 
      Anupambharat News Bureau
Anupambharat News Bureau
ଲଣ୍ଡନ,୨୩ ।୫: ବିଶ୍ୱକପ୍ ପାଇଁ ଏଠାରେ ପହଞ୍ଚିବାର ଦିନକ ପରେ ଭାରତୀୟ ଟିମ୍ ଗୁରୁବାର ଅଭ୍ୟାସ ଆରମ୍ଭ କରିଦେଇଛନ୍ତି । ଅଧିନାୟକ ବିରାଟ କୋହଲି ଓ ମହେନ୍ଦ୍ର ସିଂ ଧୋନିଙ୍କ ସମେତ ଦଳର ସବୁ ଖେଳାଳି ନେଟ୍ସରେ ଝାଳ ବୁହାଇଛନ୍ତି । ପ୍ରଥମେ ଫୁଟ୍ବଲ୍ ସହ ଏହି ଅଭ୍ୟାସ ସେସନ୍ ଆରମ୍ଭ ହୋଇଥିଲା । ଏହାପରେ ଖେଳାଳିମାନେ କ୍ୟାଚିଂ ପ୍ରାକଫିସ୍ କରିଥିଲେ । କୋହଲି, ଧୋନି, ରୋହିତ, ଧାୱନ୍ ପରେ ବ୍ୟାଟିଂ ଅଭ୍ୟାସ କରିଥିଲେ ।
ଏଥର କୋହଲିଙ୍କ ନେତୃତ୍ୱାଧିନ ଭାରତୀୟ ଦଳ ଅନ୍ୟତମ ଟାଇଟଲ ଦାବିଦାର ଭାବେ ବିବେଚିତ ହେଉଛି । ଭାରତ ତାର ବିଶ୍ୱକପ୍ ଅଭିଯାନ ଜୁନ୍ ୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରୁ ଆରମ୍ଭ କରିବ । ତେବେ ତା’ ପୂର୍ବରୁ ଭାରତ ଦୁଇଟି ଅଭ୍ୟାସ ମ୍ୟାଚ୍ ଖେଳିବ । ମେ ୨୫ରେ ନୁ୍ୟଜିଲାଣ୍ଡ ଓ ୨୮ରେ ବାଂଲାଦେଶ ବିପକ୍ଷରେ ଭାରତ ଅଭ୍ୟାସ ମ୍ୟାଚ୍ ଖେଳିବ । ଇଂଲଣ୍ଡ ପରିବେଶରେ ଖେଳିବା ଅଭିଜ୍ଞତା ଦୃଷ୍ଟିରୁ ଭାରତ ସୁବିଧାରେ ରହିବ ବୋଲି ମନେ କରାଯାଉଛି । ଭାରତ ଇଂଲଣ୍ଡରେ ୨୦୧୩ରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ବିଜୟୀ ହୋଇଥିବାବେଳେ ୨୦୧୭ରେ ରନର୍ସ ଅପ୍ ହୋଇଥିଲା । ଏହାଛଡ଼ା ଗତବର୍ଷ ଇଂଲଣ୍ଡ ଗସ୍ତରେ ଯାଇ ଭାରତ ସେଠାରେ ୩ଟି ଟି୨୦ ଓ ଦିନିକିଆ ସହ ୫ଟି ଟେଷ୍ଟ ଖେଳିଥିଲା । ତଥାପି ବିଶ୍ୱକପ୍ ଭଳି ଟୁର୍ଣ୍ଣାମେଣ୍ଟର ଚ୍ୟାଲେଞ୍ଜ ଭିନ୍ନ ହେବ । ଏଭଳି ଏକ ମେଗା ଇଭେଣ୍ଟରେ ଚାପକୁ କିଭଳି ଭାରତ ନିୟନ୍ତ୍ରଣ କରୁଛି ତାହା ଗୁରୁତ୍ୱପୂର୍ଣ୍ଣ ହେବ ।
ଭାରତ ୧୯୮୩ରେ କପିଳ ଦେବଙ୍କ ନେତୃତ୍ୱରେ ପ୍ରଥମ ଥର ବିଶ୍ୱ ଚାମ୍ପିୟନ ହୋଇଥିଲା । ଏହାପରେ ୨୦୧୧ରେ ଘରୋଇ ମାଟିରେ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଭାରତ ଦ୍ୱିତୀୟ ଥର ଟାଇଟଲ୍ ଜିତିଥିଲା । ଏଥର ବିଶ୍ୱକପ୍ରେ ଭାରତର ନେତୃତ୍ୱ ନେବେ କୋହଲି ।
କ୍ରମାଗତ ଭଲ ପ୍ରଦର୍ଶନ ସହ ମହାନ ବ୍ୟାଟ୍ସମ୍ୟାନ୍ଙ୍କ କ୍ଲବ୍ରେ କୋହଲି ସାମିଲ ହୋଇଛନ୍ତି । ତେବେ ଆଗାମୀ ବିଶ୍ୱକପ୍ ଅଧିନାୟକ ଭାବେ ତାଙ୍କ ପାଇଁ ଏକ କଡ଼ା ପରୀକ୍ଷା ହେବ । ଦୁଇ ବର୍ଷ ତଳେ ଇଂଲଣ୍ଡରେ ହିଁ କୋହଲିଙ୍କ ନେତୃତ୍ୱରେ ଭାରତ ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲ୍କୁ ଉନ୍ନୀତ ହୋଇଥିଲା । ତେବେ ଫାଇନାଲ୍ରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ଠାରୁ ପରାସ୍ତ ହୋଇଥିଲା ।
