ଭୁବନେଶ୍ୱର ,୨୧ା୪ (ଅନୁପମମିଡ଼ିଆ): ନିକଟରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତମାନେ ପଡୋଶୀ ରାଜ୍ୟରୁ ଫେରିଥିବାର ସୂଚନା ମିଳିଛି । ତେବେ କରୋନା ମୁକାବିଲା ପାଇଁ ରାଜ୍ୟର ସୀମା ଜଗିବା କଷ୍ଟକର ବୋଲି ରାଜ୍ୟ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶାର ସୀମାକୁ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ଲାଗିଛି । ପଡୋଶୀ ରାଜ୍ୟ ସହ ଲାଗିଥିବା ଓଡ଼ିଶାର ସୀମା ହେଉଛି ମୋଟ ୩ ହଜାର ୫୬୩ କିଲୋମିଟର । ଏହି ସୀମା ମଧ୍ୟରେ ଘନ ଜଙ୍ଗଲ ଓ ସମୁଦ୍ର ମଧ୍ୟ ରହିଛି । ତେଣୁ ସୁଦୀର୍ଘ ସୀମା ଜଗିବା ସହଜ ନୁହେଁ । ତେବେ ସୀମାକୁ ପଞ୍ଚାୟତବାସୀ ହିଁ ଜଗିପାରିବେ । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପୂର୍ବରୁ ପଞ୍ଚାୟତସ୍ତରରେ ଜନ ସଚେତନତା ସୃଷ୍ଟି କରିଛନ୍ତି । ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ୬ ହଜାର ୭୯୮ଟି ପଞ୍ଚାୟତର ସରପଞ୍ଚଙ୍କ ସହିତ ଭିଡିଓ ବାର୍ତ୍ତା ଜରିଆରେ ଆଲୋଚନା କରିବେ । ଓଡ଼ିଶାର ସୀମାକୁ ଜଗିବା ପାଇଁ ଆମ ପାଖରେ ଏତେ ସଂଖ୍ୟାରେ ପୋଲିସ ନାହାନ୍ତି । ପଶ୍ଚିମବଙ୍ଗକୁ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା ଲାଗିଛି । ଏହି ସୀମା ପ୍ରାୟ ୨୦୦ କିଲୋମିଟର, ଝାଡ଼ଖଣ୍ଡ ସୀମାକୁ ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ବାଲେଶ୍ୱର ଜିଲ୍ଲା ଲାଗିଛି । ଏହା ମୋଟ ୫୯୧ କିଲୋମିଟର । ସେହିପରି ଛତିଶଗଡ଼ ସୀମାକୁ ରାଜ୍ୟର ୮ଟି ଜିଲ୍ଲା ଯଥା ମାଲକାନଗିରି, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଲାଗିଛି ।ଏହାର ଦୂରତା ୧୨୨୬ କିଲୋମିଟର । ଆନ୍ଧ୍ରପ୍ରଦେଶ ସୀମାକୁ ମାଲକାନଗିରି,
କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଲାଗିଛି । ଏହାର ସୀମା ୧ ହଜାର ୨୪ କିଲୋମିଟର । ସମୁଦ୍ରକୂଳରେ ଓଡ଼ିଶାର ସୀମା ରହିଛି ୫୨୨ କିଲୋମିଟର ।ତେଣୁ ଏହାକୁ ପୋଲିସ କିମ୍ବା ଆରକ୍ଷୀ ବାହିନୀ ଅଟକାଇ ପାରିବ ନାହିଁ । ତେଣୁ ଏପରି ସମୟରେ ଆମକୁ ସୁରକ୍ଷିତ ରହିବାକୁ ହେଲେ ରାଜ୍ୟର ୬ ହଜାର ୭୯୮ଟି ପଞ୍ଚାୟତକୁ ସତର୍କ ରହିବାକୁ ହେବ ବୋଲି ବାଗଚୀ କହିଛନ୍ତି ।