ନୂଆଦିଲ୍ଲୀ: ଗର୍ଭବତୀ ଥିଲେ ମଧ୍ୟ କରୋନା ସମୟରେ ଦେଶ ତଥା ସମାଜ ପ୍ରତି ଥିବା ନିଜର କର୍ତ୍ତବ୍ୟକୁ ଭୁଲି ନାହାନ୍ତି ମହିଳା ଡିଏସ୍ପି ଶିଳ୍ପା ସାହୁ । କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କଟକଣାକୁ ମାନିବା ପାଇଁ ସେ ଅନ୍ୟ ପୁଲିସ୍ ଅଧିକାରୀଙ୍କ ସହ ମିଶି ଢୁଢୁ ଖରାରେ ବୁଲି ଲୋକଙ୍କୁ ବୁଝାଉଛନ୍ତି । ଏଥିସହ ଲୋକମାନେ କଟକଣାକୁ ମାନୁଛନ୍ତି କି ନାହିଁ, ତା’ର ଯାଞ୍ଚ ମଧ୍ୟ କରୁଛନ୍ତି । ହାତରେ ବାଡ଼ି ଧରି ଗର୍ଭବତୀ ଡିଏସ୍ପି ଶିଳ୍ପା ଲୋକଙ୍କୁ କଟକଣା ମାନିବା ପାଇଁ ବୁଝାଉଥିବା ବେଳର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଛତିଶଗଡ଼ର ନକ୍ସଲ ପ୍ରବଣ ବସ୍ତର ଡିଭିଜନରେ ଶିଳ୍ପା ସାହୁଙ୍କ ପୋଷ୍ଟିଂ ହୋଇଛି । ଏବେ ଛତିଶଗଡ଼ରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି । ଏଥିପାଇଁ ସରକାର ଏକାଧିକ କଟକଣା ଲାଗୁ କରିଛନ୍ତି । ଏହାକୁ ଲୋକମାନେ ପାଳନ କରୁଛନ୍ତି କି ନାହିଁ, ତା’କୁ ପୁଲିସ୍ ଅଧିକାରୀମାନେ ଯାଞ୍ଚ କରୁଛନ୍ତି ।ଏହିକ୍ରମରେ ଡିଏସ୍ପି ଶିଳ୍ପା ସାହୁ ମଧ୍ୟ ନିଜ କର୍ତ୍ତବ୍ୟ କରିବାରେ ଲାଗିଛନ୍ତି । ବର୍ତ୍ତମାନ ସେ ଗର୍ଭବତୀ ଥିଲେ ହେଁ ଗୋଟିଏ ଜନଗହଳୀ ପୂର୍ଣ୍ଣ ସ୍ଥାନରେ ବାଡ଼ି ଧରି ଛିଡ଼ା ହୋଇଛନ୍ତି । ପ୍ରବଳ ଖରା ସେ‰ ସେ ମୁହଁରେ ମାସ୍କ ଲଗାଇ ଗାଡ଼ି ନେଇ ଯାଉଥିବା ଲୋକଙ୍କୁ କରୋନା କଟକଣା ମାନିବା ପାଇଁ ବୁଝାଉଛନ୍ତି । ସମସ୍ତଙ୍କୁ ସେ ସାମାଜିକ ଦୂରତା ଓ ମାସ୍କ ପରିଧାନ କରିବା ପାଇଁ ନିବେଦନ କରୁଛନ୍ତି । କରୋନା ଯୋଦ୍ଧାମାନେ ଆମକୁ ସୁରକ୍ଷିତ ରଖିବା ପାଇଁ କେମିତି ପରିଶ୍ରମ କରୁଛନ୍ତି, ତାହା ଏହି ଭିଡିଓରୁ ହିଁ ସ୍ପଷ୍ଟ ହେଉଛି । ଶିଳ୍ପା ସାହୁ ଗର୍ଭବତୀ ଅଛନ୍ତି । ସେ ରାସ୍ତାରେ ଛିଡ଼ା ହୋଇ ଲୋକଙ୍କୁ ସତର୍କ କରାଉଥିବାରୁ ତାଙ୍କ ପ୍ରତି ମଧ୍ୟ ସଂକ୍ରମଣର ଆଶଙ୍କା ରହିଛି । ସେ ସଂକ୍ରମିତ ହେଲେ, ତାଙ୍କ ପେଟରେ ଥିବା ପିଲା ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇପାରେ । ତଥାପି ସେ ସବୁକିଛିକୁ ବେଖାତିର କରି ସମାଜ ପ୍ରତି ଥିବା ନିଜର କର୍ତ୍ତବ୍ୟ କରି ଚାଲିଛନ୍ତି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତେ ତାଙ୍କୁ ସାଲ୍ୟୁଟ କରୁଛନ୍ତି ।