ପ୍ରଶଂସାରେ ପୋତିଲେ ଋାଷ୍ଟ୍ରପତି : ଶିକ୍ଷକ, ଡାକ୍ତର ଓ ଓକିଲ ଲୋକଙ୍କ ପାଇଁ ଭଗବାନ

November 27, 2022, ଓଡ଼ିଶା, , Anupambharat News Bureau


ପ୍ରଶଂସାରେ ପୋତିଲେ ଋାଷ୍ଟ୍ରପତି : ଶିକ୍ଷକ, ଡାକ୍ତର ଓ ଓକିଲ ଲୋକଙ୍କ ପାଇଁ ଭଗବାନ
Anupambharat News Bureau
November 27, 2022


ଭୁବନେଶ୍ୱର, ୨୭ା୧୧(ସ୍ୱତନ୍ତ୍ର ପ୍ରତିନିଧି): ଶିକ୍ଷକ, ଚିକିତ୍ସକ ଓ ଆଇନଜୀବୀମାନେ ଗାଁର ଲୋକଙ୍କ ପାଇଁ ଭଗବାନ ସଦୃଶ । ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ସମ୍ବିଧାନ ଦିବସ ଅବସରରେ ଆୟୋଜିତ ଏକ ଉତ୍ସବରେ ଅତ୍ୟନ୍ତ ଭାବବିହ୍ୱଳ ହୋଇ ଶିକ୍ଷା, ସ୍ୱାସ୍ଥ୍ୟ ଓ ଆଇନ ସେବାରେ ନିୟୋଜିତ ସମସ୍ତଙ୍କର ଭୂୟସୀ ପ୍ରଶଂସା କରିଛନ୍ତି ।
ନିଜର ବାଲ୍ୟକାଳ କଥା ସ୍ମରଣ କରି ସେ କହିଛନ୍ତି, ବିଶେଷ ସୁବିଧାସୁଯୋଗ ନଥିବା ଏକ କ୍ଷୁଦ୍ର ଅଖ୍ୟାତ ପଲ୍ଲୀରେ ୧୯୫୮ରେ ତାଙ୍କର ଜନ୍ମ ହୋଇଥିଲା । ବିଦ୍ୟାଳୟ ଶିକ୍ଷକଙ୍କ ପ୍ରେରଣା ଓ ଆଶୀର୍ବାଦରୁ ସେ ସଫଳତାର ଶିଡ଼ି ଚଢିବାକୁ ଆରମ୍ଭ କରିଥିଲେ । ଗୁରୁ ତ ମଣିଷ ନୁହନ୍ତି, ସେ ସାକ୍ଷାତ ଈଶ୍ୱର ।
ସେହିପରି ଡାକ୍ତର ହେଉଛନ୍ତି ଜୀବନଦାତା । ଅସୁବିଧାରେ ପଡିଲେ ଲୋକେ ଡାକ୍ତର୍‌ ଓ ଓକିଲଙ୍କ ପାଖକୁ ଯାଆନ୍ତି । ଜୀବନ ବଞ୍ଚାଇବା ପାଇଁ, ସମସ୍ୟାରୁ ମୁକୁଳିବା ପାଇଁ ଲୋକମାନେ ଜମି, ଘର ବିକ୍ରି କରି ଦେବାକୁ ପଛାନ୍ତି ନାହିଁ । ଶିକ୍ଷା, ସ୍ୱାସ୍ଥ୍ୟ ଓ ଆଇନ ସେବା ସମସ୍ତଙ୍କ ପାଖରେ ପହଞ୍ଚିଲେ ଦେଶର ସର୍ବାଙ୍ଗୀନ ଉନ୍ନତି ହୋଇ ପାରିବ ।
