ମତ୍ସ୍ୟ ଅବତାର

June 06, 2019, ଧର୍ମ ଓ ସଂସ୍କୃତି, , Anupambharat News Bureau


ମତ୍ସ୍ୟ ଅବତାର
Anupambharat News Bureau
June 06, 2019

“ଯଦା ଯଦା ହିଁ ଧର୍ମସ୍ୟ ଗ୍ଲାନି ର୍ଭବତି ଭାରତ,
ଅଭୁ୍ୟତ୍‌ଥାନମ ଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟ ହ,
ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାଂ,
ଧର୍ମ ସଂସ୍ଥାପନାର୍ଥାୟ ସମ୍ଭାବାମି ଯୁଗେ ଯୁଗେ । ।
ଶ୍ରୀମଦ୍‌ ଭାଗବତ୍‌ ଗୀତାର ଚତୁର୍ଥ ଅଧ୍ୟାୟର ସପ୍ତମ ଓ ଅଷ୍ଟମ ଶ୍ଲୋକରେ ସ୍ୱୟଂ ଭଗବାନ ଶ୍ରୀବିଷ୍ଣୁ ଅର୍ଜୁନଙ୍କୁ କହୁଛନ୍ତି, ସତ୍ୟର ଧର୍ମ ବିନାଶ ହୋଇ ଅଧର୍ମ ଓ ପାପ ବଢ଼ିଗଲେ ମୁଁ ଧର୍ମ ରକ୍ଷା ପାଇଁ ଏ ସଂସାରରେ ବାରମ୍ବାର ଯୁଗେ ଯୁଗେ ଆବିର୍ଭାବ ହୋଇଥାଏ । ସାଧୁ ସନ୍ଥଙ୍କୁ ରକ୍ଷା କରେ । ସଂସାରର ଅମଙ୍ଗଳକାରୀ ପାପୀଙ୍କୁ ବିନାଶ କରେ । ସଂସାରରେ ଶାନ୍ତି ଓ ଧର୍ମ ସ୍ଥାପନ କରି ଫେରିଥାଏ ।
ସତ୍ୟ ଯୁଗରେ ଭଗବାନ ବିଷ୍ଣୁ ପ୍ରଥମେ ମତ୍ସ୍ୟ ଅବତାର ଦ୍ୱିତୀୟରେ କୁର୍ମ ଅବତାର, ତୃତୀୟରେ ବରାହ ଅବତାର, ଚତୁର୍ଥରେ ନରସିଂହ ଅବତାର ଗ୍ରହଣ କରିଥିଲେ । ତ୍ରେତୟା ଯୁଗରେ ପଞ୍ଚମରେ ବାମନ ଅବତାର, ଷଷ୍ଠରେ ପର୍ଶୁରାମ ଅବତାର, ସପ୍ତମରେ ଶ୍ରୀରାମ ଅବତାର ଗ୍ରହଣ କରିଥିଲେ । ଦ୍ୱାପର ଯୁଗରେ ଅଷ୍ଟମରେ ଶ୍ରୀକୃଷ୍ଣ-ବଳରାମ ଅବତାର, ନବମରେ ବୌଦ୍ଧ ଅବତାର ଏବଂ ଶେଷରେ କଳିଯୁଗରେ କଳକୀ ଅବତାର ଗ୍ରହଣ କରି ସତ୍ୟ ଧର୍ମରକ୍ଷା କରିଥିଲେ ।
ଅନନ୍ତ ଶୟନରେ ଶ୍ରୀବିଷ୍ଣୁ ସଂସାର ସର୍ଜନ ଏବଂ ପ୍ରାଣୀଙ୍କ ଉତ୍ପତ୍ତି ସଂପର୍କରେ ଚିନ୍ତା କରୁଥିଲେ । ଏଥିପାଇଁ ସେ ନିଜର ନାଭିପଦ୍ମରୁ ବ୍ରହ୍ମାଙ୍କୁ ସୃଷ୍ଟି କଲେ ଓ ତାଙ୍କୁ ସୃଷ୍ଟି ସର୍ଜ୍ଜନା ନିମନ୍ତେ ଶିକ୍ଷା ଦେଇଥିଲେ ପୁଣି ସେ ନିଜେ ଚାରି ଗୋଟି ‘ବେଦ’ ପୁସ୍ତକ ସୃଷ୍ଟି କଲେ । ଯଥା- ଋକ ବେଦ, ଶାମ ବେଦ, ଯଦୁଃ ବେଦ ଓ ଅଥର୍ବ ବେଦ । ଏହି ଚାରିଗୋଟି ବେଦ ପୁସ୍ତକର ରଙ୍ଗ ଥିଲା ଚାରି ପ୍ରକାର । ଯଥା -ଶେ୍ୱତ, ଲୋହିତ, ପିତ ଓ ନୀଳ । ଏହି ଚାରି ପ୍ରକାରର ପୁସ୍ତକ ସାହାଯ୍ୟରେ ବ୍ରହ୍ମା ସୃଷ୍ଟି ସର୍ଜନା କରିବାକୁ ଲାଗିଲେ । ଚାରିଗୋଟି ବେଦ ପାଇଁ ବ୍ରହ୍ମାଙ୍କର ଚାରିଗୋଟି ମୁଣ୍ଡ ରହିଥିଲା । ଚାରି ମୁହଁରେ ଚାରି ବେଦ ଉଚ୍ଚାରଣ କରି ବ୍ରହ୍ମା ସୃଷ୍ଟି କରୁଥାନ୍ତି । ମଝିରେ ମଝିରେ ଶ୍ରୀବିଷ୍ଣୁଙ୍କୁ ସ୍ତୁତି କରି ପରାମର୍ଶ ମାଗି ନେଉଥାନ୍ତି ।
ପ୍ରଥମେ ବ୍ରହ୍ମା, ଦେବ ଓ ଦାନବ ସୃଷ୍ଟି କଲେ । ଦେବତାଙ୍କ ନିମନ୍ତେ ସ୍ୱର୍ଗରେ ସ୍ଥାନ ଦିଆଗଲା । ଦାନବଙ୍କ ପାଇଁ ପାତାଳପୁରୀ ସୃଷ୍ଟି କରାଯାଇ ସେଠାରେ ସ୍ଥାନ ଦିଆଗଲା । ଗୁଣ ଅନୁସାରେ ଦେବତାମାନେ ଥିଲେ ଭଲ ଓ ଦାନବମାନେ ଥିଲେ ମନ୍ଦ । ତେବେ ବିଷ୍ଣୁ ଚାହିଁ ଥିଲେ ଭଲ ଓ ମନ୍ଦ ଉଭୟ ପ୍ରକାରର ଗୁଣ ଥାଇ ମାନବ ସୃଷ୍ଟି କରିବା ଓ ମର୍ତ୍ତ୍ୟ ନାମରେ ଭୂ-ଲୋକ ସୃଷ୍ଟି କରିବା ପାଇଁ । ମହାକାଶର ଉପର ଭାଗରେ ରହିଲା ଦେବତାଙ୍କ ସ୍ୱର୍ଗ, ଅତଳ ତଳ ଜଳସ୍ତର ଆରପଟେ ରହିଲା ପାତାଳ । ଏହି ସ୍ୱର୍ଗ ଓ ପାତାଳ ମଧ୍ୟ ଭାଗରେ ଧରିତ୍ରୀ ସୃଷ୍ଟି କରିବା ପାଇଁ ଶ୍ରୀବିଷ୍ଣୁ ଚିନ୍ତା କରୁଥାନ୍ତି । ପାତାଳରେ ଦାନବ ଗଣ ଅକଥନୀୟ ଉତ୍ପାତ ହେଉଥାନ୍ତି । ସେମାନେ କରୁଥିବା ଶବ୍ଦରେ ଶ୍ରୀବିଷ୍ଣୁ ଶୟନ କରିଥିବା କ୍ଷୀର ସାଗରରେ ଫେଣ ସହ ପ୍ରବଳ ଲହରୀ ଉଠୁଥାଏ । ଲହରୀରୁ ଫେଣ ହଠାତ୍‌ ଆସି ଶ୍ରୀବିଷ୍ଣୂଙ୍କ କାନ ମୂଳରେ ଛିଟିକି ପଡ଼ିଲା । କାନର ମଳି ବୋଲି ଭାବି ଫେଣଗୁଡ଼ିକୁ ବାହାର କରି ଫିଙ୍ଗି ଦେଲେ । ଏହା ଥିଲା ଶ୍ରୀବିଷ୍ଣୁଙ୍କର ଏକ ଅଦ୍ଭୁତ ଲୀଳା । ଶ୍ରୀବିଷ୍ଣୁ ଫୋପାଡ଼ି ଦେଇଥିବା ଫେଣରୁ ଦୁଇଟି ପ୍ରକାଣ୍ଡ ରାକ୍ଷସ ଜନ୍ମ ନେଲେ । ସେ ଦୁହେଁ ଶ୍ରୀବିଷ୍ଣୁଙ୍କୁ ଦେଖିଲା ମାତ୍ରେ ଗର୍ଜନ କରି କହିଲେ, ‘ତୁମେ ଆମର ଶତ୍ରୁ ! ଆମେ ଦାନବ ! ଆଉ ତୁମେ ଦେବତା । ଶକ୍ତି ଅଛି ତ ଆମ ସହିତ ଯୁଦ୍ଧ କର ।’ ସାମାନ୍ୟ ହସି ଶ୍ରୀବିଷ୍ଣୁ ରାକ୍ଷସମାନଙ୍କ ସହିତ ଯୁଦ୍ଧ କଲେ କିନ୍ତୁ ନିଜ ଦେହ ମଳିରୁ ରାକ୍ଷାସ ଦୁହେଁ ଜନ୍ମଗ୍ରହଣ କରି ଥିବାରୁ, ସେମାନଙ୍କୁ ବଧ କରିବା ପାଇଁ ମନ ବଳାଇଲେ ନାହିଁ । ତେଣୁ ଜାଣିଶୁଣି ଯୁଦ୍ଧରେ ପରାସ୍ତ ହେଲେ । ରାକ୍ଷସ ଦୁହେଁ ହସି ଉଠିଲେ ଏବଂ କହିଲେ, ଦେଖିଲ ତୁମେ ଆମ ସହିତ ବଳରେ ପାରିଲ ନାହିଁ ।’ ଆମେ ଦୁହେଁ ହେଲୁ ରାକ୍ଷସବୀର ମଧୁ ଓ କୈଟଭ । କେବଳ ତୁମକୁ ନୁହେଁ, ତୁମ ପରି ସବୁ ଦେବତାଙ୍କୁ ପରାସ୍ତ କରି ଆମେ ସ୍ୱର୍ଗରେ ବାସ କରିବୁ ।
ଶ୍ରୀ ବିଷ୍ଣୁ କହିଲେ, ହେ ରାକ୍ଷସ ବୀର ମଧୁ ଓ କୈଟଭ ! ତୁମ ଦୁହିଁଙ୍କ ବଳରେ ମୁଁ ସନ୍ତୁଷ୍ଟ । ତୁମେ ମୋ ଠାରୁ କିଛି ବର ମାଗିବ ମାଗିନିଅ, ‘ରାକ୍ଷସ ଦୁହେଁ କହିଲେ, ତୁମେ ତ ଆମ୍ଭ ଠାରୁ ବଳରେ ହାରି ସାରିଛ । ଏଥିରୁ ଜଣାପଡ଼େ ଯେ, ତୁମେ ଦୁର୍ବଳ, ଆମେ ସବଳ । ଦୁର୍ବଳ ଠାରୁ ସବଳ କ’ଣ ବର ମାଗିଥାଏ ? ବରଂ ତୁମେ ଆମ୍ଭ ଠାରୁ ବର ମାଗି ନେଇ ପାର । ଶ୍ରୀବିଷ୍ଣୁ କହିଲେ, ‘ଭଲ କଥା, ମୁଁ ରାଜି ଅଛି । ତୁମ୍ଭେ ଦୁହେଁ ମୋ ଇଚ୍ଛାରେ ପ୍ରାଣତ୍ୟାଗ କର ।’ ରାକ୍ଷସ ଦୁହେଁ କହିଲେ, ତଥାସ୍ତୁ । ତହୁଁ ସେମାନଙ୍କ ମଧ୍ୟରେ ସାମାନ୍ୟ ଯୁଦ୍ଧ ହେଲା । ରାକ୍ଷସ ଦୁହିଁଙ୍କୁ ସେମାନଙ୍କର ବର ଓ ଇଚ୍ଛାନୁସାରେ ଶ୍ରୀବିଷ୍ଣୁ ବଧ କଲେ । ଆଉ ରାକ୍ଷସ ଦୁହିଁଙ୍କର ମେଦ (ମାଂସ)କୁ ମେଦାମେଦି କରି ‘ମେଦିନୀ’ ସୃଷ୍ଟି କଲେ । ସେହି ମେଦିନୀ ଶେଷରେ ପୃଥିବୀ ବା ଧରିତ୍ରୀ ମାତା ନାମରେ ଅଭିହିତ ହେଲା । ତହୁଁ ବ୍ରହ୍ମାଙ୍କ ନିର୍ଦ୍ଦେଶରେ ମାତା ଧରିତ୍ରୀଙ୍କୁ ପୃଥିବୀର ଦାୟିତ୍ୱ ଦିଆଗଲା । ଧରିତ୍ରୀ ମାତା ବ୍ରହ୍ମାଙ୍କ ନିର୍ଦ୍ଦେଶରେ ଜୀବ ସୃଷ୍ଟି ସର୍ଜ୍ଜନା କରିବା ନିମନ୍ତେ ସ୍ଥିରୀକୃତ ହେଲା । ତହୁଁ ବ୍ରହ୍ମା ପୃଥିବୀ ପୃଷ୍ଠରେ ଜୀବ ସର୍ଜନା କରିବା ନିମନ୍ତେ ଯୋଗ ଧ୍ୟାନରେ ବସିଲେ । ଆଉ ଶ୍ରୀ ବିଷ୍ଣୁ ଅନନ୍ତ ଶୟନରେ ଗଲେ ।
ସେହି ସମୟରେ ପାତାଳପୁରୀରେ ଯେଉଁ ଦାନବମାନେ ରହୁଥିଲେ, ସେମାନଙ୍କ ମଧ୍ୟରେ ଶଙ୍ଖାସୁର ଥିଲା ସବୁଠାରୁ ବଡ଼ ଶକ୍ତିଶାଳୀ । ଶଙ୍ଖାସୁର ଶୁଣିବାକୁ ପାଇଲେ ଯେ, ଶ୍ରୀ ବିଷ୍ଣୁ ମଧୁ ଓ କୈଟଭ ନାମକ ଦୁଇଜଣ ରାକ୍ଷସକୁ ବଧ କରି ମେଦିନୀ ସୃଷ୍ଟି କରିଛନ୍ତି । ପୁଣି ମେଦିନୀରେ ମାନବ ସୃଷ୍ଟି କରିବେ । ମାନବମାନେ ଦେବତାଙ୍କୁ ଉପାସନା କରିବେ । ମାନବ ସୃଷ୍ଟି କରିବା କୌଶଳ ବେଦ ପୁସ୍ତକରେ ରହିଛି । ଶେଷରେ ଶଙ୍ଖାସୁର ଚିନ୍ତା କଲା ବ୍ରହ୍ମାଙ୍କ ଠାରୁ କୌଣସି ମତେ ବେଦ ପୁସ୍ତକଗୁଡ଼ିକୁ ଘେନି ଆସିଲେ, ସେ ଆଉ ମାନବ ସୃଷ୍ଟି କରିପାରିବେ ନାହିଁ । ତହୁଁ ଶଙ୍ଖାସୁର ପାତାଳରୁ ଉଠି ଆସି ପହଞ୍ଚିଲା ବ୍ରହ୍ମ ଲୋକରେ । ସେତେବେଳେ ବ୍ରହ୍ମା ଯୋଗ ଧ୍ୟାନରେ ବ୍ୟସ୍ତ ଥିଲେ । ନିକଟରେ ତାଙ୍କର ରଙ୍ଗୀନ ଓ ତେଜୀୟାନ ବେଦ ପୁସ୍ତକଗୁଡ଼ିକ ରହିଥାଏ । ଶେଷରେ ଶଙ୍ଖାସୁର ବ୍ରହ୍ମାଙ୍କ ଅଲକ୍ଷରେ ବେଦ ପୁସ୍ତକଗୁଡ଼ିକୁ ଗିଳି ଦେଇ ଚୁପ୍‌ଚାପ୍‌ ପାତାଳପୁରୀକୁ ଫେରି ଆସିଲେ ।
ବ୍ରହ୍ମାଙ୍କ ସ୍ତୁତିରେ ଶ୍ରୀବିଷ୍ଣୁଙ୍କ ନିଦ୍ରା ଭଙ୍ଗ ହେଲା । ବ୍ରହ୍ମାଙ୍କୁ ଦେଖି ଶ୍ରୀବିଷ୍ଣୁ କହିଲେ, ‘ତୁମେ ପୃଥିବୀ ପୃଷ୍ଠରେ ବିଭିନ୍ନ ପ୍ରକାରର ଜୀବ ସୃଷ୍ଟି କରିବ ଏବଂ ଦେବତା ଓ ଦାନବ ଗୁଣ ଥିବା ମାନବ ବି ସୃଷ୍ଟି କରିବ । ବେଦ ପୁସ୍ତକରେ ଏ ସବୁ ତଥ୍ୟ ରହିଛି । ନାନା ପରୀକ୍ଷା ନିରୀକ୍ଷା ଦେଇ ତୁମକୁ ଗତି କରିବାକୁ ପଡ଼ିବ । ମୁଁ ବରାବର ଏ ଦିଗରେ ତୁମକୁ ସାହାଯ୍ୟ କରିବି ।’ ତହୁଁ ବ୍ରହ୍ମା ଜୀବ ସୃଷ୍ଟି କରିବା କାର୍ଯ୍ୟ ଆରମ୍ଭ କଲେ, କିନ୍ତୁ ଅସଲ ଉପାଦାନ ବେଦ ପୁସ୍ତକଗୁଡ଼ିକୁ ଦେଖି ନ ପାରି ବିଚଳିତ ହେଲେ । ଅନ୍ୟ କିଛି ଉପାୟ ନ ଦେଖି ମହାକାଶରେ ଚଳପ୍ରଚଳ ସୂର୍ଯ୍ୟ ଦେବଙ୍କୁ ବେଦ ଓ ପୁସ୍ତକ ସଂପର୍କରେ ପଚାରିଲେ । ସୂର୍ଯ୍ୟଦେବ ତ ସବୁ ଘଟଣା ଦେଖିଥିଲେ । ଶଙ୍ଖାସୁର କିଭଳି ସମୟରେ ବେଦ ପୁସ୍ତକ ଗୁଡ଼ିକୁ ଗିଳି ପାତାଳରୁ ଚାଲିଗଲା, ତାହା ପ୍ରକାଶ କରିଦେଲେ । ତହୁଁ ବ୍ରହ୍ମା ପୁଣି ଥରେ ଶ୍ରୀବିଷ୍ଣୁଙ୍କ ସ୍ତୁତି ଗାନ କଲେ ଏବଂ ସମସ୍ତ ଘଟଣା ସଂପର୍କରେ ଅବଗତ କରାଇଲେ । ଶ୍ରୀବିଷ୍ଣୁ କହିଲେ, ବେଦବର ବ୍ରହ୍ମା ! ତୁମେ ଚିନ୍ତା କର ନାହିଁ, ମୁଁ କଳ୍ପର ପ୍ରଥମ ଅବତାର ମତ୍ସ୍ୟ ଅବତାର ଗ୍ରହଣ କରିବି । ଅଗାଧ ଜଳରେ କେବଳ ମତ୍ସ୍ୟ ହିଁ ଅବାଧରେ ଗତି କରିପାରେ । ମୁଁ ମହାମତ୍ସ୍ୟ ରୂପ ନେଇ ପାତାଳପୁରୀକୁ ଯିବି ଏବଂ ଶଙ୍ଖାସୁରକୁ ଯୁଦ୍ଧରେ ପରାସ୍ତ କରି ତା’ ଗର୍ଭରୁ ବେଦ ପୁସ୍ତକଗୁଡ଼ିକ ଉଦ୍ଧାର କରିବି । ବ୍ରହ୍ମା ପଚାରିଲେ, ହେ ଭଗବାନ ଶ୍ରୀବିଷ୍ଣୁ ! ଆପଣ ମହାମତ୍ସ୍ୟ ରୂପ ନେଇ କେଉଁଠି ଓ କେବେ ଜନ୍ମ ଗ୍ରହଣ କରିବେ, ସେ ବିଷୟରେ ମୋତେ କିଛି କହନ୍ତୁ । ବିଷ୍ଣୁ କହିଲେ, ବ୍ରହ୍ମଦେବ ! ଗତ କଳ୍ପରେ ମୁଁ ମହାମତ୍ସ୍ୟ ରୂପେ ପ୍ରକଟ ହୋଇ ମହାପ୍ରଳୟ କାଳରେ ଜ୍ଞାନ, ଔଷଧ ଓ ବୀଜ ରକ୍ଷା କରିଥିଲି । ସେହି ମହାମତ୍ସ୍ୟ ଏବେ ସାଗର ଅତଳ ଗର୍ଭରେ ଯୋଗଧ୍ୟାନ ରତ । ମୁଁ ସେହି ମହାମତ୍ସ୍ୟ ପାଟିରୁ ‘ମତ୍ସ୍ୟ ନାରାୟଣ’ ରୂପ ଧାରଣ କରି ପ୍ରକଟ ହେବି । ଅଣ୍ଟାରୁ ଉପରଭାଗ ମୋର ଏହି ବିଷ୍ଣୁ ରୂପ ରହିବ, ଅଣ୍ଟାରୁ ନିମ୍ନ ଭାଗ ମୋର ମହାମତ୍ସ୍ୟ ରୂପ ରହିବ । ଏହି ରୂପରେ ମୁଁ ଶଙ୍ଖାସୁରକୁ ବଧ କରିବି ।
