ଅଭିନବ ଉପାୟରେ ଲୁଟୁଥିବା ଯୁବକ ଗିରଫ

June 16, 2019, ଓଡ଼ିଶା, , Anupambharat News Bureau


ଅଭିନବ ଉପାୟରେ ଲୁଟୁଥିବା ଯୁବକ ଗିରଫ
Anupambharat News Bureau
June 16, 2019

ଭଦ୍ରକ,୧୬ା୬ (ଅନୁପମ ମିଡିଆ): ଗତ କିଛିଦିନ ଧରି ଭଦ୍ରକ ଜିଲାର ବିଭିନ୍ନ ବ୍ୟାଙ୍କ ଓ ବସ୍‌ଷ୍ଟାଣ୍ଡ ନିକଟରୁ ମହିଳାମାନଙ୍କ ଠାରୁ ଅଭିନବ ଭାବେ ଟଙ୍କା ଲୁଟ୍‌ କରିଆସୁଥିବା ଜଣେ ଯୁବକକୁ ଆଜି ସହରାଞ୍ଚଳ ଥାନା ପୁଲିସ୍‌ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ତେବେ ଆଜି ସକାଳେ ଏହି ଯୁବକ ଜଣକ ଜଣେ ମହିଳାଙ୍କ ନିକଟରୁ ଏକ ସୁନାହାର ଓ ଟଙ୍କା ଲୁଟିନେବା ପରେ ସହରାଞ୍ଚଳ ଥାନାଧିକାରିଣୀ ସରୋଜିନୀ ସିଂ ପୂର୍ବ ବ୍ୟାଙ୍କ ଲୁଟ୍‌ ସମୟର ସିସି କ୍ୟାମେରା ଫୁଟେଜ୍‌ ଫଟୋ ଆଧାରରେ ଚିହ୍ନଟ କରି ବିଭିନ୍ନ ସ୍ଥାନରେ ଚଢାଉ କରୁଥିବାବେଳେ ସହୀଦ ସ୍ମୃତି ଭବନ ସମ୍ମୁଖରେ ଧରାପଡିଥିଲା । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଜିଲାର ନାୟକାଣୀଡିହି ଥାନା ଅଧୀନସ୍ଥ ଗୋପାଳପୁର ଗ୍ରାମ ନିବାସୀ ପରମାନନ୍ଦ ବିଶ୍ୱାଳ ନାମକ (୪୦) ଯୁବକ ଜଣକ ନିଜ ମୋଟର ସାଇକେଲ୍‌ରେ ହେଲମେଟ୍‌ ପିନ୍ଧି କେବଳ ମହିଳାମାନଙ୍କ ଠାରୁ ଏହି ଟଙ୍କା ଓ ଗହଣା ଲୁଟ୍‌ କରିଥାଏ । ଏଥିପାଇଁ ସେ ସେମାନଙ୍କ ସହ ବେଶ୍‌ ନିବିଡ ସଂପର୍କ ଥିବାର ଆଳରେ ମନ ଭୁଲାଣିଆ କଥା କହି ଏହି କାର୍ଯ୍ୟ କରିଥାଏ । ଗତମାସ ୩୧ ତାରିଖ ଦିନ ଧୁଷୁରୀ ଥାନା ଅଧୀନସ୍ଥ କୋଠାର ଛନ୍ଦାସାହି ଗ୍ରାମନିବାସୀ ରଂଜନ ନାୟକଙ୍କ ପତ୍ନୀ କଳ୍ପନା ଭଦ୍ରକ ସହରର ଅପର୍ତ୍ତିବିନ୍ଧା ଟ୍ୟାକ୍ସିଷ୍ଟାଣ୍ଡ ନିକଟରେ ଥିବା ବ୍ୟାଙ୍କ ଅଫ୍‌ ଇଣ୍ଡିଆରୁ ୫୫ ହଜାର ଟଙ୍କା ଉଠାଇ ବ୍ୟାଙ୍କ ଭିତରେ ବସିଥିବା ସମୟରେ ସେଠାରେ ପୂର୍ବରୁ ଥିବା ପରମାନନ୍ଦ ତାଙ୍କ ସ୍ୱାମୀଙ୍କ ସହ ସଂପର୍କ ଥିବା ଆଳରେ ଭାଉଜ ବୋଲି କହି ଅଭିନବ ଭାବେ ଉକ୍ତ ଟଙ୍କା ବ୍ୟାଙ୍କ ମଧ୍ୟରୁ ଲୁଟି ଫେରାର ହୋଇଯାଇଥିଲା । ଏହି ଘଟଣାରେ ଥାନାଧିକାରିଣୀ ଶ୍ରୀମତୀ ସିଂ ବ୍ୟାଙ୍କର ସିସିଟିଭି ଫୁଟେଜ୍‌ର ଫଟୋ ଦେଖି ସଂପୃକ୍ତ ଯୁବକକୁ ଖୋଜିବା ମଧ୍ୟରେ ସେ ପୁନର୍ବାର ବାଇପାସ୍‌ ସ୍ଥିତ ପଂଜାବ ନ୍ୟାସ୍‌ନାଲ ବ୍ୟାଙ୍କ ନିକଟରେ ଜଣେ ମହିଳାଙ୍କ ଠାରୁ ୨୦ ହଜାର ଟଙ୍କା ଓ ଅନ୍ୟ ଜଣେ ମହିଳାଙ୍କ ଠାରୁ ୫ ହଜାର ଟଙ୍କା ଭଉଣୀ ସଂପର୍କ ଯୋଡି ଲୁଟିବାରେ ସକ୍ଷମ ହୋଇଥିଲା । ତେବେ ଆଜି ସକାଳେ ଆରଡି ନିବାସୀ ସନ୍ତୋଷ ପଣ୍ଡାଙ୍କ ପତ୍ନୀ ଭାରତୀ ରଜ ଉପଲକ୍ଷେ ନିଜ ପିତ୍ରାଳୟ ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ଚେକାପଥର ଗ୍ରାମକୁ ଯିବାପାଇଁ ୩ ଝିଅଙ୍କ ସହ ବସ୍‌ରେ ଆସି ସକାଳ ୭.