ୟାପୀ ଜାରି ରହିଥିବା ଚାଷୀ ଆନ୍ଦୋଳନ ଆଜି ସୁଦ୍ଧା ଥମି ନାହିଁ । ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାଠାରୁ ଆରମ୍ଭ କରି ଉପବାସ ଅନଶନ, ରେଳରୋକ ଭଳି ବଡ଼ଧରଣର ଧର୍ମଘଟ ପରିଚାଳନା କରାଯାଇଛି । ତେବେ ମଧ୍ୟ କେନ୍ଦ୍ର ସରକାର ଚାଷୀମାନଙ୍କ ଦାବି ପୂରଣ ଦିଗରେ ଆଇନ ସମ୍ମତ ଭାବରେ କୌଣସି ନିଷ୍ପତ୍ତି ଗ୍ରହଣ କରିନାହାନ୍ତି । ଆସନ୍ତା ୨୬ ତାରିଖରେ ଦେଶର ଚାଷୀ ସଂଗଠନଗୁଡ଼ିକ ସମ୍ପୂର୍ଣ୍ଣ ଭାରତ ବନ୍ଦ ଡାକରା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟହାର କରାଇ ନେବା ପାଇଁ ଚାଷୀ ସଂଗଠନଙ୍କ ଦାବି ରହିଛି । ଇତିମଧ୍ୟରେ ଚାଷୀ ସଂଗଠନମାନଙ୍କର ନେତୃତ୍ୱ ନେଉଥିବା ଏକ ପ୍ରମୁଖ ସଂଗଠନ ସଂଯୁକ୍ତ କିସାନ ମୋର୍ଚ୍ଚା (ଏସ୍କେଏମ୍)ର ଯୋଜନା ଅନୁଯାୟୀ ଦେଶର ବିଭିନ୍ନ ବ୍ୟବସାୟିକ ସଂଘ ଏବଂ ଅନ୍ୟ ପ୍ରତିଷ୍ଠାନଗୁଡ଼ିକ ସହିତ ଆଲୋଚନା କରାଯାଇ ସମ୍ପୂର୍ଣ୍ଣ ଭାରତ ବନ୍ଦ ପାଇଁ ଯୋଜନା କରାଯିବ ବୋଲି ଏସ୍କେଏମ୍ ପକ୍ଷରୁ କୁହାଯାଇଛି । ରାଷ୍ଟ୍ରୀୟ ରାଜଧାନୀ ନଗରୀ ନୂଆଦିଲ୍ଲୀର ସୀମାବର୍ତ୍ତୀ ଅଞ୍ଚଳରେ ଚାଷୀମାନେ ଯେଉଁ କୃଷି ଆଇନ ବିରୋଧୀ ଆନ୍ଦୋଳନ ଜାରି ରଖିଛନ୍ତି ଏହା ମାର୍ଚ୍ଚ ୨୬ ତାରିଖରେ ଚାରି ମାସ ପୂରଣ ହେବ, ଏଣୁ ୨୬ ତାରିଖରେ ସମ୍ପୂର୍ଣ୍ଣ ଭାରତ ବନ୍ଦ ପାଇଁ ଚାଷୀ ସଂଗଠନମାନେ ଯୋଜନା କରିଛନ୍ତି । ସୂଚନା ଯେ ନଭେମ୍ବର ୨୬ ତାରିଖରେ ଦେଶବ୍ୟାପୀ ଚାଷୀ ଆନ୍ଦୋଳନ ହୋଇଥିଲା । ଯାହାକି ଆଜି ଚାରିମାସରେ ପଦାର୍ପଣ କରିଛି । ଏହାପୂର୍ବରୁ ଚାଷୀମାନେ ଟ୍ରାକଫର ରାଲି ମଧ୍ୟ କରିଥିଲେ । ତେବେ ମଧ୍ୟ ସରକାର କୌଣସି ସମାଧାନ କରିନଥିଲେ । ତେଣୁ ଚାଷୀମାନେ ଅସନ୍ତୁଷ୍ଟ ପ୍ରକାଶ କରି ପୁଣି ଥରେ ମାର୍ଚ୍ଚ ମାସ ୨୬ ତାରିଖରେ ସମ୍ପୂର୍ଣ୍ଣ ଭାରତ ବନ୍ଦ କରିବେ ବୋଲି ଘୋଷଣା କରିଛନ୍ତି ।