ନିଜ ଅଭିଭାଷଣରେ ସେ ମଧ୍ୟ ସରକାରଙ୍କୁ ଇଙ୍ଗିତ କରିଛନ୍ତି ଓ ଦେଶ ଯଦି ବିକାଶ ପଥରେ ଆଗେଇ ଚାଲିଛି ବୋଲି କୁହାଯାଉଛି ତେବେ ଅଧିକ ଜେଲ୍‌ କାହିଁକି ଆବଶ୍ୟକ ବୋଲି ପ୍ରଶ୍ନ ଉଠାଇଛନ୍ତି । ରାଷ୍ଟ୍ରପତି କହିଛନ୍ତ ଯେ, ଜନ୍ମରୁ କେହି ଅପରାଧୀ ହୋଇ ନଥାନ୍ତି । କିଏ ଜେଲ୍‌ଦଣ୍ଡ ଭୟରେ ଆତ୍ମହତ୍ୟା କରୁଛି ତ କାହାର ପରିବାର ସଂପୂର୍ଣ୍ଣ ଉଜୁଡ଼ି ଯାଇଛି । ସେହି ଲୋକମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବାକୁ ପଡ଼ିବ କାରଣ ଅଧିକ ଲୋକ ଜେଲ୍‌ରେ ରହିବା ଦେଶ ପାଇଁ ଏକ ବଡ଼ ଆର୍ଥିକ ବୋଝ ।
ଓଡ଼ିଶାରେ ମନ୍ତ୍ରୀ ଥିବାବେଳେ ସେ ନିଜ ଆଗ୍ରହରେ ରାଜ୍ୟର ସମସ୍ତ ଜେଲ୍‌ ବୁଲି କଏଦୀମାନଙ୍କ ଦଣ୍ଡିତ ହେବାର କାରଣ, ଅପରାଧର ମାତ୍ରା, ଆର୍ଥିକ ସ୍ଥିତି ଓ ସେମାନେ ଜେଲ୍‌ରେ ଭୋଗୁଥିବା ମାନସିକ ଯନ୍ତ୍ରଣା ବାବଦରେ ଅନୁଧ୍ୟାନ କରିଥିଲେ । ଝାଡ଼ଖଣ୍ଡରେ ରାଜ୍ୟପାଳ ହେବା ସମୟରେ ସେଠାକାର କିଛି ହାଇକୋର୍ଟ ବିଚାରପତିଙ୍କ ସହ ମଧ୍ୟ ନ୍ୟାୟିକ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ । ସ୍ଥିତି ବଦଳାଇବା ପାଇଁ ସେମାନେ ଯଦିଓ ପ୍ରୟାସ କରିଥିଲେ ଆଶାନୁରୂପ ଫଳାଫଳ ମିଳି ନଥିଲା ।
ରାଷ୍ଟ୍ରପତି କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ନରହତ୍ୟାକାରୀମାନେ ଖୁଲମଖୁଲା ବୁଲୁଛନ୍ତି ଅଥଚ ସରଳ ଲୋକମାନେ ଚାପୁଡ଼ା ମାରିବା କିମ୍ବା ଗାଳି ଦେବା ଭଳି ମାମୁଲି ଅପରାଧ କରି ଜେଲ୍‌ରେ ୨୦/୨୫/୩୦ ବର୍ଷ ଧରି ସଢୁଛନ୍ତି । ସେମାନଙ୍କ ବିରୋଧରେ ଯେଉଁ ଦଫା ନ ଲାଗିବା କଥା ସେଭଳି ଗୁରୁତର ଦଫା ଲଗାଇ ଦିଆ ଯାଇଥିବାରୁ ଏହି ପରିସ୍ଥିତି ଉପୁଜିଛି । ଏପରିକି ସେମାନଙ୍କୁ ସମାଜ ଆଉ ଗ୍ରହଣ କରିବନି ଆଶଂକାରେ ଜେଲ୍‌ରୁ ବାହାରିବାକୁ ବି ଚାହୁଁ ନାହାନ୍ତି । ଏହି ଅସହାୟ ଲୋକମାନେ ସମ୍ବିଧାନ କିମ୍ବା ପ୍ରସ୍ତାବନା, ମୌଳିକ ଅଧିକାର କିମ୍ବା ମୌଳିକ କର୍ତ୍ତବ୍ୟ ସମ୍ବନ୍ଧରେ କିଛି ଜାଣନ୍ତି ନାହିଁ । ମାମୁଲି ଅପରାଧରେ ଦଣ୍ଡିତ ଲୋକମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣି ସ୍ୱାଭାବିକ ଜୀବନ ବଞ୍ଚିବାକୁ ଦିଆଯିବା ଉଚିତ । ସେମାନଙ୍କୁ ଆଇନ ସହାୟତା ପ୍ରଦାନ କରିବା ସହ ସେମାନଙ୍କ ଦକ୍ଷତା ବିକାଶ କରି ରୋଜଗାରକ୍ଷମ କରିବା ସମସ୍ତଙ୍କର ଦାୟିତ୍ୱ ।
ଆଇନ ମନ୍ତ୍ରୀଙ୍କ ସମେତ ଉପସ୍ଥିତ ବିଜ୍ଞବ୍ୟକ୍ତିମାନେ ତାଙ୍କ କଥାରୁ ନିଶ୍ଚୟ କିଛି ବୁଝିଥିବେ ଓ ଯାହା ଅକୁହା ରହିଗଲା ତାହା ମଧ୍ୟ ବୁଝି ପାରିବେ ବୋଲି ରାଷ୍ଟ୍ରପତି କହିଛନ୍ତି । ସମାଜର ବିପନ୍ନ ଲୋକଙ୍କ ପାଇଁ ଚିନ୍ତା କରିବା ଆମର କର୍ତ୍ତବ୍ୟ । ସମସ୍ତେ ଏକମନ ହୋଇ କାମ କଲେ ବାଟ ନିଶ୍ଚୟ ବାହାରିବ । ଶିକ୍ଷାନୁଷ୍ଠାନ ଥାଇ ଶିକ୍ଷାରେ ସମସ୍ୟା, ଡାକ୍ତରଖାନା ଥାଇ ସେବା ମିଳୁନି । ଛୋଟମୋଟ ମାମଲା ଗାଁରେ ନ ତୁଟି କୋର୍ଟକଚେରୀକୁ ଯାଉଛି । ସମସ୍ତେ ହାତ ମିଳାଇଲେ ଏସବୁ ନିଶ୍ଚୟ ବନ୍ଦ ହୋଇ ପାରିବ ବୋଲି ରାଷ୍ଟ୍ରପତି ଆବେଗପୂର୍ଣ୍ଣର୍ ଭାଷାରେ ଆହ୍ୱାନ ଦେଇଛନ୍ତିି ।
ଅସହାୟ, ବିପନ୍ନ ତଥା ମୁଖ୍ୟସ୍ରୋତରୁ ଅଲଗା ହୋଇ ରହିଥିବା ଲୋକଙ୍କ ପାଇଁ ଅଦ୍ଭୂତପୂର୍ବ ଚିନ୍ତା ଓ ଆନ୍ତରିକ ଉଦ୍‌ବେଗ ପ୍ରକାଶ କରି ଓଡ଼ିଶା ମାଟିର ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବ୍ୟାପୀ ସବୁ ମହଲରୁ ଉଚ୍ଛ୍ୱସିତ ପ୍ରଶଂସା ସାଉଁଟିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କେନ୍ଦୁପତ୍ର ତୋଳାଳୀ ପାଇଲେ ହଜାରେ ଟଙ୍କା

କେନ୍ଦୁପତ୍ର ତୋଳାଳୀ ପାଇଲେ ହଜାରେ ଟଙ୍କା

Read More...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ଚାରି ନକ୍ସଲ

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ଚାରି ନକ୍ସଲ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page