୪୦ ସମୟରେ ବନ୍ତଛକ ବସ୍‌ଷ୍ଟାଣ୍ଡରେ ଓହ୍ଲାଇଥିଲେ । ତେବେ ସେହି ସମୟରେ ପରମାନନ୍ଦ ନିଜର ପୂର୍ବ କୌଶଳ ଅନୁସାରେ ବାଇକ୍‌ରେ ଆସି ଭାରତୀଙ୍କୁ ନ୍ତଭାଉଜ, ଆଜି ଭାଇ କଣ ସାଙ୍ଗରେ ଆସିନାହାଁନ୍ତି, ଆସ ଜଳଖିଆ ଖାଇବା’ ବୋଲି ଡାକିଥିଲା । ସେହି ସମୟରେ ଭାରତୀ ତାକୁ ନଚିହ୍ନିଥିବାରୁ ଦୋ ଦୋ ପାଞ୍ଚ ହେଉଥିବାବେଳେ ପରମାନନ୍ଦ ନିଜର କୁଟବୁଦ୍ଧିରେ ତାଙ୍କର ୩ ଝିଅକୁ ନ୍ତକଣ ପିଲାମାନେ ତୁମେ କଣ ଅଂକଲକୁ ଚିହ୍ନିପାରୁନାହଁ, ମୁଁ ପରା ତୁମ ଘରକୁ ୨-୩ ଥର ଯାଇଛି’ । ଭାରତୀ ଏ କଥା ଶୁଣି ଯୁବକ ଜଣକ ତାଙ୍କ ସ୍ୱାମୀଙ୍କ ଚିହ୍ନା ଲୋକ ହୋଇଥିବାର ଭାବି କଥା ହେଉଥିବାବେଳେ ପରମାନନ୍ଦ ପୁନର୍ବାର ନ୍ତଭାଉଜ ଆଜି ରଜରେ ବ୍ୟାଗ୍‌ରେ କଣ ଖାଇବା ଜିନିଷ ଆଣିଛ’ ବୋଲି କହି ଭ୍ୟାନିଟି ବ୍ୟାଗ୍‌ଟିକୁ ହାତରୁ ଟାଣିନେଇଥିଲା । ଏହି ସମୟରେ ଭାରତୀଙ୍କ ସାନଝିଅ ରାସ୍ତା ମଝିକୁ ଚାଲିଯିବାରୁ ସେ ତାକୁ ଆକଟ କରିବା ମଧ୍ୟରେ ପରମାନନ୍ଦ ଭ୍ୟାନିଟି ବ୍ୟାଗ୍‌ରେ ଥିବା ପ୍ରାୟ ୧ ଭରିର ସୁନାହାର ଓ ଟଙ୍କା ଲୁଟି ନେଇ ବାଇକ୍‌ରେ ପଳାଇଥିଲା । ଫଳରେ ଭାରତୀ ନିଜର ଗହଣା ଓ ଟଙ୍କା ଲୁଟ୍‌ ହୋଇଯିବାରୁ କାନ୍ଦୁଥିବାବେଳେ ଖବର ପାଇ ଶ୍ରୀମତୀ ସିଂ ସେଠାରେ ପହଞ୍ଚି ଥାନାକୁ ନେଇ ପୂର୍ବ ଲୁଟ୍‌ର ଫଟୋରୁ ଯୁବକ ଜଣକ ଏକା ବୋଲି ଜାଣିବାକୁ ପାଇଥିଲେ । ପରେ ଏକ ମାମଲା ରୁଜୁ ପରେ ଶ୍ରୀ ସିଂ ବିଭିନ୍ନ ସ୍ଥାନ ତଲାସି ସମୟରେ ସହୀଦ ସ୍ମୃତି ଭବନ ରାସ୍ତାରେ ତାଙ୍କ ଗାଡିକୁ ଓଭରଟେକ୍‌ କରି ଯାଉଥିବା ପରମାନନ୍ଦକୁ ଦେଖି ସନ୍ଦେହରେ ଅଟକାଇ ହେଲମେଟ୍‌ କାଢିବାରୁ ସମସ୍ତ ରହସ୍ୟ ଜଣାପଡିଥିଲା । ତେବେ ଆଜି ଚୋରି ହୋଇଥିବା ହାରଟିକୁ ପରମାନନ୍ଦ ୟୁକୋ ବ୍ୟାଙ୍କ ଗଳିରେ ଥିବା ତାରିଣୀ ଜୁଏଲାର୍ସରେ ତରଳାଇ ଥିବାର ଜାଣି ପୁଲିସ୍‌ ଜଣେ କର୍ମଚାରୀଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି । ଅନ୍ୟ ଘଟଣା ଗୁଡିକୁ ନେଇ ଶ୍ରୀମତୀ ସିଂ ଆଜି ରାତିରେ ପରମାନନ୍ଦ ସହ ତାର ଗ୍ରାମ ଓ ଅନ୍ୟ ସ୍ଥାନରେ ଚଢାଉ କରୁଥିବାର ଜଣାପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ସ୍ୱତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା

ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ସ୍ୱତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା

Read More...

ଋଣଭାର ସହିନପାରି ଚାଷୀଙ୍କ ଆତ୍ମହତ୍ୟା

ଋଣଭାର ସହିନପାରି ଚାଷୀଙ୍କ ଆତ୍ମହତ୍ୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page