ନ୍ୟାୟପାଳିକା ବିକେନ୍ଦ୍ରୀକରଣ : ପ୍ରତିଶ୍ରୁତିରେ ଅଟକିଛି ହାଇକୋର୍ଟ ବେଞ୍ଚ୍‌

July 25, 2021, ଓଡ଼ିଶା, , Anupambharat News Bureau


ନ୍ୟାୟପାଳିକା ବିକେନ୍ଦ୍ରୀକରଣ : ପ୍ରତିଶ୍ରୁତିରେ ଅଟକିଛି ହାଇକୋର୍ଟ ବେଞ୍ଚ୍‌
Anupambharat News Bureau
July 25, 2021


ଭୁବନେଶ୍ୱର, ୨୫ା୭ (ସ୍ୱତନ୍ତ୍ର ପ୍ରତିନିଧି): ଆମ ଦେଶର ଭୌଗଳିକ ବିଶାଳତା ଦୃଷ୍ଟିରୁ ନ୍ୟାୟ ବ୍ୟବସ୍ଥାର ବିକେନ୍ଦ୍ରୀକରଣ ଏକାନ୍ତ ଆବଶ୍ୟକ । ଏଥିପାଇଁ ଦୀର୍ଘ ଦିନ ହେଲା ଦାବି ହେଉଥିଲେ ମଧ୍ୟ ଏ ଦିଗରେ ସରକାରଙ୍କ ଆନ୍ତରିକତାର ଅଭାବ ଜଳଜଳ ହୋଇ ଦିଶୁଛି । ସଂସଦରେ ଗୃହୀତ ୨୦୨୦ର ଏକ ସଂଶୋଧନ ପ୍ରସ୍ତାବ ଅନୁଯାୟୀ ସମ୍ବିଧାନର ଧାରା ୧୩୦ (କ) ସଂଶୋଧିତ ହୋଇଛି । ଏଥିରେ ଦିଲ୍ଲୀ ସମେତ ଦେଶର ଚାରି ପ୍ରମୁଖ ସହରରେ ସୁପ୍ରିମକୋର୍ଟଙ୍କର ଏକ ସାମ୍ବିଧାନିକ ବେଞ୍ଚ୍‌ ପ୍ରତିଷ୍ଠା କରାଯିବା ନେଇ ଉଲ୍ଲେଖ ଅଛି । ଏହି ବେଞ୍ଚ୍‌ ଗୁଡ଼ିକ ନୂଆଦିଲ୍ଲୀ, ଚେନ୍ନାଇ, କୋଲକାତା ଓ ମୁମ୍ବାଇରେ କାର୍ଯ୍ୟ କରିବ । ନୂଆଦିଲ୍ଲୀ ବେଞ୍ଚ୍‌ରେ କେବଳ ସମ୍ବିଧାନ ସମ୍ପର୍କିତ ମାମଲା ବିଚାର କରାଯିବ । ଏହାକୁ ତତ୍‌କାଳ ଲାଗୁ କରାଯିବ ବୋଲି ଉଲ୍ଲେଖ ରହିଥିଲେ ମଧ୍ୟ ପ୍ରସ୍ତାବିତ ସାମ୍ବିଧାନିକ ବେଞ୍ଚଗୁଡ଼ିକ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ ।
ସାଧାରଣତଃ ନିମ୍ନ ଅଦାଲତଙ୍କର କୌଣସି ନିଷ୍ପତ୍ତିରେ ଅସନ୍ତୁଷ୍ଟ ହେଉଥିବା ପକ୍ଷ ଏହା ବିରୋଧରେ ଅପିଲ୍‌ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥାନ୍ତି । ହାଇକୋର୍ଟଙ୍କ ରାୟରେ ଅସନ୍ତୁଷ୍ଟ ପକ୍ଷ ସୁପ୍ରିମକୋର୍ଟ ଯାଇ ଅପିଲ୍‌ କରିବାର ବ୍ୟବସ୍ଥା ରହିଛି । ଭାରତ ଭଳି ବିଶାଳ ଦେଶରେ ଦୂରତା ଓ ମାମଲା ପରିଚାଳନା ବ୍ୟୟ ଦୃଷ୍ଟିରୁ ସମସ୍ତଙ୍କ ପକ୍ଷରେ ସୁପ୍ରିମକୋର୍ଟରେ ପହଞ୍ଚିବା ସହଜ ନୁହେଁ । ତେଣୁ ନ୍ୟାୟପାଳିକାର ବିକେନ୍ଦ୍ରୀକରଣ ନିମନ୍ତେ ଉଭୟ ସୁପ୍ରିମକୋର୍ଟ ଓ ହାଇକୋର୍ଟର ସମ୍ପ୍ରସାରଣ ଅତ୍ୟନ୍ତ ଜରୁରୀ । ହେଲେ ଏ ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାର କଛପ ଗତିରେ ଚାଲିଛନ୍ତି ।
