କୋରାପୁଟ, ୨୭ା୫ (ଅନୁପମ ମିଡିଆ): କୋଟପାଡ ବ୍ଲକ ବତାସନା ପଂଚାୟତର କସମଗୁଡା ଗ୍ରାମରେ ରବିବାର ରାତିରେ ଏକ ଗୁଳିକାଣ୍ଡ ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇ ଛତିଶଗଡର ରାୟପୁର ମେଡିକାଲ କଲେଜରେ ଚିକିସିିତ ହେଉଛନ୍ତି । ସୂଚନା ଅନୁଯାୟୀ କସମଗୁଡା ଗ୍ରାମର ସତୀଶ ଗୁପ୍ତା ନାମକ ଯୁବକ ଗରମ ଯୋଗୁଁ ରବିବାର ରାତିରେ ଘର ବାରଣ୍ଡାରେ ଏକ ଖଟିଆ ପକାଇ ମୋବାଇଲ ଫୋନରେ ବ୍ୟସ୍ତ ଥିଲେ । ସେତେବେଳକୁ ଏକ ବାଇକରେ ତିନିଜଣ ଯୁବକ ଆସି ସତୀଶଙ୍କୁ ଟଙ୍କା ମାଗିଥିଲେ,ସେ ନଦେବାରୁ ପିଠିରେ ଗୁଳି ଚଳାଇ ଚାଲି ଯାଇଥିବା ଅଭିଯୋଗ ହୋଇଛି । ଯୁବକଙ୍କ ଚିତ୍କାର ଶୁଣି ପରିବାର ଲୋକ ଓ କେତେକ ଗ୍ରାମବାସୀ ଘଟଣା ସ୍ଥଳରେ ପହଂଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ସତୀଶକୁ ଦେଖି ଆମ୍ବୁଲାନସ ନିମନ୍ତେ ଫୋନ କରିଥିଲେ । ଆମ୍ବୁଲାନସ ଆସିବା ପରେ ସତୀଶକୁ ପ୍ରଥମେ କୋଟପାଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରା ଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ଥିବାରୁ କୋଟପାଡରୁ ଛତିଶଗଡର ଜଗଦଲପୁର ନିକଟ ଡୁମରାପାଲ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସତୀଶଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନ୍ନତି ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ରାୟପୁର ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆ ଯାଇଛି ।