ପ୍ରତାପ ଷଡଙ୍ଗୀଙ୍କ ଗୁରୁତ୍ୱ ବଢ଼ୁଥିବା ଚର୍ଚ୍ଚା

June 30, 2019, ଓଡ଼ିଶା, , Anupambharat News Bureau


ପ୍ରତାପ ଷଡଙ୍ଗୀଙ୍କ ଗୁରୁତ୍ୱ ବଢ଼ୁଥିବା ଚର୍ଚ୍ଚା
Anupambharat News Bureau
June 30, 2019

ଭୁବନେଶ୍ୱର,୩୦ା୬(ଅନୁପମ ମିଡ଼ିଆ): ଏମିତି ଦେଖିଲେ ଓଡିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କର କୌଣସି ତୁଳନା ସମ୍ଭବ ନୁହେଁ । ସରକାର ଭିତରେ ଧର୍ମେନ୍ଦ୍ରଙ୍କ ସ୍ଥାନ ଢେର ଉଚ୍ଚରେ । ମୋଦି ସରକାରରେ ମୂଳରୁ ପେଟ୍ରୋଲିୟମ ମନ୍ତ୍ରୀ ରହିଥିବା ଧର୍ମେନ୍ଦ୍ର ଏକ ବିରଳ ରେକର୍ଡର ଅଧିକାରୀ । ପେଟ୍ରୋଲିୟମ ମନ୍ତ୍ରୀ ଭାବରେ ଗତ କିଛି ବର୍ଷ ଭିତରେ କେହି ବି ଏତେ ବର୍ଷ ନିରନ୍ତର କାମ କରିବାର ସୁଯୋଗ ପାଇନଥିଲେ । ପ୍ରଥମ ମୋଦି ସରକାରରେ ଧର୍ମେନ୍ଦ୍ର ପେଟ୍ରୋଲିୟମ ସହିତ ଦକ୍ଷତା ବିକାଶ ଓ ଦ୍ୱିତୀୟ ପାଳିରେ ସେଇ ପେଟ୍ରୋଲିୟମ୍‌ ସହ ଇସ୍ପାତ ବିଭାଗର ଦାୟିତ୍ୱ ମଧ୍ୟ ପାଇଛନ୍ତି । ଓଡିଶାରୁ ବହୁ ବର୍ଷ ହେଲା ସେ ନିର୍ବାଚନ ଜିତିନାହାନ୍ତି କି ଲଢି ନାହାନ୍ତି । ତଥାପି ବିଜେପି ତାଙ୍କୁ ପ୍ରଥମେ ବିହାର ଓ ପରେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ପଠେଇଛି । ଏଥିରୁ ଦଳ ଓ ସରକାରରେ ତାଙ୍କର ପତିଆରା ସ୍ପଷ୍ଟ ପ୍ରମାଣିତ । ହେଲେ ଓଡିଶା ରାଜନୀତିରେ ଧର୍ମେନ୍ଦ୍ର ସବୁବେଳେ ପରାଜିତ ନାୟକ ହୋଇ ରହୁଛନ୍ତି ଓ ଓଡିଶାରେ ବିଜେପି ଆଶାନୁରୂପ ସଫଳତା ପାଉନାହିଁ । ଓଡିଶାର ବହୁ ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ରଙ୍କୁ ନିଜର ନେତା ମାନିବାକୁ ନାରାଜ । ୨୦୧୯ ବିଧାନସଭା ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ପରେ ଧର୍ମେନ୍ଦ୍ରଙ୍କ ନେତୃତ୍ୱ ସବୁଠୁ ବଡ ଆହ୍ୱାନର ସମ୍ମୁଖୀନ ହୋଇଛି । ଏଇ ୨୦୧୯ ନିର୍ବାଚନରେ ଓଡିଶାରୁ ବିଜେପିର ଆଠ ଜଣ ଲୋକସଭା ପ୍ରାର୍ଥୀ ଜିଣିକି ଯାଇଥିବା ବେଳେ ହଠାତ ଜାତୀୟ ଗଣମାଧ୍ୟମରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରମନ୍ତ୍ରୀ ଭାବେ ସୁଯୋଗ ଦେଲେ । ତାଙ୍କୁ ଜାତୀୟ ଗଣମାଧ୍ୟମରେ ଓଡିଶାର ମୋଦି ବୋଲି ପ୍ରଚାର କରିବା ପଛରେ ଏକ ବଡ଼ଶକ୍ତିର ହାତ ରହିଥିବା ରାଜନୈତିକ ସମୀକ୍ଷକମାନେ କହୁଛନ୍ତି । ସୋସିଆଲ୍‌ ମିଡ଼ିଆରେ ପ୍ରତାପ ଷଡଙ୍ଗୀଙ୍କୁ ତ୍ୟାଗୀ, ତପସ୍ୱୀ, ବାଗ୍ମୀ ଓ ଓଜସ୍ୱୀ ବୋଲି କୁହାଯାଉଛି । ଯେଉଁ ଓଡିଆ ଗଣମାଧ୍ୟମ ତାଙ୍କୁ ଗତ ୨୦ ବର୍ଷ ଭିତରେ ବିଶେଷ କିଛି ଗୁରୁତ୍ୱ ଦେଉନଥିଲେ, ସେମାନେ ହଠାତ୍‌ ପ୍ରତାପଙ୍କ ଜୟଗାନ ଆରମ୍ଭ କରି ଚାଲିଛନ୍ତି । ଏହା ପୂର୍ବରୁ ଓଡିଶା ବିଜେପି ସଭାପତି ପଦ ଲାଗି ଯେବେ ବି ପ୍ରତାପ ଷଡଙ୍ଗୀଙ୍କ ନାମ ଉଠିଛି, ତାକୁ କଳେ ବଳେ କୌଶଳେ ଚାପି ଦିଆଯାଉଥିଲା । ଏପରିକି ପ୍ରତାପ ଷଡଙ୍ଗୀଙ୍କୁ ଟିକେ ଅଧିକ ଟିଭି ଫୁଟେଜ୍‌ ଦେଇଥିବାରୁ ଜଣେ ବରିଷ୍ଠ ସମ୍ପାଦକଙ୍କ ଚାକିରି ଚାଲିଯାଇଥିବା କଥା ମଧ୍ୟ ଶୁଣାଯାଏ । ପ୍ରତାପ ଓ ଧର୍ମେନ୍ଦ୍ରଙ୍କ ଭିତରେ ଖୁବ ଗୋଟେ ମଧୁର ସମ୍ପର୍କ ଯେ ନଥିଲା । ଏକଥା ବିଜେପିର ବହୁନେତା ଜାଣିଥିବା ଆଲୋଚନା ହେଉଛି । ହଠାତ ପ୍ରତାପଙ୍କୁ ହିରୋ ଭାବରେ ଉପସ୍ଥାପନ କରାଯିବା, ତାଙ୍କୁ ମନ୍ତ୍ରୀ ଭାବରେ ଦାୟିତ୍ୱ ଦେବା, ତାଙ୍କ ପାଣ୍ଡିତ୍ୟକୁ ନେଇ ବଢେଇ ଚଢେଇ ଆଲୋଚନା କରିବା ଓ ସର୍ବଶେଷରେ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାବ ବିତର୍କକୁ ସୁଯୋଗ ଦେବା ଭଳି ଘଟଣାକ୍ରମରେ ଏକ ଭିନ୍ନ ରାଜନୀତିର ଆଭାସ ସ୍ପଷ୍ଟ ବାରି ହୋଇ ପଡୁଛି । ଅବଶ୍ୟ ଓଡ଼ିଶା ରାଜନୀତିରେ ଧର୍ମେନ୍ଦ୍ରଙ୍କ ଦବ୍‌ଦବା ପୂର୍ବବତ୍‌ ରହିଛି । ତଥାପି ପ୍ରତାପ ଷଡଙ୍ଗୀଙ୍କୁ ଅଧିକରୁ ଅଧିକ ରାଜନୈତିକ ଗୁରୁତ୍ୱ ଦେବାକୁ ବୋଧେ ବିଜେପି ଶୀର୍ଷ ନେତୃତ୍ୱ ଉଦ୍ୟମ ଆରମ୍ଭ କରିଛନ୍ତି । ବିଜେପିର ବୋଧହୁଏ ହୃଦବୋଧ ହୋଇ ସାରିଛି ପ୍ରତାପ ଷଡଙ୍ଗୀଙ୍କୁ ଅଧିକରୁ ଅଧିକ ଗରୁତ୍ୱ ଦିଆଗଲେ ଦଳପାଇଁ ଏକ ନୂଆ ବ୍ରାଣ୍ଡ ପ୍ରସ୍ତୁତ କରାଯାଇପାରିବ । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେପି ପୂର୍ଣ୍ଣ ସ;ୁଷ୍ଟ କରି ରଖିବା ସହିତ ବିଜୁ ଜନତା ଦଳ ବିରୋଧରେ ବିଜେପିର କୌଣସି ଶୀର୍ଷନେତା କିଛି ନ କହିବାକୁ କୁହାଯାଇଛି । ତାହା ସହିତ ପ୍ରତାପ ଷଡଙ୍ଗୀଙ୍କର ଏକ ସକାରାତ୍ମକ ଭାବମୂର୍ତ୍ତି ନିର୍ମାଣର ଉଦ୍ୟମ ମଧ୍ୟ ଚାଲିଛି । ଏହା ପୂର୍ବରୁ ପ୍ରତାପଙ୍କୁ ଜଣେ ଉଗ୍ର ହିନ୍ଦୁବାଦୀ ନେତା ଭାବରେ ଓଡିଶାର ଗଣମାଧ୍ୟମ ଚିତ୍ରିତ କରୁଥିଲା । ଏବେ ହଠାତ ତାଙ୍କୁ ସନ୍ଥ ଓ ମହାତ୍ମାରସ୍ତରକୁ ଉନ୍ନୀତ କରିବାର ଉଦ୍ୟମ ଚାଲିଛି । ଏହି ଉଦ୍ୟମର ଦୁଇଟି ରାଜନୈତିକ ଉଦ୍ଦେଶ୍ୟ ରହିଛି । ପ୍ରଥମରେ ଏହା ଦ୍ୱାରା ନବୀନ ପଟ୍ଟନାୟକଙ୍କ ଏକ ବିକଳ୍ପ ନିର୍ମାଣ । ଧର୍ମେନ୍ଦ୍ରଙ୍କୁ ଜାତୀୟ ରାଜନୀତିରେ ଉପଯୋଗ କରି ଓଡିଶାରେ ପ୍ରତାପ ଷଡଙ୍ଗୀଙ୍କୁ ସର୍ବଜନ ଗ୍ରହଣୀୟ କରିବାର ଯୋଜନାବଦ୍ଧ ଉଦ୍ୟମ ନିର୍ବାଚନ ପରେ ପରେ ହିଁ ଆରମ୍ଭ ହୋଇଛି । ନିର୍ବାଚନ ସମୟରୁ ହିଁ ଓଡିଶାରେ ବିଜେପି କାହାରିକୁ ରାଜ୍ୟ ଚେହେରା କରିନଥିଲା । କିନ୍ତୁ ସବୁ ଭାବିତିଲେ ଧର୍ମେନ୍ଦ୍ର ହିଁ ଚେହେରା ହୋଇପାରନ୍ତି । ପୁଣି କେତେବେଳେ ଅପରାଜିତା ଷଡଙ୍ଗୀ ତ ପୁଣି କେବେ ବୈଜୟନ୍ତ ପଣ୍ଡାଙ୍କ ନାଁ ଚର୍ଚ୍ଚାକୁ ଆସୁଥିଲା । ତେବେ ଏ ଦୁହେଁ ସଂଘ ବିଚାର ଓ ହିନ୍ଦୁ ରାଜନୀତିରୁ ଆସିନଥିବାରୁ ପ୍ରତାପ ହିଁ ପରିଶେଷରେ ଓଡ଼ିଶା ଚେହେରା ହୋଇପାରନ୍ତି ବୋଲି ବିଜେପି ଶୀର୍ଷ ନେତୃତ୍ୱ ଅନୁଭବ କରୁଥାଇପାରନ୍ତି ବୋଲି ସମୀକ୍ଷକମାନେ କହୁଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏନ୍‌କାଉଣ୍ଟର: ଗୁଳି ଖାଇ ଖସିଗଲା ଦୁର୍ଦ୍ଦାନ୍ତ ସଞ୍ଜୁ

ଏନ୍‌କାଉଣ୍ଟର: ଗୁଳି ଖାଇ ଖସିଗଲା ଦୁର୍ଦ୍ଦାନ୍ତ ସଞ୍ଜୁ

Read More...

କିମ୍‌ଙ୍କୁ ଭେଟିବାକୁ ଉତ୍ତର କୋରିଆରେ  ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି

କିମ୍‌ଙ୍କୁ ଭେଟିବାକୁ ଉତ୍ତର କୋରିଆରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page