ଭୁବନେଶ୍ୱର, ୨ା୯(ସ୍ୱତନ୍ତ୍ର ପ୍ରତିନିଧି): ଛତିଶଗଡ଼ ସରକାର ଅନେକ ବ୍ୟାରେଜ୍ ନିର୍ମାଣ କରି ମହାନଦୀ ଉପରମୁଣ୍ଡର ଜଳ ପ୍ରବାହକୁ ରୋକିବା ଫଳରେ ମହାନଦୀ ଶୁଖିବାକୁ ନେଇ ଓଡ଼ିଶାର ଚିନ୍ତା ବଢିବାରେ ଲାଗିଛି । ଗତବର୍ଷ ଗ୍ରୀଷ୍ମ ଋତୁରେ ଚିରସ୍ରୋତା ମହାନଦୀ ଠାଏ ଠାଏ ଶୁଖିଯିବା ଫଳରେ ନଦୀକୁଳିଆ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ । ମହାନଦୀର ଉପରମୁଣ୍ଡରେ ମିଶିଥିବା ଏକାଧିକ ନଦୀର ଜଳକୁ ଛତିଶଗଡ଼ ସରକାର ବ୍ୟାରେଜ୍ ନିର୍ମାଣ କରି ରୋକିବା ଫଳରେ ଗତ କିଛି ବର୍ଷ ହେଲା ସମ୍ବଲପୁର ଠାରୁ ସମୁଦ୍ରତଟ ପର୍ଯ୍ୟନ୍ତ ମହାନଦୀର ବିଶାଳ ଅବବାହିକାରେ ବନ୍ୟାର ପ୍ରକୋପ ମଧ୍ୟ କମି ଯାଇଥିଲା ।
ହେଲେ ଏବର୍ଷ ବର୍ଷାଋତୁରେ ସବୁ କିଛି ଓଲଟପାଲଟ ହୋଇଗଲା । ଲଘୁଚାପଜନିତ ବର୍ଷା ଯୋଗୁ ଅଳ୍ପ ସମୟ ମଧ୍ୟରେ ପ୍ରବଳ ବୃଷ୍ଟିପାତ ହେଲା । ଏକକାଳୀନ ବିପୁଳ ଜଳପ୍ରବାହକୁ ନିୟନ୍ତ୍ରଣ କରିବାରେ ଛତିଶଗଡ଼ ସରକାର ବିଫଳ ହେଲେ । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବିପଦସଙ୍କେତ ପାଖାପାଖି ହେଲା ଏବଂ କୌଣସି ପରିସ୍ଥିତିରେ ବି ୩୦ରୁ ଅଧିକ ଗେଟ୍ ଖୋଲାଯିବ ନାହିଁ ବୋଲି ଜୋର୍ ଦେଇ କହୁଥିବା କର୍ତ୍ତୃପକ୍ଷ ଶେଷରେ ବନ୍ଧ ସୁରକ୍ଷା ପାଇଁ ୪୦ଟି ଗେଟ୍ ଖୋଲି ଦେଲେ । ଏହା ଫଳରେ ମହାନଦୀ ତଳମୁଣ୍ଡର ବ୍ୟାପକ ଅଞ୍ଚଳରେ ବନ୍ୟା ହେଲା ଏବଂ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହେଲେ ।
ମହାନଦୀ ଅବବାହିକାରେ ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ସୁଧୁରିବା ପୂର୍ବରୁ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଫଳରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ବହୁ ଲୋକ ହନ୍ତସନ୍ତ ହେଲେ । ସେପଟେ, ଆନ୍ଧ୍ର ସରକାରଙ୍କ ଖାମଖିଆଲ୍ ମନୋଭାବ ଯୋଗୁ ପୋଲାଭରମ୍ ନଦୀଜଳ ଠିକ୍ ରୂପେ ନିୟନ୍ତ୍ରଣ କରା ନଯିବା ଫଳରେ ମାଲକାନଗିରି ଜିଲ୍ଲାରେ ଉଦ୍ବେଗଜନକ ପରିସ୍ଥିତି ସୃଷ୍ଟି କଲା । ମୋଟାମୋଟି ଭାବରେ ଏଥିରୁ ସ୍ପଷ୍ଟ ହୁଏ ଯେ ଓଡ଼ିଶାରେ ବନ୍ୟା ପଛରେ ପଡ଼ୋଶୀ ରାଜ୍ୟର ଅପରିଣାମଦର୍ଶୀ ଜଳ ନିୟନ୍ତ୍ରଣ ନୀତି ଦାୟୀ ।
ଏବେ ତ ବର୍ଷାଋତୁ ସରିଲା, ବନ୍ୟାର ଆଉ ସେଭଳି କୌଣସି ଆଶଙ୍କା ନାହିଁ । ଯେମିତି ଜ୍ୱର ଖସିଲେ ଡାକ୍ତର୍ ଅଲୋଡ଼ା, ସେମିତି ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ପାଇଁ କେତେ ସମୀକ୍ଷା ଅଥଚ ବର୍ଷା ଛାଡ଼ିଲେ ବନ୍ୟାଜଳ ନିୟନ୍ତ୍ରଣ କଥାକୁ ଆଉ କିଏ ପଚାରେ?
ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଗତ କିଛି ବର୍ଷ ମଧ୍ୟରେ ସରକାରୀ ବ୍ୟୟବରାଦ ବହୁଗୁଣିତ ହୋଇଛି । ହଜାର ହଜାର କୋଟି ବ୍ୟୟରେ ବିଭିନ୍ନ ନଦୀ ଉପରେ ବୃହତ ପୋଲ ତଥା ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ରାସ୍ତାଘାଟ ନିର୍ମାଣ କରି ଗମନାଗମନ ବ୍ୟବସ୍ଥାରେ ଆଖିଦୃଶିଆ ଉନ୍ନତି ଅଣାଯାଇ ପାରିଛି । ବୈଷୟିକ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ପାଇଁ ବହୁ ପ୍ରକଳ୍ପ ଚଳାଇଛନ୍ତି ରାଜ୍ୟ ସରକାର । ପିଡିଏସ୍ ବ୍ୟବସ୍ଥାରେ ଖାଦ୍ୟସାମଗ୍ରୀର ସୁଲଭ ଯୋଗାଣ, ମିଶନ ଶକ୍ତି, ଘରକୁ ପାନୀୟ ଜଳ ଯୋଗାଣ ଆଦି ଯୋଜନାରେ ବିପୁଳ ବ୍ୟୟ ହେଉଛି । ଆବାସ ଯୋଜନାରେ ଗୃହନିର୍ମାଣ, ପୋଖରୀ ଖୋଳିବା, ଗୁହାଳଘର ତିଆରି କରିବା ପାଇଁ ବିପୁଳ ଅନୁଦାନ ଦିଆ ଯାଉଛି । କ୍ରୀଡ଼ା କ୍ଷେତ୍ରରେ ଗତ କିଛି ବର୍ଷ ଧରିଜାତୀୟ ହକି ଦଳର ପ୍ରାୟୋଜକ ରହିଛି ଓଡ଼ିଶା । କ୍ରୀଡ଼ାବିତ୍ଙ୍କୁ ପ୍ରୋତ୍ସାହନ ଓ ନିଯୁକ୍ତି ଦିଆ ଯାଉଛି । ଶିକ୍ଷା କ୍ଷେତ୍ରରେ ଭିତ୍ତିଭୂମି ବିକାଶ ପାଇଁ ଫାଇଭ୍-ଟି ରୁପାନ୍ତରଣ, ଶିକ୍ଷକଙ୍କ ନିଯୁକ୍ତି ଓ ପ୍ରଶିକ୍ଷଣ ବାବଦରେ ଏତେ ଖର୍ଚ୍ଚ ହେଉଛି ଯେ ଆଖି ଖୋସି ହୋଇ ଯାଉଛି ।
