ଭୁବନେଶ୍ୱର, ୨୭ା୧୨(ଅନୁପମ ମିଡ଼ିଆ): ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟେªାଙ୍କୁ ଏକଲବ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଛି । ତାଙ୍କୁ ପୁରସ୍କାର ବାବଦକୁ ୫ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି । ସେହିପରି ଭାରୋତ୍ତୋଳକ ସ୍ନେହା ସୋରେନ ଓ ବ୍ୟାଡମିଣ୍ଟନ ଖେଳାଳି ଋତପର୍ଣ୍ଣା ପଣ୍ଡାଙ୍କୁ ଉପବିଜେତା ଭାବେ ୫୦ ହଜାର ଲେଖାଏଁ ଟଙ୍କା ସହ ମାନପତ୍ର ପ୍ରଦାନ କରାଯାଇଛି । ରବିବାର ‘ଇମ୍ପାକଫ’ ପକ୍ଷରୁ ଏକ ନିରାଡମ୍ବର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
ଉଲ୍ଲେଖ୍ୟଯୋଗ୍ୟ ଯେ, ନମିତା ଭାରତ ପକ୍ଷରୁ ୧୫୦ରୁ ଅଧିକ ମ୍ୟାଚରେ ପ୍ରତିନିଧିତ୍ୱ କରିଛନ୍ତି । ସେ ୨୦୧୮ରେ ଜାକର୍ତା ଓ ୨୦୧୪ରେ ଇଞ୍ଚିଅନଠାରେ ଆୟୋଜିତ ଏସିଆନ୍ ଗେମ୍ସରେ ଭାରତ ପକ୍ଷରୁ ଖେଳିଥିଲେ । ଏହି ଦୁଇଟି ଯାକ କ୍ରୀଡ଼ାରେ ଭାରତ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଥିଲା । ଏହା ବ୍ୟତୀତ ସେ ୨୦୧୬ରେ ରିଓଠାରେ ଆୟୋଜିତ ଅଲମ୍ପିକ କ୍ରିଡ଼ାରେ ଭାରତରୁ ପ୍ରତିନିଧିତ୍ୱ କରିଥିଲେ ।