ହାତମାରିଲେ ଧରାପଡୁଛନ୍ତି କୋଟିପତି !

March 07, 2021, ଓଡ଼ିଶା, , Anupambharat News Bureau


ହାତମାରିଲେ ଧରାପଡୁଛନ୍ତି କୋଟିପତି !
Anupambharat News Bureau
March 07, 2021


ଭୁବନେଶ୍ୱର, ୩ା୩ (ସ୍ୱତନ୍ତ୍ର ପ୍ରତିନିଧି): ଓଡ଼ିଶାରେ ଦୀର୍ଘ ବର୍ଷ ହେଲା ନବୀନ ପଟ୍ଟନାୟକଙ୍କ ସରକାର କ୍ଷମତା ଉପଭୋଗ କରୁଛି । ବିରୋଧୀ ଯେତେ ଚେଷ୍ଟା କଲେ ବି ନବୀନଙ୍କ ପାଖରେ ପହଞ୍ଚି ପାରୁନାହାନ୍ତି । ବିଜେପି ସହ ମେଣ୍ଟ କରି ରାଜ୍ୟରେ କଂଗ୍ରେସକୁ ହଟାଇଥିବା ବିଜେଡିର ବିଜୟଧାରା ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ବି ଅବ୍ୟାହତ ରହିଛି । ନବୀନଙ୍କର ଏକ ନିର୍ମଳ ଭାବମୂର୍ତ୍ତି ରାଜ୍ୟରେ ବିଜେଡ଼ିକୁ ଦୀର୍ଘ ସମୟ ଧରି କ୍ଷମତାସୀନ କରି ରଖିବାରେ ସହାୟକ ହୋଇଛି । ସେହିପରି, ଗତ କିଛି ବର୍ଷ ମଧ୍ୟରେ ଭିଜିଲାନ୍ସ ସକ୍ରିୟ ହୋଇ କାର୍ଯ୍ୟ କରିବା ଫଳରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଧରିବା ଓ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବା ଓ ଦଣ୍ଡବିଧାନର ହାର ବଢିଛି । ହେଲେ ବାସ୍ତବରେ ଦୁର୍ନୀତିର ମାତ୍ରା କମିଛି ନା ବଢୁଛି? ଦୁର୍ନୀତି ନିବାରଣ ପାଇଁ ଗଠିତ ଭିଜିଲାନ୍ସ ଅତୀତରେ ମଧ୍ୟ ଚଢାଉ କରୁଥିଲା । ଲାଞ୍ଚଖୋର୍‌ ଦୁର୍ନୀତିଗ୍ରସ୍ତ ଅଧିକାରୀ ଧରା ପଡୁଥିଲେ । ବିଳାସପୂର୍ଣ୍ଣ କାର୍‌ ସହିତ ଦାମୀ ଫ୍ଲାଟ୍‌, ଆପାର୍ଟମେଣ୍ଟ୍‌ ଓ ଜମିଜମାର କାଗଜପତ୍ର ଜବତ ହେଉଥିଲା । ଜବତ ନଗଦ ଟଙ୍କାର ପରିମାଣ ଲକ୍ଷେ ଦୁଇ ଲକ୍ଷ ଛୁଇଁଗଲେ ସାଧାରଣ ଲୋକଙ୍କ ଆଖି ଖୋସି ହୋଇ ଯାଉଥିଲା । କିଛି ବର୍ଷ ତଳେ ବେଆଇନ ଉପାୟରେ କୋଟି କୋଟି ଟଙ୍କାର ସମ୍ପତ୍ତି ଠୁଳ ଅଭିଯୋଗରେ ସଚିବାଳୟର ଜଣେ ପିଅନକୁ ଭିଜିଲାନ୍ସ ଧରିଥିଲା । ସେତେବେଳେ ‘କୋଟିପତି ଲାଞ୍ଚୁଆ ପିଅନ ଗିରଫ’ ଖବର ବହୁଚର୍ଚ୍ଚିତ ହୋଇଥିଲା । ଆଜିକାଲି ଏହା ସାଧାରଣ କଥାରେ ପରିଣତ ହେଲାଣି । ଆଇଏଏସ୍‌, ଆଇଏଫ୍‌ଏସ୍‌, ସଚିବ, ବିଡିଓ, ତହସିଲଦାର, ସବ୍‌-ରେଜିଷ୍ଟ୍ରାର୍‌, ଯନ୍ତ୍ରୀ, ସୁପର୍‌ କ୍ଲାସ୍‌ ଠିକାଦାରଙ୍କ କଥା ଛାଡ଼ନ୍ତୁ ଦୁଧିଆଳି ବିଭାଗରେ କାର୍ଯ୍ୟରତ ତଳିଆ କର୍ମଚାରୀଙ୍କ ଘରୁ ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠାବ ହେଉଛି । ଏପରିକି ପିଅନ, କିରାଣୀ ଆଦିଙ୍କ ଘରୁ କୋଟିଏରୁ ଅଧିକ ପରିମାଣର ବେଆଇନ ସମ୍ପତ୍ତିର ହିସାବ ଫର୍ଦ୍ଦ ଜବତ ହେଉଛି । ତଳତଳିଆ ଗର୍ବର କର୍ମଚାରୀ ବା ତଥାକଥିତ ଚିଙ୍ଗୁଡ଼ିମାନେ ଭିତରେ ଭିତରେ ବିଶାଳ ତିମି ପାଲଟି ଯାଉଛନ୍ତି । ବଡ଼ବଡ଼ିଆ ଅଫିସର୍‌ଙ୍କ କ୍ଷମତା ପରିସର ଅଧିକ ଥିବାରୁ ଦୁର୍ନୀତିର ସୁଯୋଗ ବି ଅଧିକ ଥାଏ । ହେଲେ ଏବେ କନିଷ୍ଠ ଯନ୍ତ୍ରୀ, ଷ୍ଟେନୋ, ଟାଇପିଷ୍ଟ, ଡିଲିଂ ଆସିଷ୍ଟାଣ୍ଟ ଓ ପିଅନ ଘରୁ ବି କୋଟିଏ ବାହାରୁଛି । ଗତବର୍ଷ ନଭେମ୍ବର୍‌ରେ ଭିଜିଲାନ୍ସ ଗୋଟିଏ ବଡ଼ମାଛ ଧରିଥିଲା । ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଠାରୁ ଜବତ ଆୟ ବହିର୍ଭୂତ ସମ୍ପତ୍ତିର ପରିମାଣ ନଗଦ ଟଙ୍କାକୁ ମିଶାଇ ପ୍ରାୟ ୨୦ କୋଟି ଛୁଇଁଥିଲା । ଗଲା ଫେବୃୟାରୀରେ ଜଣେ ସହରାଞ୍ଚଳ ଯୋଜନା ଅଧିକାରୀଙ୍କ ଠାରୁ ଠାବ ହେଲା କୋଟିଏରୁ ଅଧିକ ମୂଲ୍ୟର ସମ୍ପତ୍ତି । ମାର୍ଚ୍ଚ ୨ରେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀଙ୍କ ଘରୁ ନଗଦ ପ୍ରାୟ ୬୧ ଲକ୍ଷ ସମେତ ମୋଟ ୨କୋଟି ୧୪ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତିର କାଗଜପତ୍ର ଜବତ କରିଥିଲା ଭିଜିଲାନ୍ସ । ଚଢାଉ କଥା ଛାଡନ୍ତୁ, ଲାଞ୍ଚ ନେବା ବେଳେ ହାତାହାତି ଧରା ପଡିବା ବା ଟ୍ରାପିଂ ମାମଲାରେ ବି ଲାଞ୍ଚୁଆ ଅଧିକାରୀମାନଙ୍କ କଳା କାର୍‌ନାମା ବେଶ୍‌ ଉଦ୍‌ବେଗଜନକ । ଆଗେ ଫାଇଲ୍‌କୁ ଉପରିସ୍ଥ ଅଧିକାରୀଙ୍କ ଟେବୁଲ୍‌କୁ ନେବା ପାଇଁ ପିଅନ, କିରାଣୀ ବା ଷ୍ଟେନୋକୁ ଶହେ ଦୁଇଶହ ଟଙ୍କା ସନ୍ତର୍ପଣରେ ଧରାଇ ଦିଆଯାଉଥିଲା । ଏହାକୁ ପାନଖିଆ ଖର୍ଚ୍ଚ କୁହା ଯାଉଥିଲା । ହେଲେ ଏବେ ଲାଞ୍ଚ ଦିଆନିଆ, ପିସି କାରବାର ଯେମିତି ଧରାବନ୍ଧା ହୋଇ ଗଲାଣି । ହାତାହାତି ଉତ୍କୋଚର ପରିମାଣ ସ୍ଥଳ ବିଶେଷରେ ଲକ୍ଷେ ଟପି ଯାଉଛି । ସହରାଞ୍ଚଳରେ ଗୃହନିର୍ମାଣ ନକ୍ସା ଅନୁମୋଦନ, ଜମି କିସମ ପରିବର୍ତ୍ତନ, ଖଣିଖାଦାନରୁ ବେଆଇନ ଖନନ ଓ ବାଲି ପଥର ମୋରମ ଚୋରା ଚାଲାଣରେ ସହାୟତା ଓ ବିନା ତନଖିରେ ଋଣ କିମ୍ବା ଆର୍ଥିକ ସହାୟତା ପ୍ରଦାନ ବଦଳରେ ଅଧିକାରୀମାନେ ମୋଟା ଅଙ୍କର ଲାଞ୍ଚ ନେଉଛନ୍ତି ।
ଅନ୍‌ଲାଇନ୍‌ ବ୍ୟବସ୍ଥା ଯୋଗୁ ଟେଣ୍ଡର୍‌ ପ୍ରକ୍ରିୟାରେ ସ୍ୱଚ୍ଛତା ବଢିଥିଲେ ବି ଜାଲ୍‌ ସାର୍ଟିିଫିକେଟ୍‌ରେ ନିଯୁକ୍ତି, ମଦ ଓ ଡ୍ରଗ୍‌ ଲାଇସେନ୍‌ସ, ଅଗ୍ନି ସୁରକ୍ଷା ପ୍ରମାଣପତ୍ର, ବସ୍‌ ରୁଟ୍‌ ପରମିଟ୍‌ ପ୍ରଦାନ ଆଦି କ୍ଷେତ୍ରରେ ଦୁର୍ନୀତି ଶୀର୍ଷ ସ୍ତରରେ ପହଞ୍ଚଛି । ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧୀ ଆସ୍ପାଳନ ସହ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଓ ଲାଞ୍ଚ ନ ନେବା ପାଇଁ ଅଧିକାରୀ ଓ କର୍ମଚାରୀଙ୍କ ଶପଥ ଗ୍ରହଣର ପ୍ରହସନ ସତ୍ତେ୍ୱ ରାଜ୍ୟରେ ବ୍ୟାପକ ପିସି ଓ ଲାଞ୍ଚ କାରବାର ଚାଲିଛି । ଯାହାକୁ ଧରିଲେ ଯଦି ଅତି କମ୍‌ରେ କୋଟିଏ ଠାବ ହେଉଛି ତେବେ ଦୁର୍ନୀତି, ଲାଞ୍ଚ କାରବାର କମିଲା କେମିତି? ସରକାର ନିଜ ଭାବମୂର୍ତ୍ତି ରକ୍ଷା ପାଇଁ ଭିଜିଲାନ୍ସକୁ ବ୍ୟବହାର କରୁଛନ୍ତି ବୋଲି ବିରୋଧୀ ପାଟି କରୁଛନ୍ତି । ବାସ୍ତବ କ୍ଷେତ୍ରରେ ମଧ୍ୟ, ସରକାରୀ କଳର ତଳସ୍ତରରୁ ଉପର ସ୍ତର ପର୍ଯ୍ୟନ୍ତ ଦୁର୍ନୀତିର ଚେର ଗଭୀରକୁ ମାଡ଼ିବାରେ ଲାଗିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆୟକର ବିଭାଗର ଚଢ଼ଉ ହଜାରେ କୋଟି କଳା ଟଙ୍କା ଉଦ୍ଧାର

ଆୟକର ବିଭାଗର ଚଢ଼ଉ ହଜାରେ କୋଟି କଳା ଟଙ୍କା ଉଦ୍ଧାର

Read More...

ପ୍ରତିଶୃତି ଦେଲେ ମୋଦି, ଗଠନ କରିବେ ସୁନାର ବଙ୍ଗ

ପ୍ରତିଶୃତି ଦେଲେ ମୋଦି, ଗଠନ କରିବେ ସୁନାର ବଙ୍ଗ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page