ପାଟକୁରାରେ ସାଧାରଣ ସଭା କରିବେନି ନବୀନ

July 12, 2019, ଓଡ଼ିଶା, , Anupambharat News Bureau


ପାଟକୁରାରେ ସାଧାରଣ ସଭା କରିବେନି ନବୀନ
Anupambharat News Bureau
July 12, 2019

ଭୁବନେଶ୍ୱର,୧୨ା୭(ଅନୁପମ ମିଡ଼ିଆ) : ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଉଭୟ ବିଜେପି ଓ ବିଜେଡି ପ୍ରଚାର ଅଭିଯାନକୁ ଜୋରଦାର କରିଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୭ତାରିଖରେ ପ୍ରଚାର ମଇଦାନକୁ ଓହ୍ଲାଇବାର କାର୍ଯ୍ୟକ୍ରମ ରହିଛି । ତେବେ ନବୀନ ପାଟକୁରାରେ କୌଣସି ସାଧାରଣ ସଭା କରିବେ ନାହିଁ । ସେ ୧୭ ଓ ୧୮ ଦୁଇଦିନ ଧରି ପାଟକୁରା ନିର୍ବାଚନମଣ୍ଡଳିର ୩ଟି ଯାକ ବ୍ଲକ ଡେରାବିଶ, ଗରଦପୁର ଓ ମାର୍ଶାଘାଇରେ ରୋଡ୍‌ ଶୋ’ ଜରିଆରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିବେ । ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସାଧାରଣ ନିର୍ବାଚନବେଳେ ବିଜେଡି ପକ୍ଷରୁ କିଣାଯାଇଥିବା ବସ୍‌ରେ ନବୀନ ପାଟକୁରାରେ ରୋଡ୍‌ ଶୋ’ କରିବେ । ଦୁଇଦିନ ଧରି ସେ ପାଟକୁରାର ବିଭିନ୍ନ ଅଞ୍ଚଳରେ ବସ୍‌ ଯୋଗେ ରୋଡ୍‌ ଶୋ’ କରି ଭୋଟରଙ୍କୁ ଭେଟିବେ । ନବୀନଙ୍କ ଚୂଡ଼ାନ୍ତ କାର୍ଯ୍ୟସୂଚୀ ଆସନ୍ତା ୨-୩ ଦିନ ମଧ୍ୟରେ ଦଳର ସ୍ଥାନୀୟ ନେତାମାନଙ୍କୁ ହସ୍ତାନ୍ତର କରାଯିବ । ରୋଡ୍‌ ଶୋ’ ବେଳେ ବିଳାସପୂର୍ଣ୍ଣ ବସ୍‌ ଭିତରେ ରହି ନବୀନ ନିଜର ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍‌ ଭିକ୍ଷା କରିବେ ବୋଲି ଜଣାପଡ଼ିଛି । ତେବେ ନବୀନଙ୍କ ଦୁଇଦିନ ଧରି ପ୍ରଚାରବେଳେ କୌଣସି ସ୍ଥାନରେ ବି ସାଧାରଣ ସଭା ନକରିବାକୁ ବିଜେଡି ନିଷ୍ପତ୍ତି ନେଇଛି । ପ୍ରଚାରର ଶେଷ ଦୁଇଦିନରେ ମଇଦାନକୁ ଓହ୍ଲାଇ ନବୀନ ଦଳୀୟ ପ୍ରାର୍ଥୀଙ୍କ ବିଜୟକୁ ସୁନିଶ୍ଚିତ କରାଇବାକୁ ଚାହୁଁଛନ୍ତି । ଏପଟେ ପାଟକୁରା ବିଧାନସଭା ନିର୍ବାଚନରେ ବିଜେଡି ନିଜର ସମସ୍ତ କଳବଳକୌଶଳ ଲଗାଇ ଦେଇଥିବା ସେ‰ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ସପକ୍ଷରେ ଏପର୍ଯ୍ୟନ୍ତ ଆଶାନୁରୂପ ସମର୍ଥନ ସଂଗ୍ରହ କରିବାରେ ଦଳ ସମର୍ଥ ହୋଇନଥିବା ଚର୍ଚ୍ଚା ହେଉଛି । ପାଟକୁରାର ପୂର୍ବତନ ବିଧାୟକ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ଭାବେ ସାବିତ୍ରୀଙ୍କୁ ଭୋଟରଙ୍କ ସହାନୁଭୂତି ମିଳିବ ବୋଲି ବିଜେଡି ଯେଉଁ ଆଶା ରଖିଥିଲା ତା’ର କାଣିଚାଏ ସୂଚନା ବି ମିଳୁନି । ଓଲଟା ସ୍ୱର୍ଗତ ଅଗ୍ରୱାଲ ୨୦୦୯ରୁ ୨୦୧୯ ମସିହା ପର୍ଯ୍ୟନ୍ତ ୧୦ ବର୍ଷ ଧରି ବିଧାୟକ ଥିବାବେଳେ ସ୍ଥାନୀୟ ଅଞ୍ଚଳବାସୀ ଓ ଦଳୀୟ କର୍ମୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ ହୋଇନଥିବାରୁ ସେ ନେଇ ଆକ୍ରୋଶ ଦେଖାଦେଇଛି । ବିଜେଡିର ମନ୍ତ୍ରୀ, ବିଧାୟକ ଓ ନେତାମାନେ ଏବେ ଗାଁକୁ ଗାଁ ବୁଲି ସଭା ଓ ପ୍ରଚାର କରୁଥିଲେ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ପ୍ରତି ଏଭଳି ଆକ୍ରୋଶ ରହିଥିବା ଜଣାପଡ଼ିଛି । ଯାହା ବିଜେଡି ନେତାମାନଙ୍କୁ ବ୍ୟଥିତ କରିବାରେ ଲାଗିଛି । ବିଜେଡି ନେତାମାନେ ୪୦ ହଜାରରୁ ଅଧିକ ଭୋଟରେ ଦଳୀୟ ପ୍ରାର୍ଥୀ ଜିତିବେ ବୋଲି ଦମ୍ଭୋକ୍ତି କରୁଥିଲେ ମଧ୍ୟ କେବଳ ଡେରାବିଶ ବ୍ଲକର ୨୬ରୁ ମାତ୍ର ୧୬-୧୮ଟି ପଞ୍ଚାୟତରେ ବିଜେଡି ଭଲ ସ୍ଥିତିରେ ରହିଛି । ଅନ୍ୟ ଦୁଇଟି ବ୍ଲକରେ ବିଜେଡି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ସମର୍ଥନ ଯୋଗାଡ଼ରେ ବ୍ୟସ୍ତ ଥିଲେ ମଧ୍ୟ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହୋଇପାରୁନଥିବା ଜଣାପଡ଼ିଛି । ତେଣୁ ନବୀନ ପାଟକୁରା ଗସ୍ତରେ ଯିବା ପୂର୍ବରୁ କିଭଳି ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଜନମତ ବୃଦ୍ଧି ପାଇବ ସେ ଦିଗରେ ବିଜେଡି କର୍ମୀ ଓ ସ୍ଥାନୀୟ ପ୍ରଶାସନକୁ ପରିଶ୍ରମ କରିବାକୁ କଡ଼ା ତାଗିଦ୍‌ କରାଯାଇଥିବା ଜଣାପଡ଼ିଛି ।
ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପାଟକୁରା ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ଏବେ ଉଠୁଛି ପଡ଼ୁଛି । ତିନି ପ୍ରମୁଖ ଦଳ କର ବା ମର ସ୍ଥିତିରେ ସେଠି ନିର୍ବାଚନ ଲଢ଼ୁଛନ୍ତି । ଏବେ ଦଳର ଛାମୁଆ ନେତାମାନେ ସଂଗଠନ ସଜାଡୁଛନ୍ତି । ସୂଚନା ମୁତାବକ, କୌଣସି ଦଳ ପାଇଁ ବି ସ୍ଥିତି ଅତ୍ୟନ୍ତ ସହଜ ନଥିବାରୁ ଏବେ ହେଭିେୱଟ୍‌ମାନେ ଯାଇ ପାଟକୁରାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଯୋଜନା କରିଛନ୍ତି । ଶେଷ ମୁହୂର୍ତ୍ତରେ ନିଜ ସପକ୍ଷରେ ଭୋଟ ଆଣିବା ଲାଗି ଏମାନେ ସ୍ୱତନ୍ତ୍ର ରଣକୌଶଳ ପ୍ରୟୋଗ କରିବେ । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରାରେ ବିଜେପିକୁ କେଣସି ସୁଯୋଗ ଛାଡ଼ିବାକୁ ଚାହୁଁ ନାହାନ୍ତି । ଦଳର ମନ୍ତ୍ରୀ, ବିଧାୟକ ଓ ଛାମୁଆ ନେତାଙ୍କୁ ପଞ୍ଚାୟତ ଜଗାଇଲା ପରେ ନିଜେ ମଇଦାନକୁ ଓହ୍ଲାଇବାକୁ ସ୍ଥିର କରିଛନ୍ତି । ଆସନ୍ତା ୧୭ ତାରିଖରେ ସେ ପାଟକୁରା ଯିବେ ବୋଲି ଆପାତତଃ ଚୂଡ଼ାନ୍ତ ହୋଇଛି । ମନ୍ତ୍ରୀ ସୁଶାନ୍ତ ସିଂହ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ପାଟକୁରାର ଗାଁ ଗାଁ ବୁଲି ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ରୋଡ୍‌ ସୋ’ କରିବେ । ଏପରିକି ସେ ୧୭ ତାରିଖରେ ରାତ୍ରିଯାପନ କରି ୧୮ରେ ମଧ୍ୟ ପ୍ରଚାର କରିବେ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ବିଜେପି ବି ପ୍ରଚାରରେ ପଛରେ ପଡ଼ିନାହିଁ । ନିଜେ ପ୍ରାର୍ଥୀ ବିଜୟ ମହାପାତ୍ର ପ୍ରଚାର ମଙ୍ଗ ଧରି ବିଜେଡିକୁ ଚ୍ୟାଲେଞ୍ଜ୍‌ ଦେଉଛନ୍ତି । ତାଙ୍କୁ ବଳ ଯୋଗାଇବାକୁ ଗତକାଲି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପାଟକୁରା ଯାଇ ପ୍ରଚାର କରିଛନ୍ତି । ଆସନ୍ତା ୧୪ ତାରିଖରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାରରେ ସାମିଲ ହେବେ ବୋଲି ସୂଚନା ମିଳିଛି । ସେ ଦୁଇଦିନ ଧରି ବିଜୟଙ୍କ ପାଇଁ ରୋଡ୍‌ ସୋ’ କରିବାର କାର୍ଯ୍ୟକ୍ରମ ରହିଛି । ବିଜେଡି-ବିଜେପି ସିଧାସଳଖ ମୁକାବିଲା ହେଉଥିଲେ ବି ପ୍ରଚାର ଅଭିଯାନକୁ ଆଖିଦୃଶିଆ କରିବା ପାଇଁ କଂଗ୍ରେସ ଅଣ୍ଟା ଭିଡ଼ିଛି । ଗତକାଲି କଂଗ୍ରେସ ଭବନରେ ଦଳୀୟ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କ ଉପସ୍ଥିତିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦଳର ପ୍ରସ୍ତୁତିର ସମୀକ୍ଷା କରିଥିଲେ । ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ପିସିସି ସଭାପତି ପଟ୍ଟନାୟକ ଉଭୟ ଦଳକୁ ସମାଲୋଚନା କରିବା ସହ କହିଛନ୍ତି, ବାହୁଡ଼ା ପରେ କଂଗ୍ରେସ ପ୍ରଚାରକୁ ଜୋରଦାର୍‌ କରିବ । ପ୍ରଚାର ପାଇଁ ସମସ୍ତ ବିଧାୟକ ଓ ସାଂସଦକୁ ୨ରୁ୩ ଦିନ ପାଟକୁରାରେ ରହିବାକୁ କୁହାଯାଇଛି । କେନ୍ଦ୍ରୀୟ ନେତାଙ୍କୁ ମଧ୍ୟ ପ୍ରଚାରରେ ଆସିବାକୁ କୁହାଯାଇଛି । ପାଟକୁରାବାସୀଙ୍କୁ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ରକ୍ଷା କରିବାକୁ ଅନୁରୋଧ କରିବା ସହ କଂଗ୍ରେସକୁ ଭୋଟ୍‌ ଦେବା ପାଇଁ କହିବୁ । ବିଜେଡି-ବିଜେପି ଏକ ହୋଇଥିବାରୁ କଂଗ୍ରେସ ହିଁ ଏକମାତ୍ର ବିରୋଧୀ, ଯିଏ ଓଡ଼ିଶାବାସୀଙ୍କ ଆଶା, ଆକାଂକ୍ଷାକୁ ପୂରଣ କରିପାରିବ । ଭୋଟରଙ୍କୁ ଏହି କଥା ବୁଝାଇବାକୁ ଚେଷ୍ଟା କରି ଭୋଟ୍‌ ମାଗିବୁ ବୋଲି ନିରଞ୍ଜନ କହିଛନ୍ତି ।
ପାଟକୁରା ନିର୍ବାଚନକୁ ଆଉ ବେଶୀ ଦିନ ନାହିଁ । ପ୍ରଚାର ପାଇଁ ହାତରେ ୮ ଦିନ । କି;ୁ ବିଜେଡିରେ ଯେମିତି ଅଲ୍‌ ଇଜ୍‌ ନଟ୍‌ େୱଲ ସ୍ଥିତି । ଏ କଥାକୁ ଖୋରାକ୍‌ ଯୋଗାଇଛି ମହାକାଳପଡା ବିଧାୟକ ତଥା ବିଜୟ ମହାପାତ୍ରଙ୍କୁ ପୂର୍ବରୁ ହରାଇଥିବା ଅତନୁ ସବ୍ୟସାଚୀ ନାୟକଙ୍କୁ ନବୀନ ନିବାସରୁ ସମନ । ଆଉ ମିଳିଥିବା ଖବର ଅନୁସାରେ ଅତନୁ ବି ନବୀନ ନିବାସକୁ ଯାଇ ଦଳ ସୁପ୍ରିମୋଙ୍କ ସାମ୍ନାରେ ହାଜର ହୋଇଛନ୍ତି । ତାଙ୍କ ସହ ଆଉ କିଛି ନେତାଙ୍କୁ ବି ଡକାଯାଇଥିଲା । ଏ ଘଟଣା ସୋମବାରର ବୋଲି କୁହାଯାଉଛି । ପାଟକୁରା ନିର୍ବାଚନରେ ବିଜୟଙ୍କ ପରାଜୟ ଲାଗି ଅତନୁଙ୍କ ଭାଗିଦାରୀ ବିଜେଡି ପାଇଁ ଅଧିକ ଜରୁରୀ । କି;ୁ ଅତନୁ କିମ୍ବା ତାଙ୍କ ଏଜେନ୍ସି ଧରାଛୁଆଁ ଦେଉ ନଥିବା ସେଠାରେ ଡେରା ପକାଇଥିବା ବିଜେଡି ପର୍ଯ୍ୟବେକ୍ଷକ ସଭାପତିଙ୍କୁ ରିପୋର୍ଟ କରିଥିଲେ । ଗରଦପୁର ଓ ମାର୍ଶାଘାଇ ବ୍ଲକରେ ଅତନୁଙ୍କ ସମର୍ଥକ ଅଧିକ ଥିବାରୁ ତାଙ୍କୁ ନବୀନ ନିବାସ ଡାକି ତାଗିଦ କରିବାକୁ ସଭାପତିଙ୍କୁ ଜଣାଇଥିଲେ ବିଜେଡି ନେତା । ଯାହାକୁ ନେଇ ଗଲା ସୋମବାର ନବୀନ ନିବାସରେ ବୈଠକ ଡାକିଥିଲେ ନବୀନ । ସୂଚନା ଅନୁସାରେ, ଗରଦପୁର ବ୍ଲକ ଦାୟିତ୍ୱରେ ଥିବା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସୁଶାନ୍ତ ସିଂ, ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଜେଡି ପ୍ରତ୍ୟାଶୀ ସାବିତ୍ରୀ ଅଗ୍ରୱାଲଙ୍କ ପୁଅ ସଞ୍ଜୟ ଅଗ୍ରୱାଲ, ଜିଲ୍ଲା ବିଜେଡି ସଭାପତି କିଶୋର ତରାଇ ଓ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀଙ୍କୁ ଧରି ନବୀନ ନିବାସରେ ବୈଠକ ହୋଇଥିଲା । ଆଉ ବୈଠକରେ ଅତନୁଙ୍କୁ କଡା ତାଗିଦ ବି କରିଛନ୍ତି ସୁପ୍ରିମୋ । ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସହଯୋଗ କରିବାକୁ ଅତନୁଙ୍କୁ କୁହାଯାଇଛି । ତାଙ୍କ ସମର୍ଥକମାନେ ମୂଳରୁ ଦଳୀୟ ପ୍ରାର୍ଥୀନିଙ୍କୁ ବିରୋଧ କରୁଥିବାରୁ ଏହାର ପ୍ରଭାବ ଯେମିତି ଭୋଟରେ ନପଡେ ସେନେଇ କୁହାଯାଯାଇଛି ।
କୁହଯାଉଛି, ବୈଜୟନ୍ତ ପଣ୍ଡାଙ୍କୁ ବିରୋଧ କରି ଓ ବିଜୟ ମହାପାତ୍ରଙ୍କୁ ପରାଜିତ କରି ଅତନୁ ସୁପ୍ରିମୋଙ୍କ ଗୁଡବୁକରେ ଥିଲେ । ହେଲେ ପୂର୍ବରୁ ଅତନୁଙ୍କୁ ଯେଭଳି ଗୁରୁତ୍ୱ ଦିଆଯାଉଥିଲା ଏବେ ସେମିତି ସ୍ଥିତି ନାହିଁ । ଏବେ ପ୍ରତାପ ଜେନା ଓ ପ୍ରତାପ ଦେବ ଜିଲ୍ଲାରେ ସର୍ବେସର୍ବା ସାଜିଛନ୍ତି । ଯାହାକୁ ହଜମ କରି ପାରୁ ନାହାଁନ୍ତି ଅତନୁ । କି;ୁ ଦଳ ତରଫରୁ ସେଠାକୁ ପର୍ଯ୍ୟବେକ୍ଷକ ହୋଇ ଯାଇଥିବା ନେତାଙ୍କ ମତରେ ସେଠାରେ ଅତନୁଙ୍କ ବେସ୍‌ ଭଲ ଥିବାରୁ ତାଙ୍କ ବିନା ଦଳକୁ କ୍ଷତି ସହିବାକୁ ପଡିପାରେ । ତା ଛଡା ନିର୍ବାଚନ ସମୟରେ ଦଳୀୟ ନେତାଙ୍କ ଭିତରେ ମତଭେଦ ବି ଦଳ ପାଇଁ ମହଙ୍ଗା ପଡିପାରେ । ତେଣୁ କୌଣସି ପରିସ୍ଥିତିରେ ବି ପରାଜିତ ହେବାକୁ ଚାହୁଁନଥିବା ବିଜେଡି, ବାଧ୍ୟ ହୋଇ ଅତନୁଙ୍କୁ ଡାକି ଆଲୋଚନା କରିଛି । ଅବଶ୍ୟ କୁହାଯାଇପାରେ, ଅତନୁଙ୍କ ଗୁରୁତ୍ୱ ବୁଝିଛି ବିଜେଡି ।ଛ ଆଉ ପାଟକୁରା ବିଜୟ ପାଇଁ ତାଙ୍କରି ହାତରେ ହିଁ ଭାଲୁ ଧରାଇ ଦେଇଛି । ଯଦି ଫଳ ଭଲ ହେଲା ତେବେ ଶ୍ରେୟ ତାଙ୍କୁ ହିଁ ଯିବ ଆଉ ଯଦି ଫଳ ଖରାପ ହେଲା ତେବେ ସବୁ ଦୋଷ ବି ତାଙ୍କରି ମୁଣ୍ଡରେ ଯିବ ବୋଲି କୁଆଡେ ସଭାପତି ଅତନୁଙ୍କୁ ସଫା ସଫା ଶୁଣାଇ ଦେଇଥିବା ଶୁଣିବାକୁ ମିଳୁଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦେଶର ପ୍ରଥମ ଇଥେନୋଲ୍‌ ବାଇକ୍‌ ଲଞ୍ଚ କଲା ଟିଭିଏସ୍‌

ଦେଶର ପ୍ରଥମ ଇଥେନୋଲ୍‌ ବାଇକ୍‌ ଲଞ୍ଚ କଲା ଟିଭିଏସ୍‌

Read More...

‘ଜୁଲାଇ ୧୬ ଯାଏ ବାଚସ୍ପତି ବିଧାୟକଙ୍କ ବିରୋଧରେ କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ’

‘ଜୁଲାଇ ୧୬ ଯାଏ ବାଚସ୍ପତି ବିଧାୟକଙ୍କ ବିରୋଧରେ କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ’

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page