ମୋଦି, ନବୀନଙ୍କ ରାଜତିଲ୍‌କ ପର୍ବ ଆରମ୍ଭ

May 25, 2019, ଓଡ଼ିଶା, , Anupambharat News Bureau


ମୋଦି, ନବୀନଙ୍କ ରାଜତିଲ୍‌କ ପର୍ବ ଆରମ୍ଭ
Anupambharat News Bureau
May 25, 2019

ନୂଆଦିଲ୍ଲୀ/ଭୁବନେଶ୍ୱର,୨୪ା୫: ବିଜେପି ପାଇଁ ଅଭୂତପୂର୍ବ ସଫଳତା ଆଣିଥିବା ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପ୍ରାଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ସେହିଭଳି ଓଡ଼ିଶାର ଅପ୍ରତିଦ୍ୱନ୍ଦି ନେତା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚମ ଥର ଲାଗି ରାଜ୍ୟ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ । ଉଭୟଙ୍କ ପୁଣି ରାଜତିଲ୍‌କ ଲାଗି ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଲୋକସଭାର ୫୪୨ ଆସନର ନିର୍ବାଚନ ଫଳାଫଳ ଆଜି ସ୍ପଷ୍ଟ ହୋଇଛି । ବିଜେପି ଏକାକୀ ୩୦୩ ଆସନରେ ବିଜୟୀ ହୋଇଛି । ୨୦୧୪ରେ ବିଜେପି ୨୮୨ ଆସନ ହାତେଇଥିଲା । ତେବେ ଚଳିତ ଥର ଏହି ସଂଖ୍ୟାକୁ ମଧ୍ୟ ଅତିକ୍ରମ କରିଛି । ପ୍ରଥମ ଥର ଲାଗି ଅଣ କଂଗ୍ରେସ ଦଳ ଦ୍ୱିତୀୟ ଥର ଲାଗି କେନ୍ଦ୍ର କ୍ଷମତା ଦଖଲ କରିବ । ତେବେ ଗତ ଥର ଭଳି ଚଳିତ ନିର୍ବାଚନରେ ମଧ୍ୟ କଂଗ୍ରେସ ନିଜ ସ୍ଥିତିରେ ଉନ୍ନତି ଆଣିପାରି ନାହିଁ । କେବଳ ସଂଖ୍ୟାରେ କିଛି ବଢ଼ିଛି । ଗତ ଥର ଦଳ ୪୪ଟି ଆସନ ହାତେଇଥିବା ବେଳେ ଚଳିତ ଥର ଏହା ୫୨କୁ ବୃଦ୍ଧି ପାଇଛି । ଫଳରେ ଚଳିତ ଥର ମଧ୍ୟ ଦଳ ବିରୋଧୀ ଦଳର ମାନ୍ୟତା ପାଇବ ନାହିଁ । ବିଜେପି ନେତୃତ୍ୱାଧିନ ଏନ୍‌ଡିଏ ୩୩୬ ଆସନ ପାଇଛି । ଗତ ଥର ଏହା ୩୫୧ରେ ସୀମିତ ରହିଥିଲା । ୟୁପିଏ ପାଇଛି ୯୦ ଆସନ । ଡିଏମ୍‌କେ ତୃତୀୟ ସ୍ଥାନରେ ରହିଛି । ଦଳ ଚଳିତ ଥର ୨୩ ଆସନରେ ବିଜୟୀ ହୋଇଛି । ଏହାପରେ ଟିଏଢ଼୍‌ସି ଏବଂ ୱାଇଏସ୍‌ଆରକଂଗ୍ରେସ ରହିଛି । ଉଭୟ ଦଳ ପାଖରେ ୨୨ ଲେଖାଏଁ ସାଂସଦ ରହିଛନ୍ତି । ଶିବସେନାର ୧୮ ଏବଂ ଜେଡି(ଏସ୍‌) ୧୬ ଆସନ୍‌ରେ ବିଜୟୀ ହୋଇଛନ୍ତି । ସିପିଆଇଏମ ଏବଂ ସିପିଆଇର ମାତ୍ର ପାଞ୍ଚ ଜଣ ସାଂସଦ ଜିତିଛନ୍ତି ।
ସେହିଭଳି ୧୭ତମ ଲୋକସଭାରେ ପ୍ରାୟ ୧୭ ଦଳର ଗୋଟିଏ ଲେଖାଏଁ ଆସନ ଦଖଲ କରିଥିବା ସ୍ପଷ୍ଟ ହୋଇଛି । ଅନ୍ୟପକ୍ଷେ ଆଜି ଷୋଡ଼ଷ ଲୋକସଭା ଭଙ୍ଗ ଲାଗି କେନ୍ଦ୍ର କ୍ୟାବିନେଟ୍‌ ଏକ ପ୍ରସ୍ତାବ ପାରିତ କରିଥିଲେ । ଏହାପରେ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ୍‌ୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ତେବେ ପରବର୍ତ୍ତୀ ସରକାର ଗଠନ ପର୍ଯ୍ୟନ୍ତ ମୋଦି ଏବଂ ତାଙ୍କ ମନ୍ତ୍ରିମଣ୍ଡଳ କାର୍ଯ୍ୟଭାର ନିର୍ବାହ କରିବାକୁ ରାଷ୍ଟ୍ରପତି କୋବିନ୍ଦ ଅନୁରୋଧ କରିଥିଲେ । ଆସନ୍ତା ୩ଜୁନ୍‌ରେ ବର୍ତ୍ତମାନର ଲୋକସଭା କାର୍ଯ୍ୟକାଳ ଶେଷ ହେବ । ଏହା ପୂର୍ବରୁ ୧୭ତମ ଲୋକସଭା ଗଠିତ ହେବା ନିୟମ ରହିଛି । ଆସନ୍ତାକାଲି ବିଜେପି ନେତୃତ୍ୱାଧିନ ଏନ୍‌ଡିଏର ବୈଠକ ଅନୁଷ୍ଠି ହେବ । ଏଥିରେ ନବ ନିର୍ବାଚିତ ସାଂସଦଙ୍କ ନେତା ବଛାଯିବ । ତେବେ ସର୍ବସମ୍ମତିକ୍ରମେ ମୋଦି ପୁଣି ଥରେ ନେତା ହେବା ସହ ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବେ । ଆଜି ମୋଦି ଏବଂ ଶାହା ଦଳର ଦୁଇ ପୁରୁଖା ନେତା ଏଲକେ ଆଧ୍ୱାନୀ ଏବଂ ମୂରଲୀ ମନୋହର ଯୋଶୀଙ୍କୁ ଭେଟିଥିଲେ । ଆସନ୍ତା ୩୦ ତାରିଖରେ ମୋଦି ତାଙ୍କ ଦ୍ୱିତୀୟ ଇଂନିସ ଆରମ୍ଭ କରିବେ ବୋଲି କୁହାଯାଇଛି । ଏଥି ଲାଗି ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅନ୍ୟପକ୍ଷେ ରାଜ୍ୟରେ ଦଳକୁ ଆଶାତୀତ ସଫଳତା ମଣ୍ଡିତ କରାଇଥିବା ନବୀନ ପଟ୍ଟନାୟକ ଆସନ୍ତା ସୋମବାର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି । ଅନ୍ୟପକ୍ଷେ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ରାଜଭବନକୁ ଯାଇ ନିଜର ଏବଂ ମନ୍ତ୍ରୀ ପରିଷଦର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ରାଜ୍ୟପାଳ ଡ. ଗଣେଶୀ ଲାଲ ଏହାକୁ ଗ୍ରହଣ କରିବା ସହ ନୂତନ ସରକାର ଗଠନ ହେବା ପର୍ଯ୍ୟନ୍ତ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ରହିବା ପାଇଁ ଅନୁରୋଧ କରିଛନ୍ତି । ଦିନେ ଦୁଇ ଦିନ ମଧ୍ୟରେ ନବ ନିର୍ବାଚିତ ବିଧାୟକ ଦଳର ନେତା ଚୟନ ପାଇଁ ବୈଠକ ବସିବ ।
ଚୟନ କରାଯିବା ମୁଖ୍ୟମନ୍ତ୍ରୀ ପୁନର୍ବାର ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବା ପାଇଁ ଜଣାଇବେ । ଏହା ପରେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ପର୍ବ ଅନୁଷ୍ଠିତ ହେବ । ଚଳିତ ନିର୍ବାଚନରେ ବିଜେଡ଼ି ୧୧୨ ଆସନରେ ବିଜୟୀ ହୋଇଛି । ଦଳର ବିଜୟର ଶ୍ରେୟ ପୁରା ନବୀନ ବାବୁଙ୍କୁ ଯାଇଛି । ଗତ ଥର ଅପେକ୍ଷା ଦଳ ବିଧାନସଭାରେ ଚାରିଟି ଆସନ କମ୍‌ ପାଇଛି । ତେବେ ଲୋକସଭାରେ ଦଳ ପୂର୍ବ ଅପେକ୍ଷା ୮ ଆସନ ହରାଇଛି । ୨୦୧୪ରେ ବିଜେଡ଼ି ୨୦ ଲୋକସଭା ଆସନରେ ବିଜୟୀହୋଇଥିବା ବେଳେ ଏଥିର ୧୨ଟିରେ ବିଜୟୀ ହୋଇଛି । ବିଜେପି ଆଠଟିରେ ଏବଂ କଂଗ୍ରେସ ମାତ୍ର ଗୋଟିଏରେ ବିଜୟୀ ହୋଇଥିବା ଜଣାପଡ଼ିଛି । ତେବେ ରାଜ୍ୟରେ ବିଜେଡ଼ିକୁ ପୁଣି ସଫଳତା ଆଣିଥିବା ନବୀନଙ୍କ ରାଜତିଲ୍‌କ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ଚଳିତ ନିର୍ବାଚନରେ ପ୍ରାୟ ୧୮ଟି ରାଜ୍ୟରେ ପୁରୁଖା ଦଳ କଂଗ୍ରେସ ଖାତା ଖୋଲି ପାରି ନାହିଁ । ଫଳରେ ଦଳରେ ଇସ୍ତଫାର ସୁଅ ଛଟିବାରେ ଲାଗିଛି । ଉତ୍ତରପ୍ରଦେଶ ଏବଂ ଓଡ଼ିଶାର ଦଳୀୟ ସଭାପତି ଇସ୍ତଫା ପଠାଇ ସାରିଲେଣି । ଏପରିକି ଆସନ୍ତାକାଲି ଏଆଇସିସି ବୈଠକରେ ଦଳୀୟ ସଭାପତି ରାହୁଲ ମଧ୍ୟ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ହେଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋଚିଂ ସେଣ୍ଟରେ ଅଗ୍ନିକାଣ୍ଡ : ୨୦ ଛାତ୍ରଛାତ୍ରୀ ମୃତ

କୋଚିଂ ସେଣ୍ଟରେ ଅଗ୍ନିକାଣ୍ଡ : ୨୦ ଛାତ୍ରଛାତ୍ରୀ ମୃତ

Read More...

୬୦ହଜାରରୁ ଉର୍ଦ୍ଧ୍ୱ ଭୋଟରେ ବିଜୟୀ ହେଲେ ନବୀନ

୬୦ହଜାରରୁ ଉର୍ଦ୍ଧ୍ୱ ଭୋଟରେ ବିଜୟୀ ହେଲେ ନବୀନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page