ବିଧାନସଭାରେ ହଟ୍ଟଗୋଳ, ପାଞ୍ଚ ଥର ମୁଲତବୀ

November 26, 2020, ଓଡ଼ିଶା, , Anupambharat News Bureau


ବିଧାନସଭାରେ ହଟ୍ଟଗୋଳ, ପାଞ୍ଚ ଥର ମୁଲତବୀ
Anupambharat News Bureau
November 26, 2020

ଭୁବନେଶ୍ୱର, ୨୬ା୧୧ (ଅନୁପମ ମିଡିଆ): ­ ଷୋଡଶ ବିଧାନସଭା ପଞ୍ଚମ ଅଧିବେଶନର ସପ୍ତମ କାର୍ଯ୍ୟ ଦିବସର ପରୀ ହତ୍ୟା ଘଟଣାରେ କୃଷି ମନ୍ତ୍ରୀଙ୍କ ପରୋକ୍ଷ ସଂପୃକ୍ତି ରହିଥିବା ନେଇ ତାଙ୍କର ଇସ୍ତଫା ଦାବି କରି ବିରୋଧୀ ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ହଟ୍ଟଗୋଳ ସୃଷ୍ଟି କରା ଯାଇଥିବା କାରଣରୁ ଗୃହରେ କୌଣସି କାର୍ଯ୍ୟକ୍ରମ ହୋଇ ପାରି ନ ଥିଲା । ଏହି ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ପାଞ୍ଚ ଥର ଗୃହ ମୁଲତବୀ ହୋଇଥିଲା । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତିନି ଥର ଓ ଉପ ବାଚସ୍ପତି ରଜନୀକାନ୍ତ ସିଂହ ଗୃହକୁ ଦୁଇ ଥର ମୁଲତବୀ ରଖିଥିଲେ । ଫଳରେ ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ ଆଲୋଚନା ଓ ରାଜସ୍ୱ ବିଭାଗର ପ୍ରଥମ ଅତିରିକ୍ତ ଖର୍ଚ ଦାବି ଉପସ୍ଥାପନା ହୋଇ ପାରି ନଥିଲା । କାର୍ଯ୍ୟସୂଚୀରେ ସ୍ଥାନିତ ବିଭିନ୍ନ ବିଭାଗ ଜନିତ ସଂକ୍ରାନ୍ତୀୟ କାଗଜ ଉପସ୍ଥାପନ ହୋଇ ପାରି ନ ଥିଲା । ଗୃହ କାର୍ଯ୍ୟ ୧୦.୩୦ରେ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ଦଳର ବିଧାୟକ ମାନେ ହାତରେ ପ୍ଲାକାର୍ଡ ଧରି ଗୃହର ମଧ୍ୟ ଭାଗକୁ ଆସି ନାରାବାଜୀ ଆରମ୍ଭ କରି ଦେଇଥିଲେ । ଅନୁରୂପ ଭାବେ କଂଗ୍ରେସ ବିଧାୟକ ମାନେ ମଧ୍ୟ ଗୃହର ମଧ୍ୟଭାଗକୁ ଆସି ଏହି ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ । ଉପ ବାଚସ୍ପତି ରଜନୀକାନ୍ତ ସିଂ ବିରୋଧୀ ଦଳର ବିଧାୟକ ମାନଙ୍କୁ ନିଜ ନିଜର ଆସନକୁ ଯିବା ପାଇଁ ନିବେଦନ କରିଥିଲେ । ହେଲେ ଏହାର କୌଣସି ପ୍ରକାର ପ୍ରଭାବ ପଡି ନଥିଲା । ବିରୋଧୀ ଦଳର ବିଧାୟକ ମାନେ ହଟ୍ଟଗୋଳ ଜାରୀ ରଖିଥିଲେ । ଫଳରେ ଗୃହ କାର୍ଯ୍ୟ ଚଳାଇବାରେ ଉପ ବାଚସ୍ପତି ରଜନୀକାନ୍ତ ସିଂଙ୍କୁ କଷ୍ଟକର ହୋଇ ପଡିଥିଲା । ଫଳରେ ବାଧ୍ୟ ହୋଇ ଶ୍ରୀ ସିଂହ ଗୃହକୁ ୧୦.୩୫ରୁ ୧୦.୫୫ ଅର୍ଥାତ ୨୦ ମିନିଟ ପାଇଁ ମୁଲତବୀ ରଖିଥିଲେ । ଏହା ପରେ ୧୦.୫୫ରେ ଗୃହର ବୈଠକ ପୁଣି ଆରମ୍ଭ ହୋଇଥିଲେ ହେଁ ପରିସ୍ଥିିତିରେ କୌଣସି ଉନ୍ନତି ହୋଇ ନ ଥିଲା । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହ କାର୍ଯ୍ୟ ଆରମ୍ଭ କରିବା ମାତ୍ରେ ବିରୋଧୀ ଦଳର ସଦସ୍ୟ ମାନେ ହଟ୍ଟଗୋଳକୁ ଦୋହରାଇଥିଲେ । ବାଚସ୍ପତି ଏଥିରୁ ସେମାନଙ୍କୁ କ୍ଷାନ୍ତ ରହିବା ପାଇଁ ନିଜ ଆସନରେ ଠିଆ ହୋଇ ବାରମ୍ବାର ନିବେଦନ କରି ଥିଲେ ହେଁ ବିରୋଧୀ ଦଳର ବିଧାୟକ ମାନେ ଏଥି ପ୍ରତି କୌଣସି ଗୁୁରୁତ୍ୱ ଦେଇ ନ ଥିଲେ ବରଂ ସରକାର ବିରୋଧୀ ସ୍ଲୋଗାନ ଦେବା ସହ ହଟ୍ଟଗୋଳକୁ ଜୋରଦାର କରିଥିଲେ । ଗୃହରେ ଦେଖା ଯାଇଥିବା ଅଚଳାବସ୍ଥାକୁ ଏଡାଇବା ପାଇଁ ବାଚସ୍ପତି ଗୃହକୁ ୧୦.