ସୁକିନ୍ଦା, ୧ା୧୧(ଅନୁପମ ମିଡିଆ)ସୁକିନ୍ଦା ଥାନା ଅନ୍ତର୍ଗତ ସୁକିନ୍ଦାଗଡ ଗ୍ରାମ ସ୍ଥିତ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ମୁଖଶାଳା ନିକଟରୁ ଚୋରୀ ହୋଇଯାଇଥିବା ଗରୁଡଙ୍କ ମୂର୍ତ୍ତୀ ଶୁକ୍ରବାର ସେହି ମନ୍ଦିର ପରିସରରେ ଥିବା କୂଅ ଭିତରୁ ସୁକିନ୍ଦା ଦମକଳ ବାହିନୀର ସହାୟତାରେ ଉଦ୍ଧାର କରାଯାଇଛି । ଗତକାଲି ରାତ୍ରୀରେ ଏହି ମୂର୍ତ୍ତୀ ଉକ୍ତ କୂଅରେ ପଡିଥିବା ପୋଲିସ ଖବର ପଇବା ପରେ ଦମକଳ ବାହିନୀର ସହାୟତା ଲୋଡିଥିଲା ।ତେବେ ରାତ୍ରୀ ଅନେକ ହୋଇଯାଇଥିବା କାରଣରୁ ଆଜି ଦମକଳ ବାହିନୀର ଭାରପ୍ରାପ୍ତ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ସକାଳ ସମୟରେ ଉକ୍ତ କୂଅରେ ପଶି ମୂର୍ତ୍ତୀକୁ ଉଦ୍ଧାର କରାଯାଇଥିଲା ।ଜଣେ ମାନସିକ ରୋଗୀ ଏହି କାଣ୍ଡ ଭିଆଇଥିବା ପୋଲିସ ସମ୍ମୁଖରେ ମାନିଥିବା ଜଣାପଡିଛି । ତେବେ ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।କାରଣ ଉକ୍ତ ମୂର୍ତ୍ତୀଟିର ଓଜନ ପାଖାପାଖି ୪୦ କିଲୋ ହୋଇଥିବା ବେଳେ ଜଣେ ଦୂର୍ବଳ ଶରୀରଧାରୀ ମାନସିକ ରୋଗୀ ସୁ-ଉଚ୍ଚ ଅରୁଣ ଖମ୍ବ ଉପରକୁ ଚଢି ଏହାକୁ ଅକ୍ଷତ ଅବସ୍ଥାରେ କୂଆରେ ପକାଇ ପାରିବା ଅସମ୍ଭବ ଅଟେ ।ଅନ୍ୟପକ୍ଷରେ ଏହାକୁ ଉଦ୍ଧାର କରିବା ସମୟରେ ଦମକଳ ବାହିନୀର ସୁରେଶ କୁମାର ଦେହୁରୀ ,ଅମୀୟ ଦଳାଇ ଏବଂ ଗଗନ କୁମାର ଦାସ ପ୍ରମୁଖ ତିନି ଜଣ କର୍ମଚାରୀ ବହୁ କଷ୍ଟ ସ୍ୱୀକାର କରିଥିଲେ ।ଆହୁରି ମଧ୍ୟ ଉକ୍ତ କୂଅରୁ ସବୁଦିନ ପୂଜକ ସେଠାରୁ ପୂଜା ଏବଂ ରୋଷେଇ ନିମନ୍ତେ ପାଣି ସଂଗ୍ରହ କରିଥାନ୍ତି ।ତେଣୁ ପାଣି ଆଣିବା ସମୟରେ ବ୍ୟବହାର କରାଯାଉଥିବା ବାଲଟି ଉକ୍ତ ମୂର୍ତ୍ତୀ ରେ ନିଶ୍ଚୟ ବାଜିଥାନ୍ତା ଏବଂ ତାହାର ଉପସ୍ଥିତି ଜଣାପଡିଥାନ୍ତା ବୋଲି ଖୋଦ ପୂଜକ ହୃଦାନନ୍ଦ ପଣ୍ଡା କହିଛନ୍ତି । ତେଣୁ ପୋଲିସ ଅଧିକାରୀ ଅଯଥା ଝିନଝଟ ମଧ୍ୟକୁ ନଯାଇ ଏହାର ଅଧିକ ତଦନ୍ତ କରିବାକୁ ଚାହୁଁ ନଥିବା ସାଧାରଣରେ ଆଲୋଚନା ହେଉଛି । ଗଣ ମାଧ୍ୟମରେ ଏହି ଖବର ପ୍ରସାରଣ ପରେ ଭୟପାଇ ଦୂର୍ବୁର୍ତ୍ତ ମାନେ ହିଁ ଉକ୍ତ ମାନସିକ ରୋଗୀଙ୍କୁ ପ୍ରଲୋଭନ ଦେଖାଇ ଏପରି କରାଇଥିବା ଆଲୋଚନା ହେଉଛି ।ତେଣୁ ଏହାର ଯଥାର୍ଥ ତଦନ୍ତ କରି ଏଭଳି ଅଧର୍ମ କାର୍ଯ୍ୟ କରିଥିବା ପ୍ରକୃତ ଦୋଷୀ ମାନଙ୍କୁ ଧରିବା ନିମନ୍ତେ ଜନସାଧାରଣ ଦାବି କରିଛନ୍ତି ।ଆଜିର ଏହି ଉଦ୍ଧାର ସମୟରେ ସୁକିନ୍ଦା ରାଜସ୍ୱ ନୀରିକ୍ଷକ ବାଇଧର ଯତି ,ଥାନା ଅଧିକାରୀ ଶୈଳେନ୍ଦ୍ର କୁମାର ପାଣିଗ୍ରାହୀଙ୍କ ସମେତ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ ।