ଭୁବନେଶ୍ୱର,୧୯ା୭ (ସ୍ୱତନ୍ତ୍ର ପ୍ରତିନିଧି): ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟସାମଗ୍ରୀ ଉପରେ ଜିଏସ୍ଟିର କୋରଡ଼ା ମାଡ଼ । ଏଥର ଗରିବଗୁରୁବାଙ୍କୁ ବି ଆଉ ନିସ୍ତାର ନାହିଁ । ବଜାରରେ ବିକ୍ରି ହେଉଥିବା ମୁଢି, ଚୁଡ଼ା ପ୍ୟାକେଟ୍ ଉପରେ ଜିଏସ୍ଟି ଲାଗୁ କରିଛନ୍ତି କେନ୍ଦ୍ର ସରକାର ।
ସାଧାରଣତଃ, ଜନମଙ୍ଗଳ ରାଷ୍ଟ୍ରରେ କ୍ରିମି ଲେୟର୍ ବା ଉଚ୍ଚ ଆୟକାରୀ ବର୍ଗ ଅଧିକ ଟିକସ ଦିଅନ୍ତି ଏବଂ ଆଦାୟ ହେଉଥିବା ଟିକସ ଅର୍ଥରୁ ନିମ୍ନ ଆୟକାରୀ ବର୍ଗ ସର୍ବାଧିକ ଉପକାର ପାଇଥାନ୍ତି । ଏବେ କିନ୍ତୁ ଭାରତୀୟ ଅର୍ଥନୀତିରେ ଓଲଟା ସମୀକରଣ ଦେଖିବାକୁ ମିଳୁଛି । କେନ୍ଦ୍ର ସରକାର ଅନୁଚିତ ଅନୁଗ୍ରହ ପ୍ରଦର୍ଶନ କରି ନିଜ ମର୍ଜିରେ ବଛାବଛା ଶିଳ୍ପପତିଙ୍କୁ ହଜାର ହଜାର କୋଟି ଟଙ୍କାର ଟିକସ ଛାଡ କରୁଥିବାବେଳେ ଗରିବ ଓ ମଧ୍ୟମବର୍ଗଙ୍କ ଉପରେ ଟିକସର କୋରଡ଼ା ମାଡ଼ ପଡୁଛି । କୋଟିପତି ପରିବାରର ସଦସ୍ୟମାନେ ବ୍ୟବହାର କରୁଥିବା ସୌଖୀନ୍ ହୀରା ଅଳଙ୍କାର ଉପରେ ମାତ୍ର ୧.୫% ଜିଏସ୍ଟି ଲାଗୁ ହୋଇଥିବାବେଳେ ପେଟ ଚାଖଣ୍ଡକ ପୂରାଇବା ପାଇଁ ଗରିବ ଲୋକମାନେ ନିର୍ଭର କରୁଥିବା ମୁଢି, ଚୁଡ଼ା ଉପରେ ଏବେ ୫% ଜିଏସ୍ଟି ଲଗାଇ ଦିଆ ଯାଇଛି ।
ଦିଅଁ ଦର୍ଶନ ପାଇଁ ମନ୍ଦିର ଯାଉଥିବା ଶ୍ରଦ୍ଧାଳୁ ବି ଏଣିକି ଖଇଉଖୁଡ଼ା କିଣିବା ବେଳେ ଏହି ପିଟୁଣୀ ଟିକସ ଦେବାକୁ ବାଧ୍ୟ । ଅବଶ୍ୟ କେନ୍ଦ୍ର ସରକାର ସଫେଇ ଦେଇଛନ୍ତି ଯେ, କେବଳ ବ୍ୟାବସାୟିକ ବ୍ରାଣ୍ଡ୍ରେ ୨୫ କିଗ୍ରା ବା ତା’ଠାରୁ ବଡ଼ ପ୍ୟାକ୍ର ଖାଦ୍ୟସାମଗ୍ରୀ ଉପରେ ୫% ଜିଏସ୍ଟି ଲାଗୁ ହୋଇଛି ।