ଉଲ୍ଲେଖଯୋଗ୍ୟ, କଟକସ୍ଥିତ ହାଇକୋର୍ଟ ରାଜ୍ୟର ଉପାନ୍ତ ଅଞ୍ଚଳରୁ ବହୁ ଦୂରରେ ଅବସ୍ଥିତ ଥିବାରୁ ଲୋକେ ବହୁତ ହୀନସ୍ତା ହେଉଛନ୍ତି । ଲୋକଙ୍କ ସୁବିଧା ପାଇଁ ହାଇକୋର୍ଟଙ୍କର ଏକ ବେଞ୍ଚ ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁର କିମ୍ବା ପଶ୍ଚିମାଞ୍ଚଳର ସମ୍ବଲପୁରରେ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର କିଛି ବର୍ଷ ତଳେ ଘୋଷଣା କରିଥିଲେ । ବିଧାନସଭାରେ ମଧ୍ୟ ବିଭାଗୀୟ ମନ୍ତ୍ରୀ ଏ ସମ୍ପର୍କରେ ବିବୃତି ଦେଇଛନ୍ତି । ଏପରିକି, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଓକିଲମାନେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବହୁବାର କାର୍ଯ୍ୟବନ୍ଦ ଆନ୍ଦୋଳନ କରି କୋର୍ଟକଚେରୀ ଅଚଳ କରିଛନ୍ତି । ଓକିଲ ସଂଘ ସହ ଆଲୋଚନା କରିବା ବେଳେ ସରକାର ବେଞ୍ଚ ପ୍ରତିଷ୍ଠା କରିବାକୁ ପ୍ରତିଶ୍ରୁତି ବି ଦେଇଛନ୍ତି । ହେଲେ ବାସ୍ତବରେ ରାଜ୍ୟ ସରକାର କୌଣସି ଠୋସ୍‌ ପଦକ୍ଷେପ ନ ନେଇ ସମସଙ୍କୁ ଲଲିପପ୍‌ ଧରାଇ ସମୟ ଗଡ଼ାଇ ଚାଲିଛନ୍ତି । ସ୍ଥାୟୀ ବେଞ୍ଚ୍‌ ଦୂରେ ଥାଉ ସର୍କିଟ୍‌ ବେଞ୍ଚ୍‌ ପ୍ରତିଷ୍ଠା କରିବା ପାଇଁ ମଧ୍ୟ ପ୍ରଶାସନିକ ସ୍ତରରେ ସେଭଳି କୌଣସି ଉଦ୍ୟମ କରାଯାଉ ନାହିଁ । ୟୁପିର ଆହ୍ଲାବାଦ ସହରରେ ହାଇକୋର୍ଟ ଥିବାବେଳେ ଲକ୍ଷ୍ନୌ ସହରରେ ହାଇକୋର୍ଟ ବେଞ୍ଚ ଅନେକ ବର୍ଷ ତଳୁ କାର୍ଯ୍ୟ କରୁଛି । ସରକାର ବ୍ରହ୍ମପୁରରେ ହାଇକୋର୍ଟଙ୍କ ବେଞ୍ଚ୍‌ ପ୍ରତିଷ୍ଠା କଲେ ଦକ୍ଷିଣ ଓଡ଼ିଶାବାସୀ ଉପକୃତ ହୁଅନ୍ତେ । ସମ୍ବଲପୁରରେ ବେଞ୍ଚ୍‌ ପ୍ରତିଷ୍ଠା ହେଲେ ମଧ୍ୟ ନ୍ୟାୟ ବ୍ୟବସ୍ଥା ଅଧିକ ଲୋକାଭିମୁଖୀ ହୋଇ ପାରନ୍ତା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୮ ଜିଲ୍ଲାକୁ  ୟେଲୋ ୱାର୍ଣ୍ଣିଂ

୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Read More...

ଆଜିଠୁ ଖୋଲିବ ସ୍କୁଲ

ଆଜିଠୁ ଖୋଲିବ ସ୍କୁଲ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page