ଭୁବନେଶ୍ୱର,୨୭ା୧୦(ଅନୁପମ ମିଡ଼ିଆ): ଆଗକୁ ଧାମନଗର ଉପନିର୍ବାଚନ ଥିବା ବେଳେ ଆଦର୍ଶ ଆଚରଣ ବିଧିର କଡାକଡି ପାଳନ ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଏହାର ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ।
ନିର୍ବାଚନବେଳେ ଯଦି କୌଣସି ପ୍ରକାରର ବେଆଇନ୍ କାମ ଯଥା ଭୋଟରଙ୍କୁ ଟଙ୍କା ବାଣ୍ଟିବା ବା ଧମକଚମକ ଦେଇ ଭୋଟ ଦେବା ପାଇଁ ବାଧ୍ୟ କରିବା ଇତ୍ୟାଦି କାର୍ଯ୍ୟ ହେଉଥାଏ ତାହାହେଲେ ନାଗରିକମାନେ ନିଜ ମୋବାଇଲ୍ ମାଧ୍ୟମରେ ଭିଡ଼ିଓ ଚିତ୍ର ଉତ୍ତୋଳନ କରି ସମ୍ପୃକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟକୁ ପଠାଇଲେ ୧୦୦ ମିନିଟ୍ ମଧ୍ୟରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି । ଏଥିପାଇଁ ସି-ଭିଜିଲ୍ ନାମକ ଏକ ମୋବାଇଲ୍ ଆପ୍ର ପ୍ରଚଳନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ସି-ଭିଜିଲ ଆପ ଜରିଆରେ ୬ଟି ଅଭିଯୋଗ ଆସିଛି । ସାମ୍ବାଦିକ ସମ୍ମିଳନୀରେ ଲୋହାନୀ କହିଛନ୍ତି ନିର୍ବାଚନ ସମୟରେ ବେଆଇନ କାର୍ଯ୍ୟ ଯଥା ଭୋଟରମାନଙ୍କୁ ଟଙ୍କା ଦେଇ ଭୋଟଦେବା ପାଇଁ ପ୍ରବର୍ତ୍ତାଇବା କିମ୍ବା ଭୋଟରଙ୍କୁ ନିୟମିତ ଭୟଭୀତ କରାଇ ଭୋଟଦେବା ପାଇଁ ବାଧ୍ୟ କରିବା ହେଉଛି ଜଘନ୍ୟ ଅପରାଧ । ଏସବୁ କାର୍ଯ୍ୟରେ ଯେକୌଣସି ବ୍ୟକ୍ତିବିଶେଷ କିମ୍ବା ରାଜନୈତିକ ଦଳର କର୍ମକର୍ତ୍ତା କିମ୍ବା ପ୍ରାର୍ଥୀ, ଯେକେହି ବି ଏଥିରେ ସମ୍ପୃକ୍ତ ଥିବାର ପ୍ରମାଣ ମିଳିଲେ ସେମାନଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋର୍ଡ ଧାରା ୧୭୧(ଖ), ୧୭୧(ଗ), ୧୭୧(ଙ) ଏବଂ ୧୭୧(ଚ) ଏବଂ ଲୋକପ୍ରତିନିଧି ଆଇନ ୧୯୫୧ର ଧାରା ୧୨୩(୧) ଏବଂ ୧୨୩(୨) ଅନୁସାରେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଉପନିର୍ବାଚନ ପରିପ୍ରେକ୍ଷୀରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ସର୍ବଦଳୀୟ ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ବୈଠକରେ ଉପସ୍ଥିତ ଥିବା ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ନିର୍ବାଚନ ସମୟରେ କ’ଣ କରିବା ଓ କ’ଣ ନକରିବା ସଂପର୍କରେ ଏକ ନିର୍ଦ୍ଦେଶାବଳୀ ପ୍ରଦାନ କରିବା ସହ ଅବଗତ କରାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଧାମନଗର ଉପନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳମାନଙ୍କ ଦ୍ୱାରା ଆଚରଣ ବିଧି ଉଲ୍ଲଂଘନ ନେଇ ୧୦୨ ଗୋଟି ଅଭିଯୋଗ ଗ୍ରହଣ କରାଯାଇ ସବୁଗୁଡ଼ିକରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାବେଳେ ଥାନାରେ ଦୁଇଜଣଙ୍କ ବିରୁଦ୍ଧରେ ଏଫ୍ଆଇଆର ଦିଆଯାଇଛି ।
ଆଚରଣବିଧି ଉଲ୍ଲଂଘନ କରି ଜନସାଧାରଣ ଓ ବ୍ୟକ୍ତିଗତ କୋଠାବାଡ଼ିଗୁଡ଼ିକୁ ବିକୃତ କରି ନିର୍ବାଚନ ପ୍ରଚାର କରିବା ଅଭିଯୋଗରେ ୧୬୧୪ ଗୋଟି କେସ୍ ଜିଲ୍ଲା ପ୍ରଶାସନ ନଜରକୁ ଆସିଛି । ସେହିପରି ଜନସାଧାରଣ ଓ ବ୍ୟକ୍ତିଗତ ସମ୍ପତ୍ତି ଯଥା କୋଠାବାଡ଼ିଗୁଡ଼ିକରେ ପୋଷ୍ଟରବ୍ୟାନର, କାନ୍ଥରେ ଲେଖିବା ଇତ୍ୟାଦି ଅଭିଯୋଗରେ ୨୦୦୬ ଗୋଟି କେସ୍ ଧରା ପଡ଼ିବା ସହ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଲୋହାନୀ ପ୍ରକାଶ କରିଛନ୍ତି । ଜିଲ୍ଲା ପୋଲିସ ପ୍ରଶାସନ ଦ୍ୱାରା ଚଢ଼ାଉ କରାଯାଇ ୬୩୯ ଗୋଟି ଅସ୍ତ୍ରଶସ୍ତ୍ର ଜବତ କରାଯିବା
ସହ ସିଆରପିସି ଧାରା ୧୦୭ ଓ ୧୧୬ ଅନୁସାରେ ୨୧୧ ଜଣଙ୍କୁ ଅଟକ ରଖାଯାଇଛି ଓ ୧୯୬ ଜଣଙ୍କ ବିରୁଦ୍ଧରେ ଜାମିନବିହୀନ ପରୱାନା ଜାରି କରାଯାଇଛି । ଉପନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ କରାଇବା ପାଇଁ ଜିଲ୍ଲା ପୋଲିସ ଏବଂ ଅବକାରୀ ବିଭାଗ ଜିଲ୍ଲାର ବିଭିନ୍ନ ସ୍ଥାନରେ ମିଳିତ ଭାବେ ଚଢ଼ାଉ କରି ୧୯୭ ଗୋଟି କେସ୍ ରୁଜୁ କରିବା ସହ ୨୧୬ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ଓ ୧୪୦୦ହଜାର ଲିଟର ମଦ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଲୋହାନୀ ଜଣାଇଛନ୍ତି ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।