କୋହଲିଙ୍କ ନେତୃତ୍ୱ ଦକ୍ଷତାର ଅସଲ ପରୀକ୍ଷା

May 19, 2019, କ୍ରୀଡ଼ା, , Anupambharat News Bureau


କୋହଲିଙ୍କ ନେତୃତ୍ୱ ଦକ୍ଷତାର ଅସଲ ପରୀକ୍ଷା
Anupambharat News Bureau
May 19, 2019

ନୂଆଦିଲ୍ଲୀ,୧୮ ।୫: କ୍ରମାଗତ ସ୍ଥିର ତଥା ମ୍ୟାଚ୍‌ ବିଜୟୀ ପ୍ରଦର୍ଶନ ସହ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ମହାନ ଖେଳାଳିଙ୍କ ଲିଗ୍‌ରେ ନିଜକୁ ସାମିଲ କରିଛନ୍ତି । ତେବେ ଇଂଲଣ୍ଡରେ ହେବାକୁ ଥିବା ଆଗାମୀ ବିଶ୍ୱକପ୍‌ ତାଙ୍କ ନେତୃତ୍ୱ ଦକ୍ଷତାର ଅସଲ ପରୀକ୍ଷା ହେବ । ଏହି ମେଗା ଇଭେଣ୍ଟ ତାଙ୍କ ବୈଚାରିକ ବିଚକ୍ଷଣତା ଓ ନେତୃତ୍ୱ ଦକ୍ଷତାର ଅଗ୍ନିପରୀକ୍ଷା ସଦୃଶ ହେବ । ଭାରତର ଅନ୍ୟତମ ସଫଳ ଅଧିନାୟକ ଭାବେ ଛାପ ଛାଡ଼ିବାକୁ ମଧ୍ୟ ଏହି କ୍ରିକେଟ୍‌ ମହାକୁମ୍ଭ ତାଙ୍କ ପାଇଁ ଏକ ସୁଯୋଗ । ଭାରତର ପ୍ରଥମ ଅଧିନାୟକ ଭାବେ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ୍‌ ବିଜୟ ପରେ ବିଶ୍ୱକପ୍‌ରେ କୋହଲି ଏଭଳି ଏକ ଦଳର ନେତୃତ୍ୱ ନେବେ ଯାହାର ଅନେକ ସମସ୍ୟା ରହିଛି । ହେଲେ ମ୍ୟାଚ୍‌ର ମୋଡ଼ ବଦଳାଇବାରେ ଏହି ଦଳରେ ଦକ୍ଷ ଖେଳାଳିଙ୍କ ଅଭାବ ନାହିଁ ।
ଚତୁର୍ଥ ନମ୍ବର ସ୍ଥାନରେ କିଏ ବ୍ୟାଟିଂ କରିବ ? କେଦାର ଯାଦବ କେତେ ସମର୍ଥ ? ତୃତୀୟ ପେସର ନା ଜଣେ ଅତିରିକ୍ତ ଅଲ୍‌ରାଉଣ୍ଡର ? କୁଲ୍‌ଦୀପ ନା ଚହଲ ? ଏହିଭଳି ଜଟିଳ ସମସ୍ୟା ସମ୍ପର୍କରେ ସଠିକ୍‌ ନିଷ୍ପତ୍ତି ନେବା କୋହଲିଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହେବ । କହିବାକୁ ଗଲେ ଜଣେ ବ୍ୟାଟ୍‌ସମ୍ୟାନ୍‌ ଅପେକ୍ଷା ଅଧିନାୟକ ଭାବେ ଆଗାମୀ ବିଶ୍ୱକପ୍‌ରେ କୋହଲିଙ୍କ ଦକ୍ଷତା ଆକଳନ କରାଯିବ । ଯଦି ତାଙ୍କ ନେତୃତ୍ୱରେ ଭାରତ ବିଶ୍ୱକପ୍‌ ବିଜୟୀ ହୁଏ ତେବେ ଭାରତୀୟ କ୍ରିକେଟ୍‌ରେ ନା କେବଳ କୋହଲି ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବେ ବରଂ ତାଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଉଥିବା ବ୍ୟକ୍ତି ବି ତାଙ୍କ ଉପଲବ୍ଧି ଆଗରେ ମଥାନତ ହେବାକୁ ବାଧ୍ୟ ହେବେ । ଏହା ନିଃସନ୍ଦେହ ଯେ, ୭ ସପ୍ତାହ ଧରି ଚାଲିବାକୁ ଥିବା ବିଶ୍ୱକପ୍‌ରେ କୋହଲିଙ୍କ ଭୂମିକା ଭାରତ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହେବ । ବିଶ୍ୱକପ୍‌ରେ ସେ ୧୧,୦୦୦ ରନ୍‌ ଅତିକ୍ରମ କରିବାକୁ ବି ସୁଯୋଗ ପାଇବେ । ଏହାଛଡ଼ା ନିଜ ଶତକ ସଂଖ୍ୟା ବି ବୃଦ୍ଧି କରିବେ । ଏହି ଷ୍ଟାର ବ୍ୟାଟ୍‌ସମ୍ୟାନ୍‌ ଏଯାବତ୍‌ ଦିନିକିଆରେ ୪୧ଟି ଶତକ ହାସଲ କରିଛନ୍ତି ।
ଏବେ ଆସନ୍ତୁ ଭାରତୀୟ ବିଶ୍ୱକପ୍‌ ଦଳର ଅନ୍ୟ ସଦସ୍ୟଙ୍କ ଉପରେ ନଜର ପକାଇବା - ଇଂଲଣ୍ଡର ପିଚ୍‌ଗୁଡିକ ଫ୍ଲାଟ୍‌ ହେବ ବୋଲି ମନେ କରାଯାଉଥିବା ବେଳେ ରୋହିତ ଶର୍ମାଙ୍କ ଭଳି ବ୍ୟାଟ୍‌ସମ୍ୟାନ୍‌ଙ୍କ ଠାରୁ ଧମାକାଦାର ଇନିଂସ୍‌ର ଆଶା କରାଯାଉଛି । ଭାରତୀୟ ଦଳର ଏହି ଉପଅଧିନାୟକ ବି ଏହିଭଳି ପିଚ୍‌ରେ ଚତୁର୍ଥ ଦ୍ୱିଶତକ ହାସଲ କରିବା ସମ୍ଭାବନାକୁ ଏଡାଇ ଦେଇହେବନି । ରୋହିତଙ୍କ ବ୍ୟତୀତ ତାଙ୍କ ଓପନିଂ ପାର୍ଟନର ଶିଖର ଧାୱନ୍‌ ବି ପୁଣି ଏକ ଆଇସିସି ଟୁର୍ଣ୍ଣାମେଣ୍ଟରେ ନିଜ ଜଲୱା ଦେଖାଇବାକୁ ପ୍ରସ୍ତìତ । ନିଜ ଅନ୍ତର୍ଜାତୀୟ ପଦାର୍ପଣ ପରଠୁ ଧାୱନ୍‌ ଆଇସିସି ଟୁର୍ଣ୍ଣାମେଣ୍ଟ ଗୁଡିକରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଆଗାମୀ ବିଶ୍ୱକପ୍‌ରେ ବି ସେ ଏହି ଧାରା ବଜାୟ ରଖିବା ପ୍ରଶଂସକ ଚାହାଁନ୍ତି ।
ଟପ୍‌-୩ ପରେ ସମସ୍ୟା ଆରମ୍ଭ: ଟପ୍‌-୩ ପରେ ଭାରତୀୟ ବ୍ୟାଟିଂକ୍ରମରେ ସମସ୍ୟା ଆରମ୍ଭ ହେଉଛି । ରୋହିତ-ଧାୱନ୍‌ ଓ ଅଧିନାୟକ କୋହଲିଙ୍କ ପରେ ଭାରତର ବ୍ୟାଟିଂକ୍ରମ ସନ୍ତୁଳନ ଅସଜଡ଼ା ହୋଇରହିଛି । ଯଦି ଉକ୍ତ ଟପ୍‌-୩ ଶୀଘ୍ର ଆଉଟ୍‌ ହୁଅନ୍ତି ତେବେ ଭାରତର ବ୍ୟାଟିଂ ଲାଇନ୍‌ ଅପ୍‌ ଚାପଗ୍ରସ୍ତ ହେବା ନଜିର ରହିଛି । ବିଶେଷକରି ଚତୁର୍ଥ ନମ୍ବର ସ୍ଥାନ ନେଇ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରି ନାହିଁ । ଅମ୍ବାତି ରାୟୁଡୁଙ୍କୁ ନେଇ ଏହି ସ୍ଥାନରେ ପରୀକ୍ଷା ନିରୀକ୍ଷା ବିଫଳ ହୋଇଥିଲା । ସେ ବିଶ୍ୱକପ୍‌ ଦଳରୁ ବି ବାଦ୍‌ ପଡିଲେ । ଉଦୀୟମାନ ୱିକେଟ୍‌କିପର ବ୍ୟାଟ୍‌ସମ୍ୟାନ୍‌ ରିଷଭ ପନ୍ତ୍‌ଙ୍କୁ ଦଳରେ ସାମିଲ ନ କରିବା ନିଷ୍ପତ୍ତି ଅନେକଙ୍କୁ ଚକିତ କରିଥିଲା । ତାଙ୍କ ସ୍ଥାନରେ ସାମିଲ ହୋଇଥିବା ଦିନେଶ କାର୍ତ୍ତିକଙ୍କ ଅଭିଜ୍ଞତା ଦଳ ପାଇଁ ସହାୟକ ହେବ ବୋଲି ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସକେ ପ୍ରସାଦଙ୍କ ଯୁକ୍ତିକୁ ବି ବିଶେଷଜ୍ଞମାନେ ସହଜରେ ଗ୍ରହଣ କରିନଥିଲେ । ନିଦାହାସ ଟ୍ରଫିରେ ୮ ବଲ୍‌ରୁ ମ୍ୟାଚ୍‌ ବିଜୟୀ ୨୯ ରନ୍‌ କରିବା ପରଠୁ ସୀମିତ ଓଭର ଫର୍ମାଟ୍‌ରେ କାର୍ତ୍ତିକ ସେଭଳି ସ୍ମରଣୀୟ ଇନିଂସ୍‌ ଖେଳିନାହାନ୍ତି ।
ପନ୍ତ୍‌ଙ୍କ ଭଳି ପ୍ରତିଭାବାନ ବ୍ୟାଟ୍‌ସମ୍ୟାନ୍‌ ରହିଥିବା ବେଳେ ଚତୁର୍ଥ ନମ୍ବର ସ୍ଥାନ ପାଇଁ ବିଶ୍ୱକପ୍‌ ଦଳରେ ସାମିଲ ହୋଇଥିବା ବିଜୟ ଶଙ୍କର ଏବଂ ସ୍ପେଶାଲିଷ୍ଟ ଓପନର କେଏଲ ରାହୁଲ ବିଶ୍ୱକପ୍‌ ଦଳରେ କିପରି ସ୍ଥାନ ପାଇଲେ ସେନେଇ ପ୍ରଶ୍ନର ଉତ୍ତର ଖୋଜିପାଉ ନାହାନ୍ତି ପ୍ରଶଂସକ । ବିଶ୍ୱକପ୍‌ ଭଳି ବୃହତ୍‌ ମଞ୍ଚରେ ଚ୍ୟାଲେଞ୍ଜର ସାମ୍ନା କରିବାକୁ ଶଙ୍କର ଓ ରାହୁଲ କେତେ ସକ୍ଷମ ସେନେଇ ସନ୍ଦେହ ରହିଛି ।
ନିଜ କ୍ୟାରିୟରର ଶେଷ ବିଶ୍ୱକପ୍‌ ଖେଳୁଥିବା ମହେନ୍ଦ୍ର ସିଂ ଧୋନି ଓ ତାଙ୍କ ଅଗଣିତ ପ୍ରଶଂସକଙ୍କ ପାଇଁ ଆସନ୍ତା ଦେଢ଼ମାସ ଭାବପୂର୍ଣ୍ଣ ହେବ । ସୀମିତ ଓଭର ଫର୍ମାଟ୍‌ର ଶ୍ରେଷ୍ଠ ଫିନିଶର ଭାବେ ବିବେଚିତ ଧୋନିଙ୍କ ଆଉ ସେ ପୁରୁଣା ଚମକ ନାହିଁ । ବିଶେଷକରି ୩୫ରୁ ୫୦ ଓଭର ମଧ୍ୟରେ ସ୍କୋରିଂ ରେଟ୍‌ ବଢ଼ାଇବାକୁ ସେ ସଂଘର୍ଷ କରୁଛନ୍ତି । ତାଙ୍କର ଏହି ଦୁର୍ବଳତାର ଫାଇଦା ଉଠାଇବାକୁ ଚାହିଁବେ ପ୍ରତିପକ୍ଷ ଦଳ । ଯଦିଓ ସଦ୍ୟ ସମାପ୍ତ ଆଇପିଏଲ୍‌ରେ ସେ ୪୦୦ରୁ ଊର୍ଦ୍ଧ୍ୱ ରନ୍‌ କରିଥିଲେ, ତେବେ ଡେଥ୍‌ ଓଭରରେ ସେ ଯୁବ ଭାରତୀୟ ବୋଲରଙ୍କୁ ଅଧିକ ଟାର୍ଗେଟ୍‌ କରୁଥିଲେ । ତେବେ ବିଶ୍ୱକପ୍‌ରେ କାଜିସୋ ରବାଡା, ମହମ୍ମଦ ଆମିର ଅବା ପ୍ୟାଟ୍‌ କମିନ୍ସଙ୍କ ଭଳି ଦ୍ରୁତ ତଥା ଅଭିଜ୍ଞ ବୋଲର୍‌ଙ୍କ ବିପକ୍ଷରେ ବଡ଼ ସଟ୍‌ ଖେଳିବା ତାଙ୍କ ପାଇଁ ସହଜ ହେବ ନାହିଁ ।
ଭାରତୀୟ ବ୍ୟାଟିଂ କ୍ରମର ଷଷ୍ଠ ସ୍ଥାନରେ ରହିଛନ୍ତି କେଦାର ଯାଦବ । ଆଇପିଏଲ୍‌ରେ ଆଘାତପ୍ରାପ୍ତ ହୋଇଥିବା କେଦାର ବିଶ୍ୱକପ୍‌ ପାଇଁ ଫିଟ୍‌ ଘୋଷିତ ହୋଇଛନ୍ତି । ଆଇପିଏଲ୍‌ ସେ ଆଶାନୁରୂପ ପ୍ରଦର୍ଶନ କରିପାରିନଥିଲେ । ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ ହୋଇଛି । ହାମ୍‌ଷ୍ଟ୍ରିଙ୍ଗ୍‌ ସମସ୍ୟା ଯୋଗୁଁ ସେ ଆଇପିଏଲ୍‌ରେ ସୀମିତ ବୋଲିଂ କରିଥିଲେ ।
ସପ୍ତମ ସ୍ଥାନରେ ରହିଥିବା ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ବିଶ୍ୱକପ୍‌ରେ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ । ତାଙ୍କ ଦକ୍ଷତାର ଭାରତ ସଠିକ୍‌ ଉପଯୋଗ କରିବ ବୋଲି ଆଶା କରାଯାଉଛି । ଡେଥ୍‌ ଓଭରଗୁଡିକରେ ବିଶାଳ ଛକା ମାରିବା ଦକ୍ଷତା ରଖିଥିବା ପାଣ୍ଡ୍ୟା କ୍ଷଣିକ ମଧ୍ୟରେ ମ୍ୟାଚ୍‌ର ମୋଡ ବଦଳାଇବାରେ ସମର୍ଥ । ସ୍ପିନ୍‌ ଯୋଡ଼ି କୁଲ୍‌ଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ୍‌ଙ୍କ କଥା ଯଦି ଦେଖାଯାଏ ତେବେ ଏ ଦୁହିଁଙ୍କ ଗତ ଦୁଇବର୍ଷରେ ଦଳ ଅନେକ ସୁଯୋଗ ଦେଇଛି । ତେବେ ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ୍‌ଷର ଉସମାନ ଖ୍ୱାଜା ଓ ଆରୋନ୍‌ ଫିଞ୍ଚ୍‌ ଏହି ସ୍ପିନ୍‌ ଯୋଡ଼ିଙ୍କ କୌଶଳ ପରଖିବାରେ ସଫଳ ହୋଇଥିଲେ । ଏହାପରେ ମୋହାଲିରେ ଆଷ୍ଟନ୍‌ ଟର୍ଣ୍ଣର ବି କୁଲ୍‌ଦୀପ ଓ ଚହଲ୍‌ଙ୍କ ଧୂଲେଇ କରିଥିଲେ । ଆଇପିଏଲ୍‌ରେ ବି କୁଲ୍‌ଦୀପଙ୍କ ଫର୍ମ ନୈରାଶ୍ୟଜନକ ଥିଲା । ଫଳରେ ତାଙ୍କୁ କୋଲକାତା ଦଳରୁ ବାଦ୍‌ ଦେବାକୁ ବାଧ୍ୟ ହୋଇଥିଲା ।
ପେସ୍‌ ବିଭାଗରେ ଯଶପ୍ରୀତ ବୁମ୍‌ରା ଭାରତର ମୁଖ୍ୟ ଅସ୍ତ୍ର ହେବେ । ଏହି ଦ୍ରୁତ ବୋଲର୍‌ ଅନ୍ତର୍ଜାତୀୟ ପଦାର୍ପଣ ପରଠୁ ବିଶ୍ୱର ଜଣେ ଦକ୍ଷ ଡେଥ୍‌ ଓଭର ସ୍ପେଶାଲିଷ୍ଟ ଭାବେ ପରିଚୟ ସୃଷ୍ଟି କରିଛନ୍ତି । ଆଗାମୀ ଦିନରେ ବୁମ୍‌ରା ନିଃସନ୍ଦେହରେ ଭାରତର ଅନ୍ୟତମ ମହାନ ମ୍ୟାଚ୍‌ ବିଜେତାଙ୍କ ମଧ୍ୟରେ ନିଜକୁ ସାମିଲ କରିବେ । ମହମ୍ମଦ ସାମିଙ୍କ ସୁଇଂ ଓ ଡେଥ୍‌ ଓଭରରେ ବୁମ୍‌ରାଙ୍କ ୟର୍କର ବିଶ୍ୱକପ୍‌ରେ ଭାରତ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ । ଲିଗ୍‌ ପର୍ଯ୍ୟାୟରେ ୯ଟି ମ୍ୟାଚ୍‌ରୁ ଭାରତ ଯଦି ୬ଟିରେ ବିଜୟୀ ହୁଏ ତେବେ ସେମିଫାଇନାଲ୍‌କୁ ଉନ୍ନୀତ ହେବ । ବିଶ୍ୱକପ୍‌ରେ ଭାରତ ତାର ଅଭିଯାନ ଜୁନ୍‌ ୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରୁ ଆରମ୍ଭ କରିବ । ଏଥର ବିଶ୍ୱକପ୍‌ ୧୦ଟି ଟିମ୍‌କୁ ନେଇ ରାଉଣ୍ଡ ରବିନ ଫର୍ମାଟ୍‌ରେ ଖେଳାଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୁରୀର ବାତ୍ୟା କ୍ଷତିଗ୍ରସ୍ତଙ୍କୁ ମିଳିବ ଅତିରିକ୍ତ ହଜାରେ

ପୁରୀର ବାତ୍ୟା କ୍ଷତିଗ୍ରସ୍ତଙ୍କୁ ମିଳିବ ଅତିରିକ୍ତ ହଜାରେ

Read More...

ଭାରତୀୟ ତୈଳ ନିଗମ ୨ଲକ୍ଷ କୋଟି ନିବେଶ କରିବ, ଏକ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

ଭାରତୀୟ ତୈଳ ନିଗମ ୨ଲକ୍ଷ କୋଟି ନିବେଶ କରିବ, ଏକ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page