ନୂଆଦିଲ୍ଲୀ,୨୯ା୯: ଭାରତୀୟ ସଂସ୍କୃତିରେ ଚଳିତ ବ୍ୟବସ୍ଥା ଓ ସାମାଜିକ ସ୍ଥିତିକୁ ଆଧାର କରି ଦିନକୁ ଦିନ ନିୟମାବଳୀରେ ପରିବର୍ତ୍ତନ ହେବାରେ ଲାଗିଛି । ମନୁଷ୍ୟ ଜାତିର ଆବଶ୍ୟକତାକୁ ଆଧାର କରି ବେଳେ ବେଳେ ସରକାରୀ ସ୍ତରରେ ବହୁ ଆଇନର ସଂଶୋଧନ ମଧ୍ୟ କରାଯାଏ । ତାହା ମଧ୍ୟ ସାମ୍ବିଧାନିକ ରୀତିନୀତି ଅନୁଯାୟୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଆଇନ ପ୍ରଣୟନ କରାଯାଏ । ଏଭଳି ଏକ ଆଇନର ବହୁ ସମୀକ୍ଷା ଓ ତର୍ଜମା ପରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ତଥା ମାନ୍ୟବର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଐତିହାସିକ ରାୟ ପ୍ରକାଶ କରିଛନ୍ତି । ମହିଳା ଅଧିକାରକୁ ନେଇ ଆଜି ମାନ୍ୟବର କୋର୍ଟ କହିଛନ୍ତି ଯେ, ଦେଶରେ ରହୁଥିବା ସମସ୍ତ ମହିଳାଙ୍କର ସୁରକ୍ଷିତ ଓ ଆଇନଗତ ଉପାୟରେ ଗର୍ଭପାତ କରିବାର ଅଧିକାର ରହିଛି । ବିବାହିତ ଓ ଅବିବାହିତ ମହିଳାଙ୍କ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରିବା ଅସାମ୍ବିଧାନିକ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି ।
ଗୁରୁବାର ସୁପ୍ରିମକୋର୍ଟ ମେଡିକାଲ ଟର୍ମିନେସନ ଅଫ ପ୍ରେଗେନ୍ସି(ଏମଟିପି) ବା ଗର୍ଭପାତ ଅଧିକାର ଉପରେ ଶୁଶାଣି କରିଛନ୍ତି । ଏହି ସମୟରେ ମାନ୍ୟବର କୋର୍ଟ କହିଛନ୍ତି, ଏମଟିପି ଆକଫ ଅଧୀନରେ ଅବିବାହିତ ମହିଳାଙ୍କର ଗର୍ଭପାତ କରିବାର ଅଧିକାର ରହିଛି । ବିବାହିତ ଓ ଅବିବାହିତ ମହିଳାଙ୍କ ମଧ୍ୟରେ କୌଣସି ପ୍ରକାରର ପାତରଅନ୍ତର କରାଯାଇ ପାରିବ ନାହିଁ । ଭାରତରେ ପ୍ରଚଳିତ ଗର୍ଭପାତ ଆଇନରେ ମଧ୍ୟ ବିବାହିତ ଓ ଅବିବାହିତ ମହିଳାଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଗର୍ଭପାତ ପାଇଁ ବୈବାହିକ ଦୁଷ୍କର୍ମକୁ ଦୁର୍ଷ୍କମ ମଧ୍ୟରେ ଗଣାଯାଇ ପାରିବ ବୋଲି କୋର୍ଟ କହିଛନ୍ତି । ଏହାର ଅର୍ଥ ବିବାହିତ ମହିଳା ବୈବାହିକ ଦୁଷ୍କର୍ମର ଶିକାର ହେଲେ ଗର୍ଭପାତ କରାଇ ପାରିବେ । କୋର୍ଟ ଆହୁରି କହିଛନ୍ତି, ଏକକ କିମ୍ବା ଅବିବାହିତ ମହିଳାଙ୍କୁ ୨୦ରୁ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ ପାଇଁ ବାରଣ କରିବା ଓ ବିବାହିତ ମହିଳାଙ୍କୁ ଏଥିପାଇଁ ଅନୁମତି ଦେବା ଧାରା ୧୪ ବା ମୌଳିକ ଅଧିକାରର ମୂଳ ଭାବନାକୁ କ୍ଷତି ପହଞ୍ଚାଇବା ସହ ସମାନ । ଗର୍ଭପାତପାଇଁ ମହିଳାଙ୍କ ବୈବାହିକ ସ୍ଥିତିକୁ ବିଚାର କରାଯିବ ନାହିଁ । ଇଚ୍ଛା ନଥିବା ଗର୍ଭକୁ ଜଣେ ଅବିବାହିତ ମହିଳା ଚାହିଁଲେ ନଷ୍ଟ କରିପାରିବେ । ଏକକ ଓ ଅବିବାହିତ ମହିଳାମାନେ ଏମଟିପି ଆଇନ ଓ ନିୟମ ଅନୁସାରେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିପାରିବେ । ବାହାଘର ଜଣେ ବ୍ୟକ୍ତିଙ୍କର ଅଧିକାର ପାଇଁ ଏକ ପ୍ରାକ୍ ସର୍ତ୍ତ ବୋଲି ପୂର୍ବରୁ ଥିବା ବିଚାରବୋଧକୁ ଆଧୁନିକ ଆଇନ ବଦଳାଇ ସାରିଛି । ଏମଟିପି ଆଇନ ଆଜିର ବାସ୍ତବତାକୁ ବୁଝିବା ଦରକାର ଓ ପୁରୁଣା ନିୟମରେ ଏହା ବାନ୍ଧି ହୋଇ ରହିବା ଅନୁଚିତ । ଆଇନ କେବେ ହେଲେ ସ୍ଥିର ହୋଇ ରହିବା କଥା ନୁହେଁ ଓ ସାମାଜିକ ବାସ୍ତବତାକୁ ନଜରେ ରଖି ଏହା ପରିବର୍ତ୍ତନଶୀଳ ହେବା ଉଚିତ । ଅସୁରକ୍ଷିତ ଗର୍ଭପାତ ଉପରେ ଚିନ୍ତା ପ୍ରକଟ କରି ସୁପ୍ରିମକୋର୍ଟ କହିଛନ୍ତି, ଅସୁରକ୍ଷିତ ଗର୍ଭପାତ ଏବେ ବି ମାତୃମୃତ୍ୟୁହାରର ତୃତୀୟ ସର୍ବାଧିକ କାରଣ ସାଜିଛି । ଭାରତରେ ୬୦% ଗର୍ଭପାତ ଅସୁରକ୍ଷିତ ଉପାୟରେ କରାଯାଉଛି । ସୁରକ୍ଷିତ ଗର୍ଭପାତ ସେବା ଯୋଗାଇ ଦେବାକୁ ମନା କରିବା ଓ କଟକଣା ଯୁକ୍ତ ଗର୍ଭପାତ କରିବା ଅସୁରକ୍ଷିତ ଗର୍ଭପାତ ବିବାର ମୁଖ୍ୟକାରଣ ।
ବିବାହିତ ମହିଳାମାନେ ମଧ୍ୟ ଯୌନ ନିର୍ଯାତନା କିମ୍ବା ଦୁଷ୍କର୍ମ ବର୍ଗର ପୀଡ଼ିତାଙ୍କ ଅଂଶବିଶେଷ । ଇଚ୍ଛା ନଥାଇ ମଧ୍ୟ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ସହ ଶାରୀରିକ ସମ୍ପର୍କ ରଖି ଗର୍ଭବତୀ ହେଉଛନ୍ତି । ତେଣୁ ଯଦି ଜଣେ ବିବାହିତ ମହିଳା କିମ୍ବା ଅବିବାହିତ ମହିଳା ଗର୍ଭପାତ କରିବାକୁ ଚାହୁଁଛନ୍ତି, ତା’ହେଲେ ବିନା ଦୁଷ୍କର୍ମ ମାମଲା ରୁଜୁ କରି ଏହା କରାଯାଇ ପାରିବ । ଯଦି ଜଣେ ମହିଳା ନିଜର ସ୍ୱାମୀ କିମ୍ବା ଅନ୍ୟ ଯେକୌଣସି ବ୍ୟକ୍ତିଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଦାବି କରୁଛନ୍ତି, ତା’ହେଲେ ବିନା ଏଫଆଇଆରରେ ସୁରକ୍ଷିତ ଗର୍ଭପାତ କରାଯାଇ ପାରିବ ବୋଲି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି । କୋର୍ଟ ଆହୁରି କହିଛନ୍ତି, ପୋକ୍ସୋ ଆକଫ ଅଧୀନରେ ଯଦି ଜଣେ ନାବାଳିକା ଗର୍ଭପାତ କରାଇବାକୁ ଚାହୁଁଛନ୍ତି, ତା’ହେଲେ ପଞ୍ଜୀକୃତ ମେଡିକାଲ କର୍ମଚାରୀ ତାଙ୍କ ପରିଚୟ ସାର୍ବଜନୀନ କରିବାର ଆବଶ୍ୟକ ନାହିଁ ।