ଡବଲ ମର୍ଡ଼ର ଖୁଲାସା ପତ୍ନୀ ମାନ୍ୟତା ମାଗିବାରୁ ହତ୍ୟା

February 14, 2020, ଓଡ଼ିଶା, , Anupambharat News Bureau


ଡବଲ ମର୍ଡ଼ର ଖୁଲାସା  ପତ୍ନୀ ମାନ୍ୟତା ମାଗିବାରୁ ହତ୍ୟା
Anupambharat News Bureau
February 14, 2020

ଭୁବନେଶ୍ୱର, ୧୪ ।୨(ଅନୁପମ ମିଡିଆ): ଜେଲ୍‌ ଗଲେ ପୂର୍ବତନ ବିଧାୟକ ଅନୁପ ସାଏ । ଡବଲ ମର୍ଡର ମାମଲାରେ ଗିରଫ ଅନୁପଙ୍କୁ ଛତିଶଗଡ଼ର ରାୟଗଡ଼ସ୍ଥିତ ଜେଏମ୍‌ଏଫସି କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ପଠାଇ ଦିଆଯାଇଛି । କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ୨୮ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି । ରାୟଗଡ଼ ଏସପି ସନ୍ତୋଷ ସିଂହଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାୟଗଡ଼ କାର୍ଯ୍ୟନିର୍ବାହୀ ଏଏସପି ଅଭିଷେକ ବର୍ମା, ସିଏସପି ଅବିନାଶ ସିଂ ଠାକୁରଙ୍କ ଦିଗଦର୍ଶନରେ ଇନ୍ସପେକଫର ବିବେକ ପଟେଲ, ଏସ ସିଂ, ରୂପକ ଶର୍ମା, ଗୌରୀଶଙ୍କର ଦୁବେ, ସଉଣୀ ଶସିଦେ ଭୋଇ, ଡିପି ଭରଦ୍ୱାଜ, ସାଇବର ସେଲ ମୁଖ୍ୟ ରାଜେଶ ପଟେଲ, ଆର ଶ୍ୟାମଲାଲ, ଚକ୍ରଧରନଗର ଥାନା ଅଧିକାରୀ ଜଗମୋହନ ଓଗରେ, ରିତେଶ ଦିୱାନ, ଦିନେଶ ଗୌଣ୍ଡ, ଅଖିଲେଶ କୁଶବାହ, ଭବାନୀ ଶଙ୍କର, ମହେଶ ପଣ୍ଡା, ସୁରେନ୍ଦ୍ର ପୋର୍ତି, ବୃଜଲାଲ ଗୁଜର, ମହିଳା ଇନ୍ସପେକଫର ରୀନା ବୁଲବୁଲ ତଦନ୍ତ ପରିଚାଳନା କରୁଥିଲେ । ଅନୁପଙ୍କୁ ମାରାଥନ ଜେରା ପରେ ଶୁକ୍ରବାର ଅପରାହ୍ନ ୨ଟାରେ ଚକ୍ରଧରନଗର ଥାନାରେ ଆଣି ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଉପସ୍ଥାପନ କରିଥିଲେ ।
ପ୍ରେମ ସମ୍ପର୍କ, ସମ୍ପତ୍ତି ଓ ବିବାହ ପାଇଁ ଜିଦ ଯୋଗୁଁ ମହିଳାଙ୍କୁ ହତ୍ୟା କରାଯାଇଥିବା ଏସ୍‌ପି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ । ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଗିରଫ ନେଇ ଛତିଶଗଡ଼ ରାୟଗଡ଼ ଆରକ୍ଷୀ ଅଧୀକ୍ଷକ ସନ୍ତୋଷ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ମା’ ଓ ଝିଅ ହତ୍ୟାକାଣ୍ଡର ଖୁଲାସା କରିଛନ୍ତି । ସେ କହିଛନ୍ତି
ଯେ ୨୦୧୬ ମେ ୭ରେ ମା’ କଳ୍ପନା ଦାସ ଓ ଝିଅ ବବଲିଙ୍କର ମୃତଦେହ ମିଳିଥିଲା । ଅନୁପଙ୍କ ଡ୍ରାଇଭର୍‌ ବର୍ମନ୍‌ ଟପୋ ଲୁହାଛଡ଼ରେ ୨ ଜଣଙ୍କୁ ହତ୍ୟା କରିଥିଲା ଏବଂ ଏହାକୁ ଦୁର୍ଘଟଣା ରୂପ ଦେବା ଲାଗି ଅନୁପ ନିଜେ ଦୁଇ ମୃତଦେହ ଉପରେ ବୋଲେରୋ ଚଢ଼ାଇ ଦେଇଥିଲେ । ୨୦୦୫ ମସିହାରେ ମୃତ କଳ୍ପନାଙ୍କୁ ତାଙ୍କ ସ୍ୱାମୀ ସୁନୀଲ ଶ୍ରୀବାସ୍ତବ ଛାଡ଼ପତ୍ର ଦେଇଥିଲେ । ଏହାପରେ କଳ୍ପନାଙ୍କ ସମ୍ପର୍କରେ ଆସିଥିଲେ ଅନୁପ ସାଏ । ୨୦୧୧ ମସିହାରୁ ଭୁବନେଶ୍ୱରର ସୁନ୍ଦରପଦାରେ ଅନୁପ ସାଏଙ୍କର ଏକ ଫ୍ଲାଟରେ ରହୁଥିଲେ କଳ୍ପନା । ସେ ଦୁହେଁ ପ୍ରାୟ ଲିଭ୍‌ ଇନରେ ରହୁଥିଲେ । ଦୁହେଁ ସାଙ୍ଗ ହୋଇ ବିଶାଖାପଟନମ୍‌, ହାଇଦ୍ରାବାଦ, ଦିଲ୍ଲୀ ଏବଂ ଗୋଆ ଆଦି ସ୍ଥାନକୁ ବୁଲିବାକୁ ଯାଇଥିଲେ । କିନ୍ତୁ ସମୟ ସମୟରେ ବିବାହ ପାଇଁ ଅନୁପଙ୍କ ଉପରେ କଳ୍ପନା ଚାପ ପକାଇଥିଲେ ଏବଂ ଅନୁପ ତାଙ୍କର କେତେକ ସମ୍ପତ୍ତି ତାଙ୍କ ନାଆଁରେ କରନ୍ତୁ ବୋଲି ବି ଦାବି କରୁଥିଲେ । ଏହାକୁ ନେଇ ସେମାନଙ୍କ ମଧ୍ୟରେ କଳହର ସୂତ୍ରପାତ ଘଟିଥିଲା । ପ୍ରତିଷ୍ଠାରେ ଆଞ୍ଚ ଆସିବା ସହ ତାଙ୍କ ପାରିବାରିକ ଜୀବନରେ କଳ୍ପନା ଝଡ଼ ଆଣିବା ଆଶଙ୍କା କରିଥିଲେ ସାଏ । ଏହାପରେ କଳ୍ପନା ଓ ଝିଅ ବବଲିଙ୍କୁ ହତ୍ୟା କରିବା ଲାଗି ଯୋଜନା ପ୍ରସ୍ତୁତ କରିଥିଲେ । ରାୟଗଡ଼ରେ ବାହା ହେବାର ମିଛ ବାହାନା ଦେଖାଇ ହମୀରପୁରରେ ଥିବା ନିଜର ଜନୈକ ସମ୍ପର୍କୀୟଙ୍କ ଘରକୁ ଯିବାକୁ କହି ନିକାଞ୍ଚନ ସ୍ଥାନକୁ ନେଇ ଯାଇଥିଲେ । ସେ ହମୀରପୁର ନିକଟରେ ଥିବା ଏକ ଜଙ୍ଗଲରେ କଳ୍ପନା ଓ ଝିଅ ବବଲିଙ୍କୁ ଲୁହାରଡରେ ପିଟି ପିଟି ହତ୍ୟା କରିଥିଲେ । ଏହାପରେ ସାଏ ମୃତ ଦେହର ପରିଚୟ ନଷ୍ଟ କରିବାକୁ ବୋଲେରୋ ଉପରେ ଚଢ଼ାଇ ଦେଇଥିଲେ । ଘଟଣା ପରେ ସାଏ ଚୁପ ଚାପ ଓଡ଼ିଶା ଫେରିଥିଲେ । ତେବେ
ମୃତଦେହ ଜବତ ହେବା ପରେ ପରିଚୟ ନ ପାଇ ଛତିଶଗଡ଼ ପୋଲିସ୍‌ ମୃତ କଳ୍ପନା ଓ ଝିଅ ବବଲିଙ୍କର ଫଟୋ ବିଭିନ୍ନ ଥାନାରେ ମାରିଥିଲା । କଳ୍ପନାଙ୍କର ଜଣେ ସମ୍ପର୍କୀୟ ଭାଇ କନଷ୍ଟେବଳ ସରୋଜ ଦାସ ପ୍ରଥମେ ଫଟୋରୁ କଳ୍ପନାଙ୍କୁ ଚିହ୍ନଟ କରିଥିଲେ । ପରେ କଲ୍‌ ରେକର୍ଡରୁ ଅନୁପଙ୍କ ସମ୍ପୃକ୍ତି ଥିବା ଜଣାପଡିଥିଲା ।