କୋହଲିଙ୍କ ନେତୃତ୍ୱରେ ଭାରତ ଅନେକ ସ୍ମରଣୀୟ ସଫଳତା ହାସଲ କରିଛି । ତାଙ୍କ ଅଧିନାୟକତ୍ୱରେ ଭାରତ ଗତବର୍ଷ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆରେ ଐତିହାସିକ ଦିନିକିଆ ସିରିଜ୍ ବିଜୟ ହାସଲ କରିଥିଲା । ଚଳିତ ବର୍ଷ ପ୍ରାରମ୍ଭରେ କୋହଲିଙ୍କ ଦଳ ନୁ୍ୟଜିଲାଣ୍ଡରେ ବି ସିରିଜ୍ ଜିତିଥିଲା । ଆଗାମୀ ବିଶ୍ୱକପ୍ରେ ଭାରତ ସମେତ ଆୟୋଜକ ଇଂଲଣ୍ଡ ଓ ପାଞ୍ଚ ଥରର ଚାମ୍ପିୟନ ଅଷ୍ଟ୍ରେଲିଆକୁ ବିଶେଷଜ୍ଞମାନେ ଦାବିଦାର ଭାବେ ବିବେଚନା କରୁଛନ୍ତି । ୨୦୧୫ ବିଶ୍ୱକପ୍ରେ ଭାରତ ସେମିଫାଇନାଲ୍ରେ ପହଞ୍ଚିଥିଲା । ତେବେ ସେମିଫାଇନାଲ୍ରେ ଭାରତ ଆୟୋଜକ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇ ବିଦାୟ ନେଇଥିଲା । ଇଂଲଣ୍ଡ ଯାତ୍ରା ପୂର୍ବରୁ ଅଧିନାୟକ କୋହଲି ଓ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଏକ ସାମ୍ବାଦିକକୁ ସମ୍ବୋଧିତ କରିଥିଲେ । ଫର୍ମାଟ୍ ଦୃଷ୍ଟିରୁ ଏଥର ବିଶ୍ୱକପ୍ ସବୁଠୁ ଚ୍ୟାଲେଞ୍ଜିଂ ହେବ ବୋଲି କୋହଲି କହିଥିଲେ । ତେଣୁ ଆତ୍ମସନ୍ତୁଷ୍ଟି ପରିବର୍ତ୍ତେ ଦଳର ସବୁ ଖେଳାଳିଙ୍କୁ ପ୍ରଥମ ମ୍ୟାଚ୍ରୁ ପ୍ରସ୍ତìତ ହେବାକୁ ପଡିବ ବୋଲି ସେ କହିଥିଲେ ।
୧୯୯୨ ସଂସ୍କରଣ ପରେ ପ୍ରଥମ ଥର ପାଇଁ ବିଶ୍ୱକପ୍ ରାଉଣ୍ଡ ରବିନ୍ ଫର୍ମାଟ୍ରେ ଖେଳାଯିବ । ଏହି ଫର୍ମାଟ୍ ଅନୁସାରେ ୧୦ଟି ଯାକ ଟିମ୍ ପରସ୍ପର ସହ ଥରେ ଲେଖାଏଁ ଖେଳିବେ । ଟପ୍ ୪ ଟିମ୍ ସେମିଫାଇନାଲ୍କୁ ଉନ୍ନୀତ ହେବେ । ଭାରତ ଏହାର ଅଭିଯାନ ଜୁନ୍ ୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରୁ ଆରମ୍ଭ କରିବ । ଏହାପରେ ଭାରତର ମୁକାବିଲା ଅଷ୍ଟ୍ରେଲିଆ (ଜୁନ୍ ୯), ନୁ୍ୟଜିଲାଣ୍ଡ (ଜୁନ୍ ୧୩) ଓ ପାକିସ୍ତାନ (ଜୁନ୍ ୧୬) ସହ ହେବ । ଜୁନ୍ ୨୨ରେ ଆଫଗାନିସ୍ତାନ, ୨୭ରେ େୱଷ୍ଟଇଣ୍ଡିଜ୍, ଜୁନ୍ ୩୦ରେ ଇଂଲଣ୍ଡ ଓ ଜୁଲାଇ ୨ରେ ଭାରତ ତାର ଶେଷ ଲିଗ୍ ମ୍ୟାଚ୍ରେ ବାଂଲାଦେଶକୁ ଭେଟିବ ।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ୍, କେଏଲ ରାହୁଲ, ବିଜୟ ଶଙ୍କର, ଏମ୍ଏସ୍ ଧୋନି, କେଦାର ଯାଦବ, ଦିନେଶ କାର୍ତ୍ତିକ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମ୍ରା, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି । 