ତହୁଁ ବ୍ରହ୍ମା ପଚାରିଲେ, ପ୍ରଭୁ ! ଗତ କଳ୍ପରେ ଆପଣ କିଭଳି ମହାମତ୍ସ୍ୟ ରୂପ ଧାରଣ କରିଥିଲେ, ସେ ବିଷୟରେ ମୋତେ କହି କୃତାର୍ଥ କରାନ୍ତୁ । ଶ୍ରୀବିଷ୍ଣୁ କହିଲେ, ହେ ବ୍ରହ୍ମଦେବ ! ଗତ କଳ୍ପ ଶେଷ ହେବାର ମାତ୍ର ଅଳ୍ପ ଦିନ ରହିଥିବା ଜାଣି ପାରି ମୁଁ ମହାମତ୍ସ୍ୟ ରୂପ ଧାରଣ କରି ପ୍ରକଟ ହେବାକୁ ଇଚ୍ଛା ପ୍ରକାଶ କଲି । କାରଣ କଳ୍ପରେ ଯେଉଁ ମହାପ୍ରଳୟ ଆସିବ ସେଥିରୁ ଏ ସଂସାରର ମୂଳ ଓ ଲୋକ କଲ୍ୟାଣକାରୀ ଜିନିଷଗୁଡ଼ିକୁ ରକ୍ଷା କରିବା ଥିଲା ମୋର ଉଦ୍ଦେଶ୍ୟ । ସେ ଜିନିଷଗୁଡ଼ିକ ଥିଲା ଜ୍ଞାନର ଆଧାର ଚାରିବେଦ, ଔଷଧ, ସକଳଜୀବ, ବୃକ୍ଷଲତା ଏବଂ ଫଳପୁଷ୍ପ ସୃଷ୍ଟିକାରୀ ବୀଜ । ସଂସାରରୁ ଏ ସବୁ ନଷ୍ଟ ହୋଇଗଲେ, ଆଗାମୀ ନୂତନ କଳ୍ପରେ ସଂସାର ସର୍ଜନା ନିମନ୍ତେ ପୁଣି ବହୁ ଶ୍ରମ ସ୍ୱୀକାର କରିବାକୁ ହେବ । ତେଣୁ ମୋତେ ପ୍ରଥମେ ସୁନେଲି ରଙ୍ଗ ଛୋଟ ମାଛଟିଏ ହୋଇ ନଦୀ ଜଳରେ ଜନ୍ମ ନେବାକୁ ପଡ଼ିଥିଲା । ସେହି ସମୟରେ ସତ୍ୟବ୍ରତ ନାମରେ ଜଣେ ରାଜର୍ଷି ଥିଲେ । ଏକଦା ରାଜର୍ଷି ନଦୀରେ ସ୍ନାନ କରୁଥିବା ଅବସରରେ ମୋତେ ସ୍ମରଣ କରି ଜଳ ଆଞ୍ଜୁଳି ଦେଉଥିଲେ । ମୁଁ ତାଙ୍କର ପରମ ଭକ୍ତିରେ ସନ୍ତୁଷ୍ଟ ଲାଭ କରି ଜଳ ଆଞ୍ଜୁଳି ମଧ୍ୟକୁ ଚାଲି ଆସିଲି । ରାଜର୍ଷି ସୁନେଲି ମାଛଟିକୁ ଦେଖି ପୁଣି ନଦୀ ଜଳରେ ଛାଡ଼ି ଦେବାକୁ ଉଦ୍ୟତ ହେଉଥିବା ବେଳେ ମୁଁ ମଣିଷ ଭାଷାରେ କହଲି, ହେ ରାଜର୍ଷି ! କେଉଟ ଜାଲରେ ଧରା ପଡ଼ିଯିବା ଭୟରେ ଅବା ବଡ଼ ବଡ଼ ମାଛମାନଙ୍କର ଆହାର ବନିଯିବା ଭୟରେ ମୁଁ ଆପଣଙ୍କ ଶରଣ ପଶିଛି । ଆପଣ ମୋତେ ପୁଣି ନଦୀ ଜଳରେ ଛାଡ଼ିବାକୁ ଚାହୁଁଛନ୍ତି କାହିଁକି ? ମୋତେ ରକ୍ଷା କରନ୍ତୁ । ରାଜର୍ଷି ଆଚମ୍ବିତ ହେଲେ । ସେହି ମାଛକୁ ନିଜ କମଣ୍ଡଳୁ ଭିତରେ ଥିବା ପାଣିରେ ରଖିଦେଲେ । କମଣ୍ଡଳୁ ଭିତରେ ମାଛଟି ଲାଞ୍ଜ ହଲାଇ ମହା ଆନନ୍ଦରେ ଖେଳିବାକୁ ଲାଗିଲା । ରାଜର୍ଷି ନିଜ ରାଜଧାନୀକୁ ଫେରିଗଲେ ।
ତହିଁ ପରଦିନ ରାଜର୍ଷି ଦେଖିଲେ, କମଣ୍ଡଳୁ ଭିତରେ ମାଛଟି ବଢ଼ିଯାଇ ଚିତ୍କାର କରୁଛି । ରାଜର୍ଷିଙ୍କୁ ଦେଖି ମତ୍ସ୍ୟରୂପୀ ନାରାୟଣ ବିଷ୍ଣୁ କହିଲେ, ହେ ରାଜର୍ଷି ! ଏଭଳି ଛୋଟିଆ କମଣ୍ଡଳୁ ଭିତରେ ମୋତେ ସ୍ଥାନ ଅଭାବ ହେଲାଣି । ମୋତେ ନେଇ କୌଣସି ଗୋଟିଏ ବଡ଼ ପାଣିକୁଣ୍ଡରେ ରଖନ୍ତୁ । ରାଜର୍ଷି ମତ୍ସ୍ୟଟି ଘେନିି ଏକ ପାଣି କୁଣ୍ଡରେ ରଖିଲେ ସତ କିନ୍ତୁ କିଛି ସମୟ ମଧ୍ୟରେ ମତ୍ସ୍ୟଟି ପାଣି କୁଣ୍ଡ ଠାରୁ ମଧ୍ୟ ବଡ଼ ହୋଇଗଲା । ତା ପରେ ମୋତେ ନେଇ ଗୋଟିଏ ଜଳାଶୟରେ ଛାଡ଼ି ଦିଆଗଲା । ମାତ୍ର ଜଳାଶୟ ଭିତରେ ପହଁରୁ ପହୁଁରୁ ମୋର ଶରୀର ଜଳାଶୟ ଠାରୁ ବି ଆହୁରି ବଡ଼ ଆକାରର ମାଛ ହୋଇଗଲା । ରାଜର୍ଷି ବିବ୍ରତ ହେଲେ । ସେ ଥିଲେ ବିଷ୍ଣୁ ଭକ୍ତ । ଏ ସବୁ ବିଷ୍ଣୁ ଭଗବାନଙ୍କ ମାୟା ବୋଲି ଜାଣିଗଲେ । ଜଳାଶୟରୁ ମୋତେ ନେଇ ଗୋଟିଏ ଖୁବ ଏକ ବଡ଼ ନଦୀରେ ଛାଡ଼ି ଦେଲେ । ସେତେବେଳକୁ ମୁଁ ଗୋଟିଏ ବିରାଟ ମାଛରେ ପରିଣତ ହୋଇ ସାରିଥିଲି । ନଦୀ ଜଳ ମୋ ଶରୀରର ବି ଅଧା ବି ବୁଡ଼ାଇ ରଖି ପାରିଲା ନାହିଁ । ତହୁଁ ରାଜର୍ଷି ମୋତେ ନଦୀ ଜଳାଧାରରେ ଠେଲି ଠେଲି ମୁହାଣ ରାସ୍ତାରୁ ମହା ସମୁଦ୍ରରେ ପକାଇ ଦେଲେ । ସମୁଦ୍ରର ଅଗାଧ ଜଳରାଶିରେ ମୁଁ ଆହୁରି ବଡ଼ ହୋଇ ପହଁରୁ ଥାଏ । ରାଜର୍ଷି ଫେରି ଯାଉଥିବା ଦେଖି ମୁଁ କହିଲି, ହେ ରାଜିର୍ଷି ମୋତେ ଏ ମହାସମୁଦ୍ରରେ ଛାଡ଼ି ଆପଣ ଚାଲି ଯାଉଛନ୍ତି ? ସମୁଦ୍ର ଗର୍ଭରେ ତିମି, ମଗର ଭଳି ଖୁବ ବଡ଼ ବଡ଼ ମାଛ ଅଛନ୍ତି । ହୁଏତ ସେମାନେ ମୋତେ ମାରି ଦେଇ ପାରନ୍ତି । ତେଣୁ ମୋର ସୁରକ୍ଷା ପାଇଁ ଆପଣ ଅନ୍ୟ କିଛି ସ୍ଥାୟୀ ବ୍ୟବସ୍ଥା କରନ୍ତୁ । ରାଜର୍ଷି ହାତଯୋଡ଼ି କହିଲେ, ହେ ପ୍ରଭୁ ! ଆପଣ ମୋତେ ଆଉ ଲଜ୍ଜିତ କରନ୍ତୁ ନାହିଁ । ଆପଣ ସ୍ୱୟଂ ମହାମତ୍ସ୍ୟ ରୂପୀ ନାରାୟଣ ବିଷ୍ଣୁ । ପ୍ରତିକ୍ଷଣରେ ଯିଏ ଶହ ଶହ ଯୋଜନ ପର୍ଯ୍ୟନ୍ତ ନିଜ ଶରୀର ବୃଦ୍ଧି କରିପାରନ୍ତି, ଏହି ମହାସମୁଦ୍ରର ଜଳଚର ଜୀବମାନେ ଆପଣଙ୍କର କି କ୍ଷତି କରିପାରିବେ ? ବର୍ତ୍ତମାନ ମୁଁ ଆପଣଙ୍କ ଶରଣ ପଶୁଛି, ମୋତେ ଯାହା ଆଦେଶ ଦେବେ, ତାହା ମୁଁ ପାଳନ କରିବି ।
ମହାମତ୍ସ୍ୟ ରୂପୀ ନାରାୟଣ ବିଷ୍ଣୁ କହିଲେ, ହେ ରାଜର୍ଷି ! ତୁମ ଭକ୍ତିରେ ମୁଁ ସନ୍ତୁଷ୍ଟ । ଆଉ ମାତ୍ର ଏକ ସପ୍ତାହ ପରେ, ଏ କଳ୍ପ ଶେଷ ହୋଇଯିବ । ଚତୁର୍ଦିଗ ଅନ୍ଧକାର ଘଟି ଆସିବ । ସେହି ପ୍ରଳୟ ଜଳ ତୁମର କିଛି କ୍ଷତି କରି ପାରିବ ନାହିଁ । ତୁମେ ସେହି ଜଳରେ ଭାସୁଥିବା ଅବସ୍ଥାରେ ଦେଖିବାକୁ ପାଇବ ଯେ, ଏକ ବିରାଟ ନୌକା ସାତଗୋଟି ଆଲୋକ ବିନ୍ଦୁ ସହ ତୁମ ଆଡ଼କୁ ଆସୁଥିବ । ତୁମେ ପୂର୍ବରୁ ଜ୍ଞାନ, ଔଷଧ ଓ ବୀଜସାର ଅଂଶ ଗୁଡ଼ିକୁ ନିଜ ପୁଣ୍ୟବଳରେ ସଂଗ୍ରହ କରି ରଖିଥିବ । ସେଗୁଡ଼ିକ ସହ ତୁମେ ସେହି ନୌକାରେ ଆଶ୍ରୟ ନେବ । ନୌକାରେ ବସିବା ପୂର୍ବରୁ ଯେଉଁ ସାତଗୋଟି ଆଲୋକ ବିନ୍ଦୁ ଦେଖିବ, ସେମାନେ ହେଲେ ସପ୍ତର୍ଷିଙ୍କ ତେଜପୁଞ୍ଜ । ଠିକ୍‌ ସେହି ସମୟରେ ମୋତେ ସ୍ମରଣ କରିବ । ମୁଁ ମତ୍ସ୍ୟ ଶରୀରରେ ସେହି ପ୍ରଳୟ ଜଳରେ ତୁମକୁ ଦେଖା ଦେବି । ସେତେବେଳେ ମୋର ମୁଣ୍ଡ ଉପରେ ଗୋଟିଏ ସିଂଘ ଥିବା ଦେଖି ପାରିବ ଏବଂ ସେହି ଶିଙ୍ଗକୁ ଗୋଡ଼ାଇ ହୋଇ ଶୋଇଥିବା ଅବସ୍ଥାରେ ଏକ ବିରାଟ ସର୍ପକୁ ଦେଖି ପାରିବ । ତୁମେ ସେହି ସର୍ପକୁ ଦୌଡ଼ି ରୂପେ ବ୍ୟବହାର କରି ନୌକାକୁ ଶିଙ୍ଘ ସହିତ ବାନ୍ଧି ଦେବ । ସେହି ନୌକାକୁ ମୁଁ ଉତ୍ତର ଦିଗକୁ ଟାଣି ନେଇ ଯଥା ସ୍ଥାନରେ ରଖିଦେବି । ଏଭଳି ମହତ୍‌ କାର୍ଯ୍ୟ ସଂପାଦନ ଯୋଗୁଁ ଆସନ୍ତା କଳ୍ପରେ ତୁମେ ‘ମନୁ’ ହୋଇ ପ୍ରକଟିତ ହେବ । ଆଉ ତୁମର ନାମ ହେବ ‘ବୈବସ୍ୱତ ମନୁ’ । ତହୁଁ ରାଜର୍ଷି ଶ୍ରୀବିଷ୍ଣୁଙ୍କୁ ପ୍ରଣାମ କରି ଜ୍ଞାନ, ଔଷଧ ଓ ବୀଜସାର ସଂଗ୍ରହରେ ଲାଗି ପଡ଼ିଲେ । ଶ୍ରୀବିଷ୍ଣୁଙ୍କ ଆଦେଶାନୁସାରେ ନିଜର କର୍ତ୍ତବ୍ୟ ସଂପାଦନ କରି ଜ୍ଞାନ, ଔଷଧ ଓ ବୀଜସାର ଅଂଶଗୁଡ଼ିକୁ ମହାପ୍ରଳୟରୁ ରକ୍ଷା କଲେ ।
ଶ୍ରୀବିଷ୍ଣୁ କହିଲେ, ହେ ବ୍ରହ୍ମଦେବ ! ସୃଷ୍ଟି ସର୍ଜନା ପାଇଁ ମୁଁ ଏ କଳ୍ପରେ ସେ ସବୁ ତୁମକୁ ଦେଇ ସାରିଛି । କିନ୍ତୁ ଜ୍ଞାନର ଆଧାର ଚାରିବେଦ ଏକ ଶଙ୍ଖାସୁର ଗର୍ଭକୁ ଚାଲି ଯାଇଛି । ତାକୁ ବଧ କରିବା ପାଇଁ ମୋର ଅଂଶରୁ ଜାତ ମହାମତ୍ସ୍ୟ ଏବେ ମୋର ଅପେକ୍ଷାରେ ଅଛନ୍ତି । ମୁଁ ସେହି ମହାମତ୍ସ୍ୟରୁ ‘ମତ୍ସ୍ୟ ନାରାୟଣ’ ଅବତାର ଧାରଣ କରିବି । ମୁଁ ଫେରିବା ଯାଏଁ, ତୁମେ ସୃଷ୍ଟି ସର୍ଜନା ବନ୍ଦ ରଖି ଯୋଗଧ୍ୟାନ କର । ବ୍ରହ୍ମା ଯୋଗ ଧ୍ୟାନରେ ବସିଲେ । ଶ୍ରୀବିଷ୍ଣୁ ମହାମତ୍ସ୍ୟ ଶରୀରରେ ପ୍ରବେଶ କଲେ । ମହାମତ୍ସ୍ୟ ଯାଇ ପାତାଳ ପୁରୀରେ ପହଞ୍ଚିଲା । ମହାମତ୍ସ୍ୟକୁ ଦେଖି ଶଙ୍ଖାସୁରର ସେନାପତି ସୋମକାସୁର ଆକ୍ରମଣ କଲା । ମାତ୍ର ମହାମତ୍ସ୍ୟ ସୋମକାସୁରକୁ ଗିଳି ଦେଲେ । ଏଥିରେ ଭୟଭୀତ ହୋଇ ଶଙ୍ଖାସୁର ଗୋଟିଏ ପ୍ରକାଣ୍ଡ ଶଙ୍ଖ ରୂପ ନେଇ ପାତାଳପୁରୀ ଛାଡି ସାଗର ଜଳରେ ଲୁଚିବାକୁ ଚେଷ୍ଟା କଲା । ମହାମତ୍ସ୍ୟ ଗୋଡାଇ ଗୋଡାଇ ଶଙ୍ଖାସୁରକୁ କାବୁ କରି ନେଲେ । ଶଙ୍ଖ ଭିତରୁ ଶଙ୍ଖାସୁର ଅଧା ବାହାରି ମହାମତ୍ସ୍ୟକୁ ଆକ୍ରମଣ କଲା । ଏକ ବିରାଟ ଗଦା ସାହାଯ୍ୟରେ ମହାମତ୍ସ୍ୟର