ହତ୍ୟାକାଣ୍ଡ ଦିନ ଭୁବନେଶ୍ୱରରୁ ରାୟଗଡ଼ ଯିବା ସମୟରେ କଳ୍ପନା ଓ ଅନୁପଙ୍କୁ ଢାବା କର୍ମଚାରୀ ଦେଖିଥିଲେ । ମହିଳାଙ୍କ ନିଖୋଜ ନେଇ ସାଏ କୌଣସି ଏତଲା ଦେଇ ନ ଥିଲେ । ୨୦୧୧ରୁ ୨୦୧୬ ରେ ସାଙ୍ଗରେ ରହୁଥିଲେ ବି ଅନୁପ ଏ ନେଇ ଏତଲା ନଦେବା ପୋଲିସର ସନ୍ଦେହ ବଢ଼ାଇଥିଲା । ଏହାପରେ ବହୁଥର ଅନୁପଙ୍କୁ ଛତିଶଗଡ଼ ପୋଲିସ୍‌ ପକ୍ଷରୁ ନୋଟିସ୍‌ ହୋଇଥିଲା, ମାତ୍ର ସେ ସହଯୋଗ କରି ନଥିଲେ । ଏପରିକି ସାଏ ଦୁଇଟି ମୋବାଇଲ ବ୍ୟବହାର କରୁଥିଲେ । ଗୋଟିଏ ନମ୍ବରରେ ସେ କଳ୍ପନାଙ୍କ ସହ ଯୋଗାଯୋଗ କରୁଥିଲେ । ଘଟଣା ପରେ ଉକ୍ତ ନମ୍ବରକୁ ବନ୍ଦ କରିଦେଇଥିଲେ । ଅନ୍ୟପଟେ ପୋଲିସର ଯାଞ୍ଚ ଚାଲିଥିବା ବେଳେ କଳ୍ପନାଙ୍କ ସ୍ୱାମୀ ଶ୍ରୀବାସ୍ତବ ମଧ୍ୟ ସାଏଙ୍କ ସମ୍ପର୍କରେ ସୂଚନା ଦେଇଥିଲେ । ଏପରିକି ସାଏ ବିଭିନ୍ନ ସମୟରେ ତାଙ୍କୁ କଳ୍ପନାକୁ ନମିଶିବା ଲାଗି ଧମକ ଦେଇଥିବା ବିଷୟ ପୋଲିସକୁ ପ୍ରକାଶ କରିଥିଲେ । ଏହାପରେ ପୋଲିସର ସମ୍ପୂର୍ଣ୍ଣ ନଜର ସାଏଙ୍କ ଉପରକୁ ଆସିଥିଲା । ଦୀର୍ଘ ଛ’ ମାସ ହେଲା ସାଏଙ୍କ ଉପରେ ନଜର ରଖିଥିବା ପୋଲିସ ଗତ ବୁଧବାର ରାତିରେ ଓଡ଼ିଶାରୁ ଉଠାଇ ନେଇଥିଲା । ପ୍ରଥମେ ଘଟଣା ସମ୍ପର୍କରେ କିଛି ଜାଣିନଥିବା ପ୍ରକାଶ କରିଥିବା ସାଏ ପରବର୍ତ୍ତୀ ସମୟରେ ଘଟଣାରେ ସମ୍ପୃକ୍ତିକୁ ସ୍ୱୀକାର କରିଥିଲେ । ତେବେ ସାଏଙ୍କ ଡ୍ରାଇଭର ପୋଲିସ ହାତକୁ ଆସିବା ପରେ ଘଟଣା ନେଇ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ଜଣାପଡ଼ିବ ବୋଲି ପୋଲିସ କହିଛି । ଏହି ଘଟଣାର ପର୍ଦ୍ଦାଫାସ କରିବାକୁ ଛ’ଟି ରାଜ୍ୟର ପୋଲିସ୍‌ ସହ ଯୋଗାଯୋଗ ପୂର୍ବକ ପ୍ରାୟ ୭୦୦ ଲୋକଙ୍କୁ ପଚରାଉଚରା କରିଥିଲା ଛତିଶଗଡ଼ ପୋଲିସ୍‌ ।
ଛତିଶଗଡ଼ ରାୟଗଡ଼ର ଆରକ୍ଷୀ ଅଧୀକ୍ଷକ ସନ୍ତୋଷ ସିଂହଙ୍କ ସୂଚନା ଅନୁଯାୟୀ ଅନୁପ ସାଏଙ୍କ ନାର୍କୋଟେଷ୍ଟ କରାଯିବ । ତା’ଛଡ଼ା ଘଟଣାସ୍ଥଳରୁ ସଂଗ୍ରହ କରାଯାଇଥିବା ଫିଙ୍ଗରପ୍ରିଣ୍ଟ ମେଳ କରାଯିବ ଏବଂ ଅନୁପଙ୍କ ଡିଏନଏ ଟେଷ୍ଟ୍‌ ମଧ୍ୟ ହେବ । ଡ୍ରାଇଭରକୁ ଧରିବାଲାଗି ପୋଲିସ୍‌ ଉଦ୍ୟମ କରୁଛି ବୋଲି ରାୟଗଡ଼ର ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି କେଜିରୱାଲ୍‌ଙ୍କ ଶପଥ

ଆଜି କେଜିରୱାଲ୍‌ଙ୍କ ଶପଥ

Read More...

ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି

ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page