ପିପିଲି,୨୫ା୫ (ଅନୁପମ ମିଡିଆ):ପିପିଲିର ବିଜେପି ବିଧାୟକ ପ୍ରାର୍ଥୀ ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଶ୍ରିତ ପଟ୍ଟନାୟକ(ରିକୁ)ଙ୍କ ନିଜର କମାକନ୍ତିଆସ୍ଥ ଘର ଉପରକୁ ଶୁକ୍ରବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବା ବଳଙ୍ଗା ଥାନାରେ ଅଭିଯୋଗ ହୋଇଛି । ଏ ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ସୃଷ୍ଟି ହେବା ସହ ରାଜନୈତିକ ଉତେଜନା ଲାଗି ରହିଛି ।
ଋିକୁଙ୍କ ଅଭିଯୋଗ ମୁତାବକ ଶୁକ୍ରବାର ରାତି ପ୍ରାୟ ୧୨ଟାବେଳେ ଅନ୍ଧାରର ସୁଯୋଗ ନେଇ ଦୁର୍ବୁତ ମାନେ ବିଜେପି ନେତା ଶ୍ରୀ ପଟ୍ଟନାୟକଙ୍କ ଘରକୁ ଲକ୍ଷ କରି ୨ରୁ ଅଧିକ ବୋମାମାଡ଼ କରିଥିଲେ । ଫଳରେ ଶ୍ରୀ ପଟ୍ଟନାୟକଙ୍କର ଘରର ମୁଖ୍ୟ କବାଟ ଭାଙ୍ଗିଯିବା ସହ ଘର କାନ୍ଥରେ ଫାଟ ସୃଷ୍ଟି ହୋଇଛି ।
ଏହି ସମୟରେ ଘର ମଧ୍ୟରେ ଶ୍ରୀ ପଟ୍ଟନାୟକ ଏବଂ ତାଙ୍କ ପରିବାର ଶୋଇଥିବା ବେଳେ ହଠାତ ଭୟଙ୍କର ଶଦ୍ଧ ଶୁଣି ପରିବାର ଲୋକେ ଭୟଭୀତ ହେବା ସହ ଉଠିଯାଇଥିଲେ । ଘର ବାହାରେ ଦୁବୁର୍ତମାନେ ଚିକିାର କରି ଘରୁ ବାହାରିଲେ ରିକୁକୁ ହତ୍ୟା କରିବୁ ବୋଲି ଧମକ ଦେଇଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି । ଭୋଟ ଗଣତିର ଦିନକ ପରେ ତାଙ୍କ ଘର ଉପରକୁ ଦୁବୁର୍ତମାନେ ବୋମା ମାଡ଼ କରିବାକୁ ନେଇ ଏଠାରେ ରାଜନୈତିକ ଉଷ୍ମତା ଦେଖାଦେଇଛି । ସୂଚନା ମୁତାବକ ବିଜେପି ପ୍ରାର୍ଥୀ ଶ୍ରୀ ପଟ୍ଟନାୟକ ୭୨୭୩୨ ଖଣ୍ଡ ଭୋଟ ପାଇ ବିଜେଡ଼ି ପ୍ରାର୍ଥୀ ପ୍ରଦୀପ ମହାରଥିଙ୍କ ଠାରୁ ମାତ୍ର ୧୫ ହଜାର ଭୋଟ ବ୍ୟବଧାନରେ ପରାଜିତ ହୋଇଥିବାରୁ ସବୁଦିନ ପାଇଁ ରାଜନିତୀରୁ ହଟାଇବା ପାଇଁ ବିରୋଧିଙ୍କର ଏହା ଏକ ଷଡ଼ଯନ୍ତ୍ର ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି ।
ଏହି ଘଟଣାପରେ ଶ୍ରୀ ପଟ୍ଟନାୟକ ଏବଂ ତାଙ୍କ ପରିବାର ଆତଙ୍କିତ ଥିବାବେଳେ ପୁଲିସ ସୁରକ୍ଷା ଲୋଡ଼ିଛନ୍ତି । ଖବର ପାଇ ବଳଙ୍ଗା ପୁଲିସ ଓ ପୁରୀରୁ ସାଇଟିଂଫିକ ଟିମ ଘଟଣା ସ୍ଥଳକୁ ଆସି ଛାନଭିନ୍ନ କରିଛନ୍ତି । ବୋମାର ଟୁକୁରା ଅଂଶ, ସୁତୁଲି, ଚିପ୍ସ ଆଦି ପୁଲିସ ଜବତ କରି ତଦନ୍ତ ଜାରି ରଖିଛି ।