ବସ୍ତିମୁକ୍ତ ଓଡ଼ିଶା ସ୍ୱପ୍ନ :ସହରାଞ୍ଚଳର ଦାମୀ ଜମି ହଡ଼ପ ନହେଉ

November 16, 2022, ଓଡ଼ିଶା, , Anupambharat News Bureau


ବସ୍ତିମୁକ୍ତ ଓଡ଼ିଶା ସ୍ୱପ୍ନ :ସହରାଞ୍ଚଳର ଦାମୀ ଜମି ହଡ଼ପ ନହେଉ
Anupambharat News Bureau
November 16, 2022


ଭୁବନେଶ୍ୱର, ୧୬ା୧୧ (ସ୍ୱତନ୍ତ୍ର ପ୍ରତିନିଧି): ସହରାଞ୍ଚଳର ବାସହୀନଙ୍କୁ ଉନ୍ନତ ବାସଗୃହ ଯୋଗାଣ ପାଇଁ ନିକଟରେ ଓଡିଶା ପିଏମଏୱାଇ ଅର୍ବାନ ପୁରସ୍କାର ପାଇଁ ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛି । ଡିସେମ୍ବର ୨୦୨୩ ସୁଦ୍ଧା ଆମ ରାଜ୍ୟର ସବୁ ସହର ବସ୍ତିମୁକ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ମଧ୍ୟ ଘୋଷଣା କରି ସାରିଛନ୍ତି ।
ରାଜ୍ୟ ସରକାରଙ୍କ ଜାଗା ମିଶନ ଜରିଆରେ ସହରାଞ୍ଚଳ ଭୂମିହୀନଙ୍କୁ ଜମି ପଟ୍ଟା ଦିଆଯିବ । ବସ୍ତିବାସିନ୍ଦାଙ୍କୁ ଜାଗାର ପଟ୍ଟା ମିଳିବା ସହ ସେଠାରେ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ, ଆଲୋକ ବ୍ୟବସ୍ଥା କରିବା ଉପରେ ଗୁରତ୍ୱ ଦିଆଯିବ । ଏହା ଦ୍ୱାରା ଉପକୃତ ହେବେ ଲକ୍ଷାଧିକ ପରିବାର । ବସ୍ତି ଅଞ୍ଚଳରେ ଡ୍ରୋନ ଜରିଆରେ ଓ ଘରକୁ ଘର ବୁଲି ସର୍ଭେ କରାଯିବ । ଟାଟା କମ୍ପାନୀ ଏଥିପାଇଁ ବୈଷୟିକ ସହାୟତା ଯୋଗାଇ ଦେବେ ।
ସହରର ଅନ୍ୟ ଜନବସତି ଅଞ୍ଚଳ ଭଳି ବସ୍ତି ଅଞ୍ଚଳରେ ବ୍ୟାପକ ଉନ୍ନତିକରଣ କରାଯିବ । ପୌରାଞ୍ଚଳକୁ ମିଳୁଥିବା ଅନୁଦାନର ୨୫ ପ୍ରତିଶତ କେବଳ ବସ୍ତି ଅଞ୍ଚଳ ଉନ୍ନୟନ ପାଇଁ ଖର୍ଚ୍ଚ କରିବାକୁ ସରକାରୀ ଭାବେ ନିଷ୍ପତ୍ତି ନିଆ ଯାଇଛି । ରାଜ୍ୟ ସରକାର ମଧ୍ୟ ବସ୍ତି ଅଞ୍ଚଳକୁ ମଡେଲ କଲୋନୀରେ ରୂପାନ୍ତରିତ କରିବା ପାଇଁ ବିଜୁ ଆଦର୍ଶ କଲୋନୀ ଯୋଜନା କରିଛନ୍ତି । ଏହି ଯୋଜନାରେ ରାଜ୍ୟର ୧୧୪ଟି ପୌର ସଂସ୍ଥାରେ ଥିବା ପ୍ରାୟ ୨,୯୭୪ ଟି ବସ୍ତି ରୂପାନ୍ତରିତ ହେବ ।
ବସ୍ତି ଉଚ୍ଛେଦ କରି ସହର ଗୁଡ଼ିକୁ ଅଧିକ ସୁନ୍ଦର କରି ଗଢିବା ଭଲ କଥା । ଏହା ଦ୍ୱାରା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡିଶାର ସମ୍ମାନ ଆହୁରି ବଢନ୍ତା । ଅନ୍ୟ ରାଜ୍ୟ ଓ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ପୁରୀ, ଭୁବନେଶ୍ୱର ଭଳି ପ୍ରମୁଖ ସହରର ସ୍ୱଚ୍ଛତା ଉପରେ ନକରାତ୍ମକ ମନ୍ତବ୍ୟ ଦେବା ହ ୍ରାସ ପାଆନ୍ତା ଏବଂ ପର୍ଯ୍ୟଟନ କ୍ଷେତ୍ରରୁ ଓଡ଼ିଶାର ଆୟ ବଢି ପାରନ୍ତା ।
ସାମଗ୍ରିକ ଭାବେ ଦେଖିଲେ ସହରାଞ୍ଚଳରୁ ବସ୍ତି ଉଚ୍ଛେଦ ଏକ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା । ସାଧାରଣ ଦୃଷ୍ଟିରୁ ଦେଖିଲେ ବହୁ ଗରିବ ବସ୍ତିବାସିନ୍ଦା ସହରରେ ନିଜର ଘର ଖଣ୍ଡିଏ ପାଇ ବ୍ୟକ୍ତିଗତ ଭାବରେ ଉପକୃତ ହେବେ । ସେମାନଙ୍କ ପରବର୍ତ୍ତୀ ପୀଢ଼ି ସମ୍ମାନର ସହ ବଞ୍ଚିବାର ସୁଯୋଗ ପାଇବେ । ଏହି ଯୋଜନା ସବୁ ଦୃଷ୍ଟିରୁ ସ୍ୱାଗତଯୋଗ୍ୟ ହୋଇଥିଲେ ମଧ୍ୟ ଉଚ୍ଛେଦ ହେବାକୁ ଥିବା ବସ୍ତି ଅଞ୍ଚଳର ମୂଲ୍ୟବାନ ଜମିକୁ ମାଫିଆମାନେ ହଡପ କରିବାର ଆଶଙ୍କା ରହିଛି । ଇତିମଧ୍ୟରେ ଭୁବନେଶରରେ ଅନେକ ବସ୍ତିକୁ ହଟାଇ ସେଠାକାର ବାସିନ୍ଦାମାନଙ୍କୁ ଅନ୍ୟତ୍ର ଥଇଥାନ କରାଗଲାଣି । ରାଜ୍ୟର ସମସ୍ତ ସହରାଞ୍ଚଳରେ ଆଗାମୀ ଦିନରେ ଏହା ତ୍ୱବରାନ୍ୱିତ ହେବ ।
ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ପୁରୀ ସମେତ ସମସ୍ତ ସହରର ଅତି ମୂଲ୍ୟବାନ ଜମିର ସୁବିନିଯୋଗ ନେଇ ଆଶଙ୍କା ପ୍ରକାଶ ପାଉଛି । ଭୁବନେଶ୍ୱର ସାଲିଆସାହି ହେଉ ବା କଟକ ହାଡିଆପଠା ବା ପୁରୀର ନୋଳିଆ ବସ୍ତି କଥା ଦେଖାଯାଉ । ଉଚ୍ଛେଦ ପରେ ଦଖଲମୁକ୍ତ ହେବାକୁ ଥିବା ବିପୁଳ ଜମିର କିଛି ଅଂଶରେ ବସ୍ତିବାସିନ୍ଦାଙ୍କ ପାଇଁ ବହୁତଳ ଆପାର୍ଟମେଣ୍ଟ ନିର୍ମାଣ ହେଲେ ମଧ୍ୟ କିଛି ଜମି ନିଶ୍ଚୟ ବଳକା ରହିବ । ଅସାଧୁ ବିଲଡର ଓ ଜବରଦଖଲକାରୀଙ୍କ ହାବୁଡ଼ରେ ସେହି ବଳକା ଜାଗା ପଡିବ ନାହିଁ ତ ? ମୁମ୍ବାଇ ଭଳି ଆମ ରାଜ୍ୟର ସହରାଞ୍ଚଳର ବସ୍ତିବାସିନ୍ଦାମାନେ ମହରଗରୁ ଯାଇ କାନ୍ତାରରେ ପଡ଼ିବେନି ତ ?
ମୁମ୍ବାଇରେ ବସ୍ତିଗୁଡିକୁ ଅଟ୍ଟାଳିକାରେ ପରିଣତ କରିବା ପାଇଁ ସହରାଞ୍ଚଳ ଥଇଥାନ କର୍ତ୍ତୃପକ୍ଷଙ୍କ ମାଧ୍ୟମରେ ପ୍ରକଳ୍ପଗୁଡିକ ଗତ ଦଶ ବର୍ଷ ହେଲା ଚାଲିଛି । ଘରୋଇ ବିଲଡର ସେହି ପ୍ରକଳ୍ପ ନିର୍ମାଣ କରିବା ପରେ ପ୍ରଥମ କିଛି ବର୍ଷ ପାଇଁ ଲୋକଙ୍କୁ ରହିବାକୁ ଦେଲେ । କିଛି ବର୍ଷ ପରେ ସେମାନଙ୍କୁ ସେଠାରୁ ତଡ଼ି ଦେଇ ମୁକ୍ତାକାଶରେ ଛାଡିଦେଲେ । ସେଠାରେ ହଜାର ହଜାର ବସ୍ତିବାସିନ୍ଦା ପୁଣି ବାସହରା ହୋଇ ପଡିଛନ୍ତି । ବିଲଡରମାନେ ସେମାନଙ୍କୁ ପୂର୍ବରୁ ନିଜ ଦଖଲରେ ଥିବା ଜାଗାରେ ରହିବା ଦୂରର କଥା ଦେଖିବାକୁ ମଧ୍ୟ ଅନୁମତି ଦେଉ ନାହାନ୍ତି । ମହାରାଷ୍ଟ୍ର ସରକାର ମଧ୍ୟ ସେହି ବିଲଡରମାନଙ୍କର କିଛି କରିପାରୁ ନାହାନ୍ତି । ଏପରିକି କିଛି ବସ୍ତିବାସିନ୍ଦା ଅବସାଦଗ୍ରସ୍ତ ହୋଇ ଜୀବନ ହାରିଲେଣି ।
ଆଶା କରିବା, ଓଡ଼ିଶାରେ ସେଭଳି ପରିସ୍ଥିତି ନ ଉପୁଜୁ । ସହରରେ ବସ୍ତି ଉଚ୍ଛେଦ ପରେ ସେଠାରେ ବସ୍ତିବାସିନ୍ଦାଙ୍କ ଥଇଥାନ ପାଇଁ ଇଡବ୍ଲୁଏସ କୋଠା କିମ୍ବା ବହୁଚଳ ଆପାର୍ଟମେଣ୍ଟ ନିର୍ମାଣ ହେଉ । ବଳକା ଜାଗାକୁ କୌଣସି ଅସାଧୁ ବିଲଡର୍‌ କିମ୍ବା ବାହୁବଳୀ ମାଡ଼ି ବସିବା ପାଇଁ ଆଦୌ ସୁଯୋଗ ଦିଆ ନ ଯାଉ ।
ସରକାର ଭବିଷ୍ୟତରେ ସମସ୍ତ ସହରର ସଂପ୍ରସାରଣ ପ୍ରତି ଏବେଠାରୁ ଚିନ୍ତା କର;ୁ । ବଳକା ସ୍ଥାନରେ ପାର୍କିଂ, ପାର୍କ, ସାପ୍ତାହିକ ହାଟ, ପ୍ରଦର୍ଶନୀ ଓ ମେଳା ସହୋତ୍ସବ ଆଦି ହେବାର ବନ୍ଦୋବସ୍ତ କରାଯାଉ । ଏହାଦ୍ୱାରା ମୂଲ୍ୟବାନ ଜାଗାକୁ କୌଣସି ଜମି ମାଫିଆ ରାତିଅଧିଆ ଦଖଲ କରିନେବାର ସୁଯୋଗ ପାଇ ପାରିବେ ନାହିଁ । ଏହାଦ୍ୱାରା ସହରର ବିକାଶ ହେବା ସହ ସୌନ୍ଦର୍ଯ୍ୟ ମଧ୍ୟ ଅକ୍ଷୁର୍ଣ୍ଣ ରହିବ । ମୁଖ୍ୟମନ୍ତ୍ରୀ ଓ ନଗର ଉନ୍ନୟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବେ ବୋଲି ଆଶା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୦୨୩ ଡିସେମ୍ବର ସୁଦ୍ଧା  ପଦ୍ମପୁରକୁ ଜିଲ୍ଲା ମାନ୍ୟତା

୨୦୨୩ ଡିସେମ୍ବର ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା

Read More...

ଚନ୍ଦ୍ର ଯାତ୍ରାରେ ‘ଆର୍ମେଟିସ୍‌-୧’

ଚନ୍ଦ୍ର ଯାତ୍ରାରେ ‘ଆର୍ମେଟିସ୍‌-୧’

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page