୫୭ରୁ ଅପରାହ୍ନ ୩ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ବିଜେପି ବିଧାୟକ ମୋହନ ମାଝୀ ବାଚସ୍ପତିଙ୍କ ପୋଡିୟମକୁ ଚଢିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା ।ହଟ୍ଟଗୋଳ ସମୟରେ ବିଧାୟକ ମାନେ ବ୍ୟାନର ପୋଷ୍ଟର ପ୍ରଦର୍ଶନ କରିଥିଲେ । କୃଷି ମନ୍ତ୍ରୀ ଇସ୍ତଫା ନ ଦେବା ବା ତାଙ୍କୁ ବହିଷ୍କାର ନ କରିବା ଯାଏ ଗୃହ ଚାଲି ପାରିବ ନାହିଁ ବୋଲି ବିରୋଧୀ ବିଧାୟକ ମାନେ କହିଥିଲେ । ହଟ୍ଟଗୋଳ ଯୋଗୁ ଆଜି ହେବାକୁ ଥିବା ଶୂନ୍ୟକାଳ କାର୍ଯ୍ୟକ୍ରମ ହୋଇ ପାରି ନ ଥିଲା କି ଦାଦନ ସମସ୍ୟା ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇ ପାରି ନ ଥିଲା ।ଦ୍ୱିତୀୟାର୍ଧ ବୈଠକ ଅପରାହ୍ନ ୩ଟାରେ ଆରମ୍ଭ ହୋଇଥିଲା । ବାଚସ୍ପତି ଗୃହ କାର୍ଯ୍ୟକୁ ଚାଲୁ ରଖିବାକୁ ଚେଷ୍ଟା କରୁଥିବା ବେଳେ ବିରୋଧୀ ଦଳର ବିଧାୟକ ମାନେ ଗୃହର ମଧ୍ୟ ଭାଗକୁ ଆସି ପରୀ ଘଟଣାକୁ ନେଇ ନାରାବାଜୀ କରିବା ସହ ସରକାର ବିରୋଧୀ ସ୍ଲୋଗାନ, ମନ୍ତ୍ରୀଙ୍କର ଇସ୍ତଫା ଦାବି ଦୋହରାଇଥିଲେ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ସଚିବଙ୍କ ଚେୟାର ଉପରେ ଠିଆ ହୋଇ ପୋଡିୟମ ଉପରକୁ ଉଠିବାକୁ ଉଦ୍ୟମ କରିବା, ବାଚସ୍ପତି ଓ ଉପ ବାଚସ୍ପତିଙ୍କୁ ସୁରକ୍ଷା କର୍ମୀ ମାନେ ସୁରକ୍ଷା ବଳୟ ମଧ୍ୟରେ ରଖିବା ଆଦି ଦୃଶ୍ୟ ମାନ ଦେଖା ଦେଇଥିଲା ।ଗୃହରେ ସ୍ୱାଭବିକ ଅବସ୍ଥା ନ ରହିବା କାରଣରୁ ବାଚସ୍ପତି ଗୃହକୁ ୩.୦୧ରୁ ୧୫ ମିନିଟ ପାଇଁ ୩.୧୬ ଯାଏ ମୁଲତବୀ ରଖିଥିଲେ । ପରେ ଉପ ବାଚସ୍ପତି ଗୃହକୁ ଆସି ୩.୧୬ରୁ ୩.୩୧ ଯାଏ ପୁଣି ଥରେ ୧୫ ମିନିଟ ପାଇଁ ଗୃହକୁ ମୁଲତବୀ ରଖିଥିଲେ ।ଏହି ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ଘୋଷଣା କରି କହିଥିଲେ ଯେ ଆଜିର କାର୍ଯ୍ୟ ସୂଚୀରେ ସ୍ଥାନିତ ରାଜସ୍ୱ ଓ ପରିଚାଳନା ବିଭାଗର ଦୁଇ ଗୋଟି ଖର୍ଚ ଦାବି ଆଲୋଚନା କରା ନ ଯାଇ ଆସନ୍ତା ୨୮ତାରିଖରେ ଗିଲୋଟିନ ଆକାରରେ ପାରିତ ପାଇଁ ନିଆ ଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
‘ନିଭାର’ ପ୍ରଭାବରେ ତିନି ମୃତ

‘ନିଭାର’ ପ୍ରଭାବରେ ତିନି ମୃତ

Read More...

କେନ୍ଦ୍ର ସରକାରଙ୍କ ବିରୋଧରେ ଧର୍ମଘଟ ରେଳରୋକ, ଧାରଣା ଓ ପିକେଟିଂ

କେନ୍ଦ୍ର ସରକାରଙ୍କ ବିରୋଧରେ ଧର୍ମଘଟ ରେଳରୋକ, ଧାରଣା ଓ ପିକେଟିଂ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page