ବିନା ଭକ୍ତରେ ବାହୁଡ଼ିଲେ ମହାବାହୁ

July 01, 2020, ଓଡ଼ିଶା, , Anupambharat News Bureau


ବିନା ଭକ୍ତରେ ବାହୁଡ଼ିଲେ ମହାବାହୁ
Anupambharat News Bureau
July 01, 2020

ପୁରୀ,୧ା୭(ଅନୁପମମିଡ଼ିଆ): ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ମହାପ୍ରଭୁଙ୍କ ନନ୍ଦିଘୋଷ, ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ସନ୍ଧ୍ୟା ପୂର୍ବରୁ ସିଂହଦ୍ୱାର ସମ୍ମୁଖରେ ଲାଗିଛି । ଆଡପମଣ୍ଡପରେ ଲୀଳାମୟ ଠାକୁର ଲୀଳାଖେଳ ଶେଷ କରି ବୁଧବାର ବାହୁଡ଼ିଛନ୍ତି ତିନିଠାକୁର । ରଥଯାତ୍ରା ଭଳି ଆଜିର ବାହୁଡ଼ାଯାତ୍ରା ମଧ୍ୟ ବିନା ଭକ୍ତରେ ସୁରୁଖୁରୁରେ ଶେଷ ହୋଇଛି ।
ଗତକାଲି ବିଳମ୍ବିତ ରାତିରେ ଶ୍ରୀଜୀଉଙ୍କର ବାହୁକଣ୍ଟ କରାଯିବା ସହ ସେନାପଟ୍ଟା ଲାଗି କରାଯାଇଥିଲା । ଆଜି ଭୋରରେ ଗୁଣ୍ଡିଚା ମନ୍ଦିର ଦୁଆର ଖୋଲାଯିବା ପରେ ଶ୍ରୀଜୀଉଙ୍କର ମଙ୍ଗଳ ଆଳତୀ, ଅବକାଶ ମଇଲମ, ସୂର୍ଯ୍ୟପୂଜା, ଦୁଆର ପୂଜା ହେବା ସହ ଗୋପାଳ ବଲ୍ଲଭ ପୂଜା ସହ ସକାଳ ଧୂପ ନୀତି ଅନୁଷ୍ଠିତ ହୋଇଥିଲା । ସକାଳ ଧୂପରେ ଶ୍ରୀଜୀଉଙ୍କୁ ଖେଚୁଡି ଓ ପୀଠା ଆଦି ଭୋଗ କରାଯାଇଥିଲା । ଏହା ପରେ ମଙ୍ଗଳାର୍ପଣ କରାଯାଇଥିଲା । ବିଜେ କାହାଳୀ ବାଜିବା ପରେ ଶ୍ରୀଜୀଉଙ୍କର ଗୋଟି ପହଣ୍ଡି ଆରମ୍ଭ ହୋଇଥିଲା । ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡି କରାଯାଇ ଦର୍ପଦଳନ ରଥରେ ରଥାରୂଢ କରାଯାଇଥିଲା । ପରେ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଘଣ୍ଟବାଦ୍ୟ ମଧ୍ୟରେ ବଳଭଦ୍ର ଝୁଲି ଝୁଲି ନାକଚଣା ଦୁଆର ଦେଇ ଶରଧାବାଲିକୁ ବିଜେ କରିବା ପରେ ତାଙ୍କୁ ସେବାୟତ ମାନେ ପହଣ୍ଡି କରି ତାଳଧ୍ୱଜ ରଥରେ ରଥାରୂଢ କରିଥିଲେ । ପରେ ଦେବୀ ସୁଭଦ୍ରାଙ୍କୁ କରାଯାଇ ଆଣି ଦର୍ପଦଳନ ରଥରେ ବିଜେ କରାଯାଇଥିଲା । ଶେଷରେ ମହାପ୍ରଭୁ ଜଗନ୍ନାଥ ଟିହିୟା ଲଗାଇ ଝୁଲି ଝୁଲି ଆସି ନନ୍ଦିଘୋଷ ରଥରେ ରଥାରୂଢ ହୋଇଥିଲେ । ପରେ ଘଣ୍ଟ ବାଦ୍ୟର ତାଳେତାଳେ ମଦନ ମୋହନ ଓ ରାମକୃଷ୍ଣଙ୍କୁ ଅଣାଯାଇଥିଲା । ମଦନ ମୋହନକୁ ନନ୍ଦିଘୋଷ ରଥରେ ବିଜେ କରାଯାଇଥିଲା ଓ ରାମକୃଷ୍ଣଙ୍କୁ ତାଳଧ୍ୱଜ ରଥରେ ବିଜେ କରାଯାଇଥିଲା । ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଜପତି ମହାରାଜାଙ୍କୁ ଛେରା ପହଁରା ପାଇଁ ନିମନ୍ତ୍ରଣ କରାଯାଇଥିଲା । ଗଜପତି ମହାରାଜା ଶ୍ରୀନଅରରୁ କାର ଯୋଗେ ବଡଶଙ୍ଖରେ ପହଞ୍ଚିବା ପରେ ସେଠାରୁ ଛତିତ୍ରାସ ବାଦ୍ୟ ସହ ଏକ ଶୋଭାଯାତ୍ରାରେ ରୌପ୍ୟ ଖଚିତ ମେହେନାରେ ବସି ରଥ ନିକଟକୁ ଆସିଥିଲେ । ପ୍ରଥମେ ବଳଭଦ୍ରଙ୍କର ତାଳଧ୍ୱଜ ରଥ କୁ ଯାଇ ମହାପ୍ରଭୁଙ୍କୁ ବନ୍ଦାପନା କରିବା ପରେ ସୁବର୍ଣ୍ଣ ଖଡିକାରେ ରଥ ଉପରେ ଛେରାପହଁରା କାର୍ଯ୍ୟ କରିଥିଲେ । ପରେ ଜଗନ୍ନାଥଙ୍କର ନନ୍ଦିଘୋଷ ରଥକୁ ଯାଇ ଛେରାପହଁରା କାର୍ଯ୍ୟ କରିବା ପରେ ଶେଷରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଯାଇ ଛେରାପହଁରା କାର୍ଯ୍ୟ କରିଥିଲେ । ମହାପ୍ରଭୁଙ୍କର ଏହି ଅପୂର୍ବ ଲୀଳା ଦେଖିବା ପାଇଁ ଭକ୍ତ ଉପସ୍ଥିତ ନଥିଲେ । ଗୁଣ୍ଡିଚା ଭଳି ବାହୁଡା ଯାତ୍ରା ମଧ୍ୟ ବିନା ଭକ୍ତରେ ଅନୁଷ୍ଠିତ ହୋଇଥିଲା । ଛେରାପହଁରା କାର୍ଯ୍ୟ ଶେଷ କରି ଗଜପତି ମହାରାଜା ଶ୍ରୀନଅର କୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଛେରାପହଁରା କାର୍ଯ୍ୟ ଶେଷ ହେବା ପରେ ରଥର ଚାରମାଳ ଖୋଲାଯାଇଥିଲା । ପରେ ଘୋଡା ଲଗାଯାଇଥିଲା । ତାଳଧ୍ୱଜ ରଥ ୧୧ ଟା ୨୫ ମିନିଟ୍‌ରେ ଟଣା ଆରମ୍ଭ ହୋଇଥିଲା ।
ସେବାୟତମାନେ ମହାପ୍ରଭୁଙ୍କ ରଥକୁ ଟାଣିନେଇଥିଲେ । ପରେ ପରେ ମା’ସୁଭଦ୍ରାଙ୍କର ଦର୍ପଦଳନ ଓ ଶେଷରେ ଜଗନ୍ନାଥଙ୍କର ନନ୍ଦିଘୋଷ ରଥଟଣା ଆରମ୍ଭ ହୋଇଥିଲା । ପ୍ରତ୍ୟେକ ବର୍ଷ ଶରଧାବାଲିରେ ମେଘମୁକ୍ତ ଆକାଶର ଚାନ୍ଦୁଆ ତଳେ ଲକ୍ଷାଧିକ ଭକ୍ତ ଛିଡା ହୋଇ ହରିବୋଲ ହୁଳହୁଳି ଓ ଶଙ୍ଖଧ୍ୱନୀରେ ଶରଧାବାଲିକୁ ପ୍ରକମ୍ପିତ କରାଉଥିବା ବେଳେ ଚଳିତ ବର୍ଷ କୋଭିଡ୍‌-୧୯ କଟକଣା ଯୋଗୁଁ ଶରଧାବାଲି ସମ୍ପୂର୍ଣ୍ଣ ଭକ୍ତଶୂନ୍ୟ ହୋଇପଡିଥିଲା । ଭକ୍ତଙ୍କର ସେହି ହୁଳହୁଳି ଓ ହରିବୋଲ ଧ୍ୱନୀ ଆଜି ଆଉ ଶୁଣିବାକୁ ମିଳିନଥିଲା । ଶରଧାବାଲିରୁ ରଥକୁ ସେବାୟତ ମାନେ ଶ୍ରୀମନ୍ଦିର ସମ୍ମୁଖକୁ ଟାଣି ଆଣିଥିଲେ । ବାଟରେ ମାଉସୀ ମାଆ ମନ୍ଦିର ନିକଟରେ ରଥ ଅଟକିବା ପରେ ମାଉସୀ ଙ୍କ ଦ୍ୱାରା ପ୍ରସ୍ତୁତ ପୋଡପୀଠା ଭୋଗ କରାଯାଇଥିଲା । ଦିନ ୨ ଟା ୪୫ ମିନିଟ୍‌ରେ ବଳଭଦ୍ର ଙ୍କ ତାଳଧ୍ୱଜ ରଥ ସିଂହଦ୍ୱାରରେ ପହଞ୍ଚିଥିଲା । ଓ ପରେ ୩ ଟା ୬ ମିନିଟ୍‌ ରେ ଦେବୀ ସୁଭଦ୍ରା ଙ୍କ ରଥ ଦର୍ପଦଳନ ସିଂହଦ୍ୱାରରେ ଲାଗିଥିଲା । ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀନଅର ନିକଟରେ ଅଟକିବା ପରେ ଶ୍ରୀମନ୍ଦିରରୁ ମହାଲାକ୍ଷ୍ମୀ ଚାହାଣୀ ମଣ୍ଡପକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ପରେ ଶ୍ରୀମନ୍ଦିରରୁ ମହାଲକ୍ଷ୍ମୀ ଶ୍ରୀନଅରକୁ ଆସିବା ପରେ ଗଜପତି ମହାରାଜା ମହାଲକ୍ଷ୍ମୀଙ୍କୁ ନେଇ ନନ୍ଦିଘୋଷ ରଥ ନିକଟରେ ଲକ୍ଷ୍ମୀନାରାୟଣ ଭେଟ କରାଇଥିଲେ । ବନ୍ଦାପନା ଓ ପୂଜାର୍ଚ୍ଚନା ପରେ ମାଆ ଲକ୍ଷ୍ମୀ ଶ୍ରୀ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ପରେ ନନ୍ଦିଘୋଷ ରଥକୁ ଟଣାଯାଇ ସିଂହଦ୍ୱାରକୁ ନିଆଯାଇଥିଲା । ନନ୍ଦିଘୋଷ ରଥ ପ୍ରାୟ ୪ ଟା ୪୦ ସୁଦ୍ଧା ସିଂହଦ୍ୱାରରେ ଲାଗି ଯାଇଥିଲା । ଆସନ୍ତା କାଲି ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ରାଜ୍‌ ରାଜେଶ୍ୱର ବେଶ ଅନୁଷ୍ଠିତ ହେବ । ଆଜି ବାହୁଡା ଯାତ୍ରା ସମୟରେ କୌଣସି ଅଘଟଣ ଘଟିନଥିବା ପ୍ରକାଶ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ସହରର ପ୍ରବେଶ ସମସ୍ତ ପ୍ରବେଶ ପଥକୁ ସିଲ କରିଦିଆଯାଇଥିଲା । ବଡଦାଣ୍ଡକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଗୁଡିକୁ ମଧ୍ୟ ସିଲ୍‌ କରି ଦିଆଯାଇଥିଲା । ସୁପ୍ରିମକୋର୍ଟ ଙ୍କ ନିର୍ଦେଶ ଅନୁଯାୟୀ କୌଣସି ସହର ବାସିନ୍ଦା ରାସ୍ତା ଉପରକୁ ଆସିନଥିଲେ । ପ୍ରବଳ ରୌଦ୍ରତାପ ଯୋଗୁଁ ଅଗ୍ନି ଶମ ସଂସ୍ଥା ପକ୍ଷରୁ ରାସ୍ତା ଉପରେ ପାଣି ସିଞ୍ଚନ କରାଯାଇଥିଲା । ଚଳିତ ବର୍ଷ ବାହୁଡା ଯାତ୍ରା ନୀତି ନିର୍ଘଣ୍ଟ ଅନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା । ୨୦୨୦ର ଘୋଷଯାତ୍ରା ଓ ବାହୁଡା ଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହୋଇ ଏକ ନୂତନ ଇତିହାସ ସୃଷ୍ଟି କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ୧୩ରୁ ଡିଗ୍ରୀ କଲେଜରେ ଅନ୍‌ଲାଇନ କ୍ଲାସ

୧୩ରୁ ଡିଗ୍ରୀ କଲେଜରେ ଅନ୍‌ଲାଇନ କ୍ଲାସ

Read More...

ରାଜ୍ୟରେ ନୂଆ ପଜିଟିଭ୍‌ ୨୫୧, ସୁସ୍ଥ ୧୬୪

ରାଜ୍ୟରେ ନୂଆ ପଜିଟିଭ୍‌ ୨୫୧, ସୁସ୍ଥ ୧୬୪

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page