ପ୍ରଶ୍ନ ଉଠୁଛି ମୁଢି ଓ ଚୁଡ଼ା କେଉଁମାନେ ଖାଆନ୍ତି? ଅଦାନୀ ବା ଅମ୍ବାନୀଙ୍କ ଭଳି କୋଟିପତି ପରିବାରର ସଦସ୍ୟମାନେ ତ ସକାଳ ବା ସନ୍ଧ୍ୟା ଜଳଖିଆରେ ମୁଢି ଖାଉ ନାହାନ୍ତି । ଓଡ଼ିଶାର ସବୁ ଅଞ୍ଚଳରେ ମୁଢି ଓ ଚୁଡ଼ା ଏକ ଜନାଦୃତ ଜଳଖିଆ । ମୟୂରଭଞ୍ଜ ଜିଲ୍ଲା ବିଶେଷ କରି ବାରିପଦାରେ ସର୍ବତ୍ର ମୁଢି ଓ ମାଂସ ତରକାରୀ ଅତ୍ୟନ୍ତ ଲୋକପ୍ରିୟ । ଜିଏସ୍ଟି ଏହାର କାରବାରକୁ ପ୍ରଭାବିତ କରିବ ନା ନାହିଁ? ଟ୍ରକ୍ ଟ୍ରକ୍ ଖାଦ୍ୟ ସାମଗ୍ରୀ କାରବାର କରୁଥିବା ବ୍ୟବସାୟୀମାନେ ଯଦି ଟିକସ ଦେଲେ ତେବେ ସେମାନଙ୍କଠାରୁ ନେଇ ସାଧାରଣ ଖାଉଟିଙ୍କୁ ମୁଢି ଓ ଚୁଡ଼ା ବିକ୍ରି କରୁଥିବା କ୍ଷୁଦ୍ର ବ୍ୟବସାୟୀ ଆପେ ଟିକସ ପରିସରକୁ ଆସଗିଲେ । ଟିକସ କାରଣ ଦର୍ଶାଇ ସେମାନେ ବଜାରଦର ମହଙ୍ଗା କରିଦେବେ । ପ୍ରତ୍ୟକ୍ଷରେ ହେଉ ବା ପରୋକ୍ଷରେ ମୁଢି, ଚୁଡ଼ା ଉପରେ ନିର୍ଭର କରୁଥିବା ନିମ୍ନ ଓ ମଧ୍ୟମବର୍ଗର ଲୋକେ କର ଭାରରେ ଜର୍ଜରିତ ହେବେ ।
କେନ୍ଦ୍ର ସରକାର ଚାଉଳ, ଗହମ ଓ କ୍ଷୀରଜାତ ଖାଦ୍ୟସାମଗ୍ରୀ ଉପରେ ଟିକସ ଲଦି ରାଜସ୍ୱ ବଢାଇବାର ଯେଉଁ ଯୋଜନା କରିଛନ୍ତି ଏହାର ଯନ୍ତ୍ରଣା ପେଟପାଟଣା ପାଇଁ ସଂଘର୍ଷ କରୁଥିବା ସାଧାରଣ ଲୋକ ଭୋଗିବେ । ନିକଟରେ କେନ୍ଦ୍ର ସରକାର ହଠାତ କର୍କଟ, ମଧୁମେହ, ଉଚ୍ଚ ରକ୍ତଚାପ ଭଳି ମାରାତ୍କତ୍ମକ ରୋଗର ଔଷଧ ଦାମ୍ ବଢାଇ ଦେଲେ । ରନ୍ଧନ ଗ୍ୟାସ୍ ଦର ତ ହୁ ହୁ ହୋଇ ବଢି ଚାଲିଛି । ପେଟ୍ରୋଲ୍, ଡିଜେଲ୍ ଦର ଶହେ ଉପରେ ସ୍ଥିର ରହିଥିବାବେଳେ ‘ଗରିବ ଲୋକଙ୍କ ତେଲ’ ରୂପେ ପରିଚିତ କିରୋସିନି ଦର ମଧ୍ୟ ନବେ ଟଙ୍କା ପାଖାପାଖି ।
ସମସ୍ତ ସାମଗ୍ରୀର ଦରବୃଦ୍ଧି ଯୋଗୁ ଗରିବ ଲୋକମାନେ ଘୋର ସଙ୍କଟ ମଧ୍ୟରେ ଗତି କରୁଛନ୍ତି । ଅଥଚ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ଏନ୍ଡିଏ ସରକାର କ୍ଷମତାସୀନ ହେବାବେଳେ ଦେଶର ମଧ୍ୟମବର୍ଗ ସ୍ୱପ୍ନ ଦେଖିଥିଲେ ଯେ, ବିଦେଶୀ ବ୍ୟାଙ୍କ୍ରେ ଗଚ୍ଛିତ କଳାଟଙ୍କା ଦେଶକୁ ଫେରିବ, ଡଲାର୍ ତୁଳନାରେ ଟଙ୍କାର ମୂଲ୍ୟ ସୁଦୃଢ ହେବ ଏବଂ ରନ୍ଧନ ଗ୍ୟାସ୍ ଓ ପେଟ୍ରୋଲ୍, ଡିଜେଲ୍ର ଦର ପକେଟ୍କୁ ସୁହାଇବ । ହେଲେ ମୁଦ୍ରାସ୍ପିତୀ କମିବା ବଦଳରେ ବଢି ଚାଲିଲା, ଡଲାର୍ ତୁଳନାରେ ଟଙ୍କା ଅଧିକ ଦୁର୍ବଳ ହେଲା ଏବଂ ଦେଶବାସୀଙ୍କ ମୁଣ୍ଡ ପିଛା ଋଣ ବଢି ଚାଲିଲା । ଏବେ ଅର୍ଥନୀତି ବିଶେଷଜ୍ଞମାନେ କହୁଛନ୍ତି, ଯୋଜନା ଆୟୋଗକୁ ଉଚ୍ଛେଦ କରି ନୀତି ଆୟୋଗ ଗଠନ ଏବଂ ବିଭିନ୍ନ ସାମଗ୍ରୀ ଉପରେ ରାଜ୍ୟ ସ୍ତରରେ କର ଆଦାୟକୁ ବଦଳାଇ ଜାତୀୟ ସ୍ତରରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ଲଗାଇବା ଛଡ଼ା କେନ୍ଦ୍ର ସରକାର ଅଧିକ କିଛି କରିନାହିଁ ।
ଜିଏସ୍ଟି କ୍ଷତିପୂରଣ ପ୍ରାପ୍ୟକୁ ନେଇ କେନ୍ଦ୍ର ଓ ବିଭିନ୍ନ ରାଜ୍ୟର ସରକାରଙ୍କ ମଧ୍ୟରେ ଟଣାଓଟରା ବର୍ଷ ବର୍ଷ ଧରି ଲାଗି ରହିଛି ଏବଂ ନିୟମିତ ବ୍ୟବଧାନରେ ଜିଏସ୍ଟି କାଉନ୍ସିଲ୍ ବୈଠକ ବସି ଟିକସ ହାରରେ ଅଦଳବଦଳ କରାଯାଉଛି । ଏବେ ସାଧାରଣ ଖାଦ୍ୟସାମଗ୍ରୀ ଉପରେ ଜିଏସ୍ଟି ଲାଗୁ କରିବା ପରେ ଲାଗୁଛି କେନ୍ଦ୍ର ସରକାର ଯେମିତି ଜନମଙ୍ଗଳ ନୀତିକୁ ଜଳାଞ୍ଜଳି ଦେଇ ରାଜସ୍ୱ ଆଦାୟକୁ ଏକମାତ୍ର ମନ୍ତ୍ର ରୂପେ ଜପୁଛନ୍ତି । ଏହାର ଫଳାଫଳ ଆଗକୁ ବିଷମୟ ହୋଇପାରେ ।