ଭୁବନେଶ୍ୱର, ୬ା୯(ସ୍ୱତନ୍ତ୍ର ପ୍ରତିନିଧି): ଭିଜିଲାନ୍ସ ଗତ କିଛି ମାସ ହେଲା ଖୁବ୍ ସକ୍ରିୟ ଯୋଗୁ ପୋଲିସ୍, ରାଜସ୍ୱ, ସ୍ୱାସ୍ଥ୍ୟ ଓ ଶିକ୍ଷା ବିଭାଗ ସମେତ ବିଭିନ୍ନ ବିଭାଗର ଅନେକ କର୍ମଚାରୀ ଧରା ପଡ଼ିଛନ୍ତି । ସେମାନଙ୍କର ଏକାଧିକ ସ୍ଥାନରେ ବିଶାଳ କୋଠା ସହିତ ବିପୁଳ ଆୟ ବହୁର୍ଭୂତ ସମ୍ପତ୍ତି ଠାବ କରାଯିବା ସହ ଗିରଫ କରାଯାଉଛି ଏବଂ ଆବଶ୍ୟକ ସ୍ଥଳେ କଡ଼ା ପଦକ୍ଷେପ ନିଆଯାଇ ଚାକିରିରୁ ବହିଷ୍କାର କରାଯାଉଛି । ବରିଷ୍ଠ ଅଧିକାରୀଙ୍କ କଥା ଛାଡନ୍ତୁ ଧରା ପଡୁଥିବା ଲାଞ୍ଚୁଆ ପିଅନ, କିରାଣୀ ଓ କନିଷ୍ଠ ଅଧିକାରୀଙ୍କ ପାଖରୁ ଯେଭଳି ଭାବରେ କୋଟି କୋଟି ଟଙ୍କା ଜବତ ହେଉଛି ତାହା ଲୋକଙ୍କୁ ତାଜୁବ କରୁଛି ।
ତେବେ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ଉପରେ ଭିିଜିଲାନ୍ସ ଛାଟର ପ୍ରଭାବ ପଡ଼ିବ କ’ଣ ବରଂ ଦୁର୍ନୀତିର ହାର ବଢି ବଢି ଚାଲିଛି । ଜମିଜମା କିଣାବିକାରେ ସବୁଠୁ ଅଧିକ ଦୁର୍ନୀତି ହେଉଛି । ସୁଲଭ ଦରରେ ଜମି ଓ ଘର ଯୋଗାଇବାର ଲୋଭନୀୟ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଲୁଟୁଥିବା ଅନେକ ବିଲ୍ଡର୍ ଓ ରିଅଲ୍ ଇଷ୍ଟେଟ୍ ସଂସ୍ଥା ମାଲିକ ଜେଲ୍ରେ ଭର୍ତ୍ତି ହେବା ଘଟଣା ଏହାକୁ ପ୍ରମାଣିତ କରିଛି । ଦଲାଲ୍ମାନଙ୍କ ସହ ରାଜସ୍ୱ ବିଭାଗର କର୍ମଚାରୀଙ୍କ ମଧୁଚନ୍ଦ୍ରିକା ବଳରେ ଏହା ସମ୍ଭବ ହେଉଛି ।
ଜମି କିଣାବିକା ସମୟରେ ମୂଲ୍ୟବାନ୍ ଜମିର ଅଣ୍ଡର୍ ଭାଲୁ୍ୟଏସନ୍ କରାଇବା, ଜମିର କିସମ ବଦଳାଇବାରେ ଚଞ୍ଚକତା କରି ଗୋଚର, ଅନାବାଦୀ ଓ ଦେବୋତ୍ତର ଜମିକୁ ବିକ୍ରି ଯୋଗ୍ୟ କରାଇବା ଆଦି ମହାଦୁର୍ନୀତି ଚାଲିଛି । ଜମି ଦଲାଲ୍ମାନେ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ଭଳି ବଡ଼ ସହର ସହିତ ରାଉରକେଲା, ଝାରସୁଗୁଡ଼ା, ଅନୁଗୋଳ, ତାଳଚେର, ଯୋଡ଼ା-ବଡ଼ବିଲ, ଡୁବୁରି ଆଦି ଶିଳ୍ପାଞ୍ଚଳରେ ଥିବା ସବ୍ରେଜିଷ୍ଟ୍ରାର୍ଙ୍କ କାର୍ଯ୍ୟାଳୟକୁ କବ୍ଜା କରି ନେଉଛନ୍ତି । ଫଳରେ ଜମି କିଣୁଥିବା ଓ ବିକୁଥିବା ସାଧାରଣ ଲୋକେ ଉପାୟହୀନ ହୋଇ ଦଲାଲ୍ଙ୍କ ଜରିଆରେ କାମ କରାଇ ନେବାକୁ ବିପୁଳ ଟଙ୍କା ଖର୍ଚ୍ଚ କରିବା ପାଇଁ ବାଧ୍ୟ ହେଉଛନ୍ତି ।
ଅତୀତରେ ପରିବହନ ବିଭାଗରେ ଏଭଳି ସବୁ କାମ ପାଇଁ କାଗଜଚାଷ ହେଉଥିଲା । ବସ୍ ପାଇଁ ରାଜ୍ୟ ଭିତରେ ରୁଟ୍ ପରମିଟ୍, ଆନ୍ତଃରାଜ୍ୟ ପରିବହନ ପର୍ମିଟ୍, ଫିଟ୍ନେସ୍ ପ୍ରମାଣପତ୍ର, ପ୍ରଦୂଷଣମୁକ୍ତ ପ୍ରମାଣପତ୍ର ଓ ଟିକସ ଦାଖଲ ଆଦି ବିଭିନ୍ନ କାମ ପାଇଁ ହିତାଧିକାରୀମାନଙ୍କୁ ମାସ ମାସ ଧରି କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡୁଥିଲା । ଶୀଘ୍ର କାମ କରିବା ପାଇଁ ଚାହିଁଲେ ନିର୍ଦ୍ଧାରିତ ଫି’ର ଚାରି ପାଞ୍ଚ ଗୁଣ ଅର୍ଥ ଦେଇ ଦଲାଲ୍ଙ୍କ ଗୋଡ଼ହାତ ଧରିବାକୁ ପଡୁଥିଲା । ତେବେ ପରିବହନ ବିଭାଗ ସଂସ୍କାର ଆଣି ପେପର୍ଲେସ୍ ଡିଜିଟାଲ୍ ବ୍ୟବସ୍ଥାକୁ ଉତ୍ସାହିତ କରିବା ଫଳରେ ଆର୍ଟିଓ ଅଫିସ୍ ଗୁଡ଼ିକରେ ଉପଲବ୍ଧ ଅଧିକାଂଶ ସେବା ଅନ୍ଲାଇନ୍ ହେଲା ଏବଂ ଲୋକମାନେ ଉଭୟ ଅର୍ଥ ଓ ସମୟ ଅପବ୍ୟୟରୁ ରକ୍ଷା ପାଇଲେ ।
ଇତିମଧ୍ୟରେ ରାଜସ୍ୱ ବିଭାଗ କିଛି କିଛି ସଂସ୍କାର ଆପଣାଇବା ଫଳରେ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ଓ ଆୟ ପ୍ରମାଣପତ୍ର ଆଦି ପାଇଁ ଏବେ ଆଉ ତହସିଲ ଅଫିସ୍ ଦୌଡ଼ିବାକୁ ପଡୁ ନାହିଁ । ଜମିର ନକ୍ସା, ପଟ୍ଟାର ନକଲ, ଖଜଣା ପାଉତି ଆଦି ପାଇବା ପାଇଁ ଲୋକଙ୍କୁ ଆଉ ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ କିମ୍ବା ତହସିଲର ରେକର୍ଡରୁମ୍ ବା ମହାଫିସଖାନାକୁ ମଧ୍ୟ ଯିବାକୁ ପଡୁନାହିଁ । ଭୂଲେଖ ଭଳି ଡିଜିଟାଲ୍ ସେବା ମିଳିବା ସହ ଇନ୍କମ୍ ଓ ରେସିଡେନ୍ସ ସାର୍ଟିଫିକେଟ୍ ଅନ୍ଲାଇନ୍ ଆବେଦନ ଦ୍ୱାରା ସହଜରେ ପାଇ ହେଉଛି ।
ସେହିପରି ସବ୍ରେଜିଷ୍ଟ୍ରାର୍ଙ୍କ କାର୍ଯ୍ୟାଳୟର ସମସ୍ତ ବ୍ୟବସ୍ଥାକୁ ଅନ୍ଲାଇନ୍ କରାଗଲେ ପ୍ରକ୍ରିୟାଟି ଅଧିକ ସ୍ୱଚ୍ଛ ହେବା ସହିତ ଦୁର୍ନୀତି ନିଶ୍ଚିତ ଭାବରେ ହ ୍ରାସ ପାଇବ ବୋଲି ଆଶା କରାଯାଉଛି । ଜମି କିଣାବିକା ସମୟରେ ଦଲିଲ୍ ଲେଖକଙ୍କ ହସ୍ତାକ୍ଷରରେ ଅନେକ ଦସ୍ତାବିଜ ପ୍ରସ୍ତୁତ ହେଉଥିବାରୁ ସମଗ୍ର ପ୍ରକ୍ରିୟାଟି ଅବଶ୍ୟ ଅତ୍ୟନ୍ତ ଜଟିଳ ହୋଇଥାଏ । ବିକ୍ରେତାଙ୍କ ନାମରେ ପୂର୍ବରୁ ଥିବା ରେକର୍ଡ ବଦଳାଇ କ୍ରେତା ଓ ତାଙ୍କ ପତ୍ନୀଙ୍କ ନାମ, ସ୍ଥାୟୀ ଠିକଣା ଉଲ୍ଲେଖ କରିବା ସହିତ ଅନେକ ଦସ୍ତାବିଜର ତନଖି କରିବାକୁ ପଡ଼େ । ସମସ୍ତ ପ୍ରକ୍ରିୟା ଅନ୍ଲାଇନ୍ ହେବା ଏବେ ସହଜ ଲାଗୁ ନଥିଲେ ମଧ୍ୟ ଆଦୌ ଅସମ୍ଭବ ନୁହେଁ ।
କେନ୍ଦ୍ର ସରକାର ପାସ୍ପୋର୍ଟ ଆବେଦନ ଓ ଆୟକର ରିଟର୍ଣ୍ଣ ଭଳି ଜଟିଳ ପ୍ରକ୍ରିୟାକୁ ଅନ୍ଲାଇନ୍ ମାଧ୍ୟମରେ ସୁଗମ କରି ଉଦାହରଣ ସୃଷ୍ଟି କରି ସାରିଛନ୍ତି । ସବ୍ରେଜିଷ୍ଟ୍ରାର୍ଙ୍କ କାର୍ଯ୍ୟାଳୟ ଦୁର୍ନୀତିର ଗନ୍ତାଘର ବୋଲି ଯେଉଁ ଅପବାଦ ରହିଛି ରାଜ୍ୟ ସରକାରଙ୍କ ଦୃଢ ଇଚ୍ଛାଶକ୍ତି ଏଥିରେ ସୁଧାର ଆଣି ପାରିବ ।
ବ୍ୟବସ୍ଥା ପରିବର୍ତ୍ତନ କରି ଅଧିକରୁ ଅଧିକ ସେବା ଅନ୍ଲାଇନ୍ କଲେ ଦଲାଲ୍ରାଜ୍ ଓ ଦୁର୍ନୀତି ହଟି ଜନମଙ୍ଗଳର ଅସଲ ଉଦ୍ଦେଶ୍ୟ ସାଧିତ ହେବ ଏବଂ ରାଜ୍ୟ ସରକାରଙ୍କ ଛବି ଅଧିକ ଉଜ୍ୱଳ ହେବ ଏଥିରେ କୌଣସି ସନ୍ଦେହ ନାହିଁ ।