ଭୁବନେଶ୍ୱର, ୨୯ ।୧୦ (ଅନୁପମ ମିଡିଆ): ଓଡିଶାର କୋରାପୁଟ ଜିଲ୍ଲାରେ ସେଣ୍ଟ୍ରାଲ ଇନ୍ଷ୍ଟିଚୁ୍ୟଟ ଅଫ ପ୍ଳାଷ୍ଟିକ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନଲୋଜି (ସିପେଟ୍)ର ଆଉ ଏକ କ୍ୟାମ୍ପସ୍ ଖୋଲାଯିବ ବୋଲି ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ରସାୟନିକ ଓ ସାର ମନ୍ତ୍ରଣାଳୟର ସଚିବ ପି . ରାଘବେନ୍ଦ୍ର ରାଓ ପ୍ରକାଶ କରିଛନ୍ତି ।
ମଙ୍ଗଳବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀଙ୍କ ସହ ସେ ଆଲୋଚନା କରିଥିଲେ । ରାଓ କହିଥିଲେ ଯେ ଭୁବନେଶ୍ୱର ଠାରୁ କୋରାପୁଟ କ୍ୟାମ୍ପସ୍ ବଡ ଧରଣର ହେବ । ନଭେମ୍ବର ୧୧ ଓ ୧୨ ତାରିଖ ଦୁଇ ଦିନ ଧରି ମୁମ୍ବାଇରେ ଆନ୍ତର୍ଜାତୀୟ ପେଟ୍ରୋକେମିକାଲ ସମ୍ମିଳନୀ ହେବ । ସମ୍ମିଳନୀ ପରେ କୋରାପୁଟ ସିପେଟ୍ର ଚୂଡାନ୍ତ ରୂପ ଉପରେ ନିଷ୍ପତ୍ତି ନିଆଯିବ । ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ଓଡିଶା ସରକାରଙ୍କୁ ସେ ଆମନ୍ତ୍ରଣ କରିଥିବା କହିଛନ୍ତି ।