ଭୁବନେଶ୍ୱର, ୬ା୧୦ (ସ୍ୱତନ୍ତ୍ର ପ୍ରତିନିଧି): ରାଜ୍ୟରେ ବିଦୁ୍ୟତ୍ କ୍ଷେତ୍ରରେ ସଂସ୍କାର ନାଁରେ ବର୍ଷ ବର୍ଷ ଧରି ନାଟକ ଚାଲିଛି ଏବଂ ଅସହାୟ ଘରୋଇ ଉପଭୋକ୍ତାମାନେ ଏହାର ନିରବ ଦ୍ରଷ୍ଟା ସାଜିବାକୁ ବାଧ୍ୟ ହେଉଛନ୍ତି । କରୋନା କାଳରେ ବି ବର୍ଷକ ଭିତରେ ଦୁଇ ଥର ବିଦୁ୍ୟତ୍ ଦରବୃଦ୍ଧି ଘଟିଛି ଏବଂ ଦରବୃଦ୍ଧି ପ୍ରତ୍ୟାହାର ପାଇଁ ଆବେଦନକୁ ଓଇଆର୍ସି ଅଗ୍ରାହ୍ୟ କରିଛନ୍ତି । ଏହାଫଳରେ ରାଜ୍ୟରେ ବିଦୁ୍ୟତ୍ ବିତରଣର ଏକଚାଟିଆ ଅଧିକାର ପାଇଥିବା ଟାଟା ପାୱାର୍କୁ ବିପୁଳ ଫାଇଦା ମିଳିଛି ।
ଏଥିରୁ ସ୍ପଷ୍ଟ ହେଉଛି ଯେ, ରାଜ୍ୟରେ ଗତ ୧୯୯୫ରେ ବିଦୁ୍ୟତ୍ ସଂସ୍କାର ଆଇନ ଗୃହୀତ ହେବା ପରେ ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ବର୍ତ୍ତମାନର ସ୍ଥିତି ଦେଖିଲେ ତାହା ସମ୍ପୂର୍ଣ୍ଣ ବାଟବଣା ହୋଇଯାଇଥିବା ମନେ ହେଉଛି । ସୂଚନାଯୋଗ୍ୟ, କେନ୍ଦ୍ରରେ ପିଭି ନରସିଂହ ରାଓଙ୍କ ସରକାର ଅମଳରେ ଦେଶରେ ଆର୍ଥିକ ସଂସ୍କାରର ମୂଳଦୁଆ ପଡ଼ି ସରକାରୀ କ୍ଷେତ୍ରରୁ ପୁଞ୍ଜି ପ୍ରତ୍ୟାହାର ଓ ଘରୋଇକରଣ ପ୍ରକ୍ରିୟା ଆରମ୍ଭ ହେଲା । ସେତେବେଳେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବରେ ବିଦୁ୍ୟତ୍ କ୍ଷେତ୍ରରେ ସଂସ୍କାର ଲାଗୁ କଲା । ଲୋକଙ୍କୁ କୁହାଗଲା ଯେ, ଘରୋଇ ସଂସ୍ଥାକୁ ବିତରଣ ଦାୟିତ୍ୱ ଦିଆଗଲେ ବ୍ୟାପକ ପୁଞ୍ଜି ଲଗାଣ ହେବ ଏବଂ ରାଜ୍ୟବାସୀ ଉନ୍ନତମାନର ବିଦୁ୍ୟତ ସେବା ସୁଲଭ ମୂଲ୍ୟରେ ପାଇବେ । ସେହି ସୁନେଲି ସ୍ୱପ୍ନ ଆକାଶ କଇଁଆ ଚିଲିକା ମାଛରେ ପରିଣତ ହୋଇଛି ।
ବିଦୁ୍ୟତ୍ କ୍ଷେତ୍ରରେ ସଂସ୍କାର ନାଁରେ ଓଡ଼ିଶାବାସୀଙ୍କର ହଜାର ହଜାର କୋଟି ଟଙ୍କା ବରବାଦ୍ ହୋଇଛି । ରାଜ୍ୟରେ ବିଦୁ୍ୟତ୍ ଉପିାଦନ, ପରିବହନ ଓ ବିତରଣ ପାଇଁ ୧୯୬୧ରେ ପ୍ରତିଷ୍ଠିତ ହୋଇଥିଲା ଓଡ଼ିଶା ରାଜ୍ୟ ବିଦୁ୍ୟତ୍ ନିଗମ (ଓଏସ୍ଇବି) । କୁପରିଚାଳନା ଯୋଗୁ ୧୯୯୫ ସୁଦ୍ଧା ୩୬୯ କୋଟିରେ ପହଞ୍ଚି ଥିବା କ୍ଷତି କମାଇବା ଲକ୍ଷ୍ୟରେ ବିଦୁ୍ୟତ୍ ଉପିାଦନ, ପରିବହନ ଓ ବିତରଣକୁ ଅଲଗା କରାଗଲା । ଓପିଜିସିକୁ ତାପଜ ବିଦୁ୍ୟତ ଓ ଓଏଚ୍ପିସିକୁ ଜଳ ବିଦୁ୍ୟତ୍ ଉପିାଦନ ଏବଂ ଗ୍ରୀଡ୍କୋକୁ ବିଦୁ୍ୟତ୍ ପରିବହନ ଓ ବିତରଣ ଦାୟିତ୍ୱ ଦିଆଗଲା ।
ସୁପରିଚାଳନା ପାଇଁ ଗ୍ରୀଡ୍କୋକୁ ଭାଙ୍ଗି ସେସ୍କୋ, ନେସ୍୍କୋ, ସାଉଥ୍କୋ ଓ େୱସ୍କୋ ଗଠନ କରାଗଲା । ସରକାରୀ ଅନୁଦାନ ସତ୍ତେ୍ୱ କ୍ଷତି ବଢି ଚାଲିବାରୁ ରାଜ୍ୟ ସରକାର ଘରୋଇ କମ୍ପାନୀ ସହ ଚୁକ୍ତି କଲେ । ସେସ୍କୋ ସହ ହାତ ମିଳାଇଥିବା ଏଇଏସ୍ କମ୍ପାନି ୬୦୦ କୋଟି ଟଙ୍କା ବକେୟା ରଖି ଚାଲିଗଲା । ପରେ ନେସ୍୍କୋ, ସାଉଥ୍କୋ ଓ େୱସ୍କୋ ଅଞ୍ଚଳରେ ଅନିଲ ଅମ୍ବାନିଙ୍କ ରିଲାଏନ୍ସ ଇନ୍ଫ୍ରା ବିଦୁ୍ୟତ୍ ବିତରଣ କ୍ଷେତ୍ରରେ ପ୍ରବେଶ କଲା । ୧୯୯୯ରେ ମାତ୍ର ୧୫୨ କୋଟି ଟଙ୍କା ନିବେଶ କରିଥିବା ରିଲାଏନ୍ସ ୨୦୧୨ ସୁଦ୍ଧା ବିତରଣ ଦାୟିତ୍ୱରେ ରହି ବିପୁଳ ଫାଇଦା ହାସଲ କଲା । ମହାବାତ୍ୟା ଓ ଫନି ବାତ୍ୟା ପରେ ବିଦୁ୍ୟତ ଯୋଗାଣ ସ୍ୱାଭାବିକ କରିବା ପାଇଁ ରାଜ୍ୟ ସରକାର ବି କମ୍ପାନିକୁ ୭୨୬ କୋଟି ଟଙ୍କା ଦେଇଥିଲେ । ୨୦୧୨-୧୩ ସୁଦ୍ଧା ପ୍ରାୟ ୨୪୦୦ କୋଟି ଟଙ୍କାର କ୍ଷତି ଦର୍ଶାଇବା ପରେ ରିଲାଏନ୍ସ୍ ଇନ୍ଫ୍ରାର ଲାଇସେନ୍ସ ରଦ୍ଦ କରିବାକୁ ଓଇଆର୍ସି ବାଧ୍ୟ ହେଲେ ।
