ହୀରାକୁଦ ନଦୀବନ୍ଧରେ ଜଳମଗ୍ନ ୧୧୨ ମନ୍ଦିର

June 17, 2019, ଓଡ଼ିଶା, , Anupambharat News Bureau


ହୀରାକୁଦ ନଦୀବନ୍ଧରେ ଜଳମଗ୍ନ ୧୧୨ ମନ୍ଦିର
Anupambharat News Bureau
June 17, 2019

ସମ୍ବଲପୁର,୧୭ା୬ (ଅନୁପମ ମିଡିଆ): ସ୍ୱାଧୀନ ଭାରତର ସର୍ବପ୍ରଥମ ବୃହତ୍‌ ନଦୀବନ୍ଧ ହୀରାକୁଦ ବନ୍ଧର ନିର୍ମାଣ କାର୍ଯ୍ୟ୧୯୫୬ ମସିହାରେ ସଂପୂର୍ଣ୍ଣ ହୋଇଥିଲା । ଏହାର ୬୩ ବର୍ଷ ପରେ ମଧ୍ୟ ଅନେକ ଉଦ୍‌ବାସ୍ତୁ ପରିବାର ଏଯାବତ୍‌ କ୍ଷତିପୂରଣ ରାଶି ପାଇନାହାନ୍ତି । ଅନେକ ପରିବାର ଢ଼େର କିଛି ହରାଇଥିଲେ ହେଁ ସେ ତୁଳନାରେ ଅତି ନଗଣ୍ୟ ହାରରେ କ୍ଷତିପୂରଣ ରାଶି ପ୍ରାପ୍ତ କରି ଅତି ଦୟନୀୟ ଅବସ୍ଥାକୁ ଖସି ଆସିଛନ୍ତି । ମଣିଷ ତ ମଣିଷ ଦେବତାମାନେ ମଧ୍ୟ ନିଜର ଯଥାର୍ଥ ପ୍ରାପ୍ୟ ପାଇନାହାନ୍ତି । ଜମି, ଘର, ଗଛ ଆଦି ସବୁପ୍ରକାର ସମ୍ପତ୍ତି ପାଇଁ କ୍ଷତିପୂରଣ ରାଶି ନିର୍ଦ୍ଧାରିତ ହୋଇଥିଲା । ଏହି କ୍ରମରେ ମନ୍ଦିର ପାଇଁ ମଧ୍ୟ କ୍ଷତିପୂରଣର ବ୍ୟବସ୍ଥା କରାଯାଇଥିଲା । ତେବେ, ଦୁର୍ଭାଗ୍ୟଜନକ ଭାବରେ ବହୁ ମନ୍ଦିରର ନିର୍ମାତା ବା ହକ˜ାରଙ୍କ ସମ୍ପର୍କରେ ଜଣାନପଡ଼ିବାରୁ ବା ଚିହ୍ନଟ କରାଯାଇ ନପାରିବାରୁ କ୍ଷତିପୂରଣ ରାଶି କାହାକୁ ଦିଆଯିବ ତାହା ସ୍ଥିର ହୋଇପାରିଲା ନାହିଁ । ତେଣୁ ଉକ୍ତ ମନ୍ଦିରଗୁଡ଼ିକ ବାବଦରେ କ୍ଷତିପୂରଣ ରାଶି ଦିଆଯାଇପାରିଲା ନାହିଁ । କେତୋଟି ମନ୍ଦିର ବାବଦରେ ଅବଶ୍ୟ କ୍ଷତିପୂରଣ ରାଶି ପ୍ରଦାନ କରାଗଲା ଓ ଉକ୍ତ ରାଶିରେ ନୂତନ ଥଇଥାନ କ୍ଷେତ୍ରରେ ନୂଆ ମନ୍ଦିର ନିର୍ମାଣ କରାଗଲା । ହୀରାକୁଦ ନଦୀବନ୍ଧରେ ପ୍ରକୃତରେ କେତୋଟି ମନ୍ଦିର ଜଳମଗ୍ନ ହେଲା ତାହା ନିର୍ଦ୍ଦିଷ୍ଟ ଭାବରେ କୁହାଯାଇ ପାରୁନାହିଁ । ହୀରାକୁଦ ବନ୍ଧ ପାଇଁ ମୋଟ ୨୪୯ ଟି ଗ୍ରାମର ୨୨ ହଜାର ପରିବାର ଉଦ୍‌ବାସ୍ତୁ ହୋଇଥିଲେ । ପ୍ରାୟ ପ୍ରତ୍ୟେକ ଗ୍ରାମରେ ମନ୍ଦିର ଥିଲା । କେତୋଟି ବୃହତ୍‌ ଗ୍ରାମରେ ୩ ରୁ ୫ଟି ମନ୍ଦିର ଥିବାବେଳେ ଆଉ କୋତୋଟି ଗ୍ରାମରେ ୨ଟି ବା ସର୍ବନିମ୍ନ ଅନ୍ତତଃ ପକ୍ଷେ ଗୋଟିଏ ମନ୍ଦିର ଥିଲା । ଏହି ଦୃଷ୍ଟିରୁ ଜଳମଗ୍ନ ମନ୍ଦିରର ସଂଖ୍ୟା ଅଧିକ ହେବ ବୋଲି କୁହାଯାଉଥିଲେ ହେଁ ରେକର୍ଡ଼ ଅନୁସାରେ ମାତ୍ର ୧୧୨ଟି ମନ୍ଦିର ହୀରାକୁଦ ବନ୍ଧ ଯୋଗୁଁ ପ୍ରଭାବିତ ହେ ।ଇଥିବା ଦର୍ଶାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟ ମନ୍ଦିର ବାବଦରେ ପ୍ରଦତ୍ତ କ୍ଷତିପୂରଣ ରାଶିରେ ୨୭ଟି ନୂତନ ଥଇଥାନ କ୍ଷେତ୍ରରେ ନୂତନ ମନ୍ଦିର ନିର୍ମାଣ କରାଯାଇଥିଲା । ଦୀର୍ଘ ବର୍ଷ ପରେ ଆଉ କେତୋଟି ମନ୍ଦିର ତିଆରି କରାଯାଇଛି । ଏପରିକି ୪ ବର୍ଷ ତଳେ ମଧ୍ୟ ବିକଳ୍ପ ମନ୍ଦିର ନିର୍ମାଣ କରାଯାଇ ବୁଡ଼ି ଅଞ୍ଚଳର ଦେବତାଙ୍କୁ ସ୍ଥାପିତ କରାଯାଇଛି । ନଚେତ୍‌ କେଉଁ ବିଗ୍ରହ କାହାଘରେ ତ ଆଉ କେଉଁ ବିଗ୍ରହ ଅନ୍ୟ କୌଣସି ମନ୍ଦିରରେ ବର୍ଷ ବର୍ଷ ଧରି କୁଣିଆ ରହି ପୂଜା ପାଉଥିଲେ । ୩୫ଟି ବୁଡ଼ି ମନ୍ଦିରର ଭାଗ୍ୟ ଏଯାଏଁ ଉଦୟ ହୋଇନାହିଁ । ଅର୍ଥାତ୍‌ ୩୫ଟି ମନ୍ଦିର ନିର୍ମିତ ହୋଇନାହିଁ । ଏହା ମଧ୍ୟରେ ଭଟଲିର ରାଧାକୃଷ୍ଣ, ଲରଭଙ୍ଗାର ଅନନ୍ତ ଜୀଉ, କୁର୍ଲାର ଶ୍ରୀଜଗନ୍ନାଥ, ସାଲଡ଼ର ହନୁମାନ, ତଲାଡ଼ିହିର ଠାକୁର, କଦମଡ଼ିହିର ସମଲେଶ୍ୱରୀ, ଅନ୍ଧାରିପାଟର ମୁକ୍ତେଶ୍ୱର, ଉର୍ଡ଼ାର ରାମଚନ୍ଦ୍ର, ବୁଦେଲସିଂହାର ସମଲେଶ୍ୱରୀ ଆଦି ମନ୍ଦିର ଅଛି । ଯେଉଁ ମନ୍ଦିରର କ୍ଷତିପୂରଣ ରାଶି ଦିଆଯାଇ ପାରିଲା ନାହିଁ ଓ ଯେଉଁ ମନ୍ଦିରର କେହି ଦାବିଦାର ବାହାରିଲେ ନାହିଁ ବା ପ୍ରାପକଙ୍କୁ ଚିହ୍ନଟ କରାଯାଇ ପାରିଲା ନାହିଁ ସେଭଳି ମନ୍ଦିରର ଠାକୁରମାନଙ୍କୁ ବର୍ଷ ବର୍ଷ ଧରି ସମ୍ବଲପୁରରେ ରେକର୍ଡ଼ ରୁମ୍‌ରେ ବସ୍ତା ଭିତରେ ପୂରାଇ ରଖାଯାଇଥିଲା । କିଛି ବର୍ଷ ତଳେ ଦୈନିକ ଅଗ୍ନିଶିଖାରେ ଏନେଇ ଆଲୋଚନା କରାଯାଇ ଦୁଃଖପ୍ରକାଶ କରାଯିବା ପରେ ଠାକୁରମାନଙ୍କୁ ବସ୍ତାମୁକ୍ତ କରାଯାଇ ସ୍ଥାନୀୟ ବହିଦାର ମଠସ୍ଥିତ ରଘୁନାଥ ଜୀଉ ମନ୍ଦିରରେ ରଖିବାର ବ୍ୟବସ୍ଥା ହେଲା । ଏବେ ମଧ୍ୟ ବୁର୍ଦାର ଗୋପାଳଜୀଉ, ନୁନିଆ ମହୁଲପାଲିର ଶ୍ରୀଜଗନ୍ନାଥଙ୍କ ବିଗ୍ରହ ରଘୁନାଥଜୀଉ ମନ୍ଦିରରେ ରହି ପୂଜା ପାଉଛନ୍ତି । ହୀରାକୁଦ ନଦୀବନ୍ଧ ନିର୍ମାଣ ସମୟରେ ଜଳମଗ୍ନ ମନ୍ଦିର କମିଟି ଗଠନ କରାଯାଇଥିଲା । ସମ୍ବଲପୁର ଜିଲାପାଳଙ୍କୁ ଏହାର ଅଧ୍ୟକ୍ଷ କରାଯାଇଥିଲା । ତେବେ ବର୍ତ୍ତମାନ ମଧ୍ୟ ଏହି କମିଟି ପାଖରେ ଜଳବୁଡ଼ି ମନ୍ଦିର ଗୁଡ଼ିକର କ୍ଷତିପୂରଣ ରାଶି ବାବଦ ୧୧ ଲକ୍ଷରୁ ଉର୍ଦ୍ଧ୍ୱ ରହିଛି । କିନ୍ତୁ ଯେଉଁ ମନ୍ଦିର ଗୁଡ଼ିକର ପୁନଃନିର୍ମାଣ ହେ ।ଇନାହିଁ ସେବାବଦରେ କେହି ଚିନ୍ତା କରୁନାହାନ୍ତି । ଉଦ୍‌ବାସ୍ତୁମାନେ ରହୁଥିବା ଯୁଯୋମୁରା ଥାନା ଅନ୍ତର୍ଗତ ଠାକୁରମାଲରେ ପ୍ରତିଷ୍ଠିତ ଜଗନ୍ନାଥ ମନ୍ଦିରର ରଥଯାତ୍ରା ପାଇଁ ଏହି କମିଟି ଅର୍ଥରୁ ବାର୍ଷିକ ହଜାରେ ଟଙ୍କା ଅନୁଦାନ ରାଶି ଦିଆଯାଉଛି । ପୂର୍ବରୁ ଏହା ମାତ୍ର ପାଞ୍ଚ ଶହ ଟଙ୍କା ଥିବାବେଳେ କିଛି ବର୍ଷ ହେବ ଏହାକୁ ଦ୍ୱିଗୁଣିତ କରାଯାଇଛି । ଏବେବି ହୀରାକୁଦ ନଦୀବନ୍ଧରେ ଜଳମଗ୍ନ କେତେକ ମନ୍ଦିରର ବିଗ୍ରହ ପୂଜକଙ୍କ ଘରେ ମଧ୍ୟ ରହି ପୂଜା ପାଉଛନ୍ତି । ତେବେ, ମନ୍ଦିର ନିର୍ମାଣ କରିବାକୁ ଆବଶ୍ୟକୀୟ ଅର୍ଥ ଯୋଗାଡ଼ ହୋଇପାରୁନଥିବା ବୁଡ଼ି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 କେନ୍ଦୁଝର ସବ୍‌ଡିଭିଜନ୍‌କୁ ପୁର୍ନଗଠନ ଦାବୀ

କେନ୍ଦୁଝର ସବ୍‌ଡିଭିଜନ୍‌କୁ ପୁର୍ନଗଠନ ଦାବୀ

Read More...

ମାଟି ଖୋଳିବା ହେଲା କାଳ, ବିଦ୍ୟୁତ ଆଘାତରେ ୨ ମୃତ

ମାଟି ଖୋଳିବା ହେଲା କାଳ, ବିଦ୍ୟୁତ ଆଘାତରେ ୨ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page