ବ୍ରହ୍ମପୁ୍ୱର,୨୩ା୫(ଅନୁପମ ମିଡ଼ିଆ): ଦୁଇ ଦଶନ୍ଧୀ ହେଲା ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳକୁ ଜାବୋଡ଼ି ଧରିଛନ୍ତି ଗଞ୍ଜାମ ଜିଲ୍ଲାବାସୀ । ଜିଲ୍ଲାର ସମସ୍ତ ବିଧାନସଭା ଆସନ ଓ ଦୁଇ ଲୋକସଭା ଆସନରେ ଦଳୀୟ ପ୍ରାର୍ଥୀ ବରାବର ଜିତି ଆସୁଛନ୍ତି । ୧୯ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଜିଲ୍ଲାରୁ ପ୍ରତିନିଧିତ୍ୱ କରି ଆସୁଛନ୍ତି । ହେଲେ ବିକାଶମୂଳକ କାର୍ଯ୍ୟ କିମ୍ବା ଭିତ୍ତିଭୂମି ବିକାଶ ପାଇଁ ଜିଲ୍ଲାରେ ସେଭଳି କିଛି ଆଖିଦୃଶିଆ ଯୋଜନା ହୋଇନାହିଁ । ରୋଜଗାର ଆଶାରେ ଏଠାକାର ଲକ୍ଷ ଲକ୍ଷ ଯୁବକ ରାଜ୍ୟ ବାହାରକୁ ଯାଇ ଦାଦାନ ଖଟୁଛନ୍ତି । ବୃହତ୍ ଜଳସେଚନ ପ୍ରକଳ୍ପ ଗଞ୍ଜାମ ଜିଲ୍ଲା ପାଇଁ ବି ଗତ ୨୦ ବର୍ଷ ହେଲା ଉଦ୍ୟମ କରାଯାଇନାହିଁ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ବହୁ ପଛରେ ପଡ଼ିଛି । ଡାକ୍ତଖାନାଗୁଡ଼ିକରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି । ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ନୂତନ ପିଏଚ୍ସି ଓ ସିଏଚ୍ସିଗୁଡ଼ିକରେ ଡାକ୍ତର ନାହାନ୍ତି । ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଅଭାବ । କଲେଜମାନଙ୍କରେ ଅଧ୍ୟାପକ ମରୁଡ଼ି । ପାନୀୟଜଳ ପାଇଁ ହଜାର ହଜାର ଗାଁଲୋକ ଡହଳବିକଳ । ଶିକ୍ଷିତ ଯୁବକଯୁବତୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗ୍ରାମାଞ୍ଚଳରୁ ଲକ୍ଷ ଲକ୍ଷ ଯୁବକ ଗୁଜରାଟର ସୁରଟ ମୁହାଁ । ସେଠାରେ ଯୁବକମାନେ ଦାଦନ ଶ୍ରମିକ ଭାବେ ଖଟୁଛନ୍ତି । ଆନ୍ଧ୍ରପ୍ରଦେଶ, କେରଳ ଓ କର୍ଣ୍ଣାଟକ ଭଳି ରାଜ୍ୟଗୁଡ଼ିକୁ ଇଟାଭାଟିରେ ଦାଦନ ଖଟିବାକୁ ବି ଯାଉଛନ୍ତି ଗଞ୍ଜାମ ଜିଲ୍ଲାରୁ ଅନେକ ବ୍ୟକ୍ତି । ଯଦି ଏଠାରେ କୃଷିଭିତ୍ତିକ ଶିଳ୍ପ, ବଡ଼ ଶିଳ୍ପାନୁଷ୍ଠାନ ଏବଂ ଯୋଜନାଭିତ୍ତିକ ପ୍ରକଳ୍ପ ନିର୍ମାଣ କରାଗଲେ ଅନ୍ତତଃପକ୍ଷେ ବେରୋଜଗାର ଯୁବକ ବାହାରକୁ ନଯାଇ ଜିଲ୍ଲାରେ ହିଁ ରୋଜଗାର ପାଇପାରନ୍ତା ବୋଲି ଆଲୋଚନା କରାଯାଉଛି । ନବୀନବାବୁ ୫ମ ଥର ପାଇଁ ଓଡ଼ିଶା ଶାସନଭାର ନେବାକୁ ଯାଉଛନ୍ତି । ରାଜ୍ୟ ସମେତ ନିଜ ଜିଲ୍ଲାର ଅଧିବାସୀ ମୁଖ୍ୟମନ୍ତ୍ରୀଙ୍କ ଉପରେ କ୍ରମାଗତ ଭାବେ ଆସ୍ଥାପ୍ରକଟ କରି ଆସୁଛନ୍ତି । ହେଲେ ସେ ଅନୁପାତରେ ଜିଲ୍ଲାର ବିକାଶ କ’ଣ ହୋଇଛି ବୋଲି ବୁଦ୍ଧିଜୀବୀମହଲରେ ପ୍ରଶ୍ନ କରାଯାଉଛି । ନବେ ଦଶକରେ ଗୋପାଳପୁରଠାରେ ଟାଟା କମ୍ପାନି ଏକ ମେଗା ପ୍ରକଳ୍ପ କରିବାକୁ ଯୋଜନା କରିବା ସହ ଅନୁ୍ୟନ ୪ହଜାର ଏକର ଜମି ଅଧିଗ୍ରହଣ କଲା । ତେବେ ଟାଟା ପ୍ରକଳ୍ପ ନିର୍ମାଣରୁ ଓହରିଗଲା । ସେଠାରେ କେବଳ ଛୋଟମୋଟ ପ୍ରଡ଼କ୍ସନ୍ ହବ୍ କରି ଟାଟା କିଛି ଗୋଟାଏ କରୁଥିବାବେଳେ ଯଦି ବଡ଼ କାରଖାନା ହୁଅନ୍ତା ତାହେଲେ ବେକାର ଯୁବକଯୁବତୀ ରୋଜଗାର ପାଇଥାନ୍ତେ । ବଡ଼ କମ୍ପାନି ହେଲେ ଛୋଟବଡ଼ କଳକାରଖାନା ବି ଆଖପାଖରେ ଗଢ଼ି ଉଠନ୍ତା । ଲୋକେ ରୋଜଗାର ପାଇବା ସହ ଆତ୍ମନିର୍ଭରଶୀଳ ହୋଇ ଉଠନ୍ତେ । କିନ୍ତୁ ନା ସରକାରୀ ନା ରାଜନୈତିକ ସ୍ତରରୁ ଏ ନେଇ ଉଦ୍ୟମ ହେଉଛି । ଏହା କେବଳ ପ୍ରତିଶ୍ରୁତିରେ ସୀମିତ ହୋଇଯାଉଥିବା ଲକ୍ଷ୍ୟ କରାଯାଉଛି ।