ମୁଣ୍ଡକୁ ଆଘାତ କଲା । ମହାମତ୍ସ୍ୟର ପାଟି ମେଲା ହୋଇଗଲା । ସେହି ପାଟି ଭିତରୁ ଶ୍ରୀ ବିଷ୍ଣୁ ପ୍ରକଟ ହେଲେ । ନିଜର ସୁଦର୍ଶନ ଚକ୍ର ଦ୍ୱାରା ଶଙ୍ଖାସୁରକୁ ଖଣ୍ଡ ଖଣ୍ଡ କରି ଦେଲେ । ତା’ ପେଟ ଭିତରୁ ଚାରିବେଦ ପୁସ୍ତକ ଖସି ପଡ଼ିଲା । ଶ୍ରୀ ବିଷ୍ଣୁ ସେ ଗୁଡ଼ିକୁ ନେଇ ବ୍ରହ୍ମାଙ୍କ ନିକଟରେ ପହଞ୍ଚି ଗଲେ ।
ମହାମତ୍ସ୍ୟ ରୂପୀ ନାରାୟଣଙ୍କୁ ଦର୍ଶନ କରି ବ୍ରହ୍ମା ମହା ଆନନ୍ଦରେ ଗଦ ଗଦ ହୋଇ ନିଜର ମୁଖରେ ସ୍ତୁତି ଗାନ କଲେ । ସ୍ୱର୍ଗର ଦେବତାମାନେ ମଧ୍ୟ ମତ୍ସ୍ୟ ନାରାୟଣଙ୍କୁ ଦର୍ଶନ କରି ଧନ୍ୟ ହେଲେ । ବ୍ରହ୍ମା କହିଲେ, ‘ହେ ପ୍ରଭୁ ! ବିିପଦ କାଳରେ ହେଉ ଅବା ସଂପଦ କାଳରେ ହେଉ ଯିଏ ଆପଣଙ୍କ ଚରଣାବିନ୍ଦରେ ପ୍ରମାଣ କରି ଆଦ୍ୟ ମତ୍ସ୍ୟାବତାରକୁ ଧ୍ୟାନ କରିବ, ତା’ର ସମସ୍ତ ବିପଦ ଟଳିଯାଉ ।’ ଆଉ ମୋର ଦୁଃଖ ଦୂର କରିିଥିବାରୁ ମୁଁ ଆପଣଙ୍କ ନିକଟରେ ଚିର କୃତଜ୍ଞ । ଶ୍ରୀବିଷ୍ଣୁ କହିଲେ, ତଥାସ୍ତୁ ! ହେ ବ୍ରହ୍ମଦେବ ! ଏଣିକି ତୁମେ ଏ ଚାରିବେଦକୁ ଅତି ସତର୍କରେ ରଖିବ । ପୃଥିବୀରେ ମାନବ ସୃଷ୍ଟି କରିବା ପାଇଁ ତୁମେ ମୋର ଏହି ପ୍ରଥମ ଅବତାର ‘ମୀନ’ ରୂପକ ଜୀବ ସର୍ଜ୍ଜନା କର । ଏବେ ନୂତନ ଭାବରେ ଗଢ଼ା ହୋଇଥିବା ପୃଥିବୀ ତମାନ କେବଳ ଜଳରେ ପୂର୍ଣ୍ଣ ଅବସ୍ଥାରରେ ରହିଛି । କ୍ରମେ କ୍ରମେ ଜଳଭାଗ କମି ଆସି ସ୍ଥଳ ଭାଗ ଦେଖା ଦେବ । ସ୍ଥଳଭାଗ ଦୃଶ୍ୟ ହେବା ପର୍ଯ୍ୟନ୍ତ ତୁମେ ମତ୍ସ୍ୟ ଜାତୀୟ ଜଳରେ ପ୍ରାଣୀ ସୃଷ୍ଟି କରି ପୃଥିବୀ ପୃଷ୍ଠରେ ଜୀବଙ୍କ ସଂଖ୍ୟା ବୃଦ୍ଧି କର ।
ଭଗବାନ ବିଷ୍ଣୁ ଙ୍କ ଆଜ୍ଞାଦେଶ ବ୍ରହ୍ମା ଶିରୋଧାର୍ଯ୍ୟ କଲେ । ଆଉ ନାରାୟଣ ବିଷ୍ଣୁ ଆଦ୍ୟାବତାର ମତ୍ସ୍ୟାବତାର କାର୍ଯ୍ୟ ସମାପନ କରି ବୈକୁଣ୍ଠ କୁ ଯାତ୍ରା କଲେ ।
ଟ୍ରେନିଂ ସ୍କୁଲ ରୋଡ, ପାରଳାଖେମୁଣ୍ଡି, ଗଜପତି





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶୂନ ରେଜଲଫ କରିଥିବା ୮୨ଟି ସ୍କୁଲକୁ ନୋଟିସ୍‌

ଶୂନ ରେଜଲଫ କରିଥିବା ୮୨ଟି ସ୍କୁଲକୁ ନୋଟିସ୍‌

Read More...

ମଦ ଓ ଡ୍ରଗ୍ସ ନିଶା

ମଦ ଓ ଡ୍ରଗ୍ସ ନିଶା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app coming soon

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page