ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୩ଟି ନୂଆ କୃଷକ ଆଇନକୁ ନେଇ ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ଜାରି ରଖିଛନ୍ତି । ନୂଆ କୃଷକ ଆନ୍ଦୋଳନକୁ ବଦଳାଇବା ଦାବିରେ ରାଜଧାନୀ ଦିଲ୍ଲୀରେ ହେଉଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ ରାଜସ୍ଥାନ କଂଗ୍ରେସ କମିଟିର ପ୍ରଦେଶ ଅଧ୍ୟକ୍ଷ ଗୋବିନ୍ଦ ସିଂହ ଡୋଟାସରା ମରୁଧରାର ଏକ ଶିଶୁର ଭିଡିଓ ସେୟାର କରିଛନ୍ତି ।
ଭିଡିଓରେ ଏହି ଶିଶୁ କୃଷକଙ୍କ ପୀଡାକୁ ଉଜାଗର କରି ପୁରା ଜୋସର ସହ ଆନ୍ଦୋଳନ ତେଜ କରିବାକୁ ଅପିଲ କରିଛନ୍ତି । ଗୋବିନ୍ଦ ସିଂହ ନିଜ ଟୁଇଟର ଆକାଉଣ୍ଟରେ ଏହି ଭିଡିଓ ସେୟାର କରିଛନ୍ତି । ଗୋବିନ୍ଦ ସିଂହ ଭିଡିଓ ସେୟାର କରିବା ପରେ ଏହି ଭିଡିଓ ଖୁବ ଭାଇରାଲ ହୋଇଛି । ରାଜସ୍ଥାନ ପିସିସି ଚିଫ ଗୋବିନ୍ଦ ସିଂହ ଡୋଟାସରା ସୋମବାର ରାତିରେ ଏହି ଭିଡିଓ ସେୟାର କରିଥିଲେ । ମଙ୍ଗଳବାର ସକାଳ ସାଢେ ୭ଟା ଯାଏଁ ପାଖାପାଖି ୧୦ ହଜାର ଲୋକ ଏହି ଭିଡିଓ ଦେଖି ସାରିଥିଲେ । ଭିଡିଓକୁ ୨୪୫ ଥର ରି ଟୁଇଟ୍ କରାଯାଇଛି ଏବଂ ପାଖାପାଖି ୨ ହଜାର ଲୋକ ଲାଇକ୍ କରିଛନ୍ତି ।
୨ ମିନିଟ ୨୦ ସେକେଣ୍ଡର ଏହି ଭିଡିଓରେ ଶିଶୁ ସଂକ୍ଷିପ୍ତ ଭାଷଣ ପରେ କବିତା ମାଧ୍ୟମରେ ଆନ୍ଦୋଳନକାରୀ କୃଷକଙ୍କୁ ଉତ୍ସାହିତ କରୁଥିବା ନଜର ଆସିଛନ୍ତି । ଗୋବିନ୍ଦ ସିଂହ ଏହି ଭିଡିଓ ସେୟାର କରିବା ସହ ଟୁଇଟରରେ ଲେଖିଛନ୍ତି, ‘ରାଜସ୍ଥାନର ଗୌରବଶାଳୀ ମାଟିରୁ ଏହି ଛୋଟ ଶିଶୁଟି କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଦୃଢ଼ ସ୍ୱରରେ ମୋଦି ସରକାରଙ୍କୁ ହମଲା କରିଛି, ଟିକିଏ ଶୁଣ;ୁ ।’ ଭିଡିଓରେ ଶିଶୁ ଏକ କ୍ଷେତରେ ଛିଡା ହୋଇ ଏକ ନେତା ଭଳି ଭାଷଣ ଦେବା ସହ କବିତା ମାଧ୍ୟମରେ ମୋଦି ସରକାରଙ୍କୁ ହମଲା କରିଛନ୍ତି । ନିଜ ଦାବି ପୁରା ନ ହେବା ଯାଏଁ ଅଡି ବସିବାକୁ ସେ କୃଷକଙ୍କୁ ଅପିଲ କରିଛନ୍ତି ।
ସଫଳ ନ ହେବା ଯାଏଁ ପଛକୁ ନ ହଟିବାକୁ ସେ କହିଛନ୍ତି । ସେ ଦୃଢ ସ୍ୱରରେ କହିଛନ୍ତି ଯେ କେବେ ଯାଏଁ କୃଷକ ଏମିତି କାନ୍ଦୁଥିବେ । ସଂଘର୍ଷ କରି ସଫଳତାର ନୂଆ କାହାଣୀ ଲେଖିବା ଉଚିତ । ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ୩ ଟି ନୂଆ କୃଷକ ଆଇନକୁ ବିରୋଧ କରି ପଞ୍ଜାବ ଓ ହରିୟାଣାର ଚାଷୀ ଦିଲ୍ଲୀ ସୀମାରେ ଧାରଣା ଦେଇଛନ୍ତି । ଏବେ ରାଜସ୍ଥାନ ଚାଷୀ ମଧ୍ୟ ଏହି ଆଇନକୁ ବିରୋଧ କରିଛନ୍ତି ।