ଇଂଲଣ୍ଡକୁ ହରାଇ ଶ୍ରୀଲଙ୍କା ଉଜ୍ଜୀବିତ

June 21, 2019, କ୍ରୀଡ଼ା, , Anupambharat News Bureau


ଇଂଲଣ୍ଡକୁ ହରାଇ ଶ୍ରୀଲଙ୍କା ଉଜ୍ଜୀବିତ
Anupambharat News Bureau
June 21, 2019

ଲିଡ୍ସ,୨୧ ।୬: ଦୁଇ ଅଭିଜ୍ଞ ଖେଳାଳି ଆଞ୍ଜେଲୋ ମାଥୁ୍ୟସ୍‌ ଓ ଲସିଥ୍‌ ମାଲିଙ୍ଗାଙ୍କ ଦାୟିତ୍ୱପୂର୍ଣ୍ଣ ପ୍ରଦର୍ଶନ ବଳରେ ଶ୍ରୀଲଙ୍କା ଏଠାରେ ଶୁକ୍ରବାର ବିଶ୍ୱକପ୍‌ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଟାଇଟଲ୍‌ ଫେଭରିଟ୍‌ ଇଂଲଣ୍ଡକୁ ୨୦ ରନ୍‌ରେ ହରାଇ ଦେଇଛି । ଏହି ଗୁରୁତ୍ୱପୂର୍ଣ୍ଣ ବିଜୟ ସହ ଶ୍ରୀଲଙ୍କା ତାର ସେମିଫାଇନାଲ୍‌ ଆଶା ଉଜ୍ଜୀବିତ କରିଛି ।
ମାଥୁ୍ୟସ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ସାଙ୍ଗକୁ ଯୁବ ବ୍ୟାଟ୍‌ସମ୍ୟାନ୍‌ ଅଭିସ୍କା ଫର୍ଣ୍ଣାଣ୍ଡୋ ଓ କୁଶଲ ମେଣ୍ଡିସ୍‌ଙ୍କ ଉପଯୋଗୀ ଇନିଂସ୍‌ ବଳରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍‌ ହରାଇ ୨୩୨ ରନ୍‌ କରିଥିଲା । ହେଲେ ମାଲିଙ୍ଗାଙ୍କ ଅଭିଜ୍ଞତାକୁ ପାଥେୟ କରି ଶ୍ରୀଲଙ୍କା ଏହି ମାମୁଲି ଟାର୍ଗେଟ୍‌କୁ ଡିଫେଣ୍ଡ୍‌ କରିବାରେ ସମର୍ଥ ହୋଇଥିଲା । ମାଲିଙ୍ଗାଙ୍କ ବ୍ୟତୀତ ଯୁବ ସ୍ପିନର ଧନଞ୍ଜୟ ଓ ଉଡାନା ବି ଶୃଙ୍ଖଳିତ ପ୍ରଦର୍ଶନ କରି ଦଳର ବିଜୟ ରଚିଥିଲେ । ୨୩୩ ରନ୍‌ର ସାଧାରଣ ବିଜୟଲକ୍ଷ୍ୟ ଜବାବରେ ଇଂଲଣ୍ଡ ୪୭ ଓଭରରେ ୨୧୨ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା । ଦଳ ପକ୍ଷରୁ ବେନ୍‌ ଷ୍ଟୋକ୍ସ ୮୨ ରନ୍‌ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିବାବେଳେ ଜୋ ରୁଟ୍‌ ୫୭ ଓ ଆଫଗାନିସ୍ତାନ ବିପକ୍ଷରେ ଛକା ବର୍ଷା କରିଥିବା ଅଧିନାୟକ ମୋର୍ଗାନ୍‌ ମାତ୍ର ୨୧ ରନ୍‌ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ମାଲିଙ୍ଗା ସର୍ବାଧିକ ୪ଟି ୱିକେଟ୍‌ ହାସଲ କରିଥିବାବେଳେ ଧନଞ୍ଜୟ ଡି’ସିଲଭା ୩ଟି ଓ ଇସୁରୁ ଉଡାନା ୨ଟି ୱିକେଟ୍‌ ନେଇଥିଲେ । ମାଲିଙ୍ଗା ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ ।
ଶ୍ରୀଲଙ୍କା ୬ ମ୍ୟାଚ୍‌ରୁ ଦ୍ୱିତୀୟ ବିଜୟ ସହ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇ ସେମିଫାଇନାଲ୍‌ ଆଶା ଉଜ୍ଜୀବିତ ରଖିଛି । ଅନ୍ୟପକ୍ଷେ ଇଂଲଣ୍ଡ ପାଇଁ ଏହି ପରାଜୟ ଏକ ଚେତାବନୀ । ଦଳ ଆରମ୍ଭରୁ ଦୁର୍ବଳ ଟିମ୍‌ ବିରୋଧରେ ବିଶାଳ ସ୍କୋର କରିଥିବାବେଳେ ଏବେ ଏକ ମାମୁଲି ସ୍କୋର ଚେଜ୍‌ କରିବାରେ ବିଫଳ ହୋଇଛି । ୬ ମ୍ୟାଚ୍‌ରୁ ଇଂଲଣ୍ଡର ଏହା ଦ୍ୱିତୀୟ ପରାଜୟ । ଏହା ସତ୍ତେ୍ୱ ଦଳ ତୃତୀୟ ସ୍ଥାନରେ ରହିଛି ।
ହେଡିଂଲେରେ ଅନୁଷ୍ଠିତ ଏହି ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଶ୍ରୀଲଙ୍କା ଅଧିନାୟକ ଦିମୁତ କରୁଣାରତ୍ନେ । ତେବେ ଦଳର ଆରମ୍ଭ ଭଲ ହୋଇନଥିଲା । ଟିମ୍‌ ମାତ୍ର ୩ ରନରେ ଦୁଇ ଓପନର କରୁଣାରତ୍ନେ (୧) ଓ କୁଶଲ ପରେରା (୨)ଙ୍କ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା । ତେବେ ଅଭିସ୍କା ଫର୍ଣ୍ଣାଣ୍ଡୋ ଓ କୁଶଲ ମେଣ୍ଡିସ ତୃତୀୟ ୱିକେଟ୍‌ ପାଇଁ ୫୯ ରନର ଭାଗୀଦାରୀ ସହ ଦଳୀୟ ସ୍ଥିତି ସୁଧାରିଥିଲେ । ଫର୍ଣ୍ଣାଣ୍ଡୋ ଆରମ୍ଭରୁ ଆକର୍ଷଣୀୟ ସଟ୍‌ମାନ ଖେଳି ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଥିଲେ ।
ତେବେ ଦ୍ରୁତ ରନ୍‌ କରିବା ପ୍ରୟାସରେ ଫର୍ଣ୍ଣାଣ୍ଡୋ ମାର୍କ ଉଡଙ୍କ ବଲରେ ଆଉଟ୍‌ ହୋଇଥିଲେ । ଆଉଟ୍‌ ହେବା ପୂର୍ବରୁ ସେ ୪୯ (୩୯ ବଲ୍‌, ୬ ଚୌକା, ୨ ଛକା) ରନ୍‌ କରିଥିଲେ । ଏହା ପରେ ଅଭିଜ୍ଞ ମାଥ୍ୟୁସ୍‌ ଓ ମେଣ୍ଡିସ୍‌ ଟିମ୍‌ ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ । ଦୁହେଁ ଚତୁର୍ଥ ୱିକେଟ୍‌ ପାଇଁ ୭୧ ରନ୍‌ ଯୋଡ଼ିଥିବା ବେଳେ ମେଣ୍ଡିସ୍‌ (୪୬)ଙ୍କୁ ଆଦିଲ୍‌ ରଶିଦ୍‌ ପ୍ୟାଭିଲିୟନ୍‌ ପଠାଇଥିଲେ ।
ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଜୀବନ ମେଣ୍ଡିସ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଥିଲେ । ତାଙ୍କୁ ମଧ୍ୟ ରଶିଦ୍‌ କଟ୍‌ ଆଣ୍ଡ ବୋଲï କରିଥିଲେ । ଏହି ସମୟରେ ଶ୍ରୀଲଙ୍କା ଅଧା ବ୍ୟାଟ୍ସମ୍ୟାନଙ୍କୁ ହରାଇ ବିପଦରେ ପଡ଼ିଥିବା ବେଳେ ମାଥ୍ୟୁସ୍‌ ଶେଷ ପର୍ଯ୍ୟନ୍ତ ଲଢ଼ି ଟିମକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ । ଶେଷଭାଗରେ ଧନଞ୍ଜୟ ଡି’ସିଲଭା (୨୯) ଉପଯୋଗୀ ଯୋଗଦାନ କରିଥିବାବେଳେ ଥିସାରା ପରେରା (୨), ଇସୁରୁ ଉଡାନା (୬) ଓ ଲସିଥ୍‌ ମାଲିଙ୍ଗା (୧) କରି ଆଉଟ୍‌ ହୋଇଥିଲେ । ମାଥ୍ୟୁସ୍‌ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୧୧୫ ବଲରେ ୫ ଚୌକା ଓ ୧ ଛକା ସହ ୮୫ ରନ୍‌ କରିଥିଲେ । ଇଂଲଣ୍ଡ ପକ୍ଷରୁ ଆର୍ଚର ଓ ଉଡ୍‌ ୩ଟି ଲେଖାଏ ୱିକେଟ୍‌ ନେଇଥିବା ବେଳେ ରଶିଦ୍‌ ଦୁଇଟି ୱିକେଟ୍‌ ହାସଲ କରିଥିଲେ ।
ସଂକ୍ଷିପ୍ତ ସ୍କୋର
ଶ୍ରୀଲଙ୍କା: ୫୦ ଓଭରରେ ୨୩୨/୯ (ମାଥୁ୍ୟସ୍‌ ୮୫*, ଫର୍ଣ୍ଣାଣ୍ଡୋ ୪୯, ମେଣ୍ଡିସ୍‌ ୪୬, ଡି’ସିଲ୍‌ଭା ୨୯, ଉଡ୍‌ ୪୦/୩, ଆର୍ଚର ୫୨/୩ ) ।
ଇଂଲଣ୍ଡ: ୪୭ ଓଭରରେ ୨୧୨ (ଷ୍ଟୋକ୍ସ ୮୨*, ରୁଟ୍‌ ୫୭, ମୋର୍ଗାନ୍‌ ୨୧, ମାଲିଙ୍ଗା ୪୩/୪, ଡି’ସିଲଭା ୩୨/୩, ଉଡାନା ୪୧/୨ ) ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୁଷ୍କର୍ମ ଅଭିଯୋଗ ଆଣି ମହିଳା ହଟହଟା... ବୟାନରେ ତାଳମେଳ କି ଅଭିଯୋଗର ପ୍ରମାଣ ନାହିଁ : ଏସିପି

ଦୁଷ୍କର୍ମ ଅଭିଯୋଗ ଆଣି ମହିଳା ହଟହଟା... ବୟାନରେ ତାଳମେଳ କି ଅଭିଯୋଗର ପ୍ରମାଣ ନାହିଁ : ଏସିପି

Read More...

ଯୁକ୍ତ ଦୁଇ କଳା, ବାଣିଜ୍ୟ ରେଜଲଫ :କମିଲା ପାସ୍‌ ହାର ,  ପୁଣି ଝିଅ ଆଗରେ

ଯୁକ୍ତ ଦୁଇ କଳା, ବାଣିଜ୍ୟ ରେଜଲଫ :କମିଲା ପାସ୍‌ ହାର , ପୁଣି ଝିଅ ଆଗରେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page