ବିଜେପିକୁ ଜିତାଇଲା ଧର୍ମେନ୍ଦ୍ରଙ୍କ ପ୍ରଚାର ଓ ରଣନୀତି

November 08, 2022, ଓଡ଼ିଶା, , Anupambharat News Bureau


ବିଜେପିକୁ ଜିତାଇଲା ଧର୍ମେନ୍ଦ୍ରଙ୍କ ପ୍ରଚାର ଓ ରଣନୀତି
Anupambharat News Bureau
November 08, 2022


ଭୁବନେଶ୍ୱର, ୮ା୧୧ (ସ୍ୱତନ୍ତ୍ର ପ୍ରତିନିଧି): ଗତ କିଛି ବର୍ଷ ହେଲା ବିଜେଡି ରାଜ୍ୟରେ ଉପନିର୍ବାଚନ ଜିଣିବାର ଏକ ଧାରା ସୃଷ୍ଟି କରିଥିଲା । ହେଲେ ଧାମନଗରରେ ଶାସକ ଦଳର ସବୁ ଅଙ୍କକଷାକୁ ଭୁଲ୍‌ ପ୍ରମାଣିତ କରିଦେଲା ବିଜେପି ।
ମଇଦାନରେ ବିଦ୍ରୋହୀ ପ୍ରାର୍ଥୀଙ୍କ ଉପସ୍ଥିତି ସହ ଆଉ କିଛି କାରଣ ଯୋଗୁ ପରାଜୟର ମୁହଁ ଦେଖିଲା ବିଜେଡି । ବିଜେପିର ଟାଣୁଆ ନେତା ସ୍ୱର୍ଗତ ବିଷ୍ଣୁ ସେଠୀ ୨୦୧୯ରେ ପାଖାପାଖୁ ୫ହଜାର ଭୋଟରେ ବିଜୟୀ ହୋଇଥିଲେ । କି;ୁ ଏଥର ସୂରଜଙ୍କ ବିଜୟ ବ୍ୟବଧାନ ବଢି ୧୦ହଜାର ପାଖେଇ ଗଲା । ରାଜେନ୍ଦ୍ର ଦାସଙ୍କ ବିଦ୍ରୋହ ବିଜେଡି ପାଇଁ ମହଙ୍ଗା ପଡ଼ିଲା ଏଥିରେ କୌଣସି ସନ୍ଦେହ ନାହିଁ । ହେଲେ ବିଜେପିର ବିଜୟ ବ୍ୟବଧାନ ବୃଦ୍ଧି ବିଜେଡିକୁ ଅଧିକ ଚିନ୍ତାରେ ପକାଇଛି । ୨୦୦୯ରେ ବିଜେପି- ବିଜେଡି ମେଣ୍ଟ ଭାଙ୍ଗିବା ପରଠାରୁ ନବୀନଙ୍କ ନେତୃତ୍ୱରେ ବିଜେଡି ରାଜ୍ୟରେ ନିରଙ୍କୁଶ ଶାସନ ଚଳାଇଛି । ଇତିମଧ୍ୟରେ ଅନେକ ଉପନିର୍ବାଚନର ସାମ୍ନା କରିଛି ଶାସକ ଦଳ । ଗତ ୨୦୧୯ ବିଧାନସଭା ନିର୍ବାଚନ ପରଠାରୁ ଧାମନଗରକୁ ମିଶାଇ ୬ଟି ଉପନିର୍ବାଚନ ହୋଇଗଲାଣି । ସେଗୁଡ଼ିକ ହେଲା ବିଜେପୁର, ଭଦ୍ରକ, ବାଲେଶ୍ୱର, ପିପିଲି, ବ୍ରଜରାଜନଗର ଏବଂ ଏବେ ଧାମନଗର । ପାଟକୁରା ମତଦାନକୁ ଯଦି ଉପନିର୍ବାଚନ ରୂପେ ଧରିବା ତେବେ ସେଠି ବି ବିଜେଡି ଜିଣିଥିଲା । ଭଦ୍ରକ ଉପନିର୍ବାଚନରେ ବିଜେପିକୁ ଶକ୍ତିହୀନ କରି ଆସନ ଛଡ଼ାଇ ନେଇଥିବା ବିଜେଡି ଧାମନଗରରେ କେମିତି ଫେଲ୍‌ ମାରିଲା? ରାଜନୈତିକ ସମୀକ୍ଷକଙ୍କ ମତରେ ଏହି ପରାଜୟ ପଛରେ ବିଜେଡ଼ିର ଦୁର୍ବଳ ପ୍ରାର୍ଥୀ ଚୟନ ସାଙ୍ଗକୁ ମେଡିକାଲ୍‌ କଲେଜ୍‌ ଓ ପୋଲ ରାଜନୀତି ଆଦି ଅନେକ ପ୍ରସଙ୍ଗ ରହିଥିବା ।ସବୁଠୁ ବଡ଼ କଥା ହେଲା, ବିଜୁ ଜନତା ଦଳର ରଣକୌଶଳ ପ୍ରସ୍ତୁତିର ମୁଖିଆମାନେ ଚିରାଚରିତ ଢଙ୍ଗରେ ଭାବି ନେଇଥିଲେ ଯେ ନବୀନ ଅପ୍ରତିଦ୍ୱନ୍ଦୀ ଓ ବିଜେଡ଼ି ଅପରାଜେୟ । ନବୀନଙ୍କ ନାଁ ଓ ଶଙ୍ଖ ଚିହ୍ନରେ ବିପୁଳ ଭୋଟ୍‌ ରହିଛି ।
ଧାମନଗରରେ ଯାହାକୁ ଛିଡ଼ା କରାଇ ଦେଲେ ଚଳିବ ଓ ଦଳର ବଳରେ ସିଏ ନିଶ୍ଚୟ ଜୟଯୁକ୍ତ ହେବ ବୋଲି ବିଜେଡିର କିଛି ନେତା ଭାବିଥିଲେ । ସେମାନଙ୍କ ମନମାନି ଯୋଗୁ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ(ରାଜୁ)ଙ୍କୁ ଟିକେଟ ଦିଆ ନଯାଇ ରାଜନୀତିରେ ବିଶେଷ ଦଖଲ ନଥିବା ଅବନ୍ତୀ ଦାସଙ୍କୁ ବିଜେଡ଼ି ଟିକେଟରେ ଲଢିବାର ସୁଯୋଗ ଦିଆଗଲା । ବିଜେଡିର ପକେଟ ଭୋଟ ରାଜୁ ଯେତିକି ବି କାଟିଲେ ସେତକ ଅବନ୍ତୀଙ୍କ ପାଇଁ କାଳ ହେଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏଥର ବ୍ୟକ୍ତିଗତଭାବେ ଜନସଭାକୁ ସମ୍ବୋଧିତ ନ କରି ଭର୍ଚୁଆଲ ପ୍ରଚାର କରିଥିଲେ । ସେପଟେ ବିଜେପି ଏହି ଉପନିର୍ବାଚନକୁ ସମ୍ମାନର ପ୍ରଶ୍ନ ରୂପେ ଧରି ନେଇ ଲଢିଥିଲା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ସମେତ ବହୁ ତାରକା ପ୍ରଚାରକ ଅଗ୍ନିବର୍ଷୀ ଭାଷଣ ଦେଇ ବିଜେପି ସମର୍ଥକଙ୍କ ଉତ୍ସାହ ବଢାଇଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗେହ୍ଲାପୁଅ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦୁଇ ରାଉଣ୍ଡ ତୋଫାନୀ ପ୍ରଚାର କରି ଦଳ ପାଇଁ ଆଣ୍ଠୁ ଛିଣ୍ଡାଇ ଥିଲେ । ବହୁ ଜନସଭାରେ ଧର୍ମେନ୍ଦ୍ର ସ୍ନାୟୁଉତ୍ତେଜକ ପ୍ରସଙ୍ଗ ଉଠାଇ ଆଗାମୀ ଦିନରେ ବହୁ ବିଜେଡ଼ି ନେତା ‘ନାଗଫାଶ’ରେ ପଡିବେ ବୋଲି କହି ଜନମତକୁ ପ୍ରଭାବିତ କରିବା ପାଇଁ ଜୋରଦାର ପ୍ରୟାସ କରିଥିଲେ । ଆଉ କିଛି ଗୁରୁିପୂର୍ଣ୍ଣ ପ୍ରସଙ୍ଗ ମଧ୍ୟ ବିଜେପିକୁ ସୁହାଇଥିଲା । ଯାଜପୁରରେ ମେଡିକାଲ କଲେଜ୍‌ ପାଇଁ ରାଜ୍ୟ ସରକାର ବିପୁଳ ଅନୁଦାନ ଘୋଷଣା କରିଥିବାବେଳେ ଭଦ୍ରକ ଜିଲ୍ଲାର ଦୀର୍ଘଦିନର ଦାବିକୁ ଅଣଦେଖା କରିଥିଲେ । ସେହି କାରଣରୁ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମନଗରବାସୀଙ୍କ ମନରେ ଯେଉଁ ଅସନ୍ତୋଷ କୁହୁଳୁଥିଲା ତାହା ମଧ୍ୟ ଏହି ଉପନିର୍ବାଚନରେ ପ୍ରତିଫଳିତ ହୋଇଥିଲା ।
ସେହିପରି ବୈତରଣୀ ନଦୀର ଯାଜପୁର ପାଶ୍ୱର୍ରେ ଗମନାଗମନର ବିକାଶ ପାଇଁ ସରକାର ତ୍ୱରିତ ପଦକ୍ଷେପ ନେଇଥିବାବେଳେ ଧାମନଗର ପଟରେ ଏପର୍ଯ୍ୟନ୍ତ ଏହାର ସମାନତା ଦେଖିବାକୁ ମିଳିନାହିଁ । ସେଥିପାଇଁ ଧାମନଗର ନିର୍ବାଚନମଣ୍ଡଳୀର ନଦୀଘେରା ଦୋବଲ ଅଞ୍ଚଳରେ ଅସନ୍ତୋଷ ତୀବ୍ର ରୂପ ଧାରଣ କରିଥିଲା । ଅବଶ୍ୟ ବିଜେପି ଦଖଲରେ ଥିବା ଏହି ଆସନରେ ବିଜେପି ଜୟଲାଭ କରି ନିଜର ଗଡ଼ରକ୍ଷା କରିଛି । ସାଧାରଣ ଦୃଷ୍ଟିରୁ ଦେଖିଲେ ଏହା କିଛି ବଡ଼ କଥା ନୁହେଁ । ହେଲେ ଏହି ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ
ବିଦ୍ରୋହୀ ରାଜୁ ଦାସ ଲଢିବା ଦ୍ୱାରା ବିଜେଡି ଭିତରେ ଥିବା ଚାପା ଅସନ୍ତୋଷ ପଦାକୁ ଫୁଟି ବାହାରିଛି । ସେପଟେ ରାଜ୍ୟ ରାଜନୀତିରେ ଧର୍ମେନ୍ଦ୍ରଙ୍କ ପତିଆରା ଧୀରେ ଧୀରେ ବଢୁଥିବାର ସଙ୍କେତ ମଧ୍ୟ ମିଳୁଛି । ୨୦୨୪ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ଧାମନଗର ଉପନିର୍ବାଚନରେ ବିଜେଡିର ପରାଜୟ ରାଜନୈତିକ ପାଣିପାଗରେ ଉଷ୍ମତା ଭରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଷ୍ଟ୍ରପତିଙ୍କ ପୁରୀଗସ୍ତ:  ୨୪ ପ୍ଲାଟୁନ ଫୋର୍ସନିୟୋଜିତ

ରାଷ୍ଟ୍ରପତିଙ୍କ ପୁରୀଗସ୍ତ: ୨୪ ପ୍ଲାଟୁନ ଫୋର୍ସନିୟୋଜିତ

Read More...

 ମେଳା ଦେଖିବା ନୋହିଲା : ଦୁର୍ଘଟଣାରେ ଦୁଇ ଭାଇ ସମେତ ଚାରି ମୃତ

ମେଳା ଦେଖିବା ନୋହିଲା : ଦୁର୍ଘଟଣାରେ ଦୁଇ ଭାଇ ସମେତ ଚାରି ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page