ସବୁ କ୍ଷେତ୍ରରେ ସରକାର ହାତଖୋଲା ଖର୍ଚ୍ଚ କରୁଥିବାବେଳେ ବନ୍ୟା ନିୟନ୍ତ୍ରଣ ପାଇଁ ପାଣwିର ଅଭାବ ହେବାର କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ । ଅସଲ ସମସ୍ୟା ହେଉଛି ଦୂରଦୃଷ୍ଟିସମ୍ପନ୍ନ ଦୀର୍ଘକାଳୀନ ଯୋଜନାର ଅଭାବ । ସବୁବର୍ଷ ବନ୍ୟା ସମୟରେ ଜଳସମ୍ପଦ ମନ୍ତ୍ରୀ କିମ୍ବା ମୁଖ୍ୟଯନ୍ତ୍ରୀ କୁହନ୍ତି, ମହାନଦୀରେ ସୋନପୁରଠାରୁ ମୁଣ୍ଡଳୀ ମଧ୍ୟରେ ଅନୁ୍ୟନ ୩ଟି ବ୍ୟାରେଜ୍ ନିର୍ମାଣ କରାଯାଇ ବନ୍ୟା ନିୟନ୍ତ୍ରଣ କରିବା ପାଇଁ ମାଷ୍ଟର୍ପ୍ଲାନ୍ ପ୍ରସ୍ତୁତ କରାଯାଇଛି । କିନ୍ତୁ ବର୍ଷାଋତୁ ସରିଲେ, ସରକାରୀ କଳ ଚିନ୍ତାମୁକ୍ତ ହୋଇଯାଏ ।
ଛତିଶଗଡ଼ ଭଳି ଛୋଟ ରାଜ୍ୟ ଯଦି ମାତ୍ର ତିନି ବର୍ଷ ମଧ୍ୟରେ ୧୦ରୁ ଅଧିକ ବ୍ୟାରେଜ୍ ନିର୍ମାଣ କରି ଓଡ଼ିଶାକୁ ପାଣି ପିଆଇବାକୁ ସକ୍ଷମ ହେଲା, ତେବେ ଓଡ଼ିଶା ସରକାର କାହିଁକି କରି ପାରିବେ ନାହିଁ । ନଦୀଜଳ ପରିଚାଳନାକୁ ନେଇ ଓଡ଼ିଶା ସରକାର ପଡୋଶୀ ଛତିଶଗଡ଼ ଓ ଆନ୍ଧ୍ର ସରକାରଙ୍କ ସହ ମୁହାଁମୁହିଁ ହେବା ପରେ ଜଳ ଟ୍ରିବୁ୍ୟନାଲ୍ ଓ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ହେଲେ ଏଥିରୁ ବିଶେଷ ସୁଫଳ ମିଳିନାହିଁ ।
ତେଣୁ ବନ୍ୟାପ୍ରବଣ ମହାନଦୀ, ବୈତରଣୀ ସମେତ ବୃହତ ନଦୀରେ ପ୍ରବାହିତ ଜଳର ଉପଯୁକ୍ତ ପରିଚାଳନା କରି ଓଡ଼ିଶାକୁ ସ୍ଥାୟୀ ଭାବେ ବନ୍ୟା ବିପଦମୁକ୍ତ କରିବା ସହ ଜଳବିଦୁ୍ୟତ୍ ଉପିାଦନ ବଢାଇବା ପାଇଁ ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତ କରାଯିବା ଆବଶ୍ୟକ ।
ରାଜ୍ୟର ବୃହତର ସ୍ୱାର୍ଥ ଦୃଷ୍ଟିରୁ ଅଭିଜ୍ଞ ବିଶେଷଜ୍ଞମାନଙ୍କ ମତ ଲୋଡ଼ି ରାଜ୍ୟ ସରକାର ଏ ଦିଗରେ ତ୍ୱରିତ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଛି ।