ବାହୁଡ଼ିଲେ ମହାପ୍ରଭୁ

July 12, 2019, ଓଡ଼ିଶା, , Anupambharat News Bureau


ବାହୁଡ଼ିଲେ ମହାପ୍ରଭୁ
Anupambharat News Bureau
July 12, 2019

ପୁରୀ,୧୨ା୭(ଅନୁପମମିଡ଼ିଆ): ମହାଆନନ୍ଦ ଉଲ୍ଳାସ ଉଦ୍ଧିପନା ଓ ଆଧ୍ୟତ୍ମିକ ପରିବେଶ ମଧ୍ୟରେ ଶ୍ରୀକ୍ଷେତ୍ରରେ ଆଜି ବିଗ୍ରହଙ୍କ ପବିତ୍ର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ତେବେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଦେଖିବାକୁ ଶ୍ରୀକ୍ଷେତ୍ରରେ ପ୍ରାୟ ୫ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା ।
ଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଯଜ୍ଞବେଦୀରେ ଅଧିଷ୍ଠିତ ଥିବା ଦାରୁବ୍ରହ୍ମ ବିଗ୍ରହମାନେ ଆଜି ରଥାରୁଢ଼ ହୋଇ ଶ୍ରୀମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତେବେ ପ୍ରଥମ ଥର ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁଣ୍ଡିଚା ଏବଂ ବାହୁଡ଼ାରେ ଧାର୍ଯ୍ୟ ସମୟ ପୂର୍ବରୁ ରଥ ପହଞ୍ଚାଇ ଏକ ପ୍ରକାର ଇତିହାସ ରଚନା କରିଛନ୍ତି । ବାହୁଡ଼ା ଯାତ୍ରା ଉପଲକ୍ଷେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀଜିଉମାନଙ୍କ ଆଜି ପ୍ରତୁ୍ୟଷରୁ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ କରାଯାଇଥିଲାା ୬ଟା ୪୦ରେ ମଙ୍ଗଳଆଳତୀ, ୭ଟା ୧୫ରେ ଅବକାଶ ଶେଷ, ୭ଟା ୨୦ରେ ରୋଷହୋମ, ସାଢ଼େ ୭ଟାରେ ସୂର୍ଯ୍ୟ ପୂଜା, ୭ଟା ୪୦ରେ ଦ୍ୱାରପାଳ ପୂଜା, ୮ଟା ୪୦ରେ ସନ୍ଧ୍ୟା ଧୂପ ପୂଜା, ୯ଟାରେ ମଙ୍ଗଳାଅର୍ପଣ, ୯ଟା ୫ରେ ପୁଷ୍ପାଞ୍ଜଳି ୯ଟା ୧୦ରେ ପହଣ୍ଡି ଆରମ୍ଭ ଓ ୧୧ଟା ୧୫ରେ ଏହା ଶେଷ ହୋଇଥିଲା । ବିଗ୍ରହମାନେ ସକାଳ ଧୂପ (ଖେଚୁଡ଼ି ଭୋଗ) ଖାଇବା ପରେ ରଥ ନିକଟକୁ ପହଣ୍ଡି ବିଜେ କରିଥିଲେ । ସକାଳ ୯ଟା ୧୦ରୁ ପହଣ୍ଡି ଆରମ୍ଭ ହୋଇ ୧୧ଟା ୧୫ ସୁଦ୍ଧା ଶେଷ ହୋଇଥିଲା । ବିଗ୍ରହମାନନେ ଦଇତାପତି ସେବକଙ୍କ ଗହଣରେ ଧାଡ଼ି ପହଣ୍ଡି ଆସି ରଥରେ ବିଜେ କରିଥିଲେ ।
ପ୍ରଥମେ ମହାପ୍ରଭୁ ସୁଦର୍ଶନ ପରେ ପରେ ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥ ପହଣ୍ଡି ବିଜେ କରିଥିଲେ । ବିଗ୍ରହମାନେ ମୁଣ୍ଡରେ ଟାହିଆ ଲଗାଇ ଘଣ୍ଟଘଣ୍ଟା ଓ ମାର୍ଦଳ ଧ୍ୱନିରେ ଝୁଲି ଝୁଲି ଆଡ଼ପମଣ୍ଡପରୁ ରଥ ନିକଟକୁ ବିଜେ କରିଥିଲେ । ପରେ ଛେରା ପହଁରା ନୀତି ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁଙ୍କ ପରମ ଭକ୍ତ ଗଜପତି ମହାରାଜ ଦିବ୍ୟ ସିଂହ ଦେବ ରଥରେ ଛେରା ପହଁରା କରିଥିଲେ । ଏହି ନୀତି ୧୨ଟା ୧୦ରୁ ଆରମ୍ଭ ହୋଇ ୧୨ଟା ୨୫ରେ ଶେଷ ହୋଇଥିଲା । ଗଜପତି ମହାରାଜ ପ୍ରଥମେ ବଳଭଦ୍ର ପରେ ସୁଭଦ୍ରା ଏବଂ ଶେଷରେ ଜଗନ୍ନାଥଙ୍କ ରଥରେ ଛେରା ପହଁରା କରିଥିଲେ । ଅପରାହ୍ନ ୧.୧୦ରେ ରଥଟଣା ଆରମ୍ଭ ହୋଇଥିଲା ।
