ଭୁବନେଶ୍ୱର, ୨୭ା୪ (ଅନୁପମ ମିଡିଆ): ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଏକ ଯୁଗର ଅବସାନ ଘଟିଛି । ବାସ୍ତବିକ ଜଣେ ବିଶିଷ୍ଟ ଲେଖକ ତଥା ସ୍ତମ୍ଭକାର ଭାବେ ଶିକ୍ଷାବିତଙ୍କ ମଧ୍ୟରେ ହୃଦୟକୁ ଜିଣି ନେଇଥିବା ମନୋଜ ଦାସଙ୍କ ପରଲୋକ ଘଟିଛି । ଜଣେ କୃତିତ୍ୱ ସମ୍ପନ୍ନ ତଥା ଅସାଧାରଣ ଔପନ୍ୟାସିକ ଭାବରେ ପ୍ରତ୍ୟେକ ପାଠକଙ୍କ ନିକଟତର ଥିବା ସରସ୍ୱତୀ ସମ୍ମାନ, ପଦ୍ମଶ୍ରୀ ସମ୍ମାନ ଏବଂ ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ମନୋଜ ଦାସଙ୍କର ଆଜି ୮୭ ବର୍ଷ ବୟସରେ ଦେହାନ୍ତ ଘଟିଛି । ସେ ବାସ୍ତବିକ ଏକାଧାରରେ ଥିଲେ ଜଣେ ସାହିତ୍ୟକ, କଥାକାର, ଗାଳ୍ପିକ ଓ ଔପନ୍ୟାସିକ । ମୃତୁ୍ୟ ବେଳକୁ ସେ ପଣ୍ଡିଚେରୀର ଶ୍ରୀ ଅରବିନ୍ଦ ଆଶ୍ରମଠାରେ ଅବସ୍ଥାନ କରୁଥିଲେ ।
୧୯୩୪ ମସିହା ଫେବୃଆରୀ ୨୭ ତାରିଖରେ ବାଲେଶ୍ୱର ଜିଲ୍ଲା ଶଙ୍ଖାରି ଗାଁରେ ସେ ଜନ୍ମ ଗ୍ରହଣ କରିଥିଲେ । ବାପା ମାଆଙ୍କର ପଞ୍ଚମ ସନ୍ତାନ ହେଉଛନ୍ତି ମନୋଜ ଦାସ । ଯାହାଙ୍କର ଡାକ ନାମ ଥିଲା ମଣ୍ଟୁ । ମନୋଜ ଦାସଙ୍କ ପରିଚୟ ସେ ନିଜେ କେବଳ ମନୋଜ ଦାସ । ଏକ ଧାଡ଼ିରେ କହିଲେ ସର୍ଜନାର ମହାକାଶ ମନୋଜ ଦାସ ସରସ୍ୱତୀ ସମ୍ମାନ ଠୁ ଆରମ୍ଭ କରି ପଦ୍ମଶ୍ରୀ ଓ ପଦ୍ମଭୂଷଣ ଭଳି ଅନେକ ସମ୍ମାନ ପାଇଛନ୍ତି କହିଲେ ଭୁଲ ହେବ ନାହିଁ । ଓଡ଼ିଶା ସାହିତ୍ୟ ଏକାଡ଼େମୀର ସର୍ବୋଚ୍ଚ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ମଧ୍ୟ ଅର୍ଜନ କରିଛନ୍ତି ମନୋଜ ଦାସ । ମାତା କାଦମ୍ବିନୀ ଦେବୀଙ୍କ ପ୍ରଭାବରେ ବାଲ୍ୟକାଳରୁ ମନୋଜ ଦାସଙ୍କ ରାମାୟଣ ଓ ମହାଭାରତ ପ୍ରତି ଶ୍ରଦ୍ଧା ଜାତ ହୋଇଥିଲା । ବାଲେଶ୍ୱର ଜିଲ୍ଲା ସ୍କୁଲରେ ପଢିବା ସମୟରେ ତାଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ବିକଶିତ ହୋଇଥିଲା । ବାଲେଶ୍ୱରରେ ଅଧ୍ୟୟନ କରୁଥିବା ସମୟରେ ତାଙ୍କର ପ୍ରଥମ ଗ୍ରନ୍ଥ ସଂକଳନ ‘ସମୁଦ୍ରର କ୍ଷୁଧା’ ପ୍ରକାଶ ପାଇଥିଲା । ସେହି ସମୟରେ ‘ଦିଗନ୍ତ’ ପତ୍ରିକା ସମ୍ପାଦନା ଆରମ୍ଭ କରିଥିଲେ । ପରେ ସେ ବାମପନ୍ଥୀ ଆନ୍ଦୋଳନ ସହିତ ଯୋଗ ଦେଇଥିଲେ । ୧୯୫୨ ମସିହାରେ ଫକୀର ମୋହନ ମହାବିଦ୍ୟାଳୟରେ ପ୍ରଥମ ବର୍ଷର ଛାତ୍ର ସମୟରେ ସେ ଛାତ୍ର ୟୁନିୟନର ସଭାପତି ଏବଂ ରାଜ୍ୟ ଛାତ୍ର ଫେଡେରେସନର ଉପସଭାପତି ଭାବେ ର୍ନିବାଚିତ ହୋଇଥିଲେ । ୧୯୫୫ ମସିହାରେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରି କଟକରେ ଆଇନ ଅଧ୍ୟୟନ କଲେ । ୧୯୫୬ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆଇନ କଲେଜର ଛାତ୍ର ସଂଘର ସଭପତି ରୂପେ ଇଣ୍ଡୋନେସିଆରେ ଆୟୋଜିତ ଛାତ୍ର ସମ୍ମିଳନୀରେ ଯୋଗ ଦେଇଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ଇଂରାଜୀ ସ୍ନାତକୋତ୍ତର ଅଧ୍ୟୟନ ପରେ ୧୯୫୯ ମସିହାରେ ଖ୍ରୀଷ୍ଟ ମହବିଦ୍ୟାଳୟରେ ଅଧ୍ୟାପନା ଆରମ୍ଭ କରିଥିଲେ । ସେହି ବର୍ଷ ହିଁ ସେ କୁଜଙ୍ଗ ରାଜପରିବାରର କନ୍ୟା ପ୍ରତିଜ୍ଞା ଦେବୀଙ୍କ ସହ ବିବାହ କରିଥିଲେ । ପରେ ୧୯୬୩ ମସିହାରେ ମନୋଜ ଦାସ ପଣ୍ଡିଚେରୀ ଶ୍ରୀ ଅରବିନ୍ଦ ଆଶ୍ରମରେ ଇଂରାଜୀ ସାହିତ୍ୟର ଅଧ୍ୟାପକ ଏବଂ ପ୍ରତିଜ୍ଞା ଦେବୀ ମନସ୍ତତ୍ୱ ବିଭାଗରେ ଅଧ୍ୟାପିକା ଭାବେ ଯୋଗ ଦେଲେ । ୧୯୬୫ ମସିହାରେ ତାଙ୍କର ଗଳ୍ପ ‘ଶେଷ ବସନ୍ତର ଚିଠି’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ପାଇଥିଲେ ମନୋଜ । ସ୍ନାତକ ଶିକ୍ଷା ସମୟରେ ହିଁ ସେ ତାହାଙ୍କ ଉପନ୍ୟାସ ଲେଖା ଆରମ୍ଭ କରିଥିଲେ ଏବଂ ସେ ‘ଜୀବନର ସ୍ୱାଦ’ ଉପନ୍ୟାସ ରଚନା କରିଥିଲେ । ଏହା ବ୍ୟତୀତ ବିଷକନ୍ୟାର କାହାଣୀ ନାମକ କ୍ଷୁଦ୍ରଗଳ୍ପ ରଚନା ମଧ୍ୟ କରିଥିଲେ । ତତ୍ ସଙ୍ଗେ ସଙ୍ଗେ ପଦଧ୍ୱନୀ କବିତା ମଧ୍ୟ ଲେଖି ନିଜକୁ ଏକ ବାସ୍ତବ କବିର ପରିଚୟ ଦେଇଥିଲେ । ଏହା ମଧ୍ୟ କୁହାଯାଇଛି ଯେ, ମନୋଜ ଦାସ ବିଶିଷ୍ଟ ଲେଖକ ଫକୀର ମୋହନ ସେନାପତି, ବ୍ୟାସକବି ଓ ବାଲ୍ମିକୀଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ । ସେ କେବଳ ଓଡ଼ିଆରେ ନିଜର ଅସାଧାରଣ କୃତିତ୍ୱ ପରିଦର୍ଶନ କରିନଥିଲେ ବରଂ ଭାରତବର୍ଷର ଜାତୀୟ ଇଂରାଜୀ ଖବର କାଗଜ ଭାବେ ପ୍ରଥମ ଧାଡିରେ ଥିବା ଟାଇମ୍ସ ଅଫ୍ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମ୍ସ, ଦ ହିନ୍ଦୁ ଏବଂ ଦ ଷ୍ଟେଟ୍ସ ମ୍ୟାନ୍ରେ ନିଜର ବହୁ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ପ୍ରକାଶ କରି ଅଗଣିତ ପାଠକ ସୃଷ୍ଟି କରିପାରିଥିଲେ । ଆଧୁନିକ ଓଡ଼ିଆ ସାହିତ୍ୟରେ ତାହାଙ୍କୁ ବିଷ୍ଣì ଶର୍ମାଙ୍କ ସହିତ ତୁଳନା କରାଯାଇଛି । ତାହାଙ୍କ ଜୀବନ କାଳରେ ସେ ବହୁ ଗବେଷକ ସୃଷ୍ଟି କରିଥିଲେ । ପି.ରାଜା ତାହାଙ୍କ ପ୍ରଥମ ଗବେଷଣାରତ ଛାତ୍ର ଭାବେ ମଧ୍ୟ ବହୁ ଲେଖକଙ୍କ ନିକଟତର ହୋଇପାରିଛନ୍ତି । ତାହାଙ୍କ ମୃତୁ୍ୟ ଖବର ପ୍ରଚାର ହେବାର ତତ୍କ୍ଷଣାତ ଓଡ଼ିଶାର ଅଗଣିତ ପାଠକ,ଲେଖକ ଓ ଗାଳ୍ପିକଙ୍କ ମଧ୍ୟରେ ଗଭୀର ଶୋକର ଛାୟା ଖେଳି ଯାଇଛି । ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଗଭୀର ଶୋକ ପ୍ରକାଶ କରିଥିବା ଦେଖିବାକୁ ମିଳିଛି ।