ନୂଆଦିଲ୍ଲୀ,୧୨ ।୭: ବିଶ୍ୱକପ୍ରେ ଭାରତର ପ୍ରଦର୍ଶନ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି (ସିଓଏ) ଖୁବ୍ ଶୀଘ୍ର ଏକ ସମୀକ୍ଷା ବୈଠକ ଡାକିବ । ଏଥିରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ମଧ୍ୟ ଯୋଗଦେବେ । ଉକ୍ତ ବୈଠକରେ ବିଶ୍ୱକପ୍ ପାଇଁ ହୋଇଥିବା ଖେଳାଳି ଚୟନ ଉପରେ ମୁଖ୍ୟତଃ ଆଲୋଚନା ହେବା ସମ୍ଭାବନା ରହିଛି ।
ଅଧ୍ୟକ୍ଷ ବିନୋଦ ରାୟଙ୍କ ନେତୃତ୍ୱରେ ହେବାକୁ ଥିବା ସମୀକ୍ଷା ବୈଠକରେ ଅନ୍ୟ ଦୁଇ ସଦସ୍ୟ ଡାଏନା ଏଡୁଲ୍ଜି ଓ ଲେପଫନାଣ୍ଟ ଜେନେରାଲ୍ (ଅବସରପ୍ରାପ୍ତ) ରବି ଥୋଡ୍ଗେ ବି ଉପସ୍ଥିତ ରହିବେ । ଅଷ୍ଟ୍ରେଲିଆରେ ଆସନ୍ତାବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍ ପାଇଁ ରୋଡ୍ମ୍ୟାପ୍ ଉପରେ ମୁଖ୍ୟ ଚୟନକର୍ତ୍ତା ଏମ୍ଏସ୍କେ ପ୍ରସାଦଙ୍କ ସହ ମଧ୍ୟ ଆଲୋଚନା କରାଯିବ । କୋହଲି ଓ ଶାସ୍ତ୍ରୀ ଇଂଲଣ୍ଡରୁ ଫେରିଲେ ସମୀକ୍ଷା ବୈଠକ ଡକାଯିବ ବୋଲି ସିଓଏ ମୁଖ୍ୟ ରାୟ କହିଛନ୍ତି ।
ବିଶ୍ୱକପ୍ରେ ଭାରତର ଅଭିଯାନ ସେମିଫାଇନାଲ୍ରେ ଶେଷ ହୋଇଥିଲା । ଟାଇଟଲ୍ ଦାବିଦାର ଥିବା ଭାରତ ସେମିରେ ଅଣ୍ଡରଡଗ୍ ନୁ୍ୟଜିଲାଣ୍ଡ ଠାରୁ ୧୮ ରନ୍ରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା । କୋହଲି ଓ ସାଥି ରବିବାର ଇଂଲଣ୍ଡରୁ ଫେରିବେ ବୋଲି ଜଣାପଡିଛି ।
ସମୀକ୍ଷା ବୈଠକ ସମ୍ପର୍କରେ ଅନ୍ୟ କୌଣସି ତଥ୍ୟ ଦେବାକୁ ରାୟ ମନା କରିଥିଲେ ବି ଚୟନ ସମ୍ବନ୍ଧୀୟ କେତେକ ନିଷ୍ପତ୍ତି ନେଇ ଶାସ୍ତ୍ରୀ, କୋହଲି ଓ ପ୍ରସାଦଙ୍କୁ ପ୍ରଶ୍ନବାଣର ସମ୍ମୁଖୀନ ହେବାକୁ ପଡିପାରେ । ବିଶେଷକରି ଅମ୍ବାତି ରାୟୁଡୁ ପ୍ରସଙ୍ଗ ବୈଠକରେ ଉ‹ାପନ ହେବା ସମ୍ଭାବନା ରହିଛି । ଚତୁର୍ଥ ନମ୍ବର ସ୍ଥାନ ପାଇଁ ରାୟୁଡୁଙ୍କ ଯୋଗ୍ୟତା ନେଇ ଯଦି ଚୟନକର୍ତ୍ତାଙ୍କ ସନ୍ଦେହ ଥିଲା, ତେବେ ତାଙ୍କୁ ବିଶ୍ୱକପ୍ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ସିରିଜ୍ ପର୍ଯ୍ୟନ୍ତ ଦଳରେ କାହିଁକି ବଜାୟ ରଖାଯାଇଥିଲା ବୋଲି ଟିମ୍ ମ୍ୟାନେଜମେଣ୍ଟ୍କୁ ସିଓଏ ପ୍ରଶ୍ନ କରିପାରେ ।
ରାୟୁଡୁ ମୂଳ ବିଶ୍ୱକପ୍ ଦଳରେ ସ୍ଥାନ ପାଇନଥିଲେ ବି ତାଙ୍କୁ ଏହି ମେଗା ଇଭେଣ୍ଟ ପାଇଁ ରିଜର୍ଭ ତାଲିକାରେ ରଖାଯାଇଥିଲା । କିନ୍ତୁ କିଛି ଆଘାତପ୍ରାପ୍ତ ଖେଳାଳିଙ୍କ ସ୍ଥାନରେ ତାଙ୍କୁ ସୁଯୋଗ ମିଳିନଥିଲା । ଏଥିରେ ନିରାଶ ହୋଇ ରାୟୁଡୁ ସମସ୍ତ ପ୍ରକାର କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ । ରାୟୁଡୁ ପ୍ରସଙ୍ଗ ବ୍ୟତୀତ ବିଶ୍ୱକପ୍ ଦଳରେ ତିନିଜଣ ୱିକେଟ୍କିପରଙ୍କୁ ସାମିଲ କରିବା ନିଷ୍ପତ୍ତିର ଯଥାର୍ଥତା ଉପରେ ବି ଆଲୋଚନା ହେବ ।
ବିଶେଷକରି ଦିନିକିଆ କ୍ରିକେଟ୍ ଓ ଆଇପିଏଲ୍ରେ ଖରାପ ପ୍ରଦର୍ଶନ ସତ୍ତେ୍ୱ ଦିନେଶ କାର୍ତ୍ତିକଙ୍କୁ ଦଳରେ ବଜାୟ ରଖିବା ନେଇ ଟିମ୍ ମ୍ୟାନେଜମେଣ୍ଟ୍କୁ ସ୍ପଷ୍ଟୀକରଣ ଦେବାକୁ ପଡିପାରେ । ବିଶ୍ୱକପ୍ର କେତେକ ମ୍ୟାଚ୍ରେ କାର୍ତ୍ତିକଙ୍କ ସମେତ ମହେନ୍ଦ୍ର ସିଂ ଧୋନି ଓ ରିଷଭ ପନ୍ତ୍ ଏକାଠିିି ଖେଳିଥିଲେ ।
ମାଞ୍ଚେଷ୍ଟରରେ ନୁ୍ୟଜିଲାଣ୍ଡ ବିପକ୍ଷ ସେମିରେ ଧୋନିଙ୍କ ବ୍ୟାଟିଂକ୍ରମ ନେଇ ପ୍ରଶ୍ନ ଉଠିଥିଲା । ଏହି ପ୍ରସଙ୍ଗ ବି ସିଓଏ ବୈଠକରେ ଉଠିବା ସମ୍ଭାବନା ରହିଛି । ୨୪୦ ରନ୍ର ବିଜୟଲକ୍ଷ୍ୟର ପିଛାକରି ଭାରତ ୫ ରନ୍ରେ ୩ ୱିକେଟ୍ ହରାଇଥିଲା । ତେବେ ଆଶ୍ଚର୍ଯ୍ୟଜନକ ଭାବେ ଏଭଳି ସ୍ଥିତିରେ ଅଭିଜ୍ଞ ଧୋନିଙ୍କ ପରିବର୍ତ୍ତେ ଟିମ୍ ମ୍ୟାନେଜମେଣ୍ଟ ପାଣ୍ଡ୍ୟା ଓ ପନ୍ତ୍ଙ୍କୁ ଆଗୁଆ ପଠାଇଥିଲା । ଧୋନି ସପ୍ତମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ । ଏଭଳି ନିଷ୍ପତ୍ତିରେ ଅନେକ ପୂର୍ବତନ କ୍ରିକେଟର ଆଶ୍ଚର୍ଯ୍ୟପ୍ରକାଶ କରିବା ସହ ଏହା ଏକ ଭୁଲ୍ ନିଷ୍ପତ୍ତି ଥିଲା ବୋଲି କହିଥିଲେ ।