ପ୍ରଥମେ ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ହୋଇଥିଲା । ଏହା ୨ଟା ୫୦ରେ ସିଂହଦ୍ୱାରରେ ଲାଗିଥିଲା । ୧.୫୦ରୁ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣାଯାଇଥିଲା । ଅପରାହ୍ନ ୪ଟାରେ ଦର୍ପଦଳନ ରଥ ସିଂହଦ୍ୱାରରେ ଲାଗିଥିଲା । ଏହାପରେ ୨ଟା୫ରୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯାଇଥିଲା । ସନ୍ଧ୍ୟା ସାଢ଼େ ୫ଟାରେ ଏହା ସିଂହଦ୍ୱାରରେ ଲାଗିଥିଲା । ବାଟରେ ମହାପ୍ରଭୁ ମାଉସୀ ମା’ ମନ୍ଦିରରେ ପୋଡ଼ପିଠା ଭୋଗ ଲାଗି ହୋଇଥିଲା । ପରମ୍ପରା ଓ ବିଧିବିଧାନ ଅନୁଯାୟୀ ଶ୍ରୀନଅରରେ ୫ଟା ୧୦ରେ ଲକ୍ଷ୍ମୀ ନାରାୟଣ ଭେଟ ନୀତି ଅନୁଷ୍ଠିତ ହୋଇଥିଲା । ତେବେ ଚଳିତ ବର୍ଷ ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ହେବା ସହ ସନ୍ଧ୍ୟା ପୂର୍ବରୁ ତିନି ରଥ ଶ୍ରୀମନ୍ଦିର ସମ୍ମୁଖରେ ଲାଗିଛି । ଦଇତାପତି ଏବଂ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ସମନ୍ୱୟ ରହିବାରୁ ଏହା ସମ୍ଭବ ହୋଇଥିବା କୁହାଯାଇଛି । ଆସନ୍ତାକାଲି ରଥାରୁଢ଼ ବିଗ୍ରହଙ୍କ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହେବ । ଆସନ୍ତାକାଲି ପ୍ରାୟ ୧୦ ଲକ୍ଷ ଭକ୍ତ ସମାଗମ ହେବା ଲକ୍ଷ୍ୟ ରହିଛି । ଭକ୍ତ ଯେଭଳି ଶୃଙ୍ଖଳିତ ଭାବେ ଦର୍ଶନ କରିବେ ସେଥିଲାଗି ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ମିଳିତ ସହଯୋଗରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସିଂହଦ୍ୱାର ଆଗରେ ଥିବା ରଥ ଚାରିପଟେ ବଡ଼ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ବାହୁଡ଼ା ଯାତ୍ରାକୁ ସୁରୁଖୁରୁରେ ଶେଷ କରିବା ଲାଗି ଖୋଦ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର, କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରକ୍ତ ପୋଲିସ ନିର୍ଦ୍ଦେଶକ ସଞ୍ଜିବ ପଣ୍ଡା, ଜିଲ୍ଲପାଳ ବଲବନ୍ତ ସିଂ, ଭିଡ଼ ନିୟନ୍ତ୍ରଣ ପାଇଁ ଆଇଜି ଅସିତ କୁମାର ପାଣିଗ୍ରହୀ, ଏସ୍‌ପି ଉମାଶଙ୍କର ଦାସ ସମେତ ୧୩୬ ପ୍ଳାଟୁନ ଫୋର୍ସ ନିୟୋଜିତ ରହିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଶ୍ୱକପ୍‌ ପ୍ରଦର୍ଶନର ସମୀକ୍ଷା କରିବ ସିଓଏ

ବିଶ୍ୱକପ୍‌ ପ୍ରଦର୍ଶନର ସମୀକ୍ଷା କରିବ ସିଓଏ

Read More...

‘ଆଶ୍ରମ ସ୍କୁଲରେ ଛାତ୍ରୀ ଗର୍ଭବତୀ ହୋଇନଥିଲେ’

‘ଆଶ୍ରମ ସ୍କୁଲରେ ଛାତ୍ରୀ ଗର୍ଭବତୀ ହୋଇନଥିଲେ’

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page