ମହଙ୍ଗା ପଡିଲା ଜେଇଙ୍କୁ ଉଠବସ୍‌, ବିଧାୟକଙ୍କ ନାଁରେ ମାମଲା ରୁଜୁ

June 06, 2019, ଓଡ଼ିଶା, , Anupambharat News Bureau


ମହଙ୍ଗା ପଡିଲା ଜେଇଙ୍କୁ ଉଠବସ୍‌,   ବିଧାୟକଙ୍କ ନାଁରେ ମାମଲା ରୁଜୁ
Anupambharat News Bureau
June 06, 2019

ଭୁବନେଶ୍ୱର,୬ ।୬(ଅନୁପମ ମିଡିଆ): ଗୁରୁବାର ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବ ସାଧାରଣରେ ରୋଡ୍‌ ଉପରେ ଉଠବସ୍‌ କରାଇ ଚର୍ଚ୍ଚାରେ ପାଟଣାଗଡର ନବନିର୍ବାଚିତ ବିଧାୟକ ସରୋଜ ମେହେର । ପୂର୍ତ୍ତ ବିଭାଗର ଉକ୍ତ ଅଧିକାରୀଙ୍କୁ ବିଧାୟକ ଉଠବସ୍‌ କରାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି । ନିମ୍ନମାନର ରାସ୍ତା କାମ ହୋଇଥିବାରୁ ବିଧାୟକ ସମ୍ପୃକ୍ତ ଅଧିକାରୀଙ୍କୁ ଦାୟୀ କରି ଶହେ ଥର ବସଉଠ ହେବାକୁ କହୁଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି । ସମ୍ପୃକ୍ତ ଅଧିକାରୀ ଦେଲେ କଣ୍ଟାବାଞ୍ଜି ପିଡବ୍ଲୁଡି କନିଷ୍ଠ ଯନ୍ତ୍ରୀ ଯଶବନ୍ତ ଶବର । ଘଟଣା ପାଇଁ ବିଧାୟକ ଦୁଃଖ ପ୍ରକାଶ କରିଥିବା ବେଳେ କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ବିଧାୟକଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଇଛନ୍ତି ।
ଅପରପକ୍ଷରେ କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ କରାଯିବା ଘଟଣାରେ ପାଟଣାଗଡ଼ର ବିଜେଡ଼ି ବିଧାୟକ ସରୋଜ ମେହେର ଦୁଃଖ ପ୍ରକାଶ କରିବା ସହ କହିଛନ୍ତି ଯେ ପରିସ୍ଥିତକୁ ଦେଖି ସେ ଏପରି କରିବାକୁ ବାଧ୍ୟ ହୋଇଥିଲେ । ନିମ୍ନମାନର ରାସ୍ତାକାମରେ ଅସନ୍ତୋଷ ପ୍ରକାଶ କରି ସ୍ଥାନୀୟ ଲୋକ ପୂର୍ତବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼ ମାରିବା ପାଇଁ ଆସିଥିଲେ । ସେହି ସମୟରେ ପରିସ୍ଥିତିକୁ ଶାନ୍ତ କରାଇବା ପାଇଁ ସେ କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ ହେବାକୁ କହିଥିଲେ । ଏପରିକି କାର୍ଯ୍ୟାନୁଷ୍ଠାନ ଦାବି ନେଇ ତାଙ୍କ ଉପରେ ମଧ୍ୟ ଆକ୍ରମଣର ଆଶଙ୍କା ଥିଲା ବୋଲି ସରୋଜ କହିଛନ୍ତି । ସେ ଉକ୍ତ ଘଟଣା ପାଇଁ ଦୁଃଖିତ ବୋଲି କହିଛନ୍ତି ।
ଘଟଣା ସାମ୍ନାକୁ ଆସିବା ପରେ ଏନେଇ ନିର୍ଯାତିତ କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ବିଧାୟକଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେବା ସହ ବିଧାୟକଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ଜେଇଙ୍କ ପତ୍ନୀଙ୍କ କହିବା ଅନୁଯାୟୀ, ଗତକାଲି ଠାରୁ ତାଙ୍କ ସ୍ୱାମୀ ଘରେ ନାହାଁନ୍ତି । ତାଙ୍କ ପତିଙ୍କୁ ନିର୍ଯାତନା ଦିଆଯାଉଥିବା ଆଜି ସେ ଟିଭିରୁ ଜାଣିଛନ୍ତି । ତାଙ୍କୁ ଗତକାଲି ଠାରୁ ଅପହରଣ କରି ବିଧାୟକ କିଛି ଅଘଟଣ କରି ପାରି ଥାନ୍ତି । ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଥାନାରେ ଏତଲା ଦେବା ସହ ସରୋଜ ମେହେରଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ଘଟଣାଟି ହେଉଛି ବୁଧବାର ସନ୍ଧ୍ୟା ସମୟର । ନବନିର୍ବାଚିତ ବିଧାୟକ ସରୋଜ ମେହେର ପାଟଣାଗଡ ବେଲପଡା ଗସ୍ତରେ ଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ । ତେବେ ମଣ୍ଡଲଠାରୁ ବେଲପଡା ଯାଏଁ ନିର୍ମାଣ ହେଉଥିବା ବାଇ ପାସ ରୋଡରେ ନିମ୍ନ ମାନର କାମ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ । ଏହାର ପ୍ରମାଣ ଦେବାକୁ ଯାଇ ହାତରେ ଏବଂ କୋଡିରେ ରାସ୍ତାର ପିଚୁ କାଢିଥିଲେ । ଆଉ ରାସ୍ତାରୁ ଅତି ସହଜରେ ମଧ୍ୟ ପିଚୁ ଉଠିଯାଉଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି । ଏପରି ଅଭିଯୋଗ ଶୁଣି କାମ କରିଥିବା କନିଷ୍ଠ ଯନ୍ତ୍ରୀଙ୍କୁ ବିଧାୟକ ଡାକିଥିଲେ । ଏଭଳି କାମ ପାଇଁ ତାଙ୍କୁ ତାଗିଦ୍‌ କରିବା ସହ ଉଠବସ୍‌ ହେବା ପାଇଁ କହିଥିଲେ । କିଛି ଥର ଉଠବସ୍‌ ହେବା ପରେ ଅଧିକାରୀ ଜଣକ ହାତଯୋଡ଼ି ନେହୁରା ହେଉଥିବା ଭିଜୁଆଲରେ ଦେଖିବାକୁ ମିଳିଛି । ଉଠବସ ନହେଲେ ଲୋକ ମାଡ଼ ମାରିବେ ବୋଲି ମଧ୍ୟ ବିଧାୟକ ଚେତାବନୀ ଦେଉଥିବା ମଧ୍ୟ ଦେଖାଯାଇଛି । ବିଧାୟକଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ କିଛି ମହଲରେ ସ୍ୱାଗତ କରାଯାଇଥିବା ବେଳେ ଜଣେ ଜଣେ ଜନଜାତି ଅଫିସରଙ୍କୁ ସର୍ବସମ୍ମୁଖରେ ଏଭଳି ଦଣ୍ଡ ଦେବାକୁ ନେଇ ପ୍ରଶ୍ନ ଉଠିଛି ।
ସେହିପରି ଏଭଳି ଏକ ଘଟଣାକୁ ପୂର୍ବତନ ପାଟଣାଗଡ ବିଧାୟକ ତଥା ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ ସମାଲୋଚନା କରିଛନ୍ତି । ନିଜ ଦଳର କିଭଳି ଲୋକଙ୍କୁ ପାର୍ଟି ସୁପ୍ରିମୋ ଟିକେଟ୍‌ ଦେଇଛନ୍ତି ସେ ଅନୁତାପ କରିବା ଦରକାର ବୋଲି ସେ କହିଛନ୍ତି ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୁଣି ଓଲଟିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲା ଜୀବନ

ପୁଣି ଓଲଟିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲା ଜୀବନ

Read More...

ଥାନା ଆଗରୁ ଡିକି ଭାଙ୍ଗି ତିନି ଲକ୍ଷରୁ ଊର୍ଦ୍ଧ୍ୱ ଲୁଟ୍‌

ଥାନା ଆଗରୁ ଡିକି ଭାଙ୍ଗି ତିନି ଲକ୍ଷରୁ ଊର୍ଦ୍ଧ୍ୱ ଲୁଟ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page