ସେସୁ, ନେସ୍୍କୋ, ସାଉଥ୍କୋ ଓ େୱସ୍କୋ ସ୍ୱଳ୍ପ ସମୟ ବିଦୁ୍ୟତ୍ ବିତରଣ କରିବା ପରେ ଟାଟା ପାୱାର୍ ମୁଣ୍ଡରେ ହାତୀ ସୁନା କଳସ ଢାଲିଲା । ଟାଟା ପାୱାର୍ ୫୧% ଅଂଶଧନ ସହିତ ବିତରଣ କ୍ଷେତ୍ରରେ ଏକଚାଟିଆ ଅଧିକାର ପାଇଲା । ବର୍ଷକ ମଧ୍ୟରେ ଦୁଇ ଦୁଇ ଥର ଦରବୃଦ୍ଧି ପାଇଁ କମ୍ପାନି ଆବେଦନ କଲା ଏବଂ ଓଇଆର୍ସି ଏହାକୁ ଗ୍ରହଣ କରିବା ଫଳରେ କମ୍ପାନି ବିପୁଳ ଫାଇଦା ପାଇବା ସହ ସାଧାରଣ ଉପଭୋକ୍ତା କ୍ଷତିଗ୍ରସ୍ତ ହେଲେ ।
ଟାଟା ପୂର୍ବରୁ ବିଦୁ୍ୟତ୍ ବିତରଣରେ ଥିବା ଆର୍ୟୁପିଏଲ୍ ଓ ଏନ୍ଜେନ୍ କମ୍ପାନି ସ୍ଲାବ୍ ବିଲିଂ, ସର୍ଭିସ୍ ଚାର୍ଜ, ଏରିଅର୍ ସର୍ଚାର୍ଜ (ସୁଧ), ସେଫ୍ଟି ସାର୍ଟିଫଇକେଟ୍ ଆଦି ବାହାନାରେ ଉପଭୋକ୍ତାଙ୍କୁ ଠକୁଥିଲେ । ଡିଜିଟାଲ୍ ମିଟର୍ ନାଁରେ ଶୋଷଣ କରୁଥିଲେ ଏବଂ ମାସକର ବିଲ୍ ଦେଇ ନ ପାରିଲେ ବି ସଂଯୋଗ କାଟିବାର ଜୁଲୁମ୍ କରୁଥିଲେ । ନିକଟରେ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ମାର୍ଟ ମିଟର୍ ଲଗାଯିବା ପାଇଁ ନିଷ୍ପତ୍ତି ହୋଇଛି । ଏହାଦ୍ୱାରା ଉପଭୋକ୍ତା ଶୋଷଣର ଶିକାର ହେବା ଏବଂ ବିତରକ କମ୍ପାନି ଟାଟା ପାୱାର୍ ମାଲାମାଲ୍ ହେବା ସୁନିଶ୍ଚିତ । ଅତୀତରେ, ଶକ୍ତି ବିଭାଗର କିଛି ଅସାଧୁ ବରିଷ୍ଠ ଅଧିକାରୀ ଅନେକ କମ୍ପାନିଙ୍କୁ ବିପୁଳ ବକେୟା ବିଦୁ୍ୟତ୍ ବିଲ୍ ଛାଡ଼ କରିଥିଲେ । ତେଣୁ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି, ରାଜ୍ୟରେ ଘରୋଇ ଉପଭୋକ୍ତାମାନେ ହନ୍ତସନ୍ତ ହେଉଥିବାବେଳେ ଏ ବିଦୁ୍ୟତ୍ ସଂସ୍କାର କାହା ସ୍ୱାର୍